Unknown

 

 

 

 

 

 

 

 

 

 

 

ବେଲିଆ

ଶ୍ରୀ ପୁଳିନବିହାରୀ ରାୟ

 

 

 

 

 

 

 

 

 

 

 

 

ଉତ୍ସର୍ଗ

 

ବନ୍ଧୁ ଫତୁରାନନ୍ଦଙ୍କୁ–

 

ଭୂମିକା

 

ମୋର ଜୀବିକା ହେଲା ଡାକ୍ତରୀ, ରୋଗ ଆଉ ରୋଗୀ ନେଇ କାରବାର । ଦୈନିକ ଦୁଃଖର ଘଟଣା ଛଡ଼ା ସୁଖର ଘଟଣା କମ୍‌ ଆଖିରେ ପଡ଼େ । ଏହା ଛଡ଼ା ନିଜର ଦୁଃଖମୟ ଜୀବନ-। ସେଥିରେ କିଛି ଲେଖିବାର ଆଗ୍ରହ ଥିଲେ ମଧ୍ୟ, ଲେଖିହୁଏନା । ଲେଖିଲେ ମଧ୍ୟ ସେ ଲେଖା ଭଲ ହବ କୁଆଡ଼ୁ ? ପୁଣି ଅବସର କାମ । ଯେତେବେଳେ ଅବସର ମିଳିଲା, ସେତେବେଳେ ମୁଣ୍ଡଭିତରେ ବାର ଜଞ୍ଜାଳରୁ ଗୋଟାଏ ସମାଧାନର ସହଜ ଉପାୟ ବାହାର କରିବା ପାଇଁ ଏକ ବିରାଟ ଫ୍ୟାକ୍‌ଟରି କାର୍ଯ୍ୟ କରୁଛି । ଶାନ୍ତିରେ ବସି କଲମ ଚଳେଇବା ବଡ଼ କଷ୍ଟକର । ଇମିତି ଅବସ୍ଥାରେ ଦିନେ ବନ୍ଧୁ ଫତୁରାନନ୍ଦଙ୍କୁ ଲେଖିଲି–ଆଉ ଲେଖି ପାରିବି ନାହିଁ, ଲେଖା ଲେଖି ବନ୍ଦ କଲି..... ।

 

ବନ୍ଧୁ ଉତ୍ତରରେ ଜଣେଇଲେ–ସିରିଂଜଦ୍ୱାରା ବଞ୍ଚିପାରିବ ନାହିଁ, କଲମଦ୍ୱାରା ବଞ୍ଚିବ, ଲେଖାଲେଖି ଛାଡ଼ିବ ନାହିଁ..... ।

 

ବନ୍ଧୁ ଫତୁରାନନ୍ଦଙ୍କ କଥାରେ ପୁଣି ଲେଖିଲି, ବେଶି ଭାଗ ଗଳ୍ପ । ବନ୍ଧୁଙ୍କ ଆହୁରି ଉପଦେଶ ଥିଲା–ହାସ୍ୟରସାତ୍ମକ ଲେଖା ଲେଖିବି, ହାସ୍ୟରସାତ୍ମକ ଲେଖା ଛାଡ଼ିବି ନାହିଁ । ମାନିଲି-

 

ଗଳ୍ପଗୁଡ଼ିକ ସାମୟିକ ପତ୍ରିକାରେ–ଡଗର, ନବଜୀବନ, ଝଙ୍କାର, ଜୀବନ ରଙ୍ଗରେ କେତେକ ପ୍ରକାଶିତ ହେଲାପରେ, ତାକୁ ସବୁ ପତ୍ରିକାରୁ କାଟି ମୋର ଗଳ୍ପ ଫାଇଲରେ ସଜାଡ଼ି ରଖିଦିଏ । ଆଉ ବେଶି କିଛି କରିପାରେନା; କାରଣ ଏ ସବୁ ଗଳ୍ପ ମଧ୍ୟରୁ କେତେଗୁଡ଼ିଏ ଏକାଠିକରି ପୁସ୍ତକାକାରରେ ପ୍ରକାଶକରି ପାଠକ-ପାଠିକାମାନଙ୍କ ହାତରେ ଦବା ସହଜସାଧ୍ୟ ନୁହେଁ-। ମୁଁ କେଉଁଠି ? ପ୍ରକାଶକ କେଉଁଠି ? ଗ୍ରାମାଞ୍ଚଳରେ ଚାକିରୀ, ସହର ବଜାରରେ ଥିଲେ କୌଣସି ପ୍ରକାଶକଙ୍କଦ୍ୱାରା ପ୍ରକାଶ କରାଇ ପାରନ୍ତି । ସେ ସୁବିଧା ମିଳୁଛି କାହିଁ ? ଏଣୁ ମୋର ଗଳ୍ପଗୁଡ଼ିକ, ଗଳ୍ପଫାଇଲ ରୂପକ ଶୀତଳଭଣ୍ଡାରରେ ବେଶ୍‌ ଆରାମ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଷୋଳଟି ଗଳ୍ପକୁ ବାହାର କଲେ–ଝିଅ ସିପ୍ରା, ପୁଅ ମିହିର । ସେ ଷୋଳଟି ଗଳ୍ପକୁ ପୁସ୍ତକାକାରରେ ପ୍ରକାଶକରି ଦେଶର ପାଠକପାଠିକାମାନଙ୍କ ହାତରେ ଦବାପାଇଁ ସେମାନଙ୍କର ଭାରି ଆଗ୍ରହ ।

 

ଉକ୍ତ ଗଳ୍ପ ସଂକଳନର ପାଣ୍ଡୁଲିପି ପ୍ରସ୍ତୁତ କରି ତାକୁ ପୁସ୍ତକାକାରରେ ପ୍ରକାଶୋପଯୋଗୀ କରିବାରେ ସେମାନଙ୍କର ଉଦ୍ୟମ ଏକାନ୍ତ ପ୍ରଶଂସନୀୟ ।

 

ସେହିମାନଙ୍କର ରୁଚି ଅନୁଯାୟୀ ଉକ୍ତ ଗଳ୍ପ ସଂକଳନର ନାମକରଣ ହେଲା–‘ବେଲିଆ’-

 

ବେଲିଆ ଦେଶର ପାଠକ-ପାଠିକାମାନଙ୍କୁ ଯଦି ଆନନ୍ଦ ଦାନ କରେ, ସେଥିରେ ମୋର ବିଶେଷ ଆନନ୍ଦ ଏବଂ ଶ୍ରମ ସାର୍ଥକ ବୋଲି ଜାଣିବି । ଇତି ।

 

ଜାଁଳା

ଲେଖକ

ତା ୫।୫।୧୯୬୮

ଶ୍ରୀ ପୁଳିନବିହାରୀ ରାୟ

Image

 

ସୂଚୀପତ୍ର

 

୧.

ଜୀବ ଓ ଜଡ଼

ନବଜୀବନ, ୧୨ଶ ବର୍ଷ, ୯ମ ସଂଖ୍ୟା

୨.

କାଲୁ ପ୍ରସଙ୍ଗ

ଝଙ୍କାର, ୧୯ଶ ବର୍ଷ, ୮ମ ସଂଖ୍ୟା

୩.

ବେଦନା ନାଶକ

ଝଙ୍କାର, ୧୭ଶ ବର୍ଷ, ୩ୟ ସଂଖ୍ୟା

୪.

ଗୁରୁଚରଣର ଚାକିରୀ

ଜୀବନରଙ୍ଗ, ୧୯୬୬ ଅକ୍ଟୋବର ସଂଖ୍ୟା

୫.

ଅବୁଝ

ଝଙ୍କାର, ୧୭ଶ ବର୍ଷ, ୭ମ ସଂଖ୍ୟା

୬.

ଦମ୍ପତି

ଝଙ୍କାର, ୫ମ ବର୍ଷ, ୯ମ ସଂଖ୍ୟା

୭.

ବହୁପୁତ୍ରେ

ଡଗର, ୨୯ଶ ବର୍ଷ, ୯ମ ସଂଖ୍ୟା

୮.

ସଧବା

ଡଗର, ଷଷ୍ଠବିଂଶ ବର୍ଷ, ୧ମ ଓ ୨ୟ ସଂଖ୍ୟା

୯.

ମନାନ୍‌ମିଆଁ ମଟରଗାଡ଼ି

ଡଗର, ୨୮ଶବର୍ଷ, ୯ମ ଓ ୧୦ମ ସଂଖ୍ୟା

୧୦.

ବାହୁଡ଼ା ବିଜେ

ଝଙ୍କାର, ୧୬ଶ ବର୍ଷ, ୧୨ଶ ସଂଖ୍ୟା

୧୧.

ବାଜିଆ ପ୍ରସଙ୍ଗ

ଡଗର, ୩୧ଶ ବର୍ଷ, ୧୨ଶ ସଂଖ୍ୟା

୧୨.

ଆନ୍ଦୋଳନ

ଡଗର, ୩୦ଶ ବର୍ଷ, ୧୦ମ ସଂଖ୍ୟା

୧୩.

ଧୃତରାଷ୍ଟ୍ରଙ୍କ ଭାସେକ୍‌ଟୋମି

ଡଗର, ୩୫ଶ ବର୍ଷ, ୧୨ଶ ସଂଖ୍ୟା

୧୪.

ବୀର ବାହୁଡ଼ା

ଡଗର, ୩୪ଶ ବର୍ଷ, ୩ୟ ସଂଖ୍ୟା

୧୫.

ମନ ଅବୋଧ ଚଉତିଶା

ଡଗର, ୩୫ଶ ବର୍ଷ, ୪ର୍ଥ ସଂଖ୍ୟା

୧୬.

ମିଳନ ମାଧୁରୀ

ଡଗର, ୩୫ଶ ବର୍ଷ, ୯ମ ସଂଖ୍ୟା

Image

 

ଜୀବ ଓ ଜଡ଼

 

ଗାଁ’ର ଠାକୁରାଣୀ–ଚଣ୍ଡେଶ୍ୱରୀ, ଚଣ୍ଡେଶ୍ୱରୀଙ୍କ ଛୋଟ ମନ୍ଦିର, ରୋଷଘର, ଅଗଣା, ପାଚେରୀ, ତା’ଭିତରେ ନଡ଼ିଆଗଛ, ପଣସ ଗଛ, ଚମ୍ପା, ବଉଳ, ନାଗେଶ୍ୱର, ମନ୍ଦାର, କଦମ୍ବଗଛ ରହି ମନ୍ଦିରର ଶୋଭା ବର୍ଦ୍ଧନ କରିଥାଏ । ଗାଁ ଲୋକେ କେତେକ ବିପଦ ଆପଦରୁ ମୁକ୍ତି ପାଇବା ଲାଗି ଦେବୀଙ୍କ ନିକଟରେ ମାନସିକ କରନ୍ତି, ମନସ୍କାମନା ପୂର୍ଣ୍ଣ ହେଲେ, ଦେବୀଙ୍କ ନିକଟରେ ଭୋଗରାଗ କରନ୍ତି, ଶାଢ଼ୀ, ଗହଣା, କାଛେଣି, ଫୁଲମାଳ, ଟଙ୍କା, ଯା’ର ଯାହା ଦେବାକୁ ଇଚ୍ଛା ଥାଏ, ଦିଅନ୍ତି ।

 

ସେଦିନ ଠାକୁରାଣୀଙ୍କ ରୋଷଘରେ ଖିରି, ଖେଚେଡ଼ି ମାଂସ ରାନ୍ଧଣା ଚାଲିଛି । ଜଣେ ଭକ୍ତଙ୍କର ମାନସିକ ପୂର୍ଣ୍ଣ ହେଲାରୁ, ସେ ଠାକୁରାଣୀଙ୍କ ନିକଟରେ ଭୋଗ କରିବା ପାଇଁ ରୋଷେଇ କରାଉଛନ୍ତି ।

 

ଭକ୍ତ ହେଲେ ଗାଁ’ର ନାମଜାଦା ମୁଖିଆଲୋକ ଜ୍ଞାନବାବୁ । ସେ ବିପତ୍ନୀକ ଥିଲେ । ଠାକୁରାଣୀଙ୍କ ନିକଟରେ ମାନସିକ କରିଥିଲେ–ତାଙ୍କୁ ଯଦି ଗୋଟିଏ କନ୍ୟା ମିଳିବ, ସେ ଦ୍ୱିତୀୟ ବିବାହ କରିବେ, ତା’ହେଲେ ଠାକୁରାଣୀଙ୍କୁ ଖିରି ଖେଚେଡ଼ି ଭୋଗ ଦେବେ, ଆଉ ଖଣ୍ଡେ କଳା ରଙ୍ଗ ଶାଢ଼ୀ ଦେବେ.... ।

 

ଏଇଥିଲାଗି ଠାକୁରାଣୀଙ୍କ ମନ୍ଦିରରେ ଭାରି ଗହଳି; ଜ୍ଞାନବାବୁ ସାଙ୍ଗସାଥି, ଜ୍ଞାତି କୁଟୁମ୍ବ ଅନେକ ଲୋକଙ୍କୁ ପ୍ରସାଦ ସେବନ ଲାଗି ନିମନ୍ତ୍ରଣ କରିଛନ୍ତି ।

 

ମନ୍ଦିର ଭିତରେ, ବାହାରେ ଲୋକଙ୍କର ଭାରି ଗହଳି, ପେଟ୍ରୋମାକ୍‌ସ ଜଳୁଛି, ଖେଚେଡ଼ି ବାସନା, ମାଂସ ବାସନାରେ ଚାରିଆଡ଼ ମହକୁଛି; ଦଳେ ଲୋକ ଠାକୁରାଣୀଙ୍କ ବେଢ଼ା ଭିତରେ ଭାଙ୍ଗ, ଗଞ୍ଜେଇ ଖାଇ ମୃଦଙ୍ଗ, ଝାଞ୍ଜ, ତନ୍ମୟ ହେଇ ବଜଉଛନ୍ତି, ଦଳେ ଗପ କରୁଛନ୍ତି, ଦଳେ ପଶା ଖେଳୁଛନ୍ତି; ଜ୍ଞାନବାବୁ ଖାଲି ପେଟ କାଢ଼ି ପିନ୍ଧିଥିବା ଲୁଗାର କୁଞ୍ଚକୁ ଓଲଟେଇ ନାହି କତିରେ ଖୋସି, ଗୁଞ୍ଜାପାନ ଚୋବେଇ ମୁରବ୍‌ବିଆନା ଢଙ୍ଗରେ ଥରେ ମନ୍ଦିର ଭିତରେ, ଥରେ ବାହାର କ’ଣ ହେଲା, ନ ହେଲା, କିଏ ଆସିଲା, କିଏ ନ ଆସିଲା, ରୋଷେଇ କେତେଦୂର ଗଲା, ବୁଝାବୁଝି କରି ବୁଲୁଛନ୍ତି ।

 

ଚଣ୍ଡେଶ୍ୱରୀଙ୍କ ମନ୍ଦିରର ସମ୍ମୁଖରେ ରାସ୍ତାର ଅପର ପାର୍ଶ୍ୱରେ କେତେଗୁଡ଼ିଏ ଧନୀ ଆଉ ଗରିବଲୋକଙ୍କର ଘର । ହଠାତ୍‌ ସେଇଆଡ଼ୁ ଗୋଟାଏ ଘରୁ ଚିତ୍‌କାର ଏବଂ କାନ୍ଦିବାର ଶବ୍ଦ ମିଶାମିଶି ହୋଇ ଶୁଣାଗଲା–ଦୌଡ଼ିଆସ, ମୋତେ ମାରି ପକେଇଲା । ଏ ଚିତ୍‌କାର ଏବଂ କାନ୍ଦଣାର ଶବ୍ଦ ଶୁଣି ଚଣ୍ଡେଶ୍ୱରୀଙ୍କ ମନ୍ଦିର ଭିତରେ ଚାଲିଥିବା କୀର୍ତ୍ତନ, ପଶାଖେଳ ଏବଂ ଅନ୍ୟାନ୍ୟ ଗୋଳମାଳ ହଠାତ୍‌ ବନ୍ଦ ହୋଇଗଲା । ସମସ୍ତେ କାନ ଡେରିଲେ–କ’ଣ ଇମିତି ଗୋଟାଏ ଚିତ୍‌କାର ଏବଂ କାନ୍ଦଣାର ଶବ୍ଦ ଶୁଣା ଯାଉଛି ?

 

ଶେଷରେ ଚଣ୍ଡେଶ୍ୱରୀରଙ୍କ ମନ୍ଦିରରୁ ଏବଂ କେତେକ ପଡ଼ୋଶୀ ଘରର ଲୋକେ ଦୌଡ଼ାଦୌଡ଼ି ହୋଇ ଯେଉଁ ଘରୁ ଶବ୍ଦ ଶୁଣା ଯାଉଥିଲା, ସେଠି ଯାଇ ପହଞ୍ଚି ଦେଖିଲେ–ଅଇଁଠା ସେଠୀ ତା’ର ସ୍ତ୍ରୀକୁ ମାରିବାପାଇଁ ଗୋଟାଏ ପଥର ଉଞ୍ଚେଇଛି, ଆଉ ଦୁଃଖରେ କାନ୍ଦି କାନ୍ଦି କହୁଛି–ମୋତେ କ’ଣ ଖାଇବାକୁ ଦେ, ନ ହେଲେ, ଏ ପଥରରେ ତୋର ମୁଣ୍ଡକୁ ଛେଚି ମାରିଦେବି....

 

ଦର୍ଶକଙ୍କଆଡ଼ୁ ପ୍ରଶ୍ନ ଅଜାଡ଼ି ହୋଇ ପଡ଼ିଲା–ଅଇଁଠା ସେଠୀ କାହିଁକି ପଥର ଉଠେଇଲା ତା’ର ସ୍ତ୍ରୀର ମୁଣ୍ଡ ଛେଚି ମାରିଦେବାପାଇଁ ।

 

ଅଇଁଠା ସେଠୀର ସ୍ତ୍ରୀ କାନ୍ଦି କାନ୍ଦି କହିଲା–ଆଜିକି ତିନିଦିନ ହେଲା, ସେ ଖାଇନାହିଁ, ମୋ ଉପରେ ରାଗି ମୋତେ ମାରିବାକୁ ପଥର ଉଞ୍ଚେଇଛି, ମୁଁ ମାଇପିଟିଏ, ଯା’ଯୁଆଡ଼ୁ ଆଣିଲି, ପିଲାକୁ ଖୋଇ ବଞ୍ଚେଇଛି, ତାକୁ ଖୋଇବି କୁଆଡ଼ୁ ?

 

ଅଇଁଠା ସେଠୀ କୁଷ୍ଠରୋଗୀ, ଭିକ ମାଗେ, ଏବେ କେତେଦିନ ହେଲା, ଆଉ କୁଆଡ଼େ ଯାଇ ପାରୁ ନ ଥିଲା ।

 

ଚଣ୍ଡେଶ୍ୱରୀଙ୍କ ମନ୍ଦିରଆଡ଼ୁ ଯେତେ ଜଣ ଭକ୍ତ ଯାଇଥିଲେ ଦେଖିବାକୁ ଆଶ୍ୱାସନା ଦେଇ ଦୟା ପରବଶ ହୋଇ ଅଇଁଠା ଏବଂ ତାର ସ୍ତ୍ରୀକୁ କହି ଆସିଲେ–ଆଚ୍ଛା ହଉ, ବ୍ୟସ୍ତ ହ’ନା, ଠାକୁରାଣୀଙ୍କ କତିରେ ମଉଛବ ହଉଛି, ଭୋଗ ହୋଇଗଲେ ତୋ’ ଲାଗି ପ୍ରସାଦ ପଠେଇ ଦବୁ... ।

 

ଅଇଁଠା ଥର ଥର ହୋଇ ହାତ ଯୋଡ଼ି କହିଲା–ବାବୁ, ହଁସା ଉଡ଼ି ଯାଉଛି, ବାବୁ ଶୀଘ୍ର ମୁଠାଏ ପଠେଇବ ଯଦି ବଞ୍ଚିବି ନୋହିଲେ..... ।

ଭକ୍ତବୃନ୍ଦ ଅଇଁଠା ଘରୁ ମନ୍ଦିରକୁ ଫେରି ଆସିବା ପରେ ଜଣେ କହିଲା–ଲୋକଟା କ’ଣ କହୁଛି ? କେଡ଼େ ତା’ର ସାହସ ! କହୁଛି–ମୁଠାଏ ଶୀଘ୍ର ପଠେଇବ, ଠାକୁରାଣୀଙ୍କ ଲାଗି ଭୋଗ ହେଉନି..... ।

ଆଉ ଜଣେ ପ୍ରତ୍ୟୁତ୍ତରରେ କହିଲା–ତା’ର ହଁସା ଉଡ଼ି ଯାଉଛି, ସେ କ’ଣ ଭାବୁଛି–ଠାକୁରାଣୀଙ୍କ ଭୋଗ କଥା.... ।

ଆଉ ଜଣେ ଭକ୍ତ କହିଲେ–ମଣିଷ ଜୀବନ ଆଗ ନା ଠାକୁରାଣୀ ଆଗ.....

ଆଉ ଜଣେ ପ୍ରତ୍ୟୁତ୍ତର ଦେଲେ–ହଇହେ, କ’ଣ କହିଲ ? ଠାକୁରାଣୀ ଆଗ ନୁହନ୍ତି ? ଠାକୁରାଣୀଙ୍କ ପ୍ରତି ତୁମର ଭକ୍ତି ଦେଖୁଛି.... !

ଆଉ ଜଣେ କିଛି କହିବାକୁ ଯାଇ ଅଟକି ଯାଇ ମନେ ମନେ ଭାବିଲା–ଯେ ଖାଇବାକୁ ମାଗୁଛି, ତାକୁ ଖାଇବାକୁ ଦବା ଆଗ, ନା ଯେ ଖାଇବାକୁ ମାଗୁନି, ତାକୁ ଦବା ଆଗ ?

ଠାକୁରାଣୀ କ’ଣ ଖାଇବାକୁ ଖୋଜୁଛନ୍ତି-

ଜଣେ ଏହାର ପ୍ରତ୍ୟୁତ୍ତରରେ କହିଲେ–ସେ କଥା କେଭେଁ ହେଇ ପାରିବନି । ଆଗେ ଠାକୁରାଣୀ ଖାଇଲେ, ପରେ ଯେ କେହି ଖାଇ ପାରିବେ । ଗୋଟାଏ ଲୋକ ଖାଇବା ବିନା ମରିଯିବ ବୋଲି, ଆମେ ଠାକୁରାଣୀଙ୍କୁ ନ ଖୁଆଇ ତା’ଠି ଭୋଗ ଲଗେଇବୁ ।

ଅନ୍ୟାନ୍ୟ ଲୋକେ ଏ କଥାକୁ ସମର୍ଥନ କରି କହିଲେ–ଠିକ୍‌ କଥା କହିଛି, ଏ ହେଲା ଉଚିତ୍‌ କଥା....

ଆଉ ଜଣେ ଭକ୍ତ ଏ ପ୍ରସ୍ତାବ ଶୁଣି, ବାହାରେ କିଛି ପ୍ରକାଶ ନ କରି ମନେ ମନେ ଭାବିଲେ–କି ଭୁଲ ଧାରଣା ! ମଣିଷ ଭିତରେ ଯେଉଁ ଠାକୁର ବସିଛନ୍ତି ସେ ତ ହେଲା ଅସଲ ଠାକୁର । ସେ ମୁହଁ ଖୋଲି କହୁଛି–ଭଲ ଖାଇବି, ଭଲ ପିନ୍ଧିବି, ଭଲ ଦେଖିବି, ଆଉ କିଛି ଦିନ ଏ ଦୁନିଆକୁ ଭୋଗ କରିବି, ସେ ମରିବାକୁ ଆଦୌ ଚାହୁଁନି, ତାକୁ ଖାଇବାକୁ ନ ଦେଇ, ଏ ପାଷାଣ ମୂର୍ତ୍ତି ଠାକୁରାଣୀଙ୍କ ପାଇଁ ଏତେ ଭୋଗର ଆଡ଼ମ୍ବର !! ଏ ଗୁରା ଭଲ କଥା ନୁହେଁ.....

 

ଏତକ କଥା ମନେ ମନେ ଭାବି, ପୁଣି ମନେ ମନେ ଉକ୍ତ ଭକ୍ତ ଭୟଭୀତ ହୋଇ ଚୁପ୍‌ ରହିଲେ, ଭାବିଲେ–ଭଲ ହୋଇଛି, ବାହାରେ କିଛି କାହାକୁ ଏ ବିଷୟରେ କହି ନାହାନ୍ତି; କହିଥିଲେ, କେତେକ ତାଙ୍କୁ ନିନ୍ଦା କରି ଥାଆନ୍ତେ.....

 

ଏ ଆଲୋଚନାରୁ ଦୂରରେ ରହି ଦୁଇ ଜଣ ଅତି ଗୁପ୍ତ ଭାବରେ ପରସ୍ପର ଆଲୋଚନା କଲେ–

 

ଜଣେ କହିଲା–ଦେଖୁଛ ଭାଇ, ଜୀବକୁ ଆହାର ମିଳୁନି, ସେ ଖାଇବା ବିନା ମରିବାକୁ ଯାଉଛି, ଆଉ ଜଡ଼ ପଥର ତିଆରି ଠାକୁରାଣୀ, ତା’ ଲାଗି କେଡ଼େ ଆଡ଼ମ୍ବର !

 

ଅନ୍ୟ ଜଣେ ପ୍ରତ୍ୟୁତ୍ତରରେ କହିଲା–ଭାଇ ଜୀବ ମଲେ ଜଡ଼, ଜଡ଼ କିଏ ଆଉ ଜୀବ କିଏ ?

 

ଆଗ ଜଣକ ଏକଥା ଶୁଣି କହିଲା–ଭଲ କଥା କହିଲୁ । ଜୀବ ବଞ୍ଚିଥିଲା ଯାଏ ତ ଜଡ଼ ନୁହେଁ, ତା’ ହେଲେ, ସେ ଯେତେବେଳେ ମାଗୁଛି ଖାଇବାକୁ, ନ ଖାଇଲେ ତା’ର ପ୍ରାଣ ଚାଲିଯିବ, ତାକୁ ନ ଦେଇ ଠାକୁରାଣୀଙ୍କୁ ଆଗ ଭୋଗ ଲଗେଇବ ? ମାନିଲେ ଦେବତା ନ ମାନିଲେ ପଥର....

 

ଏକଥା ଶୁଣି ଆର ଜଣକ କହିଲା–ଭାଇ ତୁ ଇମିତିଆ କଥାଗୁଡ଼ା କହୁଛୁ, ତୋର ନିଶ୍ଚୟ କିଛି ଅମଙ୍ଗଳ ଘଟିବ, ଠାକୁରାଣୀଙ୍କୁ ତୁ ମାନୁ ନା ?

 

ଅନ୍ୟ ଜଣକ କହିଲା–ଭାଇ ମୋର ଏ କଥାବାର୍ତ୍ତା ହଉଛେ ନା, ତୁ ଏଗୁଡ଼ା ଆଉ କା’ ଆଗରେ କହିବୁନି, ମୁଁ ଯା’ ବୁଝିଛି ସେଇୟା କହି ପକେଇଲି......

 

ଏତିକିବେଳେ ଅଇଁଠା ସେଠୀ ଘରଆଡ଼ୁ ତା’ର ଭାରିଯା ବାହୁନି ଉଠିବାର ଶୁଣାଗଲା–ସେଥିରୁ ବୁଝାଗଲା –ଅଇଁଠା ସେଠୀ ଆଉ ଏ ଦୁନିଆରେ ନାହିଁ । ତା’ର ଇହଲୀଳା ସାଙ୍ଗ ହେଇଛି, ତାକୁ ମୁଠାଏ ସେ ଖାଇବାକୁ ମାଗିଲା, ଖାଇ ପାରିଲା ନାହିଁ । ବାବୁମାନେ କହିଗଲେ, ତାକୁ ମୁଠାଏ ଠାକୁରାଣୀଙ୍କ ପ୍ରସାଦରୁ ପଠେଇବେ, କାହିଁ ପଠେଇଲେ ନାହିଁ, ତା ସ୍ୱାମୀ ଉପାସ ଭୋକରେ ମଲା....

 

ଚଣ୍ଡେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣ ଏବଂ ବାହାରେ ଭକ୍ତବୃନ୍ଦଙ୍କର ଯେଉଁ ଆଲୋଚନା ଚକ୍ର ବସିଥିଲା–ଠାକୁରାଣୀଙ୍କୁ ଆଗେ ଭୋଗ ନ ଲଗେଇ, ଅଇଁଠା ସେଠୀକୁ କିମିତି ଖାଇବାକୁ ଦିଆଯିବ-? ତା’ର ସମାପ୍ତ ହେଲା । ସମସ୍ତେ ବୁଝିଲେ–ଅଇଁଠା ସେଠୀ ଆଉ ନାହିଁ । ସେ ପରଲୋକଗତ, ପରମାତ୍ମାଙ୍କ ସହିତ ମିଶିଯାଇଛି........

 

ଏ ଘଟଣାରେ କେତେକ ମନେ ମନେ ଅନ୍ୟକୁ ଦୋଷାରୋପ କରି ଚୁପ୍‌ ରହିଲେ, କିଛି କହି ପାରିଲେ ନାହିଁ, ଅନ୍ୟ କେତେକ ମତ ଦେଲେ–ଆଉ ବିଳମ୍ବ ନ କରି ଠାକୁରାଣୀଙ୍କୁ ଭୋଗ ଲଗାଇ, ଅଇଁଠା ସେଠୀ ଉଦ୍ଦେଶ୍ୟରେ ଗୋଟାଏ ପତରରେ ସବୁ ରକମ ପ୍ରସାଦରୁ କିଛି କିଛି ବାଢ଼ି ଦୂରରେ ଥୋଇ ଦେଇ, ପାଣି ମନ୍ଦାଏ ଢାଳି ଦେଇ ଆସି ଖାଇ ବସିଲେ ହବ । ଲୋକଟାର ଖାଇବାର ଆଶା ଥିଲା, ସେଇଆ କର ।....

 

ସେଇଆ କରାଗଲା, ଭକ୍ତ ଜୀବବୃନ୍ଦ ପ୍ରସାଦ ସେବନରେ ଲାଗି ପଡ଼ିଲେ ।

Image

 

କାଲୁ ପ୍ରସଙ୍ଗ

 

ଦେବରାଜ ଆୟୁର୍ବେଦାଚାର୍ଯ୍ୟ ନାମଯାଦା କବିରାଜ ସ୍ତ୍ରୀ ଆଇ.ଏ. ପାଶକରା ଗୃହିଣୀ, ଗୋଟିଏ ମାତ୍ର ପୁଅ, ନାଁ–ହରିହର । କବିରାଜଙ୍କ ଔଷଧାଳୟ, ନାଁ–‘‘ଧନ୍ୱନ୍ତରୀ ଔଷଧାଳୟ’’ ।

 

ଔଷଧାଳୟର ଚାରିଆଡ଼େ ପାଚେରୀ । ଔଷଧାଳୟର ବେଶ ବଡ଼ ପ୍ରାଙ୍ଗଣ, ସେହି ପ୍ରାଙ୍ଗଣ ଭିତରେ କବିରାଜଙ୍କର ରହିବା ଘର । ଔଷଧାଳୟର ବଡ଼ ଫାଟକ । କବିରାଜ ସେଇ ଔଷଧାଳୟ ଭିତରେ ସସ୍ତ୍ରୀକ ରହନ୍ତି । ଔଷଧାଳୟର ପ୍ରାଙ୍ଗଣ ଭିତରେ ନଡ଼ିଆ ଗଛ, ଆମ୍ବ, ପଣସ, କଦଳୀଗଛ, ଫୁଲଗଛ ଇତ୍ୟାଦି ଥିବାଦ୍ୱାରା ବାହାରକୁ ଔଷଧାଳୟଟି ବେଶ ସୁନ୍ଦର ଦେଖାଯାଏ ।

 

ଔଷଧାଳୟର ଅଳ୍ପ ଦୂରରେ ରାଜବାଟୀ, ଆଚାର୍ଯ୍ୟେ ରାଜବାଟୀର ମଧ୍ୟ କବିରାଜ । ରାଜପରିବାରର ମଧ୍ୟ ଚିକିତ୍ସକ ।

 

ଅନେକ ଦୂର ଦୂରାନ୍ତରୁ ରୋଗୀମାନେ କବିରାଜଙ୍କ ନିକଟକୁ ଚିକିତ୍ସିତ ହେବା ପାଇଁ ଆସନ୍ତି । ପୁଣି ଦୂର ଦୂରାନ୍ତକୁ ରୋଗୀର ଚିକିତ୍ସାପାଇଁ, କବିରାଜ ମଧ୍ୟ ଯା’ନ୍ତି । ଦୂର ଗାଁ ହେଲେ ଶଗଡ଼ରେ, ନିକଟ ଗାଁ ହେଲେ, ପଦବ୍ରଜରେ ଯାଇ ରୋଗୀ ଚିକିତ୍ସା କରନ୍ତି ।

 

ଔଷଧାଳୟର କର୍ମଚାରୀ ମଧ୍ୟରେ ଜଣେ ଔଷଧ ତିଆରି କରିବାପାଇଁ ଜଣେ ଔଷଧ ରୋଗୀଙ୍କୁ ବାଣ୍ଟିବାପାଇଁ, ତା’ଛଡ଼ା ଜଣେ ବେହେରା ଜଣେ ମେହେନ୍ତର ।

 

ଦିନେ ଦି’ପହରେ କବିରାଜେ ଘରେ ଅଛନ୍ତି, ପୁଅ ହରିହର ଜିଦ୍‌ କଲା ଗୋଟିଏ କୁକୁରଛୁଆ ରଖିବା ପାଇଁ ।

କବିରାଜେ ବିରକ୍ତ ହେଲେ କୁକୁରଛୁଆ ରଖିବା ପାଇଁ, ସବୁ ଛୁଆଁଛୁତି କରିବ, ଅପରିଷ୍କାର କରିବ । ଘରର ପବିତ୍ରତା ନଷ୍ଟ ହୋଇଯିବ ।

ପୁଅର ଏକ ଜିଦ୍‌–ନା କୁକୁରଛୁଆ ରହିବ ।

କବିରାଜେ ଦାଣ୍ଡକୁ ଆସି ଦେଖନ୍ତି, ଗୋଟିଏ ପିଲା କୁକୁରଛୁଆଟିଏ ଆଣିଛି, କବିରାଜଙ୍କ ପୁଅ ସେ କୁକୁର ଛୁଆକୁ ଦେଖି ଜିଦ୍‌ ଧରିଛି–ସେ କୁକୁରଛୁଆ ରଖିବ ।

କବିରାଜେ ଯେତେ ବିରକ୍ତ ହେଲେ, ଯେତେ ନାହିଁ କଲେ ମଧ୍ୟ ପୁଅର ଜିଦ୍‌ ଅନୁଯାୟୀ କୁକୁରଛୁଆର ମୂଲ୍ୟ ବାବଦକୁ ଯୋଡ଼ିଏ ପଇସା ଦେଇ କୁକୁରଛୁଆ ରଖାହେଲା ।

କୁକୁରଛୁଆ ଦେଖିବାକୁ ତ୍ରିପଣ୍ଡ କଳା, ଭାକୁଡ଼ିଆ ହୋଇ ବେଶ୍‌ ସୁନ୍ଦର ଦେଖିବାକୁ ।

କବିରାଜେ ଆଗେ ନିଜର କଲେ–କୁକୁରଛୁଆଟି ସ୍ତ୍ରୀଲିଙ୍ଗ କି ପୁଂଲିଙ୍ଗ ? କୁକୁର ଛୁଆଟି ସ୍ତ୍ରୀଲିଙ୍ଗର ଜାଣିପାରି କବିରାଜେ ବିରକ୍ତ ହୋଇ କହିଲେ, ଏଟା ମାଈଟାଏ । ଗୁରାଏ ଛୁଆ ଜନ୍ମ କରିବ, ଅଣ୍ଡିରାଟିଏ ହୋଇଥିଲେ ଭଲ ହୋଇଥାନ୍ତା.....

କୁକୁରଛୁଆ ରହିଲା, ବାହାର ଘରେ ଖଣ୍ଡେ ଅଖା ଉପରେ ଶୁଏ । ହରିହର ଉପରେ ତା’ର ଲାଳନ ପାଳନର ଭାର, ହରିହରକୁ ତରନାହିଁ । ସବୁବେଳେ କୁକୁରଛୁଆ ନେଇ ବ୍ୟସ୍ତ ।

କୁକୁରଛୁଆ ଶୈଶବ ଅତିକ୍ରମ କଲାପରେ ହରିହରର ପଛେ ପଛେ ଗୋଡ଼ାଏ, ଖେଳେ, ବେଳେବେଳେ ସ୍ନେହସୂଚକ କଣ୍ଠରେ ଭୁକେ ।

ବେଳେ ବେଳେ କବିରାଜଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଔଷଧାଳୟକୁ ଯାଏ, ପୁଣି ହରିହର ଡାକିଲେ ପାଖକୁ କୁଦାମାରି ପଳେଇ ଆସେ ।

ଏଣେତେଣେ ଦୌଡ଼ାଦୌଡ଼ି କରେ, ଆପେ ଆପେ ଖେଳେ, ପୁଣି ଡାକିଲେ ହରିହର ପାଖକୁ ଆସେ, ମିଛେ ମିଛେ ହରିହରର ଗୋଡ଼କୁ କାମୁଡ଼ିଲା ପରି ଧରେ, ପୁଣି ଛାଡ଼ି ପଳାଏ ।

କୁକୁରଛୁଆଟି ନିଜର ସାବଲୀଳ ଅଙ୍ଗଭଙ୍ଗୀ, ଖେଳକୌତୁକରେ ଘରର ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇ ଉଠିଲା, ଆଚାର୍ଯ୍ୟେ ମଧ୍ୟ ଭାରି ଶ୍ରଦ୍ଧାକଲେ । ଶ୍ରଦ୍ଧାରେ ତାକୁ ‘କାଲୁ’ ବୋଲି ଡାକିଲେ । ‘କାଲୁ’ ନାମକରଣର ଉଦ୍ଦେଶ୍ୟ ହେଲା–ତାର ରଙ୍ଗ ତ୍ରିପଣ୍ଡ କଳା ।

କିଛିଦିନ ପରେ କାଲୁ ଶୈଶବ, ବାଲ୍ୟାବସ୍ଥା ଅତିକ୍ରମ କରି ଯୌବନରେ ପଦାର୍ପଣ କଲା । କାଲୁର ପିଲାଦିନର ଆଉ ସେ ରୂପ ନାହିଁ, ସେ ଖେଳ ନାହିଁ, ତା’ର ଚାଲିଚଳନ, ଅଙ୍ଗଭଙ୍ଗୀ, ରୂପ ସବୁ ଭିନ୍ନ ପ୍ରକାର । ଘରେ କାଉ ଗୋଟାଏ ପୂରେଇ ଦେଲାନି ।

ସୁନ୍ଦର କଳା ମଚମଚ ଚିକ୍‌କଣ ଦେହକୁ କାଚଗୁଳି ପରି ଦି’ଟା ଆଖି, ଯାହାକୁ ଅନେଇ ଦେବ, ତା’ରୁମ ଟାଙ୍କୁରି ଉଠିବ । କାଲୁ ଭୟରେ ମଣିଷ ଔଷଧାଳୟର ହତା ଭିତରେ ପଶିବାକୁ ଭୟ କଲେ ।

ସମୟ ଆସିଲା–ଫୁଲରଙ୍ଗ ଦେଖି ଭ୍ରମର ଆସିଲା ପରି, କାଲୁର ଯୌବନ–କୁସୁମର ଗନ୍ଧରେ ଆସିଲେ ଦଳେ ଦଳେ ପ୍ରତିବେଶୀ ପୁଂଲିଙ୍ଗର କୁକୁର–ଭ୍ରମର । କେହି ଆସି ଦୂରରୁ ଭୁକିଲେ, ପଛଗୋଡ଼ ଦି’ଟାରେ ମାଟି ଆମ୍ପୁଡ଼ି କାଲୁ ଉଦ୍ଦେଶ୍ୟରେ ଏକ ପ୍ରକାର ଶବ୍ଦ କଲେ ।

 

କାଲୁ ମଧ୍ୟ ସ୍ୱୟଂମ୍ୱର ସଭାକୁ ରାଜକନ୍ୟା ଗଲାଭଳି ଥରେ ଯାଇ କାହାକୁ ସ୍ୱାମୀତ୍ୱରେ ବରଣ କରିବ ମନେ ମନେ ଭାବି ପୁଂଲିଙ୍ଗ କୁକୁରଙ୍କ ସଭା ମଝିରେ ଥରେ ଦି’ଥର ଘୂରି ଦେଇ ପୁଣି ଆସି ଘରେ ଲୁଚି ବସେ । କାଲୁର ସ୍ୱୟଂମ୍ୱର ସଭାରେ ରାଜପୁତ୍ରଙ୍କ ଭଳି କୁକୁରମାନଙ୍କୁ ଔଷଧାଳୟର ହତା ଭିତରେ ଉପସ୍ଥିତ ହେବାର ଦେଖି, ଆଚାର୍ଯ୍ୟେ ନିଜର ସ୍ତ୍ରୀକୁ ଡାକି କହନ୍ତି–ଦେଖୁଛ ପଦ୍ମା, କାଲୁର ସ୍ୱୟଂମ୍ୱର ସଭା ଏଥର ଆରମ୍ଭ ହେଲା, କେତେ ରାଜପୁତ୍ର ଆସିଲେଣି ଦେଖୁଛ.....

 

ପୁଣି କାଲୁ ସମାଗତ ଭେଣ୍ଡିଆ କୁକୁରଙ୍କ ମେଳରେ ଦି’ଚାରିଥର ଘୂରିଆସି ଘରେ ଲୁଚି ବସିବାର ଦେଖି ଆଚାର୍ଯ୍ୟେ କାଲୁକୁ ମଧ୍ୟ କହନ୍ତି–କ’ଣ ଯାଉନୁ ବାହାରକୁ, ଘରେ ଆସି ବସିଲୁ ଯେ-? କ’ଣ କେହି ପସନ୍ଦ ହଉନାହିଁ ?

 

କାଲୁ ଯେତେ ସମୟ ଘରେ ଲୁଚି ବସେ, ବାହାରେ ସମାଗତ କୁକୁରଙ୍କ ମଧ୍ୟରେ ହୁଏ ଗଣ୍ଡଗୋଳ, କାମୁଡ଼ା କାମୁଡ଼ି ହୋଇ ଗଡ଼ାତଡ଼ା ହୋଇଯାନ୍ତି । ପୁଣି କେତେକ ଭୋ ଭୋ ହୋଇ କାନ୍ଦିଲା ସ୍ୱରରେ ଡାକ ପକାନ୍ତି, କିନ୍ତୁ ଘର ଭିତରେ କାଲୁ ନୀରବରେ ବସିଥାଏ । ଏମିତି ସ୍ୱୟଂମ୍ୱର ସଭା ପ୍ରତିଦିନ ଚାଲିଲା । ଦୈନିକ ନୂଆ ଧରଣର କୁକୁର ଆସିଲେ, କାଲୁର କାହାରିକୁ ପସନ୍ଦ ହେଲାନି । ଦିନେ ରାଜବାଟୀରୁ ରାଜାଙ୍କର କୁକୁର କିମିତି ଖସିଆସି ସ୍ୱୟଂମ୍ୱର ସଭାରେ ଉପସ୍ଥିତ ହେଲେ ।

 

ରାଜାଙ୍କର କୁକୁର ଦାମିକା, ବିଲାତି, ରଙ୍ଗ ଗେରୁଆ, ଚାଖଣ୍ଡେ ବହଳରେ ଲୋକ ଦେହରେ । ଇଂରାଜୀ କଥା ବୁଝିପାରେ । ଦେଖିବାକୁ ଗୋଟେ ଭାଲୁପରି । ତା’ର ଅଙ୍ଗଭଙ୍ଗୀ, ଚାଲିଚଳନ, ଚାହାଣୀ, ଗାମ୍ଭୀର୍ଯ୍ୟ ସବୁ ବିଦେଶୀ ଢାଞ୍ଚାର ବିଲାତ ଫେରତ୍‌ ଭଳି ।

 

ଆଚାର୍ଯ୍ୟେ ତାଙ୍କ ଭଳି ଔଷଧାଳୟ ହତା ଭିତରକୁ କାଲୁର ପ୍ରଣୟପ୍ରାର୍ଥୀ ହୋଇ ରାଜାଙ୍କର କୁକୁରର ଶୁଭାଗମନ ଦେଖଇ ନିଜ ସ୍ତ୍ରୀକୁ ଡାକି କହିଲେ–ଦେଖୁଛ ପଦ୍ମା, ମୋ ଦୁଆରେ ଆଜି ରାଜାଙ୍କର କୁକୁର ଉପସ୍ଥିତ । ରାଜା ମୋ ଦୁଆରକୁ ନଆସନ୍ତୁ । ତାଙ୍କର ବାହନତ ମୋ ଦୁଆରକୁ ଆସିଲା । ଏ କାହାପାଇଁ ? କାଲୁର ଯୌବନ ପାଇଁ । ଯୌବନ କଣ ନ କରିପାରେ ? ଇମିତି କେତେ ରାଜପୁତ୍ର ଗରିବ ଘରର ସୁନ୍ଦରୀ ଯୁବତୀ କନ୍ୟାର ପ୍ରଣୟପ୍ରାର୍ଥୀ ହୋଇ କେତେ କୁଡ଼ିଆର ଦ୍ୱାରସ୍ଥ ହୋଇଛନ୍ତି । ନିଅ, ଏଥର ବିଲାତ ଫେରତ୍‌ ଜ୍ୱାଇଁକୁ ସମାଳ.....

 

ରାଜାଙ୍କର କୁକୁରର ରୂପ ଲାବଣ୍ୟ ବ୍ୟକ୍ତିତ୍ୱ, ଆକୃତି ନିକଟରେ କାଲୁ କିଛି ନୁହେଁ । ସେ କୁକୁର ନିକଟରେ କାଲୁ ଗୋଟିଏ ପିଲାପରି ।

 

ରାଜାଙ୍କର କୁକୁରର ଆବିର୍ଭାବ ଦେଖି, ପ୍ରତିବେଶୀ ଅନ୍ୟାନ୍ୟ କୁକୁରମାନେ ଭୟଭୀତ ହୋଇ ସ୍ୱୟମ୍ବର ସଭା ଛାଡ଼ି ଗୋଟିଏ ଗୋଟିଏ ଖସି ପଳାନ୍ତି ।

 

ରାଜାଙ୍କର କୁକୁରକୁ ନିରୋଳାରେ ଦେଖି କିଛି ବାଟ ଚାରିଆଡ଼କୁ ଯାଏ । ରାଜାଙ୍କର କୁକୁର କାଲୁକୁ ଦେଖି କାଲୁ ଆଡ଼କୁ କିଛିବାଟ ଉହିଁକି ଆସିଲେ, କାଲୁ ଭୟରେ ପଳେଇ ଆସେ । ଦୂରରୁ ଉଭୟେ ବିଦ୍ୟାସୁନ୍ଦର ଭଳି ଚାହାଁଚାହିଁ ହୁଅନ୍ତି; କିନ୍ତୁ କେହି କତିକି ଯାଆନ୍ତି ନାହିଁ ।

 

ରାଜାଙ୍କର କୁକୁର ବିଲାତି ସ୍ୱରରେ ଦି’ ଚାରିଥର ଭୁକେ, କାଲୁ ଦେଶୀ ସ୍ୱରରେ କଣ ଜଣାଏ, ରାଜାଙ୍କର କୁକୁର ଚାହିଁଚାହିଁ ବସି ଫେରିଯାଏ । ରାଜାଙ୍କର କୁକୁର ଗଲା ପରେ ପୁଣି ଦେଶୀ କୁକୁରଙ୍କର ଆଡ଼୍‌ଡ଼ା ଜମେ ।

 

ରାଜାଙ୍କର କୁକୁର ନିରାଶ ହୋଇ ଫେରିଯିବାର ଦେଖି, କାଲୁକୁ ଲକ୍ଷ୍ୟକରି ଆଚାର୍ଯ୍ୟେ କହନ୍ତି–କ’ଣ ? ରାଜାଙ୍କର କୁକୁର ପସନ୍ଦ ହେଲାନି ? ଆଉ କିମିତିଆ କୁକୁର ଆସିଲେ ତୋର ମନକୁ ଆସିବ ? ହଉ, କ’ଣ କରୁଛୁ କର । ରାଜାଙ୍କର କୁକୁରକୁ ନିରାଶ କରି ଫେରାଇଲୁ । ଆଉ ସେମିତି ପାତ୍ର ପାଇବୁ ?

 

ଆଚାର୍ଯ୍ୟେ ପୁଣି କାଲୁ ଉପରେ ବିରକ୍ତ ହୋଇ କହନ୍ତି–ଆଉ ନିଜେ ଯଦି ସେମିତି ସୁନ୍ଦରୀଟିଏ ହୋଇଥାନ୍ତୁ । ନିଜେ ତ କଳା କୁତୀ, ପୁଣି ରାଜାଙ୍କର କୁକୁର ପସନ୍ଦ ହେଉନାହିଁ ? ମାରନ୍ତି ଗୋଟାଏ ଗୋଇଠା ଯେ.....

 

ପୁଣି ସେହି ପୂର୍ବପରି ଔଷଧାଳୟ ହତା ଭିତରେ କୁକୁରଙ୍କ ଗଣ୍ଡଗୋଳ–ଭୁକିବା, କାନ୍ଦିବା, କାମୁଡ଼ା କାମୁଡ଼ି.....

 

କାଲୁର ସେମିତି ମିଛରେ ସମସ୍ତଙ୍କୁ ଆଶାଦେଇ ଭଣ୍ଡିବା, ଥରେ ଦି’ଥରେ ଯାଇ ଭେଣ୍ଡିଆ କୁକୁରଙ୍କ ମେଳରେ ଘୂରାଘୂରି କରି ଲସରପସର ହେଇ, ପୁଣି ଘରେ ଆସି ଘର ଭିତରେ ଚୂପରେ ବସି ରହିବା ।

 

କାଲୁର ଇମିତି ମିଛରେ ଅନ୍ୟାନ୍ୟ କୁକୁରଙ୍କୁ ଆଶାଦେଇ ନଚେଇବା ଦେଖି ଆଚାର୍ଯ୍ୟେ ନିଜ ସ୍ତ୍ରୀକୁ ଡାକି କହନ୍ତି–ଦେଖୁଛ, କାଲୁ କିମିତି ମିଛରେ କୁକୁରଗୁଡ଼ାଙ୍କୁ ଆଶା ଦେଇ ନଚଉଛି । ତୁମମାନଙ୍କର ନାରୀ ପ୍ରକୃତି ଇମିତି । ମିଛରେ ପୁରୁଷଗୁଡ଼ାଙ୍କୁ ଆଶାଦେଇ ନଚେଇବା ଛଡ଼ା ଆଉ କିଛି ନୁହେଁ । ଜଣକୁ ମନେ ମନେ ବରଣିକରି ଆଉ ଦଶଜଣଙ୍କୁ ଭଣ୍ଡିବା.....

 

ଆଚାର୍ଯ୍ୟଙ୍କ ସ୍ତ୍ରୀ ପ୍ରତ୍ୟୁତ୍ତରରେ କହନ୍ତି–ତୁମେ ପୁରୁଷଗୁଡ଼ାକ ଭାରି ଭଲ ! ଆଗରୁ ପରା କଥାରେ ଅଛି–ପୁରୁଷ ଭ୍ରମର ଜାତି, ଜଣକୁ ଗ୍ରହଣ କରି ଦଶଟା ଝିଅର ଜୀବନ ନଷ୍ଟ କରିବା, ତୁମେମାନେ ଭାରି ଭଲ ଜାତି ?

 

ଦିନେ ଅନ୍ୟାନ୍ୟ କୁକୁରଙ୍କ ସଭା ମଧ୍ୟରେ ରାଜାଙ୍କର କୁକୁରଙ୍କର ଆବିର୍ଭାବକୁ ଆଉ ଗୋଟାଏ ନୂଆ ଜବରଦସ୍ତ କୁକୁରର ଆବିର୍ଭାବ ହେଲା । ସେ କୁକୁର ଆଉ ରାଜାଙ୍କର କୁକୁରକୁ ଦେଖିଲେ ମନେହେବ–କର୍ଣ୍ଣକୁ ଅର୍ଜ୍ଜୁନ, ଭୀମକୁ ଦୁର୍ଯ୍ୟୋଧନ, ବିଦେଶୀ ବୀର ନିକଟରେ ଭାରତୀୟ ବୀର କିମ୍ବା କୋଦମା ସିଂକୁ ବାହୁ ବଳେନ୍ଦ୍ର, ଦକ୍ଷିଣ କବାଟକୁ ଉତ୍ତର ବାଟ......

 

କେହି କାହାକୁ ଊଣା ନୁହାନ୍ତି । ରାଜାଙ୍କର କୁକୁରର ବିଦେଶୀ ଢାଁଚାର ଗଠନକୁ ନବାଗତ କୁକୁରର ଦେଶୀ ଗଠନ କେଉଁ ଗୁଣରେ ଊଣା ନୁହେଁ । ଯେମିତି ଠିଆ ହେବାର ଭଙ୍ଗୀ, ଆଖି ଦି’ଟାରେ ଯେମିତି ନିଆଁ ଜଳୁଛି, ଯେମିତି ଉଚ୍ଚା, ସେମିତି ଟାଙ୍କ, ପନ୍‌ଝା, ଲାଞ୍ଜ, ସବୁ ଠିକ୍‌ ଅଛି ।

 

ଆଚାର୍ଯ୍ୟେ ନବାଗତ କୁକୁରକୁ ଦେଖି ଔଷଧାଳୟର ମେହେନ୍ତରକୁ ପଚାରିଲେ–ବାସୁଆ, ଏ କୁକୁରଟା କାହାର ? ଭାରି ବଳୁଆ ଜଣା ଯାଉଛି । ବଡ଼ ସୁନ୍ଦର ହେଇଛି.....

 

ବାସୁଆ ସଗର୍ବରେ ଉତ୍ତର ଦେଲା–ଆଜ୍ଞା, ମୋର.....

 

ଆଚାର୍ଯ୍ୟେ–ଏ ତୋ’ କୁକୁର ? ମୁଁତ ଏକୁ କେବେ ଦେଖି ନ ଥିଲି କେବେ ତ ଏ ତୋ ସାଙ୍ଗରେ ଆସି ନାହିଁ.......

 

ବାସୁଆ–ନାହିଁ ଆଜ୍ଞା, ଆଜି କେମିତି ଚାଲି ଆସିଛି......

 

ଆଚାର୍ଯ୍ୟେ–କେଡ଼େ ବଡ଼ ହେଇଛି ଏ !! ୟା ନାଁ କ’ଣ ଦେଇଛୁ ?

 

ବାସୁଆ–‘‘ଟିପୁ’’ ବୋଲି ଡାକେ....

 

ଆଚାର୍ଯ୍ୟେ ମନେ ମନେ ଶଙ୍କିତ ହେଲେ । ଯଦି କାଲୁ ଏ କୁକୁରକୁ ପସନ୍ଦ କଲା, ତା’ହେଲେ ତ ଲଜ୍ଜାରେ ମରିଯିବାର କଥା, ସେ କବିରାଜ, ବାସୁଆ ମେହେନ୍ତର । ତାଙ୍କର କୁକୁର ମେହେନ୍ତରର କୁକୁରକୁ ସ୍ୱୀମୀତ୍ୱରେ ବରଣ କରିବ ? କି ଲଜ୍ଜାର କଥା !!

 

ରାଜାଙ୍କର କୁକୁର ଆଉ ଟିପୁ ଉଭୟଙ୍କର ସ୍ୱୟମ୍ବର ସଭାରେ ଉପସ୍ଥିତ ହେବାର ଦେଖି ଅନ୍ୟାନ୍ୟ ଦୁର୍ବଳ କୁକୁର ସବୁ ଗୋଟିଏ ଗୋଟିଏ ଖସିବାକୁ ଆରମ୍ଭ କଲେ । ସ୍ୱୟମ୍ବର ସଭାରେ କେବଳ ଟିପୁ ଆଉ ରାଜାଙ୍କର କୁକୁର । ତେଣେ କାଲୁ ନବାଗତ ଟିପୁକୁ ଦେଖି ଦି’ଚାରିଥର ଅଳ୍ପ ଦୂରରେ ଦେଖେଇ ହେଲାଭଳି ଚକ୍‌କର୍‌ ମାରି ବସି ରହିଲା, ଟିପୁ ମଧ୍ୟ କାଲୁକୁ ଦେଖି ପଛଗୋଡ଼ ଦି’ଟାରେ ମାଟି ଆମ୍ପୁଡ଼ି କାଲୁ ଉଦ୍ଦେଶ୍ୟରେ ତିନି ଚାରିଥର ଖଣ୍ଡିଖାଶ ମାଇଲା ଭଳି ଶବ୍ଦ କଲା ।

 

ଟିପୁର ଇମିତିଆ ଆସ୍ପର୍ଦ୍ଧା, ଔଦ୍ଧତ୍ୟ, ଅହମିକା ଦେଖି ରାଜାଙ୍କର କୁକୁର କ୍ରୋଧାନ୍ଧ ହୋଇ ଗର୍ଜ୍ଜିବାକୁ ଆରମ୍ଭ କଲା । ଟିପୁ ମଧ୍ୟ ଗର୍ଜିବାକୁ ଆରମ୍ଭ କଲା । ଉଭୟେ ମୁହାଁମୁହିଁ ହେଲେ, କତିକି କତି ଲାଗି ଆସି ପରସ୍ପର ଉପରକୁ କୁଦାମାରି କାମୁଡ଼ା କାମୁଡ଼ି ହେଇ ଗଡ଼ାତଡ଼ା ହେଲେ ।

 

ଆଚାର୍ଯ୍ୟେ ଏ ଦୁଇଟା କୁକୁରର ଯୁଦ୍ଧ ହେବାର ଦେଖି ବାସୁଆକୁ ଡାକି କହିଲେ–ବାସୁଆ, ମାର ତାଙ୍କୁ, ନାହିଁତ ତୋ କୁକୁରକୁ ରାଜାଙ୍କର କୁକୁର କାମୁଡ଼ି ମାରଦେବ.....

 

ବାସୁଆ–ନାହିଁ ଆଜ୍ଞା, ଦେଖନ୍ତୁ ମୋ କୁକୁର ହଟିବାର ନୁହେଁ । ଆପଣ ଭାବିଛନ୍ତି–ରାଜାଙ୍କର କୁକୁର ମାଂସ ଭାତ ଖାଉଛି ବୋଲି ମୋ କୁକୁରକୁ ହରେଇ ଦେବ ? ମୋ କୁକୁର ପେଜ ପାଣି ଖିଆ କୁକୁର ହେଲେ କ’ଣ ହେଲା, ଭାରି ବଳୁଆ, ଭାରି ଟାଣୁଆ.....

 

ସତକୁସତ ଅଳ୍ପ ସମୟ ଯୁଦ୍ଧ ଭିତରେ ଟିପୁ ରାଜାଙ୍କର କୁକୁରକୁ କାମୁଡ଼ି ହାଲିଆ କରି ପକେଇଲା । ରାଜାଙ୍କ କୁକୁରର ଚାଖଣ୍ଡେ ବହଳର ଲୋମ ଛିଣ୍ଡି ଗଦା ହୋଇଗଲା, କ୍ଷତ ବିକ୍ଷତ ହୋଇଗଲା, ଯୁଦ୍ଧ ସ୍ଥଳରେ ଘାସ ଉପୁଡ଼ି ଧୂଳି ଉଡ଼ିଗଲା ।

 

ଆଚାର୍ଯ୍ୟେ ଭୟଭୀତ ହୋଇ ବାସୁଆକୁ ଡାକି କହିଲେ–ବାସୁଆ ରାଜାଙ୍କର କୁକୁର ଯଦି ମରିଯିବ ନା, ମୋର ଆଉ ଦୁର୍ଦ୍ଦଶାର ବାକୀ ରହିବ ନାହିଁ...... ।

 

ବାସୁଆ ସଗର୍ବରେ ଉଲ୍ଲସିତ ହେଇ ଉତ୍ତର ଦେଲା–ଆଜ୍ଞା, ରାଜା ଯେମିତି ତାଙ୍କ କୁକୁର ମଧ୍ୟ ସେମିତି । ଆମେ ଯେମିତି ଆମ କୁକୁର ସେମିତି । ଆପଣ କାହିଁକି ଭୟ କରୁଛନ୍ତି । କୁକୁର କୁକୁରରେ କଳି କରିବେ, ଆମେ କ’ଣ ଶିଖେଇ ଦେଲୁ ?

 

ରାଜାଙ୍କର କୁକୁର ଟିପୁ କତିରେ ପରାଭବ ସ୍ୱୀକାର କରି ପଳାଇବାବେଳେ, ଟିପୁ ତାକୁ ରାଜବାଟୀ ଆଡ଼କୁ ପଛେ ପଛେ ଗୋଡ଼େଇ ଗଲା, ବାସୁଆ ଡାକିଲା–ଟିପୁ, ଟିପୁ.....

 

ଟିପୁ ଗୋଡ଼େଇବାରୁ କ୍ଷାନ୍ତ ହୋଇ କ୍ଷତବିକ୍ଷତ ଅବସ୍ଥାରେ ଧଇଁସଇଁ ହେଇ ବାସୁଆ କତିରେ ଆସି ଠିଆହେଲା, ଆଉ କାଲୁକୁ ଅନେଇଲା ।

 

ବାସୁଆ ଆଚାର୍ଯଙ୍କୁ ସମ୍ବୋଧନ କରି କହିଲା–ଦେଖିଲେ ତ ଆଜ୍ଞା, ପେଜ, ପାଣିଖିଆ କୁକୁରକୁ......

 

ବାସୁଆ ଟିପୁକୁ ଆଉଁସା ଆଉଁସି କରି ତାକୁ ଥୟ କରେଇଲା । ଟିପୁ ଯୁଦ୍ଧରୁ ବିରତ ହେଇ ବାରମ୍ବାର କାଲୁ ଆଡ଼କୁ ଅନେଇଲା । କାଲୁ ମଧ୍ୟ ଟିପୁର ବୀରତ୍ୱରେ ତୃପ୍ତ ହୋଇ ରାଜକନ୍ୟା ଜଣେ ପୁରୁଷ ଗଳାରେ ବରଣମାଳା ଦେଇ ସ୍ୱାମୀତ୍ୱରେ ଗ୍ରହଣ କଲାଭଳି ଟିପୁ କତିକି ଆସି ସସ୍ନେହରେ ଅତି ସମ୍ଭାଷଣ କଲାଭଳି କେତେଗୁଡ଼ିଏ ଅଙ୍ଗଭଙ୍ଗୀ କଲା । ଉଭୟେ ଏକାଠି ଯେମିତି ମଧୁଚନ୍ଦ୍ରିକା ଉପଭୋଗ କରିବାରେ ବ୍ୟସ୍ତ ହୋଇ ପଡ଼ିଲେ ।

 

ତହିଁ ଆରଦିନ ସକାଳେ ଆଚାର୍ଯ୍ୟେ ଦାଣ୍ଡଆଡ଼େ ବସି ଦାନ୍ତ ଘଷୁଛନ୍ତି । କାଲୁ କତିରେ ବସିଛି, ଆଚାର୍ଯ୍ୟେ ନିଜର ଝିଅକୁ ତିରସ୍କାରସୂଚକ କଣ୍ଠରେ କହିଲା ଭଳି କହିଲେ–ପୋଡ଼ାମୁହୀଁ, ମଲୁ ନାହିଁ ତୁ, ମୋ ମୁହଁରେ ଚୂନକାଳି ଦେଲୁ, ରାଜାଘର କୁକୁର ପସନ୍ଦ ହେଲା ନାହିଁ ? ମେହେନ୍ତର କୁକୁର ପସନ୍ଦ ହେଲା । ମୋ ମୁହଁ ତଳକୁ କଲୁ । ଏକା ମୁଥ ଦିଅନ୍ତି ଯେ ତୋର ପ୍ରେମ କରିବା ଛାଡ଼ିଯା’ନ୍ତା ।

 

କାଲୁ ଯେମିତି ଆଚାର୍ଯ୍ୟଙ୍କ କଥାସବୁ ବୁଝିପାରି ଲାଜରେ ମୁହଁ ବୁଲେଇ ବସିବା ଭଳି ଭଙ୍ଗୀରେ ଆଚାର୍ଯ୍ୟଙ୍କ ଆଡ଼କୁ ମୁହଁ ବୁଲେଇ ସରମରେ ବସି ରହିଲା ।

 

ରାଜାଙ୍କର କୁକୁର ସମ୍ମୁଖ ସମରରେ ଟିପୁଠାରୁ ପରାଜିତ ହୋଇ ବିଦାୟ ନେବା ପରେ ଔଷଧାଳୟର ହତାଭିତରେ ଟିପୁ ପ୍ରାଧାନ୍ୟ ବିସ୍ତାର କଲା । କଣ୍ଟ୍ରାକ୍ଟ ମ୍ୟାରେଜ୍‌ ଭଳି କାଲୁ କେତେଦିନ ପାଇଁ ଟିପୁର ସ୍ତ୍ରୀ । ଟିପୁ ଆଉ ଔଷଧାଳୟର ହତା ଛାଡ଼ିଲା ନାହିଁ । ଟିପୁ ଆଉ କାଲୁ ସୁଖରେ ଏକତ୍ର ଆହାର, ବିହାର, ଶୟନ ସେହି ଔଷଧାଳୟ ହତାର ତରୁକୁଞ୍ଜ ମଧ୍ୟରେ ଆରମ୍ଭ କଲେ । କାଲୁ ଯୁଆଡ଼େ, ଟିପୁ ସିଆଡ଼େ, ଟିପୁ ଯୁଆଡ଼େ, କାଲୁ ସିଆଡ଼େ । ଔଷଧାଳୟର ହତା ଭିତରୁ ଟିପୁର ଭୟରେ ଆଉ ଅନ୍ୟାନ୍ୟ ପ୍ରତିବେଶୀ କୁକୁର ଅଦୃଶ୍ୟ ହୋଇଗଲେ ।

 

ଦିନେ ବାସୁଆ କବିରାଜଙ୍କୁ ସମ୍ବୋଧନ କରି କହିଲା–ଦେଖିଲେ ବାବୁ, ଏତେ ଯେ କୁକୁର ଆସିଲେ, ରାଜାଙ୍କର କୁକୁର ଆସିଲା, ଆପଣଙ୍କ କୁକୁର କାହାରିକି ପସନ୍ଦ କଲା ? ମୋ’ରି କୁକୁର ତା’ମନକୁ ପାଇଲା, ଦେଖିବେ ବାବୁ–ଭଲ ଛୁଆ ହବ....

 

ଆଚାର୍ଯ୍ୟେ ବାସୁଆର କଥା ଶୁଣି ମନେ ମନେ ଲଜ୍ଜିତ ହୋଇ ବାସୁଆ ମୁହଁକୁ ଅନେଇ ପାରିଲେନି, ମନେ ମନେ ରାଗରେ ଭାବିଲେ–ଆଜି କାଲୁକୁ ହାଣି ଦେବେ....

 

ଏହାପରେ ଆଚାର୍ଯ୍ୟେ ଯେତେ ଥର ଯୁଆଡ଼େ ରୋଗୀ ଦେଖିବାକୁ ଗଲେ–ପ୍ରତିବେଶୀ କୁକୁରମାନେ, ଯେଉଁମାନେ କାଲୁର ସ୍ୱୟଂମ୍ୱର ସଭାକୁ କାଲୁର ପ୍ରଣୟପ୍ରାର୍ଥୀ ହୋଇ ଆସିଥିଲେ, ଆଚାର୍ଯ୍ୟଙ୍କୁ ଦେଖି ରାଗରେ ଭୁକି କାମୁଡ଼ିବାକୁ ଧାଇଁଲେ ।

 

ଆଚାର୍ଯ୍ୟେ ଇମିତି କେତେଥର ହାଲିଆ ହୋଇ ଆସି ନିଜର ସ୍ତ୍ରୀକୁ କହିଲେ–ଶୁଣୁଛ ପଦ୍ମା; କାଲୁର ସ୍ୱୟଂମ୍ୱର ସଭାରୁ ଯେଉଁ କୁକୁରମାନେ ନିରାଶ ହୋଇ ଫେରିଗଲେ, ମୋତେ ଆଉ ରାଗରେ ବାଟ ଚଲେଇଦେଲେ ନାହିଁ । ଏ କାଳୀ କୁତୀ କାଲୁ ସକାଶେ ମଣିଷର ଇଜ୍ଜତ, ମହତ ସବୁଗଲା, ମଣିଷ ବାଟ ଚାଲି ପାରିଲା ନାହିଁ । ନାରୀ ସବୁ ଅନର୍ଥର ମୂଳ, ମୁଁ ଆଗରୁ କହୁଛି–ମାଈ କୁକୁର ରଖିବା ଆଦୌ ଭଲ ନୁହେଁ ।

 

ପଦ୍ମା ଆଚାର୍ଯ୍ୟଙ୍କୁ ପରିହାସ କରି ଆଉ ଟିକିଏ ରାଗେଇବାପାଇଁ କହେ–କ’ଣ ମାଈ କୁକୁର ରଖି ମନ୍ଦ ହେଲା ? ଆଉ କେତେ ଦିନ ପରେ ତ ନାତି, ନାତୁଣୀ ଦେଖିବ ।

 

ଆଚାର୍ଯ୍ୟେ ବିରକ୍ତ ହୋଇ କହନ୍ତି–ତୁମେ ଆହୁରି ନିଆଁରେ ଘିଅ ଢାଳୁଛ ?

 

ଦିନେ ଟିପରୁ ଶୟନାବସ୍ଥାରେ ଗୋଟାଏ ଭେଣ୍ଡିଆ କୁକୁର ଔଷଧାଳୟର ଫାଟକ ବାହାରେ ଘଣ୍ଟା ଘଣ୍ଟା ଧରି ଠିଆହୋଇ କାଲୁକୁ ଏକ ଧ୍ୟାନରେ ଅନେଇ ରହିଛି, ଟିକିଏ ହଲ୍‌ଚଲ୍‌ ହେଉନି, କାଲୁ ଔଷଧାଳୟର ବାରନ୍ଦାରେ ମୋଡ଼ି ମାଡ଼ି ହୋଇ ଶୋଇଛି ।

 

ଆଚାର୍ଯ୍ୟେ ପଦ୍ମାକୁ ଡାକି କହିଲେ–ଦେଖିଲ ପଦ୍ମା, ଏ କୁକୁର କେମିତି ଏକ ଧ୍ୟାନରେ କାଲୁକୁ ଅନେଇ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଛି, କାହିଁକି ସେ ଇମିତି ଠିଆ ହୋଇ ରହିଛି କହିଲ, କି ଉଦ୍ଦେଶ୍ୟରେ ?

 

ପଦ୍ମା ଉତ୍ତର ଦିଏ–ତୁମେ ବୁଝି ପାରୁନା ତାର ଉଦ୍ଦେଶ୍ୟ କ’ଣ ? ମୋତେ ବୁଝେଇବାକୁ ହେବ ?

 

ଆଚାର୍ଯ୍ୟେ ପୁଣି କହନ୍ତି–ତୁମେ ଯେତେବେଳେ କଲେଜ୍‌ ହଷ୍ଟେଲରେ ରହି ପଢ଼ୁଥିଲ, ଇମିତି କେତେ ଭେଣ୍ଡିଆ ହଷ୍ଟେଲ ଫାଟକ ବାହାରେ ତୁମ ଉଦ୍ଦେଶ୍ୟରେ ଠିଆହୋଇ ରହିଥିବେ, ତୁମେ ଏ କଥା ଭଲ ଭାବରେ ବୁଝେଇ ପାରିବନି ତ, ଆଉ କିଏ ବୁଝେଇବ ?

 

ପଦ୍ମା ଉତ୍ତର ଦିଏ–ଠିଆ ହୋଇଥିବେ ତୁମରି ପରି ପୁରୁଷ ଜାତି କେହି । ଦେଖ, ନାରୀ ଜାତି କିମିତି ପୁରୁଷକୁ ଘଣ୍ଟା ଘଣ୍ଟା ଧରି ଫାଟକ କତିରେ ଦରୁଆନ ଭଳି ଠିଆ କରିପାରେ ।

 

ଏତିକିବେଳେ ବାସୁଆ କୁଆଡ଼ୁ ଫାଟକ ବାହାରେ ଠିଆ ହୋଇଥିବା କୁକୁରର ପଛପଟୁ ଆସି ତା’ ବ୍ରହ୍ମ ତାଳୁରେ ଗୋଟାଏ ତଡ଼ାରେ ଏକା ପାହାର ପକେଇଲା । କୁକୁରଟା ସଙ୍ଗେ ସଙ୍ଗେ କିଛି ଶବ୍ଦ ନ କରି ଠକ୍‌ କରି ଗଡ଼ି ପଡ଼ିଲା, ଆଉ କିଛି ନାହିଁ, ଶେଷ, ସବୁ ଶେଷ ।

 

ଆଚାର୍ଯ୍ୟେ ଖିଡ଼ିକି ବାଟେ ଏ ଦୃଶ୍ୟ ଦେଖି ଛାନିଆ ହୋଇ ସ୍ତ୍ରୀକୁ ଡାକି କହିଲେ–ପଦ୍ମା, ବାସୁଆ କ’ଣ କଲା !! କୁକୁରଟାକୁ ମାରିଦେଲା, କି ପାପ କଲା !!

 

ମୁଁ ଏ ପାପର ନିମିତ୍ତ ହେଲି । ମୁଁ କାଲୁକୁ ରଖିଛି, ସେଇ କାଲୁ ସକାଶେ କୁକୁରଟାର ପ୍ରାଣ ଗଲା !! ଘାତକ ବାସୁଆ କ’ଣ କଲା !! ସେ କୁକୁରତ ଏମିତି କିଛି ଅପରାଧ କରିନାହିଁ, ଯାହାପାଇଁ ମୃତ୍ୟୁବରଣ କରିବାକୁ ହେଲା । ଏ ପାପ ମୋର ପଦ୍ମା, ଏ ପାପ ମୋର....

 

ଆଚାର୍ଯ୍ୟଙ୍କ ସ୍ତ୍ରୀ ଉତ୍ତର ଦେଲେ–ଏତେ ଛାନିଆ କାହିଁକି ? ପୁରୁଷ ଜାତିକୁ ଏମିତି ତଡ଼ା ଦରକାର, ପରର ଝିଅ, ବୋହୂଙ୍କୁ ଏକ ଧ୍ୟାନରେ ଚାହିଁ ରହିବା କ’ଣ ପାପ ନୁହେଁ ? ଏତେବେଳେ ପାପ, ପୁଣ୍ୟର ବିଚାର ମନେ ପଡ଼ିଗଲା । ଏମିତି ପରର ଝିଅ ବୋହୂଙ୍କ ଲାଳସାରେ କେତେକ ପୁରୁଷ ତ ପୁଣି ହତାଶ ହୋଇ ଆତ୍ମହତ୍ୟା କରୁଛନ୍ତି । ତା’ଠାରୁ ଏ କ’ଣ ବଡ଼ ପାପ ? ଏ ତ ବାସୁଆ କୁକୁରଟାକୁ ବାଡ଼େଇ ମାରିଦେଲା, କୁକୁର ତ ନିଜେ ଆତ୍ମହତ୍ୟା କରିନି ।

 

ଆଚାର୍ଯ୍ୟେ ଏତିକିବେଳେ ସ୍ତ୍ରୀକୁ ବାଧାଦେଇ କହିଲେ–ପଦ୍ମା, ଆଉ ତୁମେ ମୋତେ କିଛି କୁହନା, ମୋର ମୁଣ୍ଡ ଘୂରି ଯାଉଛି.....

 

ଆଚାର୍ଯ୍ୟଙ୍କ ଶରୀର ଅବଶ ବୋଧ ହେଲା, ସେ ଖଟ ଉପରେ ଥକ୍‌କା ହୋଇ ବସିପଡ଼ିଲେ, ଆଉ ଠିଆ ହୋଇ ପାରିଲେ ନାହିଁ ।

 

ବାସୁଆ ଶୁଣିଲା–ସେ କୁକୁରଟାକୁ ମାରିଦେବା ଦ୍ୱାରା ବାବୁ ଭାରି ବ୍ୟସ୍ତ ହେଉଛନ୍ତି, ବାସୁଆ କି ପାପକଲା ଏବଂ ଏ ପାପ ମଧ୍ୟ ତାଙ୍କୁ ଲାଗିବ ।

 

ଆଚାର୍ଯ୍ୟେ ଶୁଣିଲେ–ବାସୁଆ କହୁଛି–ମୁଁ କୁକୁରଟାକୁ ମାରିଦେଲି । ଗୋଟାଏ ବଡ଼ ଜୀବକୁ ମାରିଲି ବୋଲି, ମୋର ପାପ ହେଲା, ବାବୁଙ୍କୁ ପାପ ଲାଗିଲା, ଆଉ ବାବୁ ଯେତେବେଳେ ହଜାର ହଜାର ମଶା ମାରୁଛନ୍ତି, ସେ ଆଉ ପାପ ନୁହେଁ ? ପାପ କାହାକୁ ଛାଡ଼ିଛି ? ଛୋଟ ଲୋକଙ୍କ ପାଇଁ ଯେମିତି ପାପ ଅଛି, ବଡ଼ ଲୋକଙ୍କ ପାଇଁ ତାଠୁଁ ବଳି ବଡ଼ ପାପ ଅଛି । ମୁଁ କୁକୁରଟାକୁ ତଡ଼ାରେ ମାରିଦେଲି, ମୋର ପାପ ହେଲା, ପୁଣି ବାବୁଙ୍କୁ ପାପ ଲାଗିଲା–ବାବୁମାନେ ଯେତେବେଳେ କଲମରେ ଆମପରି ମଣିଷକୁ ମାରି ଦେଉଛନ୍ତି, ସେ ଆଉ ପାପ ନୁହେଁ ? ସେ ପାପ କିଏ କରୁଛି ? କାହାକୁ ଲାଗୁଛି ? ଯେତେ ସବୁ ବାହାପିଆ କଥା.....

 

କାଲୁ କିଛି ଜାଣେନା, ସେ ମୋଡ଼ିମାଡ଼ି ହୋଇ ଶୋଇଛି, ସେ ଉଠିବ; କିନ୍ତୁ ତା’ରି ପାଇଁ ଜଣେ ଶୋଇଲା, ସେ ଆଉ ଉଠିବ ନାହିଁ, ସେ ଯାଇ କେଉଁ ଅପନ୍ତରାରେ ଜିଭ କାଢ଼ି, ଆଖି ବୁଜି ପଡ଼ିବ ।

 

ବାସୁଆ ମଲା କୁକୁରର ଲାଙ୍ଗୁଡ଼ଟାକୁ ଧରି ଘୋଷାରି ଘୋଷାରି ନେଇ ଦୂରକୁ ଚାଲିଗଲା ।

Image

 

ବେଦନା ନାଶକ

 

ଘରେ ଶାଶୁବୁଢ଼ୀ, ପୁଅ, ଆଉ ବୋହୂ, ଘର ଗୋଟାକର କାମରୁ ଗୁରାଏ କାମ ବୋହୂ କରେ, ଅଳ୍ପ କାମ ଶାଶୁବୁଢ଼ୀ କରେ । ଶାଶୁବୁଢ଼ୀର ହାତ କାମ ବନ୍ଦ ହେଲେ, ମୁହଁ କାମ କରେ, ଅର୍ଥାତ୍‌ ବକର ବକର ହେଉଥାଏ ପାଟି ବନ୍ଦ ହୁଏନା ।

 

ପୁଅ ବଜାରରେ ଥାଏ, ତା’ର ପାନ ଦୋକାନ, ଲୁଚା ଚୋରାରେ ଦେଶୀ ମଦ ବିକ୍ରି କରେ । ପୁଅ କିଛି ଘର କଥା ବୁଝେ ନାହିଁ, ଘରକୁ ଆସିଲେ ଖାଏ, ପିଏ, ଚାଲିଯାଏ । ରାତି ହେଲେ ଘରକୁ ଆସେ ।

 

ଦିନେ ପୁଅ ଦିଗମ୍ବର ପାନ ଦୋକାନରେ ବସି, ପାନ ବିକୁଛି । ହଠାତ୍‌ ଜଣେ ଲୋକ ଆସି ଖବର ଦେଲା–ଦୌଡ଼ି ଯା ତୋର ମା’ର କ’ଣ ହୋଇଛି, ସାହି ମାଇପିଏ ଘରେ ପଶି କାନ୍ଦୁଛନ୍ତି-

 

ଦିଗା ଦୋକାନ ଛାଡ଼ି ଘରକୁ ଦୌଡ଼ିଲା, ଘରେ ଯାଇ ଦେଖେ, ମା’ ବୁଢ଼ୀ ପଡ଼ି ଯାଇଛି । କିଏ କହୁଛି–ବାଁ ହାତଟି ଭାଙ୍ଗି ଯାଇଛି, କିଏ କହୁଛି–ନା ହାତ ଭାଙ୍ଗି ନାହିଁ, ଜଖମ ହୋଇଯାଇଛି ।

 

ବୁଢ଼ୀକୁ ପଡ଼ିବା ଜାଗାରୁ ଟେକି ଆଣି ଗୋଟିଏ ଜାଗାରେ ବସେଇଛନ୍ତି, ବୁଢ଼ୀ ନିଜର ମନ୍ଦଭାଗ୍ୟ, ପୁଅ, ବୋହୂର ତା’ପ୍ରତି ଅବହେଳା, ତା’ର ବାପଘରେ ସେ କେମିତି ସୁଖରେ ଥିଲା, ଶାଶୁ ଘରକୁ ଆସିଲାଦିନୁ, ତା’ବୋହୂ ଅମଳରୁ ଆଜିଯାଏ, ସେ କେତେ କଷ୍ଟ କଲାଣି, ଆଉ କଷ୍ଟ ସହି ପାରୁନି । ଏଣିକି ମାଟିରେ କେମିତି ମିଶିବ, ମିଶିଲେ ସେ କେମିତି ଶାନ୍ତି ପାଇବ ଇତ୍ୟାଦି ଇତ୍ୟାଦି ବର୍ଣ୍ଣନା କରି ନୀତିଦୀର୍ଘ ସ୍ୱରରେ ବାହୁନୁଛି ।

 

ସାହି ମାଇପେ ବୁଢ଼ୀର ବାହୁନାକୁ ସମର୍ଥନ ଜଣେଇ କିଏ ବୁଝଉଛି, କିଏ ସାନ୍ତ୍ୱନା ଦଉଛି, କିଏ ଔଷଧି ବତଉଛି, କିଏ ଔଷଧି ଯୋଗାଡ଼ କରୁଛି । ସମସ୍ତଙ୍କ ମୁହଁରେ ବୁଢ଼ୀ ପ୍ରତି ସହାନୁଭୂତି ସୂଚକ ସେହି ଗୋଟାଏ କଥା–ଆହା ! ବୁଢ଼ୀ ମଣିଷ, ଖୁବ୍‌ ଜୋର୍‌ରେ ବାଜି ଯାଇଛି । ବୁଢ଼ୀ ଶରୀର ଆଉ କ’ଣ ବଳ ଅଛି ?

 

ଆଉ କେତେକଙ୍କ ମୁହଁରେ ସେହି ଗୋଟାଏ କଥା–କ’ଣ ହେଲା ? ବୁଢ଼ୀ କେମିତି ପଡ଼ିଗଲା, କୋଉଠି ବାଜିଛି ? ଭାରି କଷ୍ଟ ହେଉଥିବ, ବୃଦ୍ଧ ଶରୀର !

 

ସିନେମାର ଫାଷ୍ଟ ସୋ’ର ଦର୍ଶକଦଳ ବାହାରି ଗଲାପରେ, ସେକେଣ୍ଡ ସୋ’ର ଦର୍ଶକଦଳ ପ୍ରବେଶ କଲା ପରି, ଦଳେ ଯାଇ ପୁଣି ନୂଆ ଦଳେ ଦେଖଣାହାରୀ ପ୍ରବେଶ କଲା ପରେ, ସେଇ ଗୋଟାଏ ଧରଣର ପ୍ରଶ୍ନ । ତା’ର ସେମିତି ଗୋଟାଏ ଧରଣର ଉତ୍ତର–ଦାସେ ଆଇଲେ ମୂଳରୁ ଗା’....

 

ବୁଢ଼ୀକୁ ଡାକ୍ତରଖାନାକୁ ନିଆ ହେଲା ନାହିଁ, ଡାକ୍ତରଙ୍କୁ ଡକା ହେଲା ନାହିଁ । ସାହି ମାଇପଙ୍କର ପ୍ରେସ୍‌କିପସନ୍‌ ମତେ କେତେକ ଗାଉଁଲି ଔଷଧି ବୁଢ଼ୀ ହାତରେ ବନ୍ଧା ହେଲା, ବୁଢ଼ୀ ବିଛଣା ଧଇଲେ ବୁଢ଼ୀକୁ କେନ୍ଦ୍ର କରି, ଆଉଁସା, ଘଷା ଗପ, ସାହିମାଇପଙ୍କର ଗୋଟାଏ ଆଲୋଚନାଚକ୍ର ବସିଲା ।

 

ଗାଁ ନିକଟରେ ସରକାରୀ ଡାକ୍ତରଖାନା । ଡାକ୍ତର ଥା’ନ୍ତି ସାହି ମଝିରେ, ଘରଭଡ଼ା ନେଇ । ସରକାରୀ ଘର ତାଙ୍କୁ ମିଳି ନ ଥିବାରୁ ଡାକ୍ତର ଭଡ଼ା ଘରେ ଥା’ନ୍ତି । ଏକା, କତିରେ କେହି ନାହିଁ, ଦିନେ ସକାଳୁ ଦାଣ୍ଡଆଡ଼ୁ, କରୁଣ କଣ୍ଠରେ ଶୁଣାଗଲା–ଆଉ ବଞ୍ଚିବି ନାହିଁଲୋ, ମୋ ପ୍ରାଣ କି କଲବଲ ହେଉଛି ଲୋ, ମୋତେ କି ଦଶା ପଇଲା ଲୋ..... !

 

କାନ୍ଦଣାର ଶବ୍ଦ ସଙ୍ଗେ ସଙ୍ଗେ ମୃଦୁ ପଦଧ୍ୱନି, ତା ପରେ ପରେ ଡାକ୍ତରବାବୁଙ୍କ ଶୋଇବା ଘର ସାମନାରେ ଠେଙ୍ଗାଟିଏ ହାତରେ ଧରି, ଗୋଟିଏ ବୁଢ଼ୀ ଆସି ଉଭା ହେଲା, ବୁଢ଼ୀର ବାଁ ହାତର ପାପୁଲିଟି ଫୁଲିଛି, ସେଥିରେ ପୁଣି କନା ଖଣ୍ଡେ ବନ୍ଧା ହୋଇଛି ।

 

ବୁଢ଼ୀ ଡାକ୍ତର ବାବୁଙ୍କୁ ଦେଖି କାନ୍ଦ କାନ୍ଦ ହୋଇ ଆରମ୍ଭ କଲା–ଏ ଡାକ୍ତର ବାବୁ, ମୋତେ ଦୟାକର । ମୁଁ ବୁଢ଼ୀ ମଣିଷ......

 

ବୁଢ଼ୀ ଠେଙ୍ଗାଟି ତଳେ ଥୋଇ ଦେଇ ଡାହାଣ ହାତରେ ବାଁ ହାତ ପାପୁଲିକି ଧରି ଗୋଟିଏ ଖୁଣ୍ଟକୁ ଆଉଜି ବସିଲେ ।

 

ଡାକ୍ତର ବାବୁ ପଚାରିଲେ–ବୁଢ଼ୀ କ’ଣ ହେଲା ? ବୁଢ଼ୀ ବାହୁନା ସ୍ୱରରେ ଆରମ୍ଭ କଲେ–କ’ଣ କହିବି ବାପ, ପାଣି ମାଠିଆଏ ଆଣୁଥିଲି, ଗୋଡ଼ ଖସିଗଲା, ପଡ଼ିଗଲି, ଏ ବାଁ ହାତରେ ମାଡ଼ ହୋଇଗଲା ।

 

ବୁଢ଼ୀ ପୁଣି ସେହି ବାହୁନା ସ୍ୱରର ଉପସଂହାରରେ ଆରମ୍ଭ କଲେ–ମରିଗଲି ଲୋ, କି କଲବଲ ହଉଛି ଲୋ..... ।

 

ଡାକ୍ତର ବାବୁ ପଚାରିଲେ–ତୁମେ ଏ ବୁଢ଼ା ବୟସରେ ପାଣି କାହିଁକି ଆଣୁଥିଲ, ବୋହୂକି ଝିଅ କେହି ନଥିଲେ ?

 

ବୁଢ଼ୀ ବାହୁନା ସ୍ୱରରେ–ମୋର ଗୋଟିଏ ପୁଅ, ତାକୁ ବାହା ଦେଇ ଗୋଟିଏ ବୋହୂ ଆଣିଥିଲି ଯେ, ତା’ ଗୁଣ କହିଲେ ସରିବ ନାହିଁ...... ।

 

ଡାକ୍ତର–ବୋହୂ କ’ଣ କାମ କରେ ନା ?

 

ବୁଢ଼ୀ–ସେ ବୋହୂକୁ ମରଣ ହୁଅନ୍ତା କି, ମୋ ପୁଅକୁ ପଛେ ଆଉ ଗୋଟାଏ ବାହା ଦିଅନ୍ତି, ଗୋଟିଏ ଭଲ ବୋହୂ ଆଣନ୍ତି.....

 

ଡାକ୍ତର–ବୋହୂ କଣ ଭଲ ନୁହେଁ ?

 

ବୁଢ଼ୀ–ତା’ ନାଁ ଧରନାହିଁ ବାପ, ଅଲକ୍ଷଣୀ ମୋ ପୁଅକୁ କାଳସର୍ପ ଯୁଟିଛି, ମୁଁ କ’ଣ ଜାଣିଥିଲି, ଏଡ଼େ ଦୁଷ୍ଟ ପଡ଼ିବ ସେ । କୁଟା ଖଣ୍ଡକ ଦି’ଖଣ୍ଡ କରିବନି, ଅଳସେଇ ବୋଲି ସରିଛି..... ।

 

ଡାକ୍ତର ପୁଣି ପ୍ରଶ୍ନ କଲେ–ତୁମ ପୁଅ ନାଁ କ’ଣ ?

 

ବୁଢ଼ୀ–ମୁଁ ପରା ଦିଗା ମା’, ଦିଗାକୁ କ’ଣ ଚିହ୍ନିନା ?

 

ପୁଅ ଭାରି ଭଲ ଥିଲା, ଏ ବୋହୂ ଶିକ୍ଷାରେ ପଡ଼ି ଏବେ ଖରାପ ହେଇଗଲା, ଏ ଯୋଉ ଅଲକ୍ଷଣୀ ବୋହୂ, ତାକୁ ସବୁ ମନ୍ଦ କଥା କାନେ କାନେ ଶିଖେଇଲା.... ।

 

ବୁଢ଼ୀ ଏତେବେଳେ ଜଖମ ଥିବା ହାତ ଆଉ ଭଲ ହାତ ଉଭୟଙ୍କୁ କୌଣସି ମତେ ଏକାଠି ଯୋଡ଼ି ସୂର୍ଯ୍ୟଙ୍କ ଆଡ଼କୁ ଅନେଇ ପ୍ରାର୍ଥନା କଲା ଭଙ୍ଗୀରେ କହିଲେ–ହେ ସୂର୍ଯ୍ୟ ଦେବତା, ତୁ ଦିନରାତି କରୁଛୁ, ତୁ ଯଦି ସତେ ଏ ଦୁନିଆ ପାଳୁଥିବୁ, ମୋ ବୋହୂକୁ ଯଦି ମରଣ ହବ, ତା’ ହେଲେ ଜାଣିବି, ତୁ ଠିକ୍‌ ଦେବତା, ନହେଲେ ତୁ ପଥର..... ।

 

ଡାକ୍ତରବାବୁ କହିଲେ–ବୁଢ଼ୀ, ଦେଖେ ତୁମରି ହାତ କ’ଣ ହେଇଛି ?

 

ବୁଢ଼ୀ ବହୁ କଷ୍ଟରେ ହାତ ଦେଖେଇଲେ, ଡାକ୍ତର ବାବୁ ହାତ ପରୀକ୍ଷା କରି ଦେଖିଲେ, ହାତ ହାଡ଼ ଭାଙ୍ଗି ନାହିଁ, ମକଚି ଯାଇଛି ।

 

ଡାକ୍ତର ବାବୁ କହିଲେ–ବୁଢ଼ୀ, ତୁମେ ଯାଅ, ତୁମ ପୁଅ ଦିଗାକୁ କହିବ, ଡାକ୍ତରଖାନା ଖୋଲିଲେ, ମୋ ସହିତରେ ଦେଖା କରିବ, ମୁଁ ଓଷଧି ଲେଖିଦେବି, ହାତରେ ଲଗେଇବ, ଭଲ ହେଇଯିବ, ତୁମେ ଯାଅ, ଆଉ ବସିବ କାହିଁକି ?

 

ବୁଢ଼ୀ ଏଥର ପୁଣି ସେହି ବାହୁନା ସ୍ୱରରେ ଆରମ୍ଭ କଲେ–ଯା’ର ସାରାର୍ଥ ହେଉଛି–ସେ ସଂସାର–ସାଗର କେମିତି ପାରି ହେବେ, ସଂସାରର ଲୀଳା ଖେଳା ତାଙ୍କର ସରି ଆସିଲା, ସେ ଯେଉଁ ମାୟା ରୂପକ ନାବ-ଖଣ୍ଡକରେ ବସିଛନ୍ତି, ତାଙ୍କୁ ପୁଅ କି ବୋହୂ, ସାହାଯ୍ୟ, ସହାନୁଭୁତି ରୂପକ ଆହୁଲ ପକେଇ ଏ ଯନ୍ତ୍ରଣା ରୂପକ ଝଡ଼, ଝଞ୍ଜାରୁ ଉଦ୍ଧାର କରି ପାରି କରିବାକୁ ଅନିଚ୍ଛୁକ, ଅସମର୍ଥ...... ।

 

ଡାକ୍ତର ବାବୁ ଲକ୍ଷ୍ୟ କଲେ–ଯେମିତି ବୋହୂ ବିରୁଦ୍ଧରେ ଅଭିଯୋଗ କରିବା ବନ୍ଦ ହେଉଛି ।

 

ବୁଢ଼ୀ ହାତର ଯନ୍ତ୍ରଣା ଅନୁଭବ କରୁଛି, ଏଇ କଥା ଭାବି, ଡାକ୍ତର ବାବୁ ପୁଣି ବୋହୂ କଥା ପଚାରିଲେ–ବୁଢ଼ୀ, ବୋହୂ କଣ ତୁମର କିଛି ଯତ୍ନ ନିଏନା ?

 

ବୁଢ଼ୀ ଏତେବେଳେ ବାହୁନା ସ୍ୱରରୁ ନିବୃତ୍ତ ହୋଇ ସ୍ୱରବିହୀନ ବିରାଟ ଗଦ୍ୟରେ ଆରମ୍ଭ କଲେ–ବାବୁ, ସେ ଅଲକ୍ଷଣୀ ପୁଣି ମୋ ଯତ୍ନ ନେବ ? କେବେ କହିବ ଯେ, ଶାଶୁ ବୁଢ଼ୀ ଶୋଇଛି । ଟିକିଏ ଗୋଡ଼ ଦି’ଟାରେ ହାତ ବୁଲେଇ ଦିଏ, ଅଣ୍ଟା ଚିପିଦିଏ କି ମୁଣ୍ଡ ଚିପିଦିଏ, କାହିଁକି ସେ ଅନେଇ ଯିବ ?

 

ଡାକ୍ତର ବାବୁ ବୁଝିପାରିଲେ–ବର୍ତ୍ତମାନ ବୋହୂ ବିରୁଦ୍ଧରେ କହିଲାବେଳେ, ବୁଢ଼ୀର ଆଉ ହାତର ଯନ୍ତ୍ରଣା ନାହିଁ ।

 

ପରୀକ୍ଷା ସ୍ୱରୂପ ପୁଣି କହିଲେ–ହଉ ବୁଢ଼ୀ, ତମେ ଯାଅ, ମୁଁ ଔଷଧି ଠିକ୍‌ କରିଦେବି... ।

 

ବୁଢ଼ୀ ଏଥର ପୁଣି ସ୍ୱରହୀନ ଗଦ୍ୟ ଛାଡ଼ି ବାହୁନା ସ୍ୱର ଧରିଲେ, ଯାହା ବର୍ଣ୍ଣନା କଲେ, ତା’ର ସାରମର୍ମ ହେଉଛି–ସେ ଆଉ କେତେ କାଳ ଏ ଉତ୍ତାଳ-ତରଙ୍ଗ ସଙ୍କୁଳ ସଂସାର-ବାରିଧିରେ ଆଘାତ ସହ୍ୟ କରୁଥିବେ, ତାଙ୍କର ଜ୍ୟେଷ୍ଠ ପୁତ୍ର ଆନନ୍ଦଚନ୍ଦ୍ର ଯେ କି ସସ୍ତ୍ରୀକ ଶ୍ୱଶୁରାଳୟରେ ଗୃହପାଳିତ ଜାମାତା ରୂପେ ବିବାହର ଅଳ୍ପଦିନଠାରୁ ଏ ପର୍ଯ୍ୟନ୍ତ ଅବସ୍ଥାନ କରୁଛନ୍ତି, ଯେ କି ବୁଢ଼ୀର ନାମକରଣ ସୁଦ୍ଧା କରନ୍ତି ନାହିଁ । ବୁଢ଼ୀଙ୍କ ମତରେ ସେହି ପୁତ୍ର, ସେହି ବଧୂ କେବଳ ହେଉଛନ୍ତି ଏ ସଂସାର-ବାରିଧିରୁ ତାଙ୍କୁ ପାରି କରିବାରେ ସୁଯୋଗ୍ୟ, ସୁଦକ୍ଷ କର୍ଣ୍ଣଧାର... ।

 

ଡାକ୍ତରବାବୁ ଏଥର ପୁଣି ପରୀକ୍ଷା ସ୍ୱରୂପ ବୁଢ଼ୀକୁ ପଚାରିଲେ–ବୁଢ଼ୀ, ବୋହୂ ରାନ୍ଧେ କେମିତି ? ତୁମକୁ ଭଲ ଭାବରେ ଯତ୍ନ ନେଇ ଖାଇବାକୁ ଦିଏ ?

 

ବୁଢ଼ୀ ଏଥର ଡାକ୍ତର ବାବୁଙ୍କ ଏତାଦୃଶ ସହଜ ପ୍ରଶ୍ନର ଉତ୍ତର ଦବା ପାଇଁ ଆଗ୍ରହ ସହକାରେ ବାହୁନା ସ୍ୱର ଛାଡ଼ି, ଗଦ୍ୟ ଛନ୍ଦରେ ଆରମ୍ଭ କଲେ–ଯା’କୁ ସଂକ୍ଷେପରେ କହିବାକୁ ଗଲେ–ଭାତ ଗୋଡ଼ି ସହିତରେ ତୁଳନା କରାଯାଇପାରେ, ଡାଲି ଯାହା କରେ, ସେଥିରେ ଗୋଟିଏ ସବ୍‌ମ୍ୟାରିନ୍‌ ଅକ୍ଳେଶରେ ଆତ୍ମଗୋପନ କରି ଜଳକ୍ରୀଡ଼ା କରିପାରେ । ତରକାରୀ ଯା’ କ’ରେ, ତାହା ଘୁଷୁରିର ଅସ୍ପୃଶ୍ୟ, ସେଥିରେ ଯେଉଁ ପନିପରିବା, ମାଛ ଇତ୍ୟାଦି ପଡ଼ିଥାଏ, ସେଗୁଡ଼ିକ ପ୍ରତ୍ୟେକ ଖଣ୍ଡବିଖଣ୍ଡ ଅବସ୍ଥାରେ ଗୋଟିଏ ଲବଣାକ୍ତ ହ୍ରଦରେ ପଡ଼ି କି ଦୁର୍ଦ୍ଦଶା ଭୋଗ କରନ୍ତି, ଖାଦକର ଦୃଷ୍ଟି ଆକର୍ଷଣ କରିବାପାଇଁ ନିଜକୁ ଦେଖେଇବାରେ ପରସ୍ପର ସହିତ ପ୍ରତିଯୋଗିତା କରନ୍ତି, ଆଉ ରନ୍ଧନଶାଳାର ଅବସ୍ଥା ଗୋଟିଏ ମଶାଣି ଭୂଇଁ ସହିତରେ ତୁଳନୀୟ, ଶେଷରେ ବୁଢ଼ୀ ବୋହୂର ଆଶୁ ନରକ ଗତିର କାମନା କରି ମନ୍ତବ୍ୟ ପ୍ରକାଶ କଲେ–ଯେ କେହି ଖାଉ କି ନଖାଉ, ସେ ନିଜେ ଆକଣ୍ଠ ଭୋଜନ କରି ଆଗେ ଖଟ ଉପରେ କାୟା ବିସ୍ତାର କରିଦିଏ, ବୁଢ଼ୀକୁ ସବୁ ନିଜେ କରିବାକୁ ପଡ଼େ–

 

 

ଡାକ୍ତର ବାବୁ କହିଲେ–ହଉ, ତମେ ଯାଅ, ତୁମ ପୁଅକୁ ଡାକି ଦେବ.... ।

 

ବୁଢ଼ୀ ଡାକ୍ତର ବାବୁଙ୍କ ଏକଥା ଶୁଣି, ଡାହାଣ ହାତରେ ବାଁ ହାତକୁ ଧରି ପୁଣି ବାହୁନା ସ୍ୱରରେ ଆରମ୍ଭ କଲେ–ସେଥିରୁ ବୁଝାଗଲା–ତାଙ୍କର ଆଦୌ ଇଚ୍ଛା ନ ଥିଲା ଡାକ୍ତର ବାବୁଙ୍କ ପାଖକୁ ଆସିବା ପାଇଁ, ଗାଁ’ର ପ୍ରତିବେଶିନୀ ସମବୟସ୍କା ମାଇପିଙ୍କ ଉପଦେଶ ଏବଂ ଅନୁରୋଧ କ୍ରମେ, ସେ ଡାକ୍ତର ବାବୁଙ୍କ ଦ୍ୱାରସ୍ଥ ହେଲେ । ତାଙ୍କୁ ବର୍ତ୍ତମାନ ସେହି ଯନ୍ତ୍ରଣାରେ ପୂର୍ଣ୍ଣକୁମ୍ଭ ସ୍ୱରୂପ ହାତ ଖଣ୍ଡିକ ନେଇ ଡାକ୍ତରଙ୍କ କତିରୁ ବାହୁଡ଼ିବାକୁ ହେଲା, ତାଙ୍କର ଯନ୍ତ୍ରଣା ଅପରିସୀମ ଅକଥନୀୟ, ଅସହନୀୟ.... ।

 

ଡାକ୍ତରବାବୁ ପୁଣି ଥରେ ବୁଢ଼ୀକୁ ଆଉ ଗୋଟିଏ ଶେଷ ପ୍ରଶ୍ନ ଏବଂ ନୂଆ ପ୍ରଶ୍ନ ପଚାରିଲେ । ବୁଢ଼ୀ ସେ ପ୍ରଶ୍ନକୁ ଅତି ସହଜ, ସରଳ ଭାବି ପରୀକ୍ଷାବେଳେ ଜଣେ ଛାତ୍ର ଯେପରି ତା’ର ପ୍ରଶ୍ନ ମଧ୍ୟରେ ଯଦି ଗୋଟିଏ ସହଜ ପ୍ରଶ୍ନ ଦେଖେ, ତାକୁ ସେ ଯେପରି ଆଗ୍ରହ ସହକାରେ ଅନ୍ୟ ପ୍ରଶ୍ନକୁ ଛାଡ଼ି ଆଗେ ତା’ର ଉତ୍ତର ଲେଖିବା ପାଇଁ ଆରମ୍ଭ କରିଦିଏ, ବୁଢ଼ୀ ଏତେବେଳେ ଡାକ୍ତରବାବୁଙ୍କ ଏ ପ୍ରଶ୍ନର ଉତ୍ତର ଦେବାପାଇଁ ସବୁ ଯନ୍ତ୍ରଣା ପାସୋରି ପକେଇ ଆରମ୍ଭ କଲେ–ଯାହାକୁ ଅଳ୍ପରେ ଲେଖିଲେ ଜାଣି ହେବ ଯେ ତାଙ୍କର ବୋହୂକୁ ଗୋଟିଏ ଖଜୁରିଗଛ ସହିତରେ ତୁଳନା କଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଦୈହିକ ଗଠନ ହେଲା–ତାଡ଼କା, ହିଡ଼ମ୍ବା କିମ୍ବା ସୂର୍ପଣଖା ଶ୍ରେଣୀୟ । ତା’ର ରୂପରୁ ଆସନ୍ନ ବୈଧବ୍ୟ ଯନ୍ତ୍ରଣା ଭୋଗ ସୂଚିତ ହୁଏ, ଅର୍ଥାତ୍‌ ଉନ୍ନତ ଦଶନରାଶିକୁ ଲାଉମଞ୍ଜି ସହିତ, ଉନ୍ନତ ଢାଲୁ କପାଳକୁ ଗୋଟିଏ ଉନ୍ନତ ପାହାଡ଼ ସହିତ ତୁଳନା କରାଯାଇପାରେ । ତା’ପରେ ଦୁଇଟା ଉଜ୍ଜ୍ୱଳ କୃଷ୍ଣ ମୋଟା ଭୁରୁକୁ ପୁଣି ବାୟସ ନିନ୍ଦିତ କଣ୍ଠସ୍ୱର ତ ଅଛି । ତା ଛଡ଼ା ପାଦ ଦୁଇଟିର ଗଠଣ, ହଳେ କଠଉ ସହିତରେ ତୁଳନୀୟ । ସେ ଇମିତି ଅଲକ୍ଷଣୀ ବୋହୂ କେବେ ଆଣି ନ ଥା’ନ୍ତେ, କେବଳ ଜଣେ ଡାକ୍ତର ଦୂର ସମ୍ପର୍କୀୟ ଦେବର ଯା’ର ଆୟୁଷ ଅଳ୍ପ ବୋଲି ବୁଢ଼ୀର ଦୃଢ଼ ବିଶ୍ୱାସ । ସେଇ ରଘୁଆ ବୁଢ଼ୀକୁ ଧନଲୋଭ ଦେଖେଇ ଭୁଲେଇଦେଲା । ଶେଷରେ ବୁଢ଼ୀ ଆକ୍ଷେପ କରି କହିଲେ–ଯେ ସେ ଧନ ଲୋଭରେ ଭୁଲିବାର ଲୋକ ନୁହଁନ୍ତି । ରଘୁଆ ତାଙ୍କୁ କ’ଣ କିମିଆ କରିଦେଲା...... !

 

ଏତେବେଳେ ବୁଢ଼ୀର ହାତର ଯନ୍ତ୍ରଣା ପୂରାପୂରି ବିସ୍ମୃତ । ଡାକ୍ତରବାବୁ ଏଥର ବୁଢ଼ୀକୁ କହିଲେ–ହଉ, ତୁମେ ଯାଅ, ମୁଁ ଗାଧୋଇବି, ଆଉ ଡେରିକଲେ ହବନାହିଁ, ଯାଅ, ଦିଗାକୁ କହିବ, ସେ ଯେମିତି ଅବିକା ଆସି ଡାକ୍ତରଖାନାରେ ମୋ ସହିତ ଦେଖା କରିବ.....

 

ବୁଢ଼ୀ ଏଥର ଠେଙ୍ଗାଟି ଧରି ନିଜ ଯାଗାରୁ ଉଠି ବାହୁନା ସ୍ୱରରେ ଆବୃତ୍ତି କରୁ କରୁ ବାହାରିଲେ, ଯା’ର ସାରାଂଶ ହେଉଛି–ତାଙ୍କର ହାତର ଯନ୍ତ୍ରଣା ସହସ୍ର ବୃଶ୍ଚିକ ଦଂଶନ ସମ, ମରଣରେ ତାଙ୍କର ଶାନ୍ତି ସୁନିଶ୍ଚିତ, ଏ ସଂସାରରେ କେହି କାହାର ନୁହଁନ୍ତି । ନିଜର ପୁଅତ ଏ ଯନ୍ତ୍ରଣା ବୁଝିଲା ନାହିଁ, ଆଉ ଏ ଡାକ୍ତର ବାପୁଡ଼ା, ସେତ ପର ପୁଅ, ସେ କୁଆଡ଼ୁ ଏ ଯନ୍ତ୍ରଣା ବୁଝିବ-?

 

ଡାକ୍ତରବାବୁ ଗାଧୋଇବାକୁ ବାହାରି ବୁଢ଼ୀର ବିଦାୟ ବେଳର ବାହୁନିବା ଶୁଣି ମନେ ମନେ ଭାବିଲେ–ରୋଗଗ୍ରସ୍ତ ଶାଶୁମାନଙ୍କ ପକ୍ଷରେ ବୋହୂର କୁତ୍ସାରଟନା କରିବା ଗୋଟିଏ ଭଲ ସାମୟିକ ବେଦନାନାଶକ ଔଷଧି ପରି କାମଦିଏ ।

Image

 

ଗୁରୁଚରଣର ଚାକିରୀ

 

ଗୁରୁଚରଣ ପିଅନ, ଗୋଟିଏ ବଡ଼ ଅଫିସ୍‌ରେ କାମ କରେ ।

 

ଗୁରୁଚରଣ ମଣିଷ ହେଲେ ମଧ୍ୟ, ମଣିଷର ଆକୃତିର ଅଧଫାଳ । ସେତିକିରେ ମଣିଷ ଦେହର ସବୁ ଯନ୍ତ୍ରପାତି ଖଞ୍ଜା ହୋଇଛି, ତା’ର ପରିଧାନରେ ଖଣ୍ଡେ ମଇଳା ଖାକି ହାଫ୍‌ସାର୍ଟ୍‌, ଧୋତି, ଗୋଡ଼ରେ ହଳେ ପୁରୁଣା ସଂସ୍କରଣର ଚଟି, ମୁଣ୍ଡରେ କଳା ଧଳା ଖୁଣ୍ଟା ଖୁଣ୍ଟା ବାଳ, ଗୁରୁଚରଣ ବୟସ୍କ ଲୋକ ହେଲେ ମଧ୍ୟ ତା’ର କଣ୍ଠସ୍ୱର ଗୋଟାଏ ପିଲା କଣ୍ଠ ପରି । କୁଁ କୁଁ ହୋଇ କଥା କହେ ।

 

ହାକିମଙ୍କକର କଡ଼ା ହୁକୁମ–ଗୁରୁଚରଣ ଅଫିସ୍‌ ଦୁଆର ଜଗି ବସିବ, କାହାରିକି ଅଫିସ୍‌ ଭିତରକୁ ଛାଡ଼ିଦେବ ନାହିଁ ।

 

ହାକିମଙ୍କ ହୁକୁମ ମାନି ଅଫିସ୍‌ ଆରମ୍ଭ ବେଳରୁ ଗୁରୁଚରଣ ଅଫିସ୍‌ ଦୁଆର ଭିତରୁ ବନ୍ଦ କରି ଖଣ୍ଡିଏ ଟୁଲ୍‌ ଉପରେ ବସିରହେ ।

 

ଅଫିସ୍‌ର କର୍ମଚାରୀ ଯେଉଁମାନେ ଠିକ୍‌ ସମୟରେ ଆସିଥାନ୍ତି ସେମାନେ ଅଫିସ୍‌ ଭିତରେ ବସି କାମ କରୁଥାନ୍ତି ।

 

ଯେଉଁମାନେ କିଛି ବିଳମ୍ବରେ ଆସନ୍ତି ଅଫିସ୍‌ ଦୁଆର ବନ୍ଦଥିବାର ଦେଖି ଡାକନ୍ତି ଗୁରୁଚରଣ, ଦୁଆର ଖୋଲ ।

 

ଗୁରୁଚରଣ ଭିତରେ ଥାଇ ଅନ୍ୟଲୋକ ଭାବି ପିଲା କଣ୍ଠରେ ଜବାବ୍‌ ଦିଏ–ନା, ଦୁଆର ଖୋଲିବି ନାହିଁ ହାକିମ ମନା କରିଛନ୍ତି ।

 

ପୁଣି ଶୁଣାଯାଏ–ଗୁରୁଚରଣ, ମୁଁ ଗୋବିନ୍ଦ ବାବୁ ଦୁଆର ଖୋଲ ।

 

ଗୁରୁଚରଣ ଭିତରୁ ଦୁଆର ବନ୍ଦ କରିଥିଲେ ମଧ୍ୟ ଟିକିଏ ଫାଙ୍କ କରି ଦେଖେ, ତା’ର ଅଫିସ୍‌ର ଜଣେ କର୍ମଚାରୀ ।

 

ଗୁରୁଚରଣ ତରବରରେ ଉଠି ଦୁଆର ଖୋଲି କହି ପକାଏ–ଓଃ ଗୋବିନ୍ଦବାବୁ ! ଗୋବିନ୍ଦବାବୁ ଭିତରକୁ ଗଲେ ।

 

 

ପୁଣି ଶୁଣାଯାଏ ଗୁରୁଚରଣ ଦୁଆର ଖୋଲିଲୁ ! ଗୁରୁଚରଣ ଉତ୍ତର ଦିଏ–ନା, ହାକିମ ମନା କରିଛନ୍ତି ଦୁଆର ଖୋଲିବି ନାହିଁ ।

 

ପୁଣି ଶୁଣାଯାଏ–ଆରେ ମୁଁ ମ, ଦୁଆର ଖୋଲ, ମୁଁ ଚମ୍ପତିବାବୁ ।

 

ଗୁରୁଚରଣ ଚମ୍ପତିବାବୁ ଶୁଣି ଟିକିଏ ସନ୍ଦେହରେ ଅଟକି ଯାଏ । ଭାବେ ଚମ୍ପତିବାବୁ କିଏ ? ତାଙ୍କ ଅଫିସରେ ଚମ୍ପତିବାବୁ କେହି ନାହାନ୍ତି, ଏ କିଏ ସତେ ଚିହ୍ନା ଲୋକ ପରି ଡାକୁଛି ? ଏ ନିଶ୍ଚେ କିଏ ଗୋଟାଏ ଅଫିସ୍‌ ଭିତରେ ପଶିବା ପାଇଁ ଫାଉମାରି କଥା କହୁଛି ।

 

ଗୁରୁଚରଣ ଉତ୍ତର ଦିଏ ନା, ଦୁଆର ଖୋଲା ହବ ନାହିଁ ହାକିମ ମନା କରିଛନ୍ତି ।

 

ଚମ୍ପତିବାବୁ ବାହାରେ ଥାଇ ପୁଣି ଡାକନ୍ତି–ଗୁରୁଚରଣ, ମୁଁ ଗିରିଧାରୀ ବାବୁ, ଦୁଆର ଖୋଲ ।

 

ଗୁରୁଚରଣ ଭାବେ, ଗିରିଧାରୀବାବୁ, ଚମ୍ପତିବାବୁ ଏ କିଏ ମ ?

 

ଗୁରୁଚରଣ ଦୁଆର ଟିକିଏ ଫାଙ୍କ କରି ଦେଖେ, ଗିରିଧାରୀବାବୁ, ଚମ୍ପତିବାବୁ ଯେ ଡାକୁଛନ୍ତି, ତାଙ୍କ ପରି ଲୋକ ସେ କେବେ ଅଫିସରେ ଦେଖିନାହିଁ । ଏଣୁ ଗୁରୁଚରଣ ପୁଣି ପିଲା କଣ୍ଠରେ ଉତ୍ତର ଦିଏ–ନା, ଦୁଆର ଖୋଲିବି ନାହିଁ...... ।

 

ବାବୁ ଗିରିଧାରୀ, ଚମ୍ପତି ଦୁଇଦିନ ହେଲା ବଦଳି ହୋଇ ଆସିଛନ୍ତି । ଏଣୁ ସେ ଗୁରୁଚରଣକୁ ଚିହ୍ନିଥିଲେ ମଧ୍ୟ ଗୁରୁଚରଣ ତାଙ୍କୁ ଚିହ୍ନି ନାହିଁ । ଏଣୁ ବାହାର ଲୋକ ଭାବି ଦୁଆର ଖୋଲିବାକୁ ନାରାଜ, ଦୁଆର ଖୋଲେ ନାହିଁ ।

 

ବାବୁ ଗିରିଧାରୀ, ଚଂପତି ବାହାରେ ଥାଇ ଭାବିଲେ ଗୁରୁଚରଣ କ’ଣ ତାଙ୍କୁ ଚିହ୍ନି ପାରୁନି କି ? କାରଣ ସେ ତ ମାତ୍ର ଦୁଇଦିନ ହେବ ବଦଳି ହୋଇ ଆସି ଏ ଅଫିସରେ ଯଏନ୍‌ କରିଛନ୍ତି, ବୋଧେ ଗୁରୁଚରଣ ସେଇଥିପାଇଁ ଦୁଆର ଖୋଲୁ ନାହିଁ ।

 

ଗିରିଧାରୀ ବାବୁ ପୁଣି ଡାକନ୍ତି–ଆରେ ଗୁରୁଚରଣ, ମୋତେ ଚିହ୍ନି ପାରୁନୁ କି ? ମୁଁ ନୂଆ ଆସିଛି, ଦୁଆର ଖୋଲ ।

 

ଅଫିସ ବାହାରେ ସେତେବେଳେ ଆହୁରି କେତେକ ବାହାର ଲୋକେ ଗଦା ହୋଇ ଗଲେଣି, ଯେଉଁମାନଙ୍କର ଅଫିସ୍‌ରେ କାମ ଅଛି, ସେମାନେ ଗିରିଧାରୀ ବାବୁ ସେହି ଅଫିସର ଜଣେ କର୍ମଚାରୀ ହୋଇ ନିଜର ପରିଚୟଦେବା ସତ୍ୱେ ଗୁରୁଚରଣ ଦୁଆର ନ ଖୋଲିବାର ଦେଖି କୁହାକୁହି ହୁଅନ୍ତି–ଦେଖ, ଜଣେ ଅଫିସ୍‌ର କର୍ମଚାରୀ ତାଙ୍କୁ ଗୁରୁଚରଣ ଦୁଆର ଖୋଲୁ ନାହିଁ ଆଉ ଆମ ତମ, କଥା ପଚାରେ କିଏ ? ଗୁରୁଚରଣର ଭାବି ଦିମାକ୍‌ ହୋଇଗଲେଣି !! ତିନି ଚାରି ବର୍ଷ ହେଲାଣି ଗୋଟାଏ ଜାଗାରେ ରହିଲା ଦିମାକ ହବ ନାହିଁ କିମିତି ?

 

ଗିରିଧାରୀ ବାବୁ ପୁଣି ଡାକନ୍ତି–ଗୁରୁଚରଣ ଦୁଆର ଖୋଲ, ହାକିମ ସିଆଡ଼େ ଖୋଜିବେଣି ।

 

ଗୁରୁଚରଣ ଉଠି ପଡ଼ି ସନ୍ଦେହରେ ଦୁଆର ଖୋଲିଲା, ଫାଙ୍କ କଲା, ଯେତିକି ଗୋଟାଏ ଲୋକ ଆସି ପାରିବ । ଗିରିଧାରୀ ବାବୁଙ୍କୁ ଗୁରୁଚରଣ ଯେମିତି ବାଟ ଦେଲା, ତା’ଠାରୁ ଗିରିଧାରୀ ବାବୁଙ୍କର ସାଇକେଲ ଖଣ୍ଡିକ ଧରି ପଶିବା ପାଇଁ ଦୁଆର ମେଲା ହୋଇଗଲା ।

 

ଦୁଆର ଅତ୍ୟଧିକ ମେଲା ହେବାର ଦେଖି, ଗିରିଧାରୀ ବାବୁଙ୍କର ସାଇକେଲ ସହ ପ୍ରବେଶ ସମୟରେ ବାହାରର ଆଉ ଦୁଇ ଚାରିଜଣ ଲୋକ ପଶି ଆସିଲେ । ଗୁରୁଚରଣ ସେମାନଙ୍କୁ ବାଧାଦେଇ, କହିଲା ନା, ଆଉ କାହାରିକି ଛାଡ଼ିବି ନାହିଁ ।

 

ଗୁରୁଚରଣ ସେମାନଙ୍କୁ ବାଧା ଦେଲାରୁ ସେମାନେ ହାତ ଛିଞ୍ଚାଡ଼ି ଦେଇ ଗୁରୁଚରଣକୁ ଠେଲି ଦେଇ ଜବରଦସ୍ତି ଅଫିସ୍‌ ଭିତରକୁ ଗିରିଧାରୀ ବାବୁଙ୍କ ପଛେ ପଛେ ପଶିଗଲେ । ଗୁରୁଚରଣ ଦୁଆର ବନ୍ଦ କରି ଥକା ହୋଇ ଟୁଲ୍‌ ଉପରେ ବସି ଭାବିଲା, କ’ଣ କରିବ ସେ ? ତିନି ଚାରିଟା ଲୋକ ଅଫିସ୍‌ ଭିତରକୁ ଚାଲିଗଲେ, ତାକୁତ ମାନିଲେ ନାହିଁ । ତା’ ଦିହରେ ବା ବଳ କାହିଁ, ସେମାନଙ୍କୁ ଠେଲି ବାହାର କରିଦେବ ? ପୁଣି ସେମାନେ ତ କେଡ଼େ କେଡ଼େ ଥିଲାବାଲା ଲୋକ ପରି ମନେ ହେଉଛନ୍ତି, ତାଙ୍କ ହାତ ଦେଇ ଠେଲି ବାହାର କରିଦେବା କ’ଣ ତା ପକ୍ଷରେ ସହଜ ହେଉଛି ! ଦିହରେ ଆଜି ନାହିଁ ତାକୁ ଚାପୁଡ଼ାଏ ବସେଇ ଦେବେ ।

 

ଗୁରୁଚରଣ ପୁଣି ଶୁଣେ ବାହାରୁ କବାଟରେ ଠକ୍‌ଠକ୍‌ କରି ଆଘାତ କରିବାର ଶବ୍ଦ । ଗୁରୁଚରଣ ନୀରବ ରହେ, ଠକ୍‌ଠକ୍‌ ଶବ୍ଦ ପୁଣି ଧକାଦବାର ଶବ୍ଦ କ୍ରମଶଃ ଶୁଣାଯାଏ । ଗୁରୁଚରଣ ଆଉ ନୀରବ ନ ରହି ଭିତରୁ ଆସିବା ଜାଗାରୁ ପିଲାକଣ୍ଠରେ ଉତ୍ତର ଦିଏ–କାହିଁକି ସେମିତି କବାଟ ବାଡ଼ଉଛ ?

 

ଗୁରୁଚରଣ ଶୁଣେ–ଗୁରୁଚରଣ ଦୁଆର ଖୋଲିଲୁ । ନା ଖୋଲିବି ନାହିଁ, ହାକିମ ମନା କରିଛନ୍ତି ।

 

ହାକିମ ମନା କରିଛନ୍ତି ?

 

ହଁ ।

 

ଦୁଆର ଖୋଲିବୁ ନାହିଁ ? କ’ଣ କହୁଛ ?

 

ନା ।

 

ଗୁରୁଚରଣ ପୁଣି ଶୁଣେ–ଦୁଆର ଖୋଲିବୁ ନାହିଁ; ଦେଖିଲୁ, କିଏ ଠିଆ ହୋଇଛନ୍ତି । ଏତେବେଳେ ବାହାରେ ଜଣେ ବଡ଼ ହାକିମ ଶ୍ରେଣୀର ଦୀର୍ଘକାୟ ବ୍ୟକ୍ତି ଆସି ଦଣ୍ଡାୟମାନ ।

 

ଗୁରୁଚରଣ ବାହାରୁ ଏ କଥା ଶୁଣିପାରି ଭୟ ଏବଂ ସନ୍ଦେହରେ ଦୁଆର ଅଳ୍ପ ଫାଙ୍କ କରି ଚାହିଁ ଦେଖେ । ଯା ଦେଖେ, ତା’ ଛାତି ଥରିଉଠେ, ଭାବେ, ବୋପାଲୋ, ଏ କିଏ ମ ! ଦାମିକା ପୋଷାକ, ନେକ୍‌ଟାଇ, ମୁଣ୍ଡରେ ହ୍ୟାଟ୍‌ ଗାଲ ଫୁଲି ରହିଛି, ଝାଁପୁଡ଼ା ନିଶ ହଳେ ।

 

ଗୁରୁଚରଣ ଦୋ’ଘାଇରେ ପଡ଼େ, ଦୁଆର ଖୋଲିଲେ ଚାକିରି ଯିବାର ଭୟ, ଦୁଆର ନ ଖୋଲିଲେ ଚାକିରୀ ଯିବାର ଭୟ, ଏ ଯଦି ହାକିମଙ୍କ ସାଙ୍ଗ ହୋଇଥିବ !

 

ଅଫିସ୍‌ ଭିତରେ ହାକିମ, ଅଫିସ୍‌ ବାହାରେ ହାକିମ, ବ୍ୟବଧାନ କେବଳ ଅଫିସ୍‌ ଦୁଆର କବାଟ ଦି’ଖଣ୍ଡ, ଆଉ ତା’ପରି ଜଣେ ତଳିଆ କର୍ମଚାରୀ ଦୁଆରପାଳ ।

 

ଗୁରୁଚରଣର ଚାକିରୀ ଦୋଦୁଲ୍ୟମାନ ହେଲେ ମଧ୍ୟ ଅପେକ୍ଷା କରିଥିବା ହାକିମ ଶ୍ରେଣୀ ଲୋକକୁ ନ ଚିହ୍ନିଥିଲେ ମଧ୍ୟ ଭୟରେ ଉଠି ଦୁଆର ଖୋଲିଲା । ଦୁଆର ଯେତିକି ଫାଙ୍କକଲା, ସେଥିରେ ଅପରିଚିତ ପୃଥୁଳକାୟ ବ୍ୟକ୍ତି ଭିତରକୁ ପ୍ରବେଶ କଲାବେଳେ ଦୁଆର ଆହୁରି ମେଲା ହୋଇଗଲା । ଏହି ଦୁଆର ମେଲାହେବା ଦେଖି ଭଦ୍ରଲୋକଙ୍କ ପଛେ ପଛେ ଆହୁରି ତିନି ଚାରିଜଣ ପଶି ଆସିଲେ । ଗୁରୁଚରଣ ବାଧା ଦେଲାବେଳେ ଆଗନ୍ତୁକ ଜଣେ ଲୋକର ଗୋଟାଏ ହାତର ଠେଲାରେ ଗୁରୁଚରଣ ଦୁଆର ପାଖରୁ କେତେହାତ ପଛକୁ ଛିଟିକି ଗଲା । ଦୁଆର ଆହୁରି ମେଲା ହେଲାରୁ ଆଉ କେତେଜଣ ଅଫିସ୍‌ ଭିତରକୁ ପଶିଗଲେ ।

 

ଗୁରୁଚରଣ କାହାକୁ କ’ଣ କହିବ ? ମନ ଦୁଃଖରେ ଦୁଆର ବନ୍ଦକରି ଟୁଲ୍‍ ଉପରେ ବସି ଦୀର୍ଘ ନିଃଶ୍ୱାସଟାଏ ପକେଇଲା, ଭାବିଲା ଲୋକଟା କେଡ଼େ ଜୋର୍‌ରେ ତାକୁ ଠେଲିଦେଲା, ଆଉ ଅଳ୍ପକେ କାନ୍ଥରେ ତା’ ମୁଣ୍ଡ ବାଡ଼େଇ ହେଇ ଯାଇଥାନ୍ତା ।

 

ଗୁରୁଚରଣ ପୁଣି ଶୁଣେ ବାହାରେ କବାଟର କଡ଼ିର ଖଡ଼୍‌ ଖଡ଼୍‌ ଶବ୍ଦ । ଶବ୍ଦ ଅଳ୍ପ ଶୁଣାଗଲା ବେଳେ ଗୁରୁଚରଣ ଚୁପ୍‌ ରହିଲା, କଡ଼ାର ଖଡ଼୍‌ ଖଡ଼୍‌ ଶବ୍ଦ ବଢ଼ିଲା, ଗୁରୁଚରଣ ଚୁପ୍‌ । କଡ଼ାର ଶବ୍ଦ ଆହୁରି ଜୋର୍‌ରେ ଶୁଣାଯିବାରୁ ଗୁରୁଚରଣ ବିରକ୍ତ ହୋଇ ପିଲା କଣ୍ଠରେ ଭିତରୁ କହିଲା, କାହିଁକି ସେମିତି କଡ଼ାକୁ ଖଡ଼୍‌ ଖଡ଼୍‌ କରୁଛ ? ଦୁଆର ଖୋଲା ହବ ନାହିଁ ।

 

ଗୁରୁଚରଣ ବାହାରୁ ଉତ୍ତର ଶୁଣେ ଦୁଆର ଖୋଲା ହବ ନାହିଁ ? ଆଚ୍ଛା ହଉ, ତୁ ଟିକିଏ ବାହାରକୁ ଆ, ତୋ’ ହାକିମୀ ଛଡ଼େଇ ଦଉଛି ।

 

ଗୁରୁଚରଣ ବାହାରୁ ଇମିତି ଧମକ ଶୁଣି ଭୟରେ କବାଟ ଫାଙ୍କକରି ଦେଖେ, ଗୋଟାଏ ଯବାନ୍‌ ଭେଣ୍ଡା ଟୋକା ମିଲିଟାରୀ ପୋଷାକ ପିନ୍ଧିଛି, ଡାଆଣ ହାତରେ ଘଡ଼ି ବାନ୍ଧିଛି, ଗଜରା ନିଶ-

 

ଗୁରୁଚରଣ ଏ ରୂପ ଦେଖି ମନେ ମନେ ଶଙ୍କିତ ହୁଏ, ଭାବେ ଏ କ’ଣ ମିଲିଟାରୀ ଲୋକପରି ମନେ ହେଉଛି, ସେ ସବୁବେଳେ କ’ଣ ଅଫିସ୍‌ ଭିତରେ ବସିଥିବ ବାହାରକୁ ତ ଯିବ, ଯଦି ତା’ର ଘରକୁ ଯିବା ବାଟରେ ଛକି ବାଡ଼ାଏ !

 

ଗୁରୁଚରଣ ଭାବେ–ଏ ଲୋକକୁ ଛାଡ଼ିଦବା ଭଲ, କିନ୍ତୁ ଛାଡ଼ିବ କିମିତି ? ଗୋଟାଏ କାମକଲେ ହବ, ଦୁଆର ଖୋଲି ତାକୁ ପଚାରିବ, କ’ଣ ଧମକଉଛ ବାହାରକୁ ଆ, ତୋ ହାକିମ ଛଡ଼ାଇ ଦଉଛି ? ଇମିତି ପଚାରିବା ବେଳେ ଯଦି ଲୋକଟା ଜୋର୍‌ କରି ପଶିଆସେ, ତାକୁ କିଛି ନ କହି ଛାଡ଼ିଦବ, ଅନ୍ୟଲୋକମାନେ ଜାଣିବେ, ଲୋକଟା ଜବରଦସ୍ତି ପଶିଗଲା ।

 

ଗୁରୁଚରଣ ମନେ ମନେ ଏଇ କଥା ସ୍ଥିର କରି ଦୁଆର ଖୋଲି ଗୁଣ୍ଡାଭଳି ଟୋକାଟାକୁ ତା’ର ଧମକ ଦବା କଥା ପଚାରିଲା । ଲୋକଟା ମଧ୍ୟ ଦୁଆର ଖୋଲା ହବାର ଦେଖି ଗୁରୁଚରଣ ଆଡ଼କୁ ମାଡ଼ି ଆସି ଭୁସ୍‌ କରି ଅଫିସ ଭିତରକୁ ପଶିଗଲା । ଧକ୍‌କା ବାଜିବା ଭୟରେ ଗୁରୁଚରଣ ପାଖେଇ ଯାଉ ଯାଉ ପିଲା କଣ୍ଠରେ ଚିତ୍କାର କରି ଉଠିଲା, ଏକ’ଣ । ଜବରଦସ୍ତି ପଶିଯିବ ?

 

ଗୁରୁଚରଣ ଚିତ୍‌କାର କରୁ କରୁ ସେ ଗୁଣ୍ଡା ଭଳି ଟୋକା ପଛେ ପଛେ ଆଉ ଦୁଇଚାରିଜଣ ଯେ ପଶିବାକୁ ଚେଷ୍ଟା କଲେ, ଗୁରୁଚରଣ ଚକ୍ରବ୍ୟୂହରେ ଅଭିମନ୍ୟୁ ପ୍ରବେଶ କଲାପରେ ଆଉ ଅନ୍ୟ ପାଣ୍ଡବବାହିନୀଙ୍କୁ ଜୟଦ୍ରଥ ଭଳି ବ୍ୟୂହ ଦୁଆର ରୁଦ୍ଧକରି ଦେଲା; ଆଉ କାହାରିକୁ ପଶିବାକୁ ଦେଲାନାହିଁ । ଗୁରୁଚରଣ ଟୁଲ୍‍ ଉପରେ ବସିପଡ଼ି ମନେ ମନେ ଆଶ୍ୱସ୍ତ ହେଲା; ଓଃ ଗୋଟାଏ ଜଞ୍ଜାଳ ତୁଟିଲା ।

 

ଅଫିସ୍‌ କାମ ଆଗେଇ ଚାଲିଲା, ଅଫିସ ଭିତରେ କୋଳାହଳ, ବାହାରେ ମଧ୍ୟ କୋଳାହଳ; କାର୍‌, ମଟର, ସାଇକେଲ ରିକ୍‌ସା ଶବ୍ଦ ।

 

ଅଫିସ୍‌ ବାହାର, ଭିତରର ମଧ୍ୟ ସ୍ଥଳରେ ଗୁରୁଚରଣ ଏକା, ଦୁଆର ବନ୍ଦ କରି ବସିଛି, ବାହାରେ ରୁଣ୍ଡ ହୋଇଥିବା ଲୋକମାନଙ୍କ ଆଲୋଚନା ଶୁଣାଯାଉଥାଏ-

 

ଦୁଆର କାହିଁକି ବନ୍ଦ ହେଉଛି ?

 

ଅଫିସ୍‌ ଭିତରେ ଲୋକେ ପଶି ଗୋଳମାଳ କଲେ ।

 

ସେଇଥିପାଇଁ ଦୁଆର ବନ୍ଦ କରି ଦେଇଛନ୍ତି ?

 

ଦୁଆର କ’ଣ ଆଉ ଖୋଲା ହବ ନାହିଁ ?

 

ଡାକନ୍ତୁ, ପିଅନ ବସିଥିବ, ଯଦି ଖୋଲେ ।

 

କ’ଣ ହେଲା ? ଆମକୁ ଅଫିସ ଦୁଆର ଖୋଲା ହବ ନାହିଁ ?

 

ଗୁରୁଚରଣ ଭିତରେ ଥାଇ ଇମିତି ଜଣକର ଚଢ଼ଉ କଥା ଶୁଣି ଭାବିଲା; କିଏ ଇମିତି କଥା କହୁଛି ? କୋଉ ହାକିମ ହୁକୁମା ଲୋକ କି !

 

ଗୁରୁଚରଣ ଶଙ୍କିତ ଚିତ୍ତରେ ଦୁଆର ଫାଙ୍କ କରି ଅନେଇ ଦେଖିଲା, ଜଣେ ବଡ଼ ମଣିଷଟାଏ, ପେଟ ଓଳିଆ ପରି ବାହାରିଛି, ମୁହଁରେ ପାଚିଲା ନିଶ, ଦାଢ଼ି, ମୁଣ୍ଡରେ ପାଚିଲା ବାଳ, ଖଦଡ଼ ଧୋତି, ପଞ୍ଜାବି, ହାତରେ ଗୋଟାପ ଖଦଡ଼ ମୁଣି ଝୁଲେଇଛି । ଗୁରୁଚରଣ ଏ ରୂପକୁ ଦେଖି ତା’ର ମନେପଡ଼ିଲା ଏଇ ଲୋକ ସେଦିନ ବଜାର ଛକରେ କ’ଣ ବତ୍କୃତା ଦଉଥିଲେ; ଜଣେ ନେତା ହବକି କ’ଣ !

 

ଗୁରୁଚରଣ ଧଡ଼ପଡ଼ ହୋଇ କବାଟ ଖୋଲି ଦେଇ ଗୋଟାଏ ଓଳକି ହେଲା ।

 

ଭଦ୍ରଲୋକ ଜଣକ ନିଜେ ପଶି ଆସିଲେ, ତା’ପରେ ଆଉ ଦୁଇ ତିନି ଜଣଙ୍କୁ ସାଙ୍ଗରେ ଡାକି ନେଇ ଅଫିସ୍‌ ଭିତରେ ପ୍ରବେଶ କଲେ । ତା’ପରେ ଆଉ ଦୁଇ ତିନିଜଣ ପଶିଗଲେ । ଆଉ କେତେଜଣ ପଶିବାକୁ ଚେଷ୍ଟା କରୁଥିଲେ । ଗୁରୁଚରଣ କୌଣସିମତେ ଦୁଆର ବନ୍ଦ କରି ଟୁଲ ଉପରେ ବସି ପଡ଼ିଲା ।

 

ପୁଣି ଶୁଣାଗଲା ଚରଣଭାଇ, ଦୁଆର ଖୋଲିଲୁ; ଖୋଲମ । ଗୁରୁଚରଣ ଇମିତି ଭାଇ ସମ୍ବୋଧନ ଶୁଣି ଆଶ୍ଚର୍ଯ୍ୟ ହେଲା ! ଚରଣଭାଇ ବୋଲି କିଏ ଡାକୁଛି ?

 

କବାଟ ଫାଙ୍କ କରି ଦେଖେ ରଙ୍ଗାଧର–ତା’ର ପରିଚିତ । ତା’ରି ପରି ଜଣେ ପିଅନ, ଅନ୍ୟ ଅଫିସରୁ ଡାକ ନେଇ ଆସିଛି ।

 

ଗୁରୁଚରଣ ଦୁଆର ଖୋଲି ଦେଇ ରଙ୍ଗାଧରକୁ ଦେଖି ହସି ଦେଲା ମାତ୍ରେ ରଙ୍ଗାଧର ଅଫିସ ଭିତରକୁ ପଶିଗଲା । ତା’ ପଛେ ପଛେ ଚାରି ଛ’ଜଣ ଲୋକ ପଶିଗଲେ । ଗୁରୁଚରଣ ସେମାନଙ୍କୁ ଅଟକେଇବାକୁ ଯାଇ ଠେଲା ପେଲା ହେବାରୁ ତାଙ୍କ ପକେଟ୍‌ରେ ‘ମଟ୍‌’ କରି ଶବ୍ଦ ହେଲା । ଗୁରୁଚରଣ ଆଉ ଲୋକଙ୍କୁ ବାଧା ଦେବ କ’ଣ, ନିଜ ପକେଟ୍‌କୁ ଦେଖୁ ଦେଖୁ ଆହୁରି ତିନି ଚାରିଜଣ ଲୋକ ପଶିଗଲେ ।

 

ଗୁରୁଚରଣ କୌଣସିମତେ ଦୁଆର ବନ୍ଦକରି ନିଜ ପକେଟ୍‌କୁ ଅନେଇଲା । ପଟେ କାଚଚୁଡ଼ି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଛି । ତାର ସ୍ତ୍ରୀ ମାପ ଦେଇଥିଲା, ଆଜି ଅଫିସ୍‌ ଫେରନ୍ତା ତା ହାତଲାଗି କେତେପଟ କାଚ କିଣି ନବାପାଇଁ, ମାପ ତ ଭାଙ୍ଗିଗଲା, ସେ କାଚ କିଣିବ କିମିତି ? କାଚ କିଣି ନ ନେଲେ ଘରକୁ ଗଲେ ତ ସ୍ତ୍ରୀ କତିରୁ କିଛି ଗାଳି କିମ୍ବା ସମାର୍ଜନୀ ପ୍ରୟୋଗର ସଂଭାବନା ସୁନିଶ୍ଚିତ ।

 

କାଚପଟକ ଭାଙ୍ଗିଲା । ଏଣେ ଅଫିସ୍‌ ଭିତରେ ଲୋକ ଭିଡ଼ କଲେଣି । ଅବିକା ହାକିମ ବୋଧେ ଡକେଇ ଗାଳିଦେବେ, ଜୋରିମାନା କରିପାରନ୍ତି ।

 

ତା’ଆଖିରେ ଲୁହ ଉତୁରି ଆସିଲା । ସେ ଆଖି ପୋଛିଦେଇ ଭାବିଲା, ତି କଷ୍ଟ ସେ ଭୋଗୁଛି । ଚାକିରୀ ଛାଡ଼ିଦେବାର ଇଚ୍ଛାଥିଲେ ମଧ୍ୟ, ଚାକିରୀ ଛାଡ଼ି ହଉନି । ଚାକିରୀ କରିତ ଦି’ବେଳା ଦି’ମୁଠା ପେଟପୁରା ଖାଇବାକୁ ମିଳୁନି, ଧାର କରଜରେ ବୁଡ଼ିଗଲାଣି । ଆଉ ଚାକିରୀ ଛାଡ଼ିଲେ ଅବସ୍ଥା କ’ଣ ହବ ? ଚାରିଟା ପିଲା, ସ୍ତ୍ରୀ ।

 

ଗୁରୁଚରଣ ମନେ ମନେ ଅନେକ ସମୟରେ ସ୍ଥିରକରେ, ଆଉ ତା’ଜୀବନ ରଖିବ ନାହିଁ, ରେଳଗାଡ଼ି ତଳେ ଶୋଇ ପ୍ରାଣ ହରେଇ ଦବ । ପୁଣି ରେଳଗାଡ଼ି ତଳେ ଶୋଇ ମରିବାର ଯନ୍ତ୍ରଣା ଭାବି ସେଥିରୁ ନିବୃତ୍ତ ହୁଏ । ପୁଣି ଭାବେ ସେ ଅଛି ବୋଲି ତ ଭାରିଯା ପିଲାଙ୍କର ଢୋକପାଣି ଚଳୁଛି !

 

ଗୁରୁଚରଣ ଇମିତି ଚିନ୍ତା କରୁକରୁ ଅଫିସ୍‌ ଭିତରୁ କଲିଂବେଲ୍‌ର ଶବ୍ଦ ଶୁଣାଗଲା । ଗୁରୁଚରଣ ଚମକି ପଡ଼ିଲା ଏଇ ହାକିମ ଡାକିଲେ, ନା ବଡ଼ବାବୁ ଡାକିଲେ ?

 

ନା, ଏ ଡାକ ହାକିମଙ୍କର ନୁହେଁ ବଡ଼ବାବୁ ଡାକୁଛନ୍ତି । ଗୁରୁଚରଣ ନିଜ ଜାଗାରୁ ଉଠିପଡ଼ି ବଡ଼ବାବୁଙ୍କ ପାଖକୁ ଦଉଡ଼ିଲା । ଗୁରୁଚରଣ ବଡ଼ବାବୁଙ୍କ ଅଫିସ ଭିତରେ ଯାଇ ଦେଖେ, ଲୋକ ଭର୍ତ୍ତି, ଭାରି ଗୋଳମାଳ କରୁଛନ୍ତି ।

 

ଗୁରୁଚରଣ ଅତି ନମ୍ରଭାବରେ ବଡ଼ବାବୁଙ୍କ ସାମନାରେ ଗୋଟିଏ ପ୍ରଶ୍ନବାଚକ ଚିହ୍ନପରି ଠିଆହେଲା ।

 

ବଡ଼ବାବୁ ରାଗରେ ପ୍ରଶ୍ନ କଲେ, ହଇରେ ତୁ ଅଫିସ ଦୁଆର ବନ୍ଦ କରି ଜଗିଥିଲୁ ନା, ଶୋଇଥିଲୁ ?

 

ଗୁରୁଚରଣ ପିଲା କଣ୍ଠରେ ଉତ୍ତର ଦେଲା–ନାହିଁ ଆଜ୍ଞା ଶୋଇବି କାହିଁକି ? ଦୁଆର ବନ୍ଦ କରିଥିଲି ।

 

କାହାକୁ ଜଗିଥିଲୁ ? ଇଡ଼ିଅଟ୍‌ । ଏ ଲୋକମାନେ ଅଫିସ୍‌ ଭିତରେ ପଶିଲେ କିମିତି ?

 

ଆଜ୍ଞା, ମୋତେ କିଏ ମାନୁଛନ୍ତି ? ମୋତେ ତ ଧକ୍‌କା ଦେଇ ଆସୁଛନ୍ତି, ମୁଁ କ’ଣ କରିବି ?

 

ତା ହେଲେ ମୁଁ ଏଥର ଦୁଆର ବନ୍ଦକରି ଜଗେ, ତୁ ଅଫିସ୍‌ କାମ କର । ଏଇଟାକୁ ବାହାର କରିଦେଲେ ଭଲ ହବ, ଅକର୍ମା କୋଢ଼ିଆଟାଏ ।

 

ଗୁରୁଚରଣ କ’ଣ ବା ଯୁକ୍ତି ତର୍କ କରି ବଡ଼ବାବୁଙ୍କୁ ତା’ର ଅସୁବିଧାର କଥା ବୁଝାଇବ, ଏଣୁ ନିରୁତ୍ତର ।

 

ବଡ଼ବାବୁ କିଛିକ୍ଷଣ ପରେ ବିରକ୍ତ ହୋଇ କହିଲେ, ଯା ବାହାର । ଠିଆ ହେଲୁ କାହିଁକି ? ଏ ସବୁ ଲୋକମାନଙ୍କୁ ପଦାକୁ ଚାଲିଯିବାକୁ କହ-

 

ଗୁରୁଚରଣ ବଡ଼ବାବୁଙ୍କୁ ଆଦେଶ ଅନୁଯାୟୀ ପିଲାକଣ୍ଠରେ ସମସ୍ତଙ୍କୁ ଅନୁରୋଧ କଲା, ଚାଲନ୍ତୁ, ସବୁ ପଦାକୁ ଚାଲନ୍ତୁ, ଅଫିସ୍‌ ଭିତରେ ଗହଳି କଲେ ବାବୁ ବିରକ୍ତ ହଉଛନ୍ତି ।

 

ଗୁରୁଚରଣର ଏ ପିଲାକଣ୍ଠକୁ ନିର୍ଦ୍ଦେଶକୁ କିଏ ଶୁଣୁଛି ? ଗୁରୁଚରଣର ମୁହଁକୁ ଅନାନ୍ତି, ଗୁରୁଚରଣ ଭୟରେ ଚପିଯାଏ, କୌଣସି ମତେ ବଡ଼ବାବୁଙ୍କ ସାମ୍‌ନାରୁ ଖସିଆସି ନିଜ ଟୁଲ୍‌ ଉପରେ ବସି ମନେ ମନେ ଭାବେ, ଏ ଲୋକମାନେ ପଶିବେ, ମୁଁ ଏମାନଙ୍କ ଲାଗି ଶୋଧା ଖାଇବି-। ଲୋକମାନେ କେହି ଟିକିଏ ହେଲେ ତା’ କଥା ଶୁଣୁନାହାନ୍ତି, ଲୋକଗୁଡ଼ା କେତେ ଉଦ୍ଧତ ହେଉଛନ୍ତି ।

 

ହାକିମଙ୍କଠାରୁ ଗାଳି ଶୁଣିବା, ବଡ଼ବାବୁଙ୍କଠାରୁ ଧମକ ଶୁଣିବା, ଲୋକଙ୍କଠାରୁ ଧକ୍‌କା ଖାଇବା, ଧମକ ଶୁଣିବା, ଲାଞ୍ଛିତ ହବା, ଗାଳି ଶୁଣିବା; ଆଖିରୁ ଲୁହ ଗଡ଼େଇବା ଏ ହେଲା ଗୁରୁଚରଣର ଦୈନନ୍ଦିନ ଚାକିରୀର ଘଟଣା । ଏ ସବୁ ତାକୁ ଅସହ୍ୟବୋଧ ହେଲେ ମଧ୍ୟ ଯେଉଁଦିନ ଧନୀ, ଭଲ ମଣିଷ, ଯେଉଁମାନେ ଅଫିସ୍‌ ଭିତରେ ପଶି ନିଜର କାର୍ଯ୍ୟ ସିଦ୍ଧି ପରେ ଗୁରୁଚରଣ ହାତରେ କିଛି ବକ୍‌ସିସ୍‌ ସ୍ୱରୂପ କିଛି ଧରେଇ ଦେଇଯାନ୍ତି, ସେଦିନ ଗୁରୁଚରଣର ସବୁ କଷ୍ଟର ଉପଶମ ହୋଇଯାଏ । ସେ ସବୁ ଭୁଲିଯାଇ ପୁଣି ସେଇ ଧକ୍‌କା, ଗାଳି, ଲାଞ୍ଛନା, ଧମକ ସହ୍ୟ କରିବା ପାଇଁ ଆଗାମୀ ଦିନ ପାଇଁ ସବୁ ଶକ୍ତି ଠୁଳ କରି ରଖେ । ଗୁରୁଚରଣର ପ୍ରାୟ କେବେ କିଛି ଇମିତି ହାତ ଚିକ୍‌କଣ ହୁଏ ।

 

ଯେଉଁଦିନଗୁରାକ ଗୁରୁଚରଣର ହାତ ଶୁଖିଲା ହୁଏ, ସେଦିନ ଭାବେ ସେଇ ରେଳଗାଡ଼ି ତଳେ ପ୍ରାଣ ହାରିବା କଥା, ପୁଣି ଅତି ଦୁଃଖରେ ଭାବେ ସେ କ’ଣ କରିବ ? ହାକିମ କି ବଡ଼ବାବୁ କେହି ତା’ କଥା ବୁଝିଲେ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ଅନ୍ୟ କୌଣସି କାମ ନଦେଇ, ଏଇ ଅଫିସ ଦୁଆର ଜଗିବା କାମ ତାକୁ ଦେଲେ ।

 

ସବୁ କଥା ସହ୍ୟ କରି ଅଫିସ୍‌ କାମ ସାରି ସେଦିନ ଗୁରୁଚରଣ ଶୁଖିଲା ହାତରେ ଘରକୁ ଫେରିଲା ମନ ଦୁଃଖରେ ।

 

ଘରେ ପହଞ୍ଚି ଦେଖେ ଦୁଆର ବନ୍ଦ । ଗୁରୁଚରଣ ନିଜର ସ୍ତ୍ରୀକୁ ଡାକିଲା, ଗଉରା ବୋଉ, କବାଟ ଖୋଲିଲୁ ।

 

ଗୁରୁଚରଣ ଡାକିବା ମାତ୍ରେ ଭିତରୁ ସ୍ତ୍ରୀ କଣ୍ଠରୁ ଶୁଣାଗଲା, ଯଉ ରେଶମ କାଚ ଆଣିବାକୁ କହିଥିଲି ଆଣିଛୁ ? କ’ଣ କହୁଛୁ ?

 

ଗୁରୁଚରଣ ବାହାରେ ଠିଆହୋଇ ମନେ ମନେ ଭାବିଲା ତା’ ସ୍ତ୍ରୀ ଯେଉଁ କାଚ ଆଣିବାପାଇଁ ମାପ ଦେଇଥିଲା, ସେ ପଟକ ତ ଅଫିସ୍‌ରେ ଠେଲାପେଲାରେ ଭାଙ୍ଗିଗଲା । ଆଉ କାଚ ଆଣିବ କେମିତି ?

 

ଗୁରୁଚରଣ ପୁଣି ଘର ଭିତରୁ ଶୁଣିଲା, କହ ଯଦି କାଚ ଆଣିଚୁ ତ କବାଟ ଖୋଲିବି, ନାହିଁ ତମର ସିଆଡ଼େ ।

 

ଗୁରୁଚରଣ ସ୍ତ୍ରୀର ଇମିତି କଟୁକଥା ଶୁଣି ଏବଂ କବାଟ ବନ୍ଦ ହେବାର ଦେଖି ମନେ ମନେ ଭାବିଲା, ଅଫିସ୍‌ରେ ସେ ଯେତେ ଲୋକଙ୍କୁ ଦୁଆର ବନ୍ଦ କରୁଛି ଅଭିକା ତା’ରି ଫଳ ନିଜେ ଭୋଗୁଛି, ଦରକାରବେଳେ ଜଣକୁ ଦୁଆର ବନ୍ଦ କରିବା କେଡ଼େ କଷ୍ଟର କଥା ।

 

ଗୁରୁଚରଣ ପୁଣି ଭାବିଲା, ଆଜି ତା’ ସ୍ତ୍ରୀକୁ ବାଡ଼େଇବ । ପୁଣି ଭାବିଲା ତା’ର ସ୍ତ୍ରୀ ଆକୃତି ଡିଆସିଲି ଖୋଳପରି ହେଲେ, ତା’ଆକୃତି ଡିଆସିଲି କାଠିପରି । ଏଣୁ ତା’ ସାଙ୍ଗରେ ଲାଗିବା ମାନେ ନିଜେ ପୋଡ଼ି ହୋଇ ଦଗ୍‌ଧ ହବା ଛଡ଼ା ଆଉ କିଛି ନୁହେଁ ।

 

ଗୁରୁଚରଣ ପିଲା କଣ୍ଠରେ ବାହାରୁ ସ୍ତ୍ରୀକୁ କହିଲା, ମୁଁ ଯଦି ମରିବି, ତୁ କାଚ ପିନ୍ଧିବୁ କିମିତି ?

 

ଘର ଭିତରୁ ପ୍ରତ୍ୟୁତ୍ତର ଆସିଲା, ଯଉ କାଚଗୁରା ଆଣି ପିନ୍ଧିବାକୁ ଦଉଛୁନା, ତା’ଠୁ ରାଣ୍ଡ ହାତରେ ରହିବା ଆହୁରି ଭଲ ।

 

ଗୁରୁଚରଣ ପିଲା କଣ୍ଠରେ ବାହାରୁ ସ୍ତ୍ରୀକୁ ପୁଣି ଡାକି ମିଛରେ କହିଲା, ତୁ କବାଟ ଖୋଲ, ମୁଁ କାଚ ଆଣିଛି; ସେମିତି କାହିଁକି ହଉଛୁ ?

 

ସ୍ତ୍ରୀ କାଚ ଆଣିଥିବା କଥା ଶୁଣି ଆସି ଧଡ଼୍‌କରି କବାଟ ଖୋଲି ଦେଇ କହିଲା; ଯୋଗା ପୁରୁଷ ଯାଇଥିଲେ ଚାକିରୀ କରିବାକୁ, କାହିଁ କାଚ ଦେଖେ ।

 

ଗୁରୁଚରଣ ଅତି ନମ୍ର ଏବଂ କାତର କଣ୍ଠରେ କହିଲା, ଚାଲ ଦେଖଉଛି ।

 

ଗୁରୁଚରଣ ଚୋର ପରି ଧୀର ପଦରେ ଗୃହ ପ୍ରବେଶ କଲା ।

Image

 

ଅବୁଝ

 

ସେତେବେଳେ ନରେନ୍ଦ୍ର ଗୋଟିଏ ହାସପାତାଳର ଖଟିଆରେ ଥାଏ । ତା’ର ରୋଗ ଚିହ୍ନା ପଡ଼ୁ ନ ଥାଏ । ରୋଗଟା ପ୍ରକୃତ କ’ଣ ଧରାପଡ଼ୁ ନ ଥାଏ, ଅଥଚ ସେ ରୋଗୀ, ଚାଲି ପାରୁନି, ବଳ ପାଉନି, ଅଥଚ ବାହାରୁ ଦେଖିଲେ କେହି କହିବନି ଯେ ନରେନ୍ଦ୍ର ରୋଗୀ, ଇମିତିକି ନରେନ୍ଦ୍ର ଯେଉଁଦିନ ପ୍ରଥମେ ରୋଗୀ ବୋଲି ଡାକ୍ତରଖାନା ଖଟିଆରେ ରହେ, ତାକୁ ଖଟିଆ ମିଳେ ସେଦିନ ସନ୍ଧ୍ୟାବେଳେ ଖଟିଆରେ ବସିଛି, ଓ୍ୱାର୍ଡ଼ର ବେହେରା ଆସି ନରେନ୍ଦ୍ରକୁ ପଚାରିଲା–ବାବୁ ! ରୋଗୀ କିଏ ? ନରେନ୍ଦ୍ର ଉତ୍ତର ଦେଲା–ମୁଁ ନିଜେ, ବେହେରା ପୁଣି ପଚାରିଲା–ଆପଣ ନିଜେ ? ଆପଣଙ୍କୁ କି ରୋଗ ହୋଇଛି ? ଆପଣଙ୍କ ଚେହେରାରୁ ତ କିଛି ଜାଣି ହେଉନି ।

 

ନରେନ୍ଦ୍ର କହିଲା–ହଁ, ମୋର ଦେହ ଖରାପ ଅଛି । ଅତି ଦୁର୍ବଳ ଲାଗୁଛି, ରାତିରେ ଭଲ ନିଦ ହଉନି, ସବୁବେଳେ ଭୟ ହେଉଛି-

 

ବେହେରା ଦୁଃଖସୂଚକ କଣ୍ଠରେ କହିଲା–ହଁ, ହେଇଥିବ, ବାହାରୁ ସିନା ଆମେ ଦେଖୁଛେ ଭଲ କିନ୍ତୁ ଭିତରେ ଯଦି ଘୂଣ ଲାଗିଥିବ, କିଏ କହିବ...... ।

 

ନରେନ୍ଦ୍ର ଓ୍ୱାର୍ଡ଼ର ପ୍ରଥମ ଖଟିଆରେ ଥାଏ । ତା’ର ବାଁ ପଟେ କାନ୍ଥ, ଡାହାଣ ଆଡ଼େ ରୋଗୀ ମାଳିଗୁନ୍ଥା ହେଲା ପରି ଗୋଟାକ ପରେ ଗୋଟାଏ ଖଟିଆରେ ପଡ଼ିଛନ୍ତି, କିଏ କା’ର ଖବର ନେଉଛି ? କିଏ କାହାକୁ ଚିହ୍ନୁଛି ? ଦିନ ରାତି ଚିତ୍କାର, ଔଷଧଖିଆ, ପଥିଖିଆ, ରୋଗରୁ ମୁକ୍ତିପାଇଁ ଭଗବତ୍‌ ପ୍ରାର୍ଥନା । କିଏ କେବଳ ଉପରେ ଘୂରୁଥିବା ବୁଜୁଳି ପଙ୍ଖାକୁ ଚାହିଁ ନୀରବରେ ପଡ଼ିଛି । କଥା କହିବାର ବଳ ନାହିଁ, କିଏ ହତାଶ ହୋଇଯାଉଛି–ଆଉ ଏ ଯାତ୍ରା ବନ୍ଦ ହବ ନାହିଁ । ଏଇଥରକ ଛୁଟି କିଏ ଆଶା କରୁଛି–ଆଉ ଦିନ କେଇଟା, ନିୟମିତ ଓଷଧି, ପଥି ଖାଇ ଜଗି ଚଳିଲେ ହେଲା, ପୁଣି ନବ କଳେବର, କା’ର ଜୀବନ-ବୋଇତ ଯଦି କୂଳରେ ଲାଗିଲାଣି ତ, କା’ର ଜୀବନ-ବୋଇତ କାଳ ଦରିଆରେ ଚାହୁଁ ଚାହୁଁ ବୁଡ଼ିଯାଉଛି । ଏଇ ଡାକ୍ତରଖାନା ଖଟିଆରୁ କେତେ ଏପରି ସେପାରି ହେଉଛନ୍ତି । ଯେ ଏପାରିରେ ରହିଲା, ତା’ରି ଦୁନିଆ, ତା’ର ଏଠୁ ବିଦାୟ ଲାଗି ରିକ୍‌ସା ବଗି, କାର୍‌ ଲାଗୁଛି, ତାକୁ ବନ୍ଧୁ-ବାନ୍ଧବ ଆସି ଆନନ୍ଦରେ ଘରକୁ ନେଇଯିବା ପାଇଁ ରୁଣ୍ଡ ହେଉଛନ୍ତି, ସେ ହସଖୁସିରେ ବିଦାୟ ନେଉଛି ।

 

ଆଉ ଯେ ସେପାରିକି ଗଲା–ତା ଲାଗି କାଠ, ବାଉଁଶ, ନୂଆ ଲୁଗାର ଯୋଗାଡ଼ ଚାଲିଛି, ସେ ଘୋଡ଼ିଘାଡ଼ି ହୋଇ ଖଟିଆରେ ଚିର ନିଦ୍ରାରେ ଶୋଇଛି, ତା’ର ନିଦ ଆଉ ଭାଙ୍ଗିବ ନାହିଁ । ତାକୁ ନିଅ, ଶୀଘ୍ର ନିଅ, ସେ ପଚିଯିବ, ଗନ୍ଧ ହେବ, ଆଉ ବିଳମ୍ବ କରିବା ଉଚିତ ନୁହେଁ । ବୁଲା କୁକୁର ଆସି ମୁର୍ଦ୍ଦାର ଗନ୍ଧରେ ତିନିଥର ପଇଁତରା ମାରୁଛି, କାଉ ନିକଟବର୍ତ୍ତୀ ଗଛରେ ବସି ଡାକ ଛାଡ଼ିଛି; ଶେଷରେ ସେ ଚାରିଜଣଙ୍କ କାନ୍ଧରେ ଚଢ଼ି ବାଉଁଶ କେଇ ଖଣ୍ଡରେ ବୁହା ହୋଇ ବିଦାୟ ନେଇ ଯାଉଛି...... ।

 

ନରେନ୍ଦ୍ରର ଡାକ୍ତରଖାନା–ଖଟିଆରେ ରହିବା ଏଇ ପ୍ରଥମ, ସେ ପୁଣି ଭାବିଲା–ଜେଲ୍‌ଖାନାରେ କଏଦୀଙ୍କ ମେଳ, ଅଫିସ୍‌–କଚେରୀରେ କର୍ମଚାରୀଙ୍କ ମେଳ, ସ୍କୁଲ କଲେଜରେ ଛାତ୍ର ଶିକ୍ଷକଙ୍କ ମେଳ, ରେଳ ଷ୍ଟେସନରେ, ବସ୍‌ଷ୍ଟାଣ୍ଡରେ ମେଳା ମଉଚ୍ଛବରେ ଯାତ୍ରୀଙ୍କ ମେଳ, ସିନେମା ଥିଏଟରରେ ଦର୍ଶକଙ୍କ ମେଳ; ମନ୍ଦିର, ଗୀର୍ଜା, ମସ୍‌ଜିଦ୍‌ରେ ଭକ୍ତ, ଉପାସକଙ୍କ ମେଳ; ଡାକ୍ତରଖାନାରେ ରୋଗୀଙ୍କ ମେଳ । ଏଠା ସକାଳ, ସନ୍ଧ୍ୟା, ଦିନ, ରାତି ଏକ ଭିନ୍ନ ପ୍ରକାରର । କେବଳ ଗୋଟିଏ ପ୍ରକାରର ଅଭିନୟ । ଯିବା, ଆସିବା; କିଏ ଭଲରେ ଯାଉଛି ତ, କିଏ ମନ୍ଦରେ ଯାଉଛି, ଯେ ମନ୍ଦରେ ଯାଉଛି ସେ ଏକବାରେ ଇହଧାମରୁ ବିଦାୟ ନେଉଛି, ଆଉ ଫେରିବାର ବାଟ ନାହିଁ ।

 

ନରେନ୍ଦ୍ର ଦେଖୁଛି–ଡାକ୍ତରଖାନାର କର୍ମଚାରୀ ଡାକ୍ତର, ଡାକ୍ତରାଣୀ, ନର୍ସ, ବେହେରା, ପୁଝାରୀ, ମେହେନ୍ତର ସମସ୍ତେ ଦେଖୁଛନ୍ତି–ଆଖି ଆଗରେ ମଣିଷ ଜୀବନର ପରିଣତି, ଜୀବନଟା କ’ଣ ? କିନ୍ତୁ ତେବେ ସୁଦ୍ଧା ସେମାନେ ଭାବୁଛନ୍ତି–ସେହିମାନେ ଯେମିତି ଚିରଦିନ ଏ ଦୁନିଆଁରେ ସ୍ଥାୟୀ । ମୃତ୍ୟୁ ତାଙ୍କର ନାହିଁ, ଯେଉଁମାନେ ରୋଗୀ ଖଟିଆରେ ପଡ଼ିଛନ୍ତି, ସେମାନେ ଆଉ କି ପ୍ରାଣୀ, ସେମାନେ ମଣିଷ ନୁହନ୍ତି, ରୋଗ କେବଳ ଏଇ ଜାତୀୟ ପ୍ରାଣୀମାନଙ୍କପାଇଁ । ଡାକ୍ତର, ନର୍ସ, ବେହେରା, ମେହେନ୍ତର ଏମାନଙ୍କ ପାଇଁ ନୁହେଁ, ଏମାନେ ଚିରଦିନ ଯିମିତି ସୁସ୍ଥ ସବ, ହୋଇ ରହିବେ, ଦୁନିଆ ୟାଙ୍କରି ପାଇଁ । ଯେଉଁ ମଣିଷ ମଲା, ୟାଙ୍କ ଆଖିରେ ଯେମିତି ଆଉ କି ଜୀବନଟାଏ ମଲା, ବିଲେଇ, କୁକୁରଟାଏ ମଲା ପରି କୋକେଇ ବନ୍ଧା ହେଉଛି, ସେଥିରେ ଯେମିତି ମଣିଷ ଯିବ ନାହିଁ, ଆଉ ଗୋଟାଏ କ’ଣ ବୁହା ହୋଇଯିବ । ସେଇଠି ମଣିଷ ଚିତ୍କାର କରି କାନ୍ଦୁଛି, ସେଇଠି ମଣିଷର ହାସ୍ୟ-ପରିହାସରେ ଓ୍ୱାର୍ଡ଼ କମ୍ପି ଉଠୁଛି । ଏଇଠି ପର-ଆପଣାର ପ୍ରକୃତ ପରୀକ୍ଷା କ୍ଷେତ୍ର ।

 

କେହି ରୋଗରେ ପଡ଼ି ଭାବୁଛି–ମୁଁ ତା’ର ଏତେ କରିଥିଲି, ମୁଁ ରୋଗରେ ପଡ଼ିଛି, ସେ ଥରେ ମୋତେ ଦେଖିବାକୁ ଆସିଲାନି । କେହି ତା’ର ପୁଣି କତିରେ ବସୁଛି, ସାନ୍ତ୍ୱନା ଦେଉଛି–ବ୍ୟସ୍ତ ହୁଅନା, ଭଲ ହୋଇଯିବ । ଭଲରେ ଘରକୁ ଫେରିଯିବ । ରୋଗ କ’ଣ ମଣିଷକୁ ହଉନି ? ଟିକିଏ ସହ୍ୟ କରିବାକୁ ହେବ, କ’ଣ ଖାଇବାକୁ ମନ ହେଉଛି, କୁହ ଆଣି ଦେବି...... ।

 

ଏଇଠି କେତେ ସ୍ନେହ, କେତେ ମମତା, କେତେ ପ୍ରେମ–ଯେ ନର୍ସ ଦୈନିକ ରୋଗୀର ଦେହର ଉତ୍ତାପ ଦେଖୁଛି, ଭଲ ମନ୍ଦ ପଚାରୁଛି ଦେହ ଥଣ୍ଡା ଗରମ ପାଣିରେ ପୋଛା-ପୋଛି କରି ଦେଉଛି, ସେ ନର୍ସ ଯଦି ଦିନେ ନ ଆସିଲା, ତା’ର ଅନ୍ୟ କୁଆଡ଼େ ଡିଉଟିରେ ଚାଲିଗଲେ, ସେ ରୋଗୀକୁ କିଛି ଭଲ ଲାଗୁନି, ସେ ଦିନ ତମାମ ଅସ୍ତ ବ୍ୟସ୍ତ । ମନେ ମନେ ତାକୁ ଭାବୁଛି ।

 

ଡାକ୍ତର ଖଟି ଖଟି ମଝିରେ ମଝିରେ କେତେବେଳେ ବସି ପଡ଼ି ଅଳ୍ପ ସମୟ ପାଇଁ ଅବସର ଭିତରେ ଯଦି ତା’ର ସହକର୍ମିଣୀ ଚେନି କଣ୍ଢେଇ ଭଳି ନର୍ସ ସାଥିରେ କିଛି ସମୟ ପାଇଁ ହସ ଖୁସିରେ ବାକ୍ୟାଳାପ କରିପାରିଲା, ସେ ଭାବିଲା..... ଏଥର ଏ ମୋ ହାତ ମୁଠାକୁ ଆସିଲା । ନର୍ସ ମଧ୍ୟ ସେହିଭଳି ତା’ର ଅବସର ବେଳେ ମଝିରେ ମଝିରେ ତରୁଣ ଡାକ୍ତରଙ୍କ ସାଥିରେ କିଛି ସମୟ ବାକ୍ୟ ବିନିମୟ କରି ପାରିଲେ, ସେ ମଧ୍ୟ ଭାବୁଛି । ଏ ମୋର, ମୋ ଛଡ଼ା ଆଉ କାହାର ନୁହନ୍ତି...... ।

 

ଇମିତି ରୋଗୀ ସମ୍ମିଳନୀର ପ୍ରଧାନ ପୀଠ ଡାକ୍ତରଖାନାର ଓ୍ୟାର୍ଡ଼ରେ ରହି ଦୈନିକ ଇମିତି କେତେ କଥାର ଚିନ୍ତା କରୁ କରୁ ଦିନେ ସକାଳେ ସାଗର ମନ୍ଥନରୁ ବିଷ ଉଦ୍‌ଭବ ହେବା ଭଳି ନରେନ୍ଦ୍ରର କାନରେ ବାଜିଲା ।

 

–ମୁଁ କ’ଣ ରୋଜ ଦଉଥିବି ?

 

–କାହିଁକି ଦବୁ ନାହିଁ, ତୋ ବୋପା ଯେ ସେ ଦବ...... ।

 

–ମୁଁ କ’ଣ ତୁମ ଚାକର ?

 

–ଚାକର ନୁହେଁ ତ ଦଉଥିଲୁ କେମିତି ?

 

ଖାଲି ଏତିକି ସଂଳାପ ନୁହେଁ, ଏଥି ସଙ୍ଗେ ଜଣେ ଜଣକୁ ଶଶୁରନନ୍ଦନ, ପତ୍ନୀଙ୍କର ଭ୍ରାତା ସମ୍ପର୍କରେ ସମ୍ବୋଧନ କରିବାର ଶୁଣାଯାଉଥାଏ ।

 

ନରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଘଟଣା କ’ଣ ଅନୁସନ୍ଧାନ କରିବାକୁ ଯାଇ ଦେଖେ–ଗୋଟିଏ ଯୁବକ ବାରନ୍ଦାରେ ଠିଆହୋଇ କାନ୍ଦ କାନ୍ଦ ହୋଇ କେତେକ କଥାର ଉତ୍ତର ଦଉଛି ।

 

ଆଉ ଜଣେ ତା’ରି ସାମନାରେ ବୟସ୍କ ଲୋକ ବସି, ନିଜର ସଦ୍ୟରୋଗମୁକ୍ତ ଦେହରେ ତୈଳ ମର୍ଦନ କରୁଛି ଏବଂ ପଦେ ପଦେ ବେଶ୍‌ ରସାଳ ଏବଂ ଉତ୍କଟ ତୀକ୍ଷ୍‌ଣ ବାକ୍ୟବାଣ ଯୁବକକୁ ହାଣୁଛି ।

 

ନରେନ୍ଦ୍ର ବାରନ୍ଦାକୁ ଯାଇ ଯୁବକକୁ ପ୍ରଶ୍ନ କଲା–କ’ଣ ହେଇଛି ? ତୁମେ କାନ୍ଦୁଛ କାହିଁକି-?

 

ଯୁବକ ଅତି ନମ୍ରଭାବରେ ଘଟଣା କ’ଣ ବୁଝେଇବାକୁ ଯାଇ ତେଲ ଲଗାଉଥିବା ଲୋକଟିକୁ ଦେଖେଇ ଚିହ୍ନେଇ ଦେଇ କହିବାକୁ ଆରମ୍ଭ କଲା–ମୁଁ ଏ ଲୋକକୁ ଦୈନିକ ଦାନ୍ତ ଘଷିଲାବେଳେ, ପାଇଖାନା ଗଲାବେଳେ ଲୋଟାଏ ଲୋଟାଏ ପାଣି ଦଉଥିଲି, ସେତେବେଳେ ସେ ଭାରି ଦୁର୍ବଳ ଥିଲା । ପାଣି ଆଣି ପାରୁ ନ ଥିଲା, କି ଯା’ ଆସ କରି ପାରୁ ନ ଥିଲା । ମୁଁ କେତେଥର ତାକୁ ପାଇଖାନାକୁ ଧରି ଧରି ନେଇଛି, ଏବେ ସେ ଭଲ ହେଲଣି, ଯା’ ଆସ କରିପାରିଲାଣି, ସେ କ’ଣ ପାଣି ଆଣି ପାରିବ ନାହିଁ । ମୁଁ କ’ଣ ତାକୁ ନିତି ପାଣି ଯୋଗାଉ ଥିବି ?

 

–ତୁମେ ସେ ରୋଗୀର କ’ଣ ହୁଅ ?

 

ଯୁବକ ଉତ୍ତର ଦେଲା–କିନ୍ତୁ ନୁହେଁ, ତା’ର ଅସହାୟ ଅବସ୍ଥା ଦେଖି ସାହାଯ୍ୟ କରୁଥିଲି ।

 

ନରେନ୍ଦ୍ର ପ୍ରଶ୍ନ କଲା–ତୁମେ କ’ଣ କର ?

 

ଯୁବକ କହିଲା–ମୁଁ କଲେଜରେ ପଢ଼େ, ପ୍ରଥମ ବାର୍ଷିକ ଶ୍ରେଣୀରେ ।

 

ଏତେବେଳେ ବସିଥିବା ରୁଗ୍‌ଣ ଲୋକଟା ରାଗରେ କହି ଉଠିଲା–କଲେଜରେ ପାଠ ପଢ଼ୁଛି, କଲେଜ ପାଠରେ ମନା କରିଛି, ଯାକୁ ନିତି ପାଣି ଯୋଗଉଥିଲୁ, ଆଉ ଦବୁ ନାହିଁ..... ।

 

ଲୋକଟି ଯୁବକର କଲେଜ ପାଠକୁ ଅଶ୍ୱର କାଳ୍ପନିକ ଅଣ୍ଡା ସହିତ ତୁଳନା କରି ଡାହାଣ ଗୋଡ଼ର ଆଙ୍ଗୁଳି ସନ୍ଧିଗୁଡ଼ାକରେ ତେଲ ଲଗଉ ଲଗଉ ଯୁବକକୁ ନିଜର ଶଶୁରର ଏକ ମାତ୍ର ଅଯୋଗ୍ୟ ବଂଶଧର ରୂପେ ବନ୍ଦନା କରି ପୁଣି ଆରମ୍ଭ କଲା–ଖାଲି ତୋ ପରି ଲୋକକୁ ପାହାର ଦରକାର, ଚାକରଟା ତୁ, ତୋତେ ସର୍କାର ଖାସ୍‌ ଦରମା ଦେଇ ରଖିଛି ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ, ତୋ’ର ପୁଣି ଏଡ଼େ ବହପ, ତୁ କଲେଜରେ ପାଠ ପଢ଼ୁଛୁ ବୋଲି କହୁଛୁ !! ତୁ ଏଇଠି ନିତି ମୋତେ ଆଉଁସା ଘଷା କରୁଥିଲୁ, ମୁଣ୍ଡ ଚିପି ଦେଉଥିଲୁ, ଖୋଇ ଦେଉଥିଲୁ, ପାଣି ଦେଉଥିଲୁ, ଯୁଆଡ଼େ ଯାଉଥିଲି, ହାତ ଧରି ନବା ଆଣିବା କରୁଥିଲୁ, ଆଜି କଲେଜ ପିଲା ହୋଇଗଲୁ..... ।

 

ଯୁବକଟି କାନ୍ଦ କାନ୍ଦ ହୋଇ କହିଲା–ମୁଁ ତାକୁ ଅସହାୟ ଦେଖି ସେବା କରିବାରୁ ଲୋକଟିର ମନରେ ଗୋଟାଏ ଧାରଣା ହୋଇଛି–ମୁଁ ଏ ଡାକ୍ତରଖାନାର ଜଣେ କର୍ମଚାରୀ, ରୋଗୀକୁ ସାହାଯ୍ୟ କରିବା ପାଇଁ ଅଛି ।

 

ନରେନ୍ଦ୍ର ଯୁବକକୁ ପ୍ରଶ୍ନ କଲା–ତୁମେ ଏଠି କାହିଁକି ଅଛ ?

 

ଯୁବକ ଉତ୍ତର ଦେଲା–ମୋର ପେଟମରା ରୋଗ, ତା’ର ଚିକିତ୍ସା ପାଇଁ ଏ ଓ୍ୱାର୍ଡ଼ରେ ଅଛି..... ।

 

ନରେନ୍ଦ୍ର–କେଉଁଠି ଅଛ ?

 

ଯୁବକ ଦୂରକୁ ହାତ ଦେଖେଇ କହିଲା–ସେ ପାଖ ବେଡ଼୍‌ରେ ଅଛି ।

 

ନରେନ୍ଦ୍ର–ଏ ଲୋକଟି ତୁମକୁ ସାହାଯ୍ୟ କରିବାକୁ କହିଥିଲା କି ?

 

ଯୁବକ–ନା, ସେ ଅଜ୍ଞାନ ଅବସ୍ଥାରେ ଥିଲା, ତା’ର କେହି ନ ଥିବାର ଦେଖି, ମୁଁ ମୋର ନିଜ ଇଚ୍ଛାରେ ତାକୁ ସାହାଯ୍ୟ କରୁଥିଲି...... ।

 

ନରେନ୍ଦ୍ର–ନିଜ ଇଚ୍ଛାରେ ଅନାହୂତଭାବରେ ଯେତେବେଳେ ସାହାଯ୍ୟ କରିଛ, ଏବେ ଅନିଚ୍ଛା କାହିଁକି ହେଲା ?

 

ଯୁବକ–ତାକୁ ପାଣି ଦବାରେ କି ଆଉଁସାଘସା କରିବାରେ ଟିକେ ବିଳମ୍ବ ହେଲେ, ମୋତେ ଅତି ତୁଚ୍ଛ ଆଉ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛି, ଆପଣ ତ ନିଜେ ଶୁଣୁଛନ୍ତି; ତା’ପରେ ଲୋକଟି ସୁସ୍ଥ ସବଳ ହେଲାଣି, ଯା ଆସ କରି ପାରିଲାଣି....... ।

 

ଲୋକଟି ଯୁବକ ମୁହଁରୁ ସୁସ୍ଥ-ସବଳ ହବା କଥା ଶୁଣି ନିଜର ନାଭିର ଚତୁଃପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଅତି ନିମ୍ନଭାଗ, ଅତି ଗୋପନୀୟ ସ୍ଥାନରେ ତେଲ ଲଗାଉ ଲଗାଉ କହିଲା–ସୁସ୍ଥ-ସବଳ ହେଲିଣି, ତୋ ବୋପାର ଖାଇ ସୁସ୍ଥ-ସବଳ ହେଲିଣି...... ?

 

ନରେନ୍ଦ୍ର ଲୋକଟିକୁ ସବୁ କଥା ବୁଝେଇ ଗୋଟାଏ ସମାଧାନ ଲାଗି ଚେଷ୍ଟା କରିବାକୁ ଯାଇ କିଛି ଆରମ୍ଭକରିବା ମାତ୍ରେ, ଲୋକଟା ରାଗରେ କହି ଉଠିଲା–ଆଇଲେ କଜଳପାତିଆ ଭଲଲୋକ, ତୁ କ’ଣ ତା’ରି ସାଥିରେ କଲେଜ ପାଠ ପଢ଼ୁଛୁ..... ?

 

ନରେନ୍ଦ୍ର ଆଶ୍ଚର୍ଯ୍ୟ ହେଲା–ଲୋକଟା ଅବୁଝା !! ନରେନ୍ଦ୍ର ଓ ଯୁବକ ଆଉ ସେଠି ଠିଆ ନ ହୋଇ ଚାଲି ଆସିଲେ ।

Image

 

ଦମ୍ପତି

 

ଚନ୍ଦ୍ରର କ୍ଷୟ ବୃଦ୍ଧି ପରି ଜୀବନର କେତେକ କୃଷ୍ଣପକ୍ଷ ବିତେଇଲା ପରେ, ସେଥର ଶୁକ୍ଳପକ୍ଷରେ ପୁଣି ପ୍ରବେଶ କରି ବିଶୁବାବୁ ଦେଖନ୍ତି–ସାମନାରେ ଟେବୁଲ ଉପରେ କେତେଗୁଡ଼ିଏ ଫାଇଲ୍‌, ସେ ନିଜେ ଚୌକୀ ଉପରେ ସମାସୀନ, ବିଜୁଳିପଙ୍ଖା ଘୂର୍ଣ୍ଣାୟମାନ । ମୁଣ୍ଡ ଉପରେ କଲିଂ ବେଲ୍‌ରେ ହାତ ଛୁଇଁଲାମାତ୍ରେ ପିଅନ ଆସି ସମ୍ମୁଖରେ ଦଣ୍ଡାୟମାନ, ଖାଲି ଏତିକି ନୁହେଁ, ପୁଣି ହାତତଳେ କେତେଗୁଡ଼ିଏ ତଳିଆ କର୍ମଚାରୀ, ଏମାନଙ୍କ ଭିତରେ କେତେଗୁଡ଼ିଏ ହରିଜନ ପୁଣି ବିଦ୍ୟମାନ ।

 

ଏମାନଙ୍କ ଉପରେ ବିଶୁବାବୁଙ୍କୁ ଯେତିକି ହାକିମି କରିବାକୁ ହୁଏ, ସେତିକି ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣିବାକୁ ହୁଏ । ଖାଲି ଶୁଣିବାକୁ ହୁଏ ନାହିଁ, ବିଚାର କରନ୍ତି, ମତାମତ ଦିଅନ୍ତି, ବୁଝାନ୍ତି, ବାଟ ହୁଡ଼ିଲେ, ବାଟ ଦେଖାନ୍ତି, ନ ବୁଝିଲେ, ରାଜି ନହେଲେ, ଧମକ ଦେଇ ରାଜି କରାନ୍ତି, ଧମକ ବ୍ୟର୍ଥ ହେଲେ, ଦଣ୍ଡ ବିଧାନ କରନ୍ତି ।

 

ସେଦିନ ଏଇ ହରିଜନମାନଙ୍କର ଆପତ୍ତି ଅଭିଯୋଗର ଜଟିଳତା, ଘଟଣାବଳୀ ବର୍ଣ୍ଣନା କରିବାରେ ଭାଷାର ନଗ୍ନତା ପରସ୍ପର ମଧ୍ୟରେ କଳହବହ୍ନି ଜାଗରୁକ କରିବାରେ ବ୍ୟାକୁଳତା, ଦୋଷ ସ୍ୱୀକାରୋକ୍ତିରେ ସରଳତା ଇତ୍ୟାଦି ବିଷୟ ଭାବି ଭାବି ବିଶୁବାବୁ ମୁଣ୍ଡ ଭିତରେ ଗୋଟାଏ ବ୍ୟସ୍ତତା ଅନୁଭବ କରି ନୀରବରେ ଚୌକି ଉପରେ ବସି କଲମ ଧରି ମସୀଯୁଦ୍ଧ ଚଳେଇଛନ୍ତି, ଏଇ ସମୟରେ ଶୁଣିଲେ-

 

ବାବୁ ! ଆମେ ମା, ପୁଅ କ’ଣ କରିବୁ ? ମସୀଯୁଦ୍ଧରୁ ବିରତ ହୋଇ ମୁହଁ ଫେରେଇ ସେ ଦେଖନ୍ତି–ଗୋଟିଏ ବୟସ୍କା ହରିଜନ ରମଣୀ ତାଙ୍କର ଅଫିସ ଦୁଆର ମୁହଁର ଅଳ୍ପଦୂରରେ ତଳେ ଘାସ ଉପରେ ବସିଛି ।

ସେ ତା’ଆଡ଼କୁ ଚାହିଁବାର ଦେଖି, ରମଣୀଟି ଆହୁରି ଜୋର୍‌ରେ ପ୍ରଶ୍ନ କଲା–କ’ଣ ବାବୁ, ଆମେ କ’ଣ ମରିବୁ ?

ରମଣୀର ଏ ପ୍ରଶ୍ନର ଉତ୍ତର ବୁଝିବାକୁ ଯାଇ ନିଜର ସମସ୍ତ ବିରକ୍ତିକୁ ମନେ ମନେ ଚାପିରଖି ବିଶୁବାବୁ ପଚାରିଲେ–କ’ଣ ହୋଇଛି ତୋର ?

ରମଣୀ ଉତ୍ତର ଦେଲା–କ’ଣ ହୋଇଛି ? ଆହୁରି ପଚାରୁଛନ୍ତି ? ଆମେ ମା, ପୁଅ ବଞ୍ଚିବୁ କିମିତି ?

ବିଶୁବାବୁ ବୁଝିପାରିଲେ–ଏ ଗୋଟାଏ ନୂଆ ସମସ୍ୟା, ପଚାରିଲେ–ତୁ କିଏ ? ତୋତେ କେଭେଁ ମୁଁ ଦେଖିଲା ପରି ମନେ ହେଉନି...... ।

ରମଣୀ କପାଳରେ ହାତମାରି ଉତ୍ତର ଦେଲା–ଏ ମା ! ହଜୁରଙ୍କ ଝୁଟା ଉଠେଇବା ଲୋକ ମୁଁ, ମୁଁ କ’ଣ କେଭେଁ ଏଣିକି ଆସେ ଯେ ମୋତେ ଦେଖିବେ ? ନିଜ ସୁନା ତ ଭେଣ୍ଡି, କପାଳକୁ ଦୋଷ ନଦେଇ ଆଉ କା’କୁ କହିବି ? ଗେରସ୍ତ ବାଡ଼ିପଶାତ ୟା କରୁଛି, କ’ଣ ଥରେ ଇମିତି ହେଲା ? କେତେଥର ହେଲାଣି, ସହି ସହି ଏଥର ବେଶି ବାଧା ହେଲାରୁ, ହଜୁରଙ୍କ କତିକି ଆସିଲି, ଭାବିଲି–ହାକିମ ବସିଛନ୍ତି, ମା, ବାପ, ତାଙ୍କୁ ଯାଇ କହେ, କିମିତି ବାଡ଼ିପଶା ଜବଦ ନ ହେବ !

ରମଣୀର କଥାରୁ ବିଶୁବାବୁ ଏଥର ବେଶ ବୁଝିପାରିଲେ–ସ୍ୱାମୀ ବିରୁଦ୍ଧରେ ଅଭିଯୋଗ, ହାକିମ ଆଗରେ କହି ସ୍ୱାମୀକୁ ଜବଦ୍‌ କରିବାର ଅଭିପ୍ରାୟରେ ତାଙ୍କ ନିକଟକୁ ଦେବୀଙ୍କର ପଦବ୍ରଜରେ ଆଗମନ ।

ବିଶୁବାବୁ ପ୍ରଶ୍ନକଲେ–ତୁ କା’ ଭାରିଯା ? ତୋ ଗେରସ୍ତ ନାଁ କ’ଣ ?

 

ରମଣୀ ବୃଦ୍ଧ ଏବଂ ମୁକ୍ତ କଣ୍ଠରେ ଉତ୍ତର ଦେଲା–ମୋ ଗେରସ୍ତ ନାଁ–ଆପୁଆ, ମୁଁ ଆପୁଆ ଭାରିଯା, ଯମ ଆପୁଆର ପାଞ୍ଜି ହଜେଇଲାଣି...... ।

 

ବିଶୁବାବୁ ଆଶ୍ଚର୍ଯ୍ୟ ହେଲେ–ହିନ୍ଦୁ ରମଣୀ ପକ୍ଷରେ ସ୍ୱାମୀର ନାମୋଚ୍ଚାରଣ କରିବାରେ ଯେ ବାଧା ନିଷେଧ, କୁଣ୍ଠା-ସଂକୋଚ, ସାଧାରଣତଃ ଦେଖାଯାଏ । ସେ ସବୁତ ଆପୁଆ ଭାରିଯାର କିଛି ନାହିଁ, ସେ ତ ନିଃସଂକୋଚରେ, ଅବାଧରେ ଜୀବନ-ଦେବତା ସ୍ୱାମୀର ନାମୋଚ୍ଚାରଣ କରିବା ସଙ୍ଗେ ସଙ୍ଗେ ପୁଣି ଆପୁଆର ଅସରନ୍ତି ଇହଲୀଳାରେ ବିରକ୍ତି ପ୍ରକାଶ କରି, ଯମରାଜାଙ୍କ ଉପରେ ଅସନ୍ତୁଷ୍ଟ !

 

ସେ ପୁଣି ପ୍ରଶ୍ନକଲେ–ଆପୁଆ କ’ଣ କରିଛି ?

 

ଆପୁଆ ଭାରିଯା ଉତ୍ତରଦେଲା–ଆଉ କ’ଣ କରନ୍ତାକି ?

 

ଦରମାତକ ହଜୁରଙ୍କ କତିରୁ ନେଇ ବଜାରରେ ବୁଲିଲା, ଚା’, ପୋଡ଼ପିଠା ଖାଇଲା, ଘରେ ତ ଆଦୌ ପଶିଲା ନାହିଁ । ପୁଅ, ମାଇପକୁତ ପଚାରିଲା ନାହିଁ, ଆମେ ତ ଉପାସରେ ମଲୁ, ହାତ ଧରି ବାହା ହୋଇଥିଲା, କ’ଣ ଇମିତି ହଟାହଟା କରିବା ପାଇଁ ? ତା’ର ଦରମାତକ ବାବୁ ସେ ସବୁ କାହିଁକି ନବ ? ମୋର ତ ସେ ଦରମାରୁ ଅଧେ ନବାର କଥା । ମୁଁ ତା’ ଭାରିଯା.... ।

 

ଆପୁଆ ଭାରିଯାର ଉତ୍ତର ଶୁଣି, ବିଶୁବାବୁ ଟିକିଏ ରହସ୍ୟ କରି କହିଲେ–ତୁ ଆପୁଆ ଭାରିଯା, ମୁଁ ଜାଣିବି କେମିତି ତୁ ଆପୁଆ ଭାରିଯା ବୋଲି ତ ତୋ’ ଦେହରେ ଆଉ ମୋହର ମରାହେଇ ନାହିଁ । ତୁ ତା ଦରମାରୁ ଅଧେ ନେବୁ ?

 

ଆପୁଆ ଭାରିଯା ଚିତ୍‌କାର କରି କହିଲା–ଏ ମା ! ମୋ ଗେରସ୍ତ ଦରମାରୁ ମୁଁ ଅଧେ ନେବି ନାହିଁ ? ସେ ମୋତେ ବାହା ହେଇଛି ମୋତେ ପୋଷିବ ନାହିଁ ? ବିଶୁବାବୁ ପଚାରିଲେ–ବାହାହେଲାବେଳେ କ’ଣ ଖାଲି ସେ ତୋତେ ପୋଷିବ ବୋଲି ବିଭା ହୋଇଥିଲୁ ? ତା’ର ସେ ରୋଜଗାର କରି ଖାଉଛି, ସେ ତୋତେ ପୋଷିବ କାହିଁକି ? ତୋର ତୁ ରୋଜଗାର କରି ଖାଉନୁ । ଆଉସବୁ ତୋରି ଜାତି ମାଇପିମାନେ କେମିତି ରୋଜଗାର କରି ଖାଉଛନ୍ତି ।

 

ଆପୁଆ ଭାରିଯା ଉତ୍ତର ଦେଲା–ମୁଁ କ’ଣ ରୋଜଗାର କରିବାକୁ ମନା କଲି । ଚାକିରୀ କାହିଁ ? ଚାକିରୀ ଖଣ୍ଡେ ଦିଅନ୍ତୁ ।

 

ବିଶୁବାବୁ ଆପୁଆ ଭାରିଯାର ଉତ୍ତର ଶୁଣି କହିଲେ–ଚାକିରୀ କରିବୁ ? ଆଚ୍ଛା କାଲି ସକାଳେ ଆସିବୁ, ମୁଁ ତୋତେ ଖଣ୍ଡେ କାମ ଦେବି, କାମକରି ଖାଇଲେ ଆପୁଆ ତୋତେ ଆଉ ଧମକେଇ ପାରିବ ନାହିଁ ।

 

ଚାକିରୀ ଯେ ସତେ, ସତେ ଏତେ ହଠାତ୍‌ ଯୁଟିଯିବ, କାଲି ସକାଳେ । ଆପୁଆ ଭାରିଯା ଆଦୌ କଳ୍ପନା କରି ନ ଥିଲା । ଚାକିରୀ ପୁଣି ଏତେ ଅଳ୍ପକେ ଯୁଟେ !

 

ଆପୁଆ ନିଜେ ତ କାମ ଖଣ୍ଡେ ପାଇବାଲାଗି କେତେ ଘୂରିଛି, କେତେ ଧା ଦୌଡ଼ କରିଛି, କେତେ ଥର ଲମ୍ବ ଲମ୍ବ ହୋଇ କେତେ ଲୋକଙ୍କର ଗୋଡ଼ତଳେ ପଡ଼ିଛି, ଚାକିରୀ ପାଇଁ !

 

ଆପୁଆ ଭାରିଯା ମୋଡ଼ଦେଇ ପୁଣି କହିଲା–ମୁଁ ଚାକିରୀ କରିପାରିବି ନାହିଁ, ମୁଁ କାମକଲେ ମୁଠାଏ ଖାଇବି ? କାହିଁକି ମ ? ମୁଁ ଖଟି ପାରିବି ନାହିଁ । ଯେ ଚାକିରୀ କରୁଛନ୍ତି, ସେମାନେ କରନ୍ତୁ..... ।

 

ବିଶୁବାବୁ ଆଶ୍ଚର୍ଯ୍ୟ ହୋଇ ଟିକିଏ ଚଢ଼ା କଣ୍ଠରେ କହିଲେ–ତା’ ହେଲେ ବସି ଖାଇବୁ ? ଖଟି ପାରିବୁ ନାହିଁ, ତେବେ ଚାକିରୀ ଖଣ୍ଡେ ଦିଅନ୍ତୁ ବୋଲି କେମିତି କହିଲୁ ? ଭାବିଥିଲୁ–ଚାକିରୀ କ’ଣ ଇମିତି ସହଜେ ବାବୁ ଦେଇପାରିବେ, ଏଇ ମତଲବ, ଖଟି ଖାଇବାକୁ କଷ୍ଟ ହେଉଛି ?

 

ହାକିମଙ୍କ କଥା ଶେଷ ନ ହେଉଣୁ ରମଣୀ ମଧ୍ୟ ବେଶ୍‌ ଚଢ଼ା କଣ୍ଠରେ କହିବାକୁ ଆରମ୍ଭ କଲା–କ’ଣ ? ଖଟି ଖାଇବି ? ମୁଁ ହାତଧରି ବାହା ହେଇଥିଲି ଖଟି ଖାଇବାପାଇଁ ? ମୋତେ ସେ ପୋଷିବ ନାହିଁ ? ହାକିମ କହିଲେ–ନା ।

 

ସାପର ଲାଙ୍ଗୁଡ଼ରେ ହାତ ଛୁଇଁଲେ ସାପ ଯେପରି ଫଣାଟେକି ଦଂଶନୋନ୍ମୁଖ ହୋଇ ଫେରିପଡ଼େ, ଆପୁଆ ଭାରିଯା ବସିବା ସ୍ଥାନରୁ ଉଠିପଡ଼ି ଠିଆହୋଇ କହିଲା–ହଜୁର ହାକିମ, ବାପ, ମା’ ଆପଣ ଯା’କୁ ବିଭା ହୋଇଛନ୍ତି । ତାଙ୍କୁ ପୋଷୁଛନ୍ତି କି ନା ? ସେ ବସି ଖାଉଛନ୍ତି କି ନା-? କହନ୍ତୁ, ସା’ନ୍ତାଣୀ କ’ଣ ଖଟି ଖାଉଛନ୍ତି ?

 

ଆପୁଆ ଭାରିଯାର ଏତାଦୃଶ ପ୍ରଶ୍ନରେ ହାକିମଙ୍କ ସୁଦୂରବାସିନୀ ପ୍ରିୟା–ଆପୁଆ ଭାରିଯାର ଆଖିରେ ଯେ ‘ସାନ୍ତାଣୀ’ ତାଙ୍କର ଖଟି ଖାଇବାର ସାମର୍ଥ୍ୟ, ଶାରୀରିକ ଯୋଗ୍ୟତା, ତନୁ ଲତିକାର ମନ୍ଥରତାରେ ଯେପରି ଏକ ଚଳଚିତ୍ର ମୁହୂର୍ତ୍ତକ ମଧ୍ୟରେ ତାଙ୍କ ଆଖି ଆଗରେ ଖେଳିଗଲା ତେବେ ସୁଦ୍ଧା ଜାଣିଶୁଣି ମନ କଥା ମନରେ ରଖି ସାହସର ସହିତ କହିଲେ–ସାନ୍ତାଣୀ ଖଟି ଖାଉଛନ୍ତି, ସାନ୍ତାଣୀଙ୍କୁ ମୋତେ ପୋଷିବାକୁ ପଡ଼େନା, ବୁଝିଲୁ ମୋର ମୁଁ ରୋଜଗାର କରି ଖାଉଛି-। ସେ ତାଙ୍କର ଖାଉଛନ୍ତି..... ।

 

ହାକିମଙ୍କ ଉକ୍ତି ଶେଷ ନ ହେଉଣୁ ଆପୁଆ ଭାରିଯା ଆରମ୍ଭ କଲା–ସାନ୍ତାଣୀ ଖଟି ଖାଉଛନ୍ତି । ମିଛକଥା କହୁଛନ୍ତି ହଜୁର, ସାନ୍ତାଣୀ ଯା’ ଖଟି ଖାଉଥିବେ ନା !

 

ଆପୁଆ ଭାରିଯା ହାକିମଙ୍କ ସହିତରେ କଥୋପକଥନ ସମୟରେ ତା’ର ଅତ୍ୟଧିକ ଶିର ସଞ୍ଚାଳନ ଯୋଗୁ ଭଗ୍ନପ୍ରାୟ ଜୁଡ଼ା–ଦୁର୍ଗକୁ ପୁନର୍ଗଠନ କରିବାକୁ ଯାଇ, ମୁଣ୍ଡରୁ ଲୁଗା କାଢ଼ିଦେଇ ମୁଣ୍ଡ ଝାଡ଼ି, ମୁକୁଳା ବାଳଗୁଡ଼ିକୁ ଦୁଇ ହାତରେ ଏକତ୍ର କରୁକରୁ କହିଲା–ହଜୁର ! ହାକିମ ହେଉଛନ୍ତି, ଆପଣଙ୍କ କଥା ସତ ହେଲା ତ, ମୁଁ ତ କେବେ ଇମିତି କଥା ଶୁଣି ନାହିଁ–ହାକିମ ହୁକୁମାଙ୍କ ଭାରିଯା ଖଟିଖା’ନ୍ତି, ହଉ ସାନ୍ତାଣୀ ଯଦି ଖଟି ଖାଉଛନ୍ତି ତ ଖା’ନ୍ତୁ, ମୁଁ ଖଟିପାରିବି ନାହିଁ, ମୋ ଗେରସ୍ତର ଯେଉଁ ତଲବ ତାକୁ ଅଧା ଅଧା କରି ଦିଅନ୍ତୁ । ମୋର ଆଉ କିଛି ଆପତ୍ତି ନାହିଁ, ତା ଦରମାରୁ ମୋତେ ଅଧେ ଦିଅନ୍ତୁ, ତାକୁ ଅଧେ ଦିଅନ୍ତୁ........ ।

 

ଆପୁଆ ଭାରିଯା କଥାରେ ବାଧା ଦେଇ ହାକିମ କହିଲେ–ଆପୁଆ ଦରମାରୁ ତୋତେ ଅଧେ ଦିଆଯିବ ନାହିଁ, ଯେ ପର୍ଯ୍ୟନ୍ତ ଆପୁଆ ଆମ କତିରେ କାମ କରୁଛି, ତା ଦରମା ତାକୁ ଦିଆଯିବ । ତୁ ଯଦି କାମ କରିବୁ, ତାହେଲେ ଆପୁଆ ପରି ତୁ ମଧ୍ୟ ଦରମା ପାଇବୁ, ଆଉ ଯଦି ତୋ ଗେରସ୍ତ ଦରମାରୁ ତୁ ଭାଗ ନେବାକୁ ଚାହୁଁ, ବସି ଖାଇବାର ଇଚ୍ଛା, ତାହେଲେ ଯା, ଆପୁଆକୁ ଘରକୁ ଡାକି ନେଇ ତାକୁ ଭଲ ଭାବରେ ଖାଇବା ପିଇବାକୁ ଦେଇ ତା’ର ମନ ନେଇ ଚଳ; ତା ନ ହେଲେ ତୋତେ କିଛି ଦିଆଯିବ ନାହିଁ । ମୁଁ ମଧ୍ୟ ଆପୁଆକୁ ମନା କରି ଦେବି, ତୋତେ, କିଛି ଦବ ନାହିଁ । ଘରୁ ବାହାର କରିଦେବ.... ।

 

ଆପୁଆ ଭାରିଯା ହାକିମଙ୍କ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଗୋଟାଏ ପ୍ରଥମ ବାଣ-ବିଦ୍ଧ ବାଘୁଣୀ ଯେପରି ବ୍ୟାଧକୁ ଆକ୍ରମଣ କରିବା ପାଇଁ ତା’ର ଶେଷ ଚେଷ୍ଟା କରି ଫେରି ପଡ଼େ, ସେଇପରି ଲେଉଟିପଡ଼ି ରାଗରେ ପ୍ରଶ୍ନ କଲା–ହଜୁର ତ ମୋ ଗେରସ୍ତକୁ ମନା କରିଦେବେ, ମୋତେ କିଛି ଦେବେ ନାହିଁ, ଘରୁ ବାହାର କରିଦେବେ, ଆଉ ମୋର ପିଲା ପୁଅଟି କୁଆଡ଼େ ଯିବ-?

 

ବିଶୁବାବୁ ଆଉ ଟିକିଏ ରହସ୍ୟ କରି ପ୍ରଶ୍ନ କଲେ–ସେ ପୁଅ କ’ଣ ଆପୁଆର ଆଗରୁ ଥିଲା, ନା, ତୁ ଆସିଲା ପରେ.... ।

 

ଉତ୍ତରରେ ଆପୁଆ ଭାରିଯା କହିଲା–ଆପୁଆ ତା’ ଦିହାନ୍ତିରେ ପୁଅ ଦେଖିଥିଲା ? ମୁଁ ଜନ୍ମ କରି ଦେଇଛି, ମୁଁ ପୁଅର ମା..... ।

 

ବିଶୁବାବୁ କହିଲେ–ତା’ହେଲେ ତୁ ଜାଣୁ ସେ ପୁଅର କଥା, ତୁ ସେ ପୁଅକୁ ପୋଷିବୁ, ଆପୁଆ ତୁମ ମା’ ପୁଅକୁ କାହିଁକି କିଛି ଦେବ ନାହିଁ ।

 

ଆପୁଆ କଥାରେ ଚଳିଲେ, ଆପୁଆ ମନନେଇ ଚଳିଲେ, ତୋତେ ଆଉ ତୋ ପୁଅକୁ ଆପୁଆ ପୋଷିବ, ନୋହିଲେ ତୋ କଥା ଆଉ ତୋ ପୁଅ କଥା ତୁ ଜାଣୁ, ଯାଃ..... ।

 

ହାକିମଙ୍କ କଥା ଶୁଣି ଆପୁଆ ଭାରିଯା ହତାଶ ହୋଇ ରାଗରେ ଚିତ୍କାର ଆରମ୍ଭ କଲା–ଏ ମା ! ଇମିତିଆ ହାକିମ ମୁଁ କୋଉଠି ଦେଖି ନାହିଁ; ଏ କି ବୁଝାମଣା ! ଏଇଥିରେ ମୋତେ ସବୁ ସାଇରେ ମାଇପିମାନେ କହିଲେ–ତୁ ଯା’ ହାକିମ ଆଗରେ କହିବୁ; ହାକିମ ଭାରି ଭଲ ବୁଝିଲା ବାଲା ଲୋକ । ତାଙ୍କୁ କହିଲେ ସେ ତୋ ଗେରସ୍ତକୁ ଜବଦ୍‌ କରିଦେବେ; ଯୋଉ ହାକିମ ନା । କହୁଛି କ’ଣ ନା ତୋ ପୁଅକୁ ତୁ ପୋଷିବୁ ।

 

ମୁଁ କ’ଣ ପୁଅକୁ ମୋର ବାପ ଘରୁ ଆଣିଥିଲି ? ଏ ହାକିମ କୋଉଠୁ ଆଇଛି ଲୋ ମା ! ହାକିମ ଆମେ ଆଉ ଦେଖି ନାହୁଁ.... !

 

ଆପୁଆ ଭାରିଯା ବକି ବକି ଶେଷରେ ଫାଟକ ଟପି ଅଦୃଶ୍ୟ ହୋଇଗଲା ।

 

X X X

 

କିଛି ଦିନ ପରେ ଦିନେ ବିଶୁବାବୁ ତାଙ୍କ ନିଜ ଘରେ ରାସ୍ତା ପାଖ ବାରନ୍ଦାରେ ଖଣ୍ଡେ ଚୌକୀ ଉପରେ ବସି କେତେ କ’ଣ ଭାବୁଛନ୍ତି–ଚାରିଆଡ଼େ ସନ୍ଧ୍ୟା ଆଗମନରେ ବେଶ୍‌ ଗୋଟାଏ ବଡ଼ ଧରଣର ଆୟୋଜନ ଚାଲିଥାଏ । ବିଶୁବାବୁଙ୍କ ଦୃଷ୍ଟି ଥିଲା ଆକାଶ ଉପରେ, ହଠାତ୍‌ ଆକାଶ ଉପରୁ ଆଖି ଫେରାଇ ଚାହିଁଲେ–ବାରନ୍ଦା ପାଖ ରାସ୍ତା ଉପରକୁ । ଦେଖିଲେ ଆପୁଆ ଚାଲିଛି ହାତରେ ଭଙ୍ଗା କିରାସିନି ତେଲ ବୋତଲଟିଏ ଧରି; ତା ପଛରେ ଚାଲିଛି ଆପୁଆର ସ୍ତ୍ରୀ, ତା’ରି ପିଲା ପୁଅଟିକୁ କାଖେଇ, ପରିଧାନରେ ବେଶ୍‌ ଖଣ୍ଡିଏ ନୂତନ ଲାଲ ରଙ୍ଗର ଶାଢ଼ୀ; ସାରା ଅଙ୍ଗରେ ଗୋଟିଏ ସୁଶ୍ରୀଭାବ ।

 

ବିଶୁବାବୁ ପଚାରିଲେ–କିରେ ଆପୁଆ ନା କିଏ ? ଆପୁଆ ହଠାତ୍‌ ବିଶୁବାବୁଙ୍କର ଏ ପ୍ରଶ୍ନ ଶୁଣି, ଚମକି ପଡ଼ିଲା ପରି ଓଳିକିଟିଏ ହେଇ ଠିଆ ହୋଇ ରହିବା ମାତ୍ରେ, ବିଶୁବାବୁ ତା’ର ଭାରିଯାକୁ ଉଦ୍ଦେଶ୍ୟ କରି ଆପୁଆକୁ ପୁଣି ପ୍ରଶ୍ନ କଲେ–କ’ଣ ଆଜି କାଲି ସବୁ ଭଲ ?

 

ଆପୁଆ ଏ କଥା ଶୁଣି ମୁଣ୍ଡ ହଲେଇ ହଲେଇ ଆରମ୍ଭ କଲା–ହଜୁର, ଆଛ କାହିଁକି ପଚାରୁଛନ୍ତି ତା’ କଥା । ସେମିତିଆ ଢଙ୍ଗ ତା’ର । ହାତ ଧରି ବାହା ହେଇଛି ଆଜ୍ଞା, କ’ଣ ଆଉ କରିବି ? ମୋ କପାଳକୁ ତ ଜୁଟିଛି ସେ, ହଜୁର ଖଣ୍ଡେ କାମ ହେଲେ ତାକୁ ଦିଅନ୍ତୁ । ମୁଁ ଆଉ ଏକା କେତେ ଚଳେଇବି ?

 

ଆପୁଆ କଥା କହିଲାବେଳେ ବିଶୁବାବୁ ଦେଖିଲେ–ଆପୁଆ ଭାରିଯା ତା ଆଡ଼କୁ ପଛ କରି ମୁଣ୍ଡରେ ଓଢ଼ଣା ଦେଇ ନବ-ବଧୂର ସଲଜ୍ଜ ଠାଣିରେ ରାସ୍ତା ଆର ପାଖ ବାଡ଼ ମୂଳରେ ଠିଆ ହୋଇଥାଏ । ହାତରେ ବଜାରରୁ ସଦ୍ୟ କିଣା ପାନ, ଗୁଆ ଗୁଣ୍ଡି, କାଖରେ ପିଲା ପୁଅଟିଏ ।

 

ସେ ଆପୁଆକୁ ପୁଣି ପ୍ରଶ୍ନ କଲେ–ତୋ ଭାରିଯାତ କାମ କରି ଖାଇବାକୁ ରାଜି ନୁହେଁ, ତୁ କିମିତି କହୁଛୁ, ତାକୁ ଖଣ୍ଡେ କାମ ଦେବାପାଇଁ ? ଆପୁଆ ଉତ୍ତର ଦେବାକୁ ଯାଇ କହିଲା–କାମ କରି ଖାଇବ ନାହିଁ, ଆଉ ମୁଁ ପୋଷୁଥିବି ? ସେ କ’ଣ ଦେଖୁନାହିଁ ? ଆଉ ଆମ ଜାତିର ମାଇପିମାନେ କାମ କରି ମାସ ଶେଷକୁ ତଲବ ନେଇ ଚଳୁଛନ୍ତି ?

 

ମାଇପି ଲୋକ; ହଜୁର କେତେବେଳେ କ’ଣ କହି ଦେଇଛି । ସେ ତ ତୁଣ୍ଡେଇଟାଏ, ସେ କାମ କରିବ, ହଜୁର କେତେ ଲୋକଙ୍କୁ ଏମିତି ଦାନା ଦଉଛନ୍ତି, ତାକୁ ଖଣ୍ଡେ କାମ ଦିଅନ୍ତୁ; ହଜୁରଙ୍କ କଲମ ପ୍ରଭୁ ଏମିତି ବଜାୟ ରଖିଥିବେ । ହଜୁରଙ୍କ କଲମରେ ସବୁ ଅଛି ।

 

ଆପୁଆ କଥା କହିବାର ସଙ୍ଗେ ସଙ୍ଗେ ବିଶୁବାବୁଙ୍କର କଲମର ଅକ୍ଷୟ ଜୀବନୀ-ଶକ୍ତି ଏବଂ ମସୀ ଯୁଦ୍ଧରେ ସେ ଆଜୀବନ ଲିପ୍ତ ରହିବା ପାଇଁ ଭଗବାନଙ୍କୁ ଜଣେଇ ଦୁଇ ହାତରେ କିରାସିନି ତେଲର ବୋତଲଟିଏ ଧରି ମୁଣ୍ଡରେ ଛୁଇଁ ଭକ୍ତିରେ ପ୍ରଣାମଟିଏ କରି ତାଙ୍କ ସମାନାରୁ ବିଦାୟ ନେଇ ଚାଲିବାକୁ ଆରମ୍ଭ କଲା ।

 

ସ୍ତ୍ରୀ ମଧ୍ୟ ଓଢ଼ଣାର ଅନ୍ତରାଳରେ ଲଜ୍ଜାନତ ମୁହଁଟି ଲୁଚେଇ ନବବଧୂ ପରି ଧୀର ପଦରେ ଆପୁଆର ଅନୁଗାମିନୀ ହେଲା ।

 

ବିଶୁବାବୁ ଚାହିଁଥା’ନ୍ତି । ସନ୍ଧ୍ୟାର ଅନ୍ଧକାର ମଧ୍ୟରେ ଧୀରେ ଧୀରେ ହରିଜନ ଦମ୍ପତି କ୍ରମେ ଅଦୃଶ୍ୟ ହୋଇଗଲେ ।

Image

 

ବହୁପୁତ୍ରେ

 

ହଟ ବେହେରାର ଚାରିପୁଅ, ଧନୀଲୋକ । ବେହେରାର ବୟସ ପ୍ରାୟ ଅଶିବର୍ଷ ହେବ-। ସେ ସବୁବେଳେ ପ୍ରାୟ ଏଣିକି ଅସୁସ୍ଥ, ଘରୁ ପଦାକୁ ଆଉ ବାହାରିବାର ଦେଖାଯାଏ ନାହିଁ-। ସେ ଘର ଭିତରେ ଶୋଇଥାନ୍ତି; ବେଳେ ବେଳେ ଘରଭିତରୁ ଉଠିଆସି ବାରନ୍ଦାରେ ବସନ୍ତି । ହଟ ବେହେରା ବହୁତ ଦିନର ଶ୍ୱାସରୋଗୀ । ତା ଛଡ଼ା ବେଳେ ବେଳେ ନାଳାଶୂଳା ପୋଖରୀ, ଅଣ୍ଟାଧରା, ଛାତିଦରଜ, ଜ୍ୱର । ଏମିତି ଗୋଟାକ ପରେ ଗୋଟାଏ ରୋଗରେ ଆକ୍ରାନ୍ତ ହୋଇ ଦିହ ଦୁର୍ବଳ ହୋଇଗଲାଣି ।

 

ସକାଳବେଳା ଅଳ୍ପସମୟ ପାଇଁ ବେହେରା ବାରନ୍ଦାରେ ଆସିବସନ୍ତି, ଦାନ୍ତ ଘଷନ୍ତି, ଚା, ଅଫିମ ଖାନ୍ତି । କତିରେ ବଟୁଆ ଆଉ ବଙ୍କୁଲିବାଡ଼ି ଥୁଆ ହୋଇଥାଏ । ବୃଦ୍ଧା ସ୍ତ୍ରୀ ସବୁ ଜିନିଷ ହାତକୁ ଯୋଗାଇଦିଏ, ସାହାଯ୍ୟ କରେ, ଯେମିତି–ଦାନ୍ତ ଘଷିଲା ବେଳେ ଗରମ ପାଣି, ପାନ ଖାଇଲାବେଳେ ପାନ ବନେଇ ତାକୁ ପାନକୁଟାରେ ପୁରେଇ ଛେଚି ଗୁଣ୍ଡ କରିଦେବା, ଚା’ବେଳେ ଚା’ ତିଆରି କରିଦେବା, ଚୂଡ଼ା, ମୁଢ଼ି, ବାଲି, ସାଗୁ ଆଣି କତିରେ ଦବା, ଭାତ ଖାଇଲାବେଳେ ଭାତ ଖୋଇ ଦେବା, ଝାଡ଼ା ପରିଶ୍ରା କଲେ ତାକୁ ପରିଷ୍କାର କରିବା, ପୁଣି ବେହେରାଙ୍କ ଆଦେଶ ଅନୁଯାୟୀ ଗୋଡ଼ ମୋଡ଼ି ଦେବା, ପିଠି ଆଉଁସି ଦେବା, କତିରେ ଜଗି ବସିବା ଇତ୍ୟାଦି ଇତ୍ୟାଦି–

 

ବେହେରାଙ୍କ ସେବା ଶୁଶ୍ରୂଷାରେ ସ୍ତ୍ରୀର ଟିକିଏ ଅବହେଳା ହେଲେ ବେହେରା ସ୍ତ୍ରୀଙ୍କର ଚଉଦପୁରୁଷଙ୍କ ତିଳତର୍ପଣ କରି, ବେଳେ ବେଳେ ସ୍ତ୍ରୀକୁ କୁଳଟା ଆଖ୍ୟା ଦିଅନ୍ତି । ଆଉ ବେଳେ ବେଳେ ଅତି ବିରକ୍ତ ହୋଇ କତିରେ ଥୁଆ ହୋଇଥିବା ବଙ୍କୁଲିବାଡ଼ିକୁ ଉଞ୍ଚେଇ ମାରିବାକୁ ଉଠାନ୍ତି ।

 

ବେହେରା ଯେତେ ଅସୁସ୍ଥ ହେଲେ ମଧ୍ୟ ତାଙ୍କର ବାରଣ ଡାକ୍ତରୀ ଓଷଧି ଖାଇବେ ନାହିଁ, କି ଡାକ୍ତର ଡକା ହେବନାହିଁ ତାଙ୍କର ଚିକିତ୍ସା ପାଇଁ । ବେହେରାଙ୍କର ଦୃଢ଼ଧାରଣା ଓ ବିଶ୍ୱାସ ଡାକ୍ତର ଚିକିତ୍ସାରେ ରହିଲେ କେବଳ ଟଙ୍କାର ଅପବ୍ୟୟ, ଡାକ୍ତରଙ୍କୁ ଡାକିବାର ଅର୍ଥ ହେଉଛି ଅର୍ଥଶ୍ରାଦ୍ଧ । ବେହେରାଙ୍କର ଚିକିତ୍ସା ହେଲା–ସେଇ ପୁରୁଣାକାଳିଆ ଜଡ଼ିବୁଟି, ଠୁଣୁ ଠୁଣିକିଆ ଇତ୍ୟାଦି ।

 

ବେହେରା ଲୋକଙ୍କୁ ବୁଝାନ୍ତି–ଆମ ବାପ ଅଜା ସେଇ ଜଡ଼ିବୁଟି ଖାଇ ରୋଗରୁ ମୁକ୍ତି ପାଉଥିଲେ ନା, ଏବେ ଗୋଟାଏ ନୂଆ ଭିଆଣ ହେଇଛି ଡାକ୍ତରୀ ଔଷଧ, ଡାକ୍ତର, କମ୍ପାଉଣ୍ଡର, ନର୍ସ, ଡାକ୍ତରଖାନା.... ।

 

ବେହେରା ପୁଣି କହନ୍ତି–ଯଦି କହିଲ, ଡାକ୍ତରୀ ଓଷଧି ଭଲ, ତା ହେଲେ ଲୋକେ ମରୁଛନ୍ତି କାହିଁକି ? ଆମ ବାପ ଅଜା ଅମଳରେ ଜଡ଼ିବୁଟି ଖାଇ ମରୁଥିଲେ, ସେଗୁଡ଼ା ଭଲ ଓଷଧି ନୁହେଁ, ଏବକା ଡାକ୍ତରୀ ଓଷଧି ଭଲ; ତା’ହେଲେ ଲୋକେ ଡାକ୍ତରୀ ଚିକିତ୍ସାରେ ମରୁଛନ୍ତି କେମିତି-? ଅସଲ କଥା ହେଲା–ଭାଇ ! ଯମ ହାତରେ ଯେଉଁଦିନ ତୁମ ପାଞ୍ଜି ପଡ଼ିଛି, ସେଦିନ କୋଉ ବୋପା ଆଉ ରଖିପାରିବନି, ଯିବାକୁ ହବ । ମାହାଳିଆ କହିଛି–‘‘ଦଣ୍ଡେ ନିମିଷେ ଥିଲେ ପ୍ରାଣ, ଘେନି ନ ପାରେ ଜନ୍ତୁରାଣ’’, ଯଦି ତୋର ପରମାୟୁ ଅଛି କେହି ନେଇ ପାରିବନି..... ।

 

ବେହେରା କଥା କହୁ କହୁ ମଝିରେ କାଶି ଉଠିଲେ । କଥା କହିବାରୁ ନିବୃତ୍ତହୋଇ କିଛି ସମୟ କାଶି କିଛି କଫ ଓଳି ତଳକୁ କାଢ଼ି ପକେଇ ପୁଣି ପାଖରେ ବସିଥିବା ଶ୍ରୋତାଦଳକୁ ଶୁଣାନ୍ତି–ଦେଖୁଛ ତ ତୁମରି ଆଗରେ ଗାଁ ଭିତରେ ଆଜିକି ପାଞ୍ଚବର୍ଷ ହେଲା ଡାକ୍ତରଖାନା ହେଲାଣି ମୁଁ କେବେ ଦିନେ ଯାଇ ସେଠୁଁ ପାନେ ଓଷଧି ଖାଇଛି ନା ? କାହିଁ ମୋ’ରି ସାଙ୍ଗରୁ ତ କେତେ କିଏ ଗଲେଣି । ମୁଁ ତ ଅଛି..... ।

 

ଶ୍ରୋତାଙ୍କ ଭିତରୁ ଏତେବେଳେ ଜଣେ ଜଣେ ବେହେରାଙ୍କ କଥାକୁ ସମର୍ଥନକରି କହି ପକାନ୍ତି–ହଁ ତା’ ନୁହେଁ କ’ଣ । ତୁମପରି ଧାରାରେ କିଏ ଚଳୁଛି ଯେ ଏତେ କାଳ ବଞ୍ଚିବ । ତୁମରି ଆଗରେ ଆମେ ଜନ୍ମହେଇ ଆମେ ଆସି ବାହାରିବାକୁ ବସିଲୁଣି । ସତ କଥା, କେତେ ଲୋକ ତ ଆସି ସେ ଡାକ୍ତରଖାନାରୁ ଓଷଧି ନଉଛନ୍ତି; ଆମେ ତ କେବେ ଦିନେ ଦେଖିଲୁନି ତୁମେ ଡାକ୍ତରଖାନାରୁ ଓଷଧି ପାନେ ଖାଇବା..... ।

 

ଇମିତି ପ୍ରତିଦିନ ସନ୍ଧ୍ୟାବେଳେ, ବେହେରାଙ୍କ କତିରେ କେତେକ ବୁଢ଼ା ଦରବୁଢ଼ାଙ୍କ ସମାଗମ ହୁଏ; ଅଳ୍ପ ସମୟ ପାଇଁ ଗୋଟାଏ ସମ୍ମେଳନୀ ବସେ, ସେଥିରେ ରେଡ଼ିଓ ପୋଗ୍ରାମ୍‌ ଭଳି–ଆଞ୍ଚଳିକ ସମ୍ବାଦ, ସର୍ବଭାରତୀୟ ସମ୍ବାଦ, ଦେଶର ହାଲ୍‌, ଗାଁଗହଳି, ନାଟକ, ରୂପକ, ପୁରାଣପାଠ ଅର୍ଥାତ୍‌ ଦିନେ ଦିନେ ଗୋପୀଭାଷା, ମହାଭାରତ, ରାମାୟଣ, ନୃସିଂହପୁରାଣ, ମଥୂରାମଙ୍ଗଳ, ଇତ୍ୟାଦି ବୋଲାଯାଏ । ଆଉ ଦିନେ ଦିନେ ପାଲା ହୁଏ ବେହେରା ତାଙ୍କର ସ୍ତ୍ରୀ ଏବଂ ବେଳେ ବେଳେ ପୁଅମାନଙ୍କ ସାଥିରେ, ଆଉ ଦିନେ ଦିନେ ଦାସକାଠିଆ ହୁଏ, ବେହେରାଙ୍କର ବାଙ୍କୁଲିବାଡ଼ି ସାହାଯ୍ୟରେ ସ୍ତ୍ରୀଙ୍କର ପିଠିରେ କିମ୍ବା ମୁଣ୍ଡରେ । ଶେଷରେ ସମ୍ମେଳନୀ ଭାଙ୍ଗେ । ତା’ପରେ ଶାନ୍ତିରେ ହେଉ ବା ଅଶାନ୍ତିରେ ହେଉ, ବେହେରା ରାତ୍ରି ଭୋଜନ ପରେ ବିଜେ ହୁଅନ୍ତି ନିଜର ଶୟନ କକ୍ଷରେ ।

 

ବେହେରାଙ୍କ ଶୋଇବାର ଜାଗା ହେଲା–ଗୋଟଏ ବଡ଼ ସିନ୍ଦୂକ । ତା’ଭିତରେ ଥାଏ–ଘିଅ ମାଠିଆ, ଟଙ୍କା, ସୁନା, ରୂପା, ତମସୁକ, ପଟା ପାଉତି, କବଲା ଇତ୍ୟାଦି । ବେହେରା ସେଇ ସିନ୍ଦୁକ ଉପରେ ଶେଯପାରି ଶୁଅନ୍ତି । ସ୍ତ୍ରୀ ସିନ୍ଦୁକ କତିକି ଲାଗି ତଳେ ଶୁଏ । ସିନ୍ଦୁକକୁ ଲାଗି ବେହେରାଙ୍କ ବଙ୍କୁଲିବାଡ଼ି ଖଣ୍ଡିକ ଡେରା ହୋଇ ରହେ, ଆଉ ଗୋଟିଏ ପଲମରେ ପାଉଁଶ ଭର୍ତ୍ତି ହୋଇ ସିନ୍ଦୁକକୁ ଲାଗି ତଳେ ଥୁଆ ହୋଇଥାଏ । ବେହେରାଙ୍କ କାଶ ଉଠିଲେ କଫ କାଢ଼ି ସେଥିରେ ପକାଇବାପାଇଁ । ଦୂରକୁ କାନ୍ଥ ଦେହରେ ଗୋଟିଏ ଠଣାରେ ଗେଟିଏ ଡିବିରି ରାତି ସାରା ଜଳୁଥାଏ, ବେହେରାଙ୍କ ଚାରିଆଡ଼େ କାନ୍ଥକୁ ଲାଗି ମୁଗ ଓଳିଆ, ବିରି ଓଳିଆ ସବୁ ଥୁଆ ହୋଇଥାଏ, ବେହେରା ବେହେରାଣୀ ଶୋଇଲେ ଘର ଭିତରେ ଅସରପା, ମୂଷା, ଚୂଚୂନ୍ଦ୍ରାଙ୍କର ନାଇଟ ଡିଉଟି ଆରମ୍ଭ ହୋଇଯାଏ ।

 

କିଛିଦିନ ପରେ ବେହେରା ଭୀଷଣ ରୋଗାକ୍ରାନ୍ତ ହୋଇ ଦିନେ ବେହୋସ ହୋଇଗଲେ-। ସେହିଦିନ ବେହେରାଙ୍କ ସ୍ତ୍ରୀ ଆଉ ପୁଅମାନଙ୍କ ଭିତରେ ପ୍ରସ୍ତାବ ହେଲା, ଡାକ୍ତରଙ୍କୁ ଡକାଯାଉ । ବେହେରାଙ୍କ ବାରଣ ଡାକ୍ତରୀ ଔଷଧି ଖାଇବେ ନାହିଁ କି ଡାକ୍ତରଙ୍କୁ ଡକା ହେବନାହିଁ । ପୁଅମାନଙ୍କ ବେହେରାଙ୍କ ଏଇ କଥାକୁ ଜିଦ୍‌ ଧଇଲେ, ଡାକ୍ତର ଡକା ହେବ ନାହିଁ । ସ୍ତ୍ରୀ କହିଲା ସେ ତ ବେହୋସ ଅଛନ୍ତି, ଡାକ୍ତରଙ୍କୁ ଡାକିଲେ ବେହେରା ଜାଣିବେ ନାହିଁ । ଏଣୁ ଡାକ୍ତରଙ୍କୁ ପୁଅମାନଙ୍କର ଅନିଚ୍ଛାସତ୍ୱେ ଡକାହେଲା । ଡାକ୍ତର ଆସିଲେ, ପରୀକ୍ଷା କରି ଦେଖିଲେ, ବେହେରାଙ୍କ ଅବସ୍ଥା ଭଲ ନୁହେଁ, ଇନ୍‌ଜେକ୍‌ସନ୍‌ ନିୟମିତ ଭାବରେ ଦୁଇଦିନ ଫୋଡ଼ା ହେଲା ପରେ ବେହେରାଙ୍କ ଜ୍ଞାନ ଫେରିଲା, ଜ୍ଞାନ ଫେରିଲା ପରେ ବେହେରା ସ୍ତ୍ରୀଙ୍କୁ ଆଗେ ପଚାରିଲେ–ତାଙ୍କର କଞ୍ଚି ନେନ୍ଥାଟା କୁଆଡ଼େ ଗଲା ? ଗାଈ, ବଳଦ, ମଇଁଷି ଏମାନେ କେମିତି ଅଛନ୍ତି ? ଆଉ କେହି ଆସି ତାଙ୍କୁ ଖୋଜୁଥିଲେ କି ନା ? ଇତ୍ୟାଦି ଇତ୍ୟାଦି..... ।

 

ବେହେରା ଯେତେ ଯାହା ବୁଝିଲେ ତଥାପି ତାଙ୍କ ମନରେ ସନ୍ଦେହ ହେଲା–କିଏ କ’ଣ ନେଇଗଲେ କି ? ବେଶି ତାଙ୍କ ପୁଅମାନଙ୍କ ଉପରେ ସନ୍ଦେହ, ସେଇମାନେ ବେହେରାଙ୍କୁ ଭାରି ହଇରାଣ କରନ୍ତି । ସ୍ତ୍ରୀ ଉପରେ ଏତେ ସନ୍ଦେହ ହୁଏନା, କାରଣ ତାଙ୍କ ହାତରେ ବଙ୍କୁଲିବାଡ଼ି ଥିବା ଯାଏଁ, ସେ ସେମିତି କରିବାକୁ ସାହସ କରିବ ନାହିଁ । ପୁଅଗୁଡ଼ାକ ଭେଣ୍ଡା, ସେ କ’ଣ ବଙ୍କୁଲିବାଡ଼ିର ମହିମାକୁ ଖାତିର କରୁଛନ୍ତି ?

 

ଚିକିତ୍ସାରେ ବେହେରାଙ୍କ ଜ୍ଞାନ ଫେରିବା ପରେ ଆଉ ଡାକ୍ତରଙ୍କ ପାଦ ଘରେ ପଡ଼ିନାହିଁ-। ତଥାପି ଡାକ୍ତର ବେହେରାଙ୍କ ପୁଅମାନଙ୍କଠାରୁ ବେହେରାଙ୍କ ଅବସ୍ଥା ଖବର ନିଅନ୍ତି, ପୁଅମାନେ ଡାକ୍ତରକୁ ଭାରି ଭକ୍ତି କରନ୍ତି ।

 

ଗାଁ ଲୋକମାନେ ଯେଉଁବାଟେ ଦେଇ ଗାଁ’ରୁ କାମଧନ୍ଦାକୁ ଯା’ଆସ କରନ୍ତି; ସେଇ ଛକ ମୁଣ୍ଡରେ ଗାଁ’ର ଡାକ୍ତରଖାନା । ଯେ ସେ ବାଟ ଦେଇ ଯା’ଆସ କରନ୍ତି, ସେମାନେ ଡାକ୍ତରଙ୍କୁ ଦେଖନ୍ତି, ଆଉ ଡାକ୍ତର ମଧ୍ୟ ତାଙ୍କ ଅଫିସ୍‌ ଘରେ ବସି ସେ ବାଟ ଦେଇ ଗାଁ ଲୋକେ ଗଲେ, ଆଇଲେ ସମସ୍ତଙ୍କୁ ଦେଖି ପାରନ୍ତି ।

 

ଯା ସଙ୍ଗେ କଥାବାର୍ତ୍ତା କରିବାର ଇଚ୍ଛା ହୁଏ, କୌଣସି ଖବର ବୁଝିବାର ଥିଲେ ଲୋକକୁ ଡାକି ବୁଝାନ୍ତି ।

 

ଦିନେ ସକାଳ ବେଳା ଡାକ୍ତର ବାବୁ ତାଙ୍କର ଅଫିସ ଘରେ ବସିଛନ୍ତି, ବେହେରାଙ୍କ ବଡ଼ ପୁଅ ହଳ ନେଇ ବିଲକୁ ଯାଉଥିବାର ଦେଖି ଡାକିଲେ । ବେହେରାଙ୍କ ବଡ଼ପୁଅ କତିକୁ ଆସିଲାରୁ ଡାକ୍ତର ପଚାରିଲେ–‘‘ହଇରେ, ବାପ କିମିତି ଅଛି ?’’ ବେହେରାଙ୍କ ବଡ଼ପୁଅ ତରବର ହୋଇ ଉତ୍ତର ଦେଲା–ବୁଢ଼ା ଭଲ ଅଛି ।

 

ତା’ର କିଛି ସମୟ ପରେ ବେହେରାଙ୍କ ମଝିଆ ପୁଅ ବିନୋଦିଆ ସିକାରେ ଦି’ଟା ଦୁଧଭରା ଠେକି ବସେଇ ଡାହାଣ ହାତରେ ସିକାକୁ ଧରି ତରବରରେ ବଜାର ଆଡ଼କୁ ବାହାରି ଯାଉଥିବାର ଦେଖି ଡାକ୍ତର ଡାକିଲେ । ବିନୋଦିଆ କତିକୁ ଆସିବାରୁ ଡାକ୍ତର ପଚାରିଲେ–‘‘ହଇରେ, ବାପ କ’ଣ କରୁଥିଲା ? କିମିତି ଅଛି ?’’

 

ବିନୋଦିଆ ଉତ୍ତର ଦେଲା–‘‘ବାପା ଦାନ୍ତ ଘଷୁଥିଲା, ଭଲ ଅଛି..... ।’’

 

ବିନୋଦିଆ ଏତକ କହି ତରବରରେ ଅଧା ଦଉଡ଼ ଅଧା ଚାଲି ଅବସ୍ଥାରେ ବଜାର ଆଡ଼କୁ ମୁହିଁଲା ।

 

ଆଉ କିଛି ସମୟ ପରେ ବେହେରାଙ୍କର ସାନ ମଝିଆ ପୁଅ ଗୋଟାଏ ମାଛମରା ଜାଲ ଧରି ଖଣ୍ଡେ ବିଡ଼ି ଟାଣୁ ଟାଣୁ ଡାକ୍ତରଖାନା ସାମନା ଦେଇ ଗଲାବେଳେ ଡାକ୍ତରଙ୍କ ଦୃଷ୍ଟି ପଡ଼ିବାରୁ ସେ ତାକୁ ଡାକିଲେ । ସେ ବିଡ଼ିଖଣ୍ଡେ ଫୋପାଡ଼ି ଦେଇ ଡାକ୍ତରଙ୍କୁ ଓଳଗି ହେବାରୁ ଡାକ୍ତର ପଚାରିଲେ–‘‘କିରେ, ବାପ ଖବର କଣ ?’’

 

ସାନ ମଝିଆ ଉତ୍ତର ଦେଲା–‘‘ଆପଣଙ୍କ ଯୋଗୁଁ ମୋ ବାପା ଏଥର ବଞ୍ଚିଗଲା, ଆମେ ତ ଆଶା ଛାଡ଼ି ଦେଇଥିଲୁ ।’’

 

ଡାକ୍ତର କହିଲେ–‘‘ହଁ, ଭଲ ଅଛି ବୋଲି, ତୋ ଭାଇ ଦି’ଜଣ କହୁଥିଲେ ।’’

 

ବେହେରାଙ୍କ ପୁଅ ପୁଣି କହିଲା–‘‘ଭଲ ନାହିଁ, ଆଉ କ’ଣ ? କେତେ ଟାଣ ହେଇଗଲାଣି, ପୁଣି ପୂର୍ବପରି ପାଟି-ତୁଣ୍ଡ କରି ଘର କମ୍ପଉଛି, ଅଭିକା ତ ବୋଉ ସାଙ୍ଗରେ ପାଟିତୁଣ୍ଡ କରୁଥିଲା ନା କ’ଣ...... ।’’

 

ସାନ ମଝିଆ ବିଦାୟ ନେଲେ ।

 

ତା’ପରେ ବେହେରାଙ୍କ ସାନପୁଅ ଗୋଟାଏ ଗାଈକୁ ପଘାରେ ବାନ୍ଧି, ପଘାଧରି ଗାଈକୁ ଅଡ଼େଇ ନଉନଉ ମୁହଁରେ ଧାଡ଼ିଏ ହିନ୍ଦିଗୀତରୁ ‘ଯାଦୁ ନଗରୀ ସେ ଆୟା’.... ବୋଲି ବୋଲି ଡାକ୍ତର ବାବୁଙ୍କୁ ଦୃଷ୍ଟି ପଡ଼ିବାରୁ ଗୀତ ବୋଲିବା ବନ୍ଦକରି ଡାକ୍ତର ବାବୁଙ୍କୁ ଓଳଗି ହୋଇ ଭଲ ପିଲାପରି ଆସି ଡାକ୍ତର ବାବୁଙ୍କ ସାମନାରେ ଠିଆ ହେଲାରୁ ଡାକ୍ତର ବାବୁ ପଚାରିଲେ–‘‘କିରେ କୁଆଡ଼େ ଯାଉଛୁ ?’’

 

ସାନପୁଅ ଉତ୍ତର ଦେଲା–ଆଜ୍ଞା ଏ ଗାଈଟାକୁ ପଶୁଡାକ୍ତର ଖାନାକୁ ନଉଛି, ୟାର କ’ଣ ହେଇଛି ଆଦୌ ଖାଉ ନାହିଁ–।’’

 

ଡାକ୍ତର ବାବୁ–‘‘ଆଉ ସବୁ ଭଲ ?’’

 

ସାନପୁଅ–‘‘ହଁ, ଆଜ୍ଞା..... ।’’

 

ଏତକ କହି ବେହେରାଙ୍କ ପୁଅ ବିଦାୟ ନେଲା । କିଛି ସମୟ ପରେ ଡାକ୍ତର ବାବୁ ନିଜ କାମରେ ଲାଗିଛନ୍ତି, ରୋଗୀ ଭିଡ଼ିଗଲେଣି, ହଠାତ୍‌ ଗାଁ ଭିତରୁ ଗୋଟାଏ ପାଟିତୁଣ୍ଡ ହବାର ଶୁଣାଗଲା । ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଭାବିଲେ–କ’ଣ ଗୋଟାଏ ଗାଁ ଭିତରେ ଗୋଳମାଳ ଶୁଣାଯାଉଛି ! ଡାକ୍ତର ବାବୁ ଅଳ୍ପ ସମୟ କାନ ଡେରିବା ପରେ ଦେଖିଲେ–ଗାଁ ଭିତରୁ ବେହେରାଙ୍କ ସ୍ତ୍ରୀ ପାଗଳୀ ପରି କାନ୍ଦି କାନ୍ଦି ଡାକ୍ତରଖାନା ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛି ।

 

ବେହେରାଙ୍କ ସ୍ତ୍ରୀ ଡାକ୍ତରଖାନା ଭିତରକୁ ପଶିଆସି ଡାକ୍ତର ବାବୁଙ୍କ ଅଫିସ ଭିତରେ ଚଟାଣ ଉପରେ ଡାକ୍ତର ବାବୁଙ୍କ ଗୋଡ଼ତଳେ ଠୋ କରି ମୁଣ୍ଡ ବାଡ଼େଇ ଦେଇ କାନ୍ଦି କାନ୍ଦି କହିବାକୁ ଲାଗିଲା–‘‘ବୁଢ଼ା ଶୋଇଥିଲା, ମୁଁ କାହିଁକି ଡାକିଲାରୁ ଆଉ ଶୁଣୁ ନାହିଁ । କାଠପରି ପଡ଼ିଛି, ଆପଣ ଆସନ୍ତୁ, ଦେଖିବେ..... ।’’

 

ଡାକ୍ତର ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ–ମୁଁ କ’ଣ ଅଭିକା ତୁମର ପୁଅମାନଙ୍କୁ ପଚାରି ଖବରନେଲି, ବୁଢ଼ା ଭଲ ଅଛି ବୋଲି ସେମାନେ ସମସ୍ତେ କହିଗଲେ, ତୁମେ କ’ଣ କହୁଛ.... !

 

ବେହେରାଙ୍କ ସ୍ତ୍ରୀ କାନ୍ଦି ଦୁଃଖ କରି କହିଲା–‘‘ବାବୁ ସେମାନେ କ’ଣ ବାପକୁ କିଏ ଦେଖନ୍ତି ନା ବାପର ଖବର ଟିକିଏ ବୁଝନ୍ତି ? ଏଇଥିରୁ ବୁଝୁନାହାନ୍ତି–ପୁଅମାନେ ସକାଳୁ ଉଠି କିଏ କୁଆଡ଼େ ଗଲେଣି, ମୁଁ ବୁଢ଼ୀଟାଏ ସକାଳୁ ଉଠି ଘର କାମ ସାରି ବୁଢ଼ାଙ୍କ ଲାଗି ଗରମ ପାଣି କରି ବୁଢ଼ାକୁ ଦାନ୍ତ ଘଷେଇବା ପାଇଁ ଉଠେଇଲାରୁ, ଡାକି ଡାକି ଶୁଣୁ ନାହାନ୍ତି, ଆପଣ ଚାଲନ୍ତୁ ବୁଢ଼ାକୁ ଦେଖିବେ–।’’

 

ଡାକ୍ତର ବାବୁ ଆଶ୍ଚର୍ଯ୍ୟ ହୋଇ ଭାବିଲେ–କ’ଣ !! ପୁଅମାନେ ଖାଲି ଗୁଡ଼ାଏ ମିଛ ଖବର ଦେଇଗଲେ ! କେହି ପ୍ରକୃତ ଦେଖି ନାହାନ୍ତି !! ଆଗରୁ ପ୍ରବାଦ ଅଛି–‘‘ବହୁ ପୁତ୍ରେ ଦୁଃଖ ନାଶ’’, ଏତ ତା’ର ଠିକ୍‌ ଓଲଟା କଥା..... ।

 

ବେହେରାଙ୍କ ସ୍ତ୍ରୀଙ୍କ ଅନୁରୋଧ ଏବଂ ଆଉ କେତେକ ଗାଁ ଲୋକଙ୍କ କଥାରେ ଡାକ୍ତର ଯାଇ ବେହେରାଙ୍କ ଘରେ ବେହେରାଙ୍କୁ ପରୀକ୍ଷା କରି ଯାହା ମତ ପ୍ରକାଶ କଲେ, ସେଥିରୁ ଜଣା ପଡ଼ିଲା–ବେହେରା ନିଜର ସ୍ଥାବର ଅସ୍ଥାବର ସଂପତ୍ତି, ବନ୍ଧୁ, କୁଟୁମ୍ବ, ସ୍ତ୍ରୀ, ପୁତ୍ର, ଗାଈ, ମଇଁଷି ଇତ୍ୟାଦିଙ୍କ ମାୟା କାଟି, ସ୍ତ୍ରୀର ଗଭୀର ନିଦ୍ରାବସ୍ଥାରେ ସ୍ୱର୍ଗରେ ହେଉ ବା ନରକରେ ହେଉ ଏକାକୀ ଗତ ରାତିରୁ, ବଙ୍କୁଲୀ ବାଡ଼ିର ବିନା ସାହାଯ୍ୟରେ ଯାଇ ପହଞ୍ଚି ସାରିଲେଣି.... ।

Image

 

Unknown

ସଧବା

 

ଅ-ଅ-ଅ-ଗଳ-ଗଳ-ଗଳ ବୋପାଲୋ, ଆଉ ବଞ୍ଚିବିନାହିଁ ଲୋ–ଅ-ଅ-ଅ-ଗଳ-ଗଳ-ଗଳ’ ମରିଗଲିଲୋ, ବାପ ଆଉ ବଞ୍ଚିବି ନାହିଁ.... !

 

ବାନ୍ତି କରିବାର ଶବ୍ଦ ଶୁଣି ଅନନ୍ତ ବାବୁଙ୍କର ନିଦ ଭାଙ୍ଗିଗଲା,–କିଏ ବାନ୍ତି କରୁଛି ? ଅ-ଅ-ଅ-ଗଳ-ଗଳ-ଗଳ’ ଟୋପାଏ ପାଣି, ଓଃ ଛାତି କ’ଣ ହେଇଯାଉଛି..... !!

 

ଅନନ୍ତ ବାବୁ ଝଟ୍‌କରି ବିଛଣାରୁ ଉଠିଯାଇ ଦେଖନ୍ତି, ନିଜ ସ୍ତ୍ରୀଙ୍କର ବାନ୍ତି ହେଉଛି ।

 

ଅନନ୍ତ ବାବୁ ପଚାରିଲେ–କ’ଣ ବାନ୍ତି ହେଲା କାହିଁକି ?

 

ସ୍ତ୍ରୀ ପୁଣି ଥରେ ବାନ୍ତି କରୁ କରୁ କହିଲେ–ମୋଟେ ହଜମ ହେଲା ନାହିଁ, ପେଟ ମୋଡ଼ି ମୋଡ଼ି ହେଲା, ବାନ୍ତି ମଡ଼େଇଲା ।

 

ଅନନ୍ତ ବାବୁ ଛାନିଆ ହୋଇଗଲେ, ରାତି ନିଶବଦ କେହି କୁଆଡ଼େ ନାହାନ୍ତି । ସାହିଘରେ କିଏ କୁଆଡ଼େ ଶୋଇଛନ୍ତି, କ’ଣ କରିବେ ?

 

କିଛି ସମୟ ପରେ ସ୍ତ୍ରୀ ମୁହଁ ହାତ ଧୋଇ ଆସି ବିଛଣାରେ ଶୋଇଲେ, ପେଟର ଯନ୍ତ୍ରଣା ବନ୍ଦ ହୋଇନାହିଁ ।

 

ଅନନ୍ତ ବାବୁ କହିଲେ ଆଚ୍ଛା, ଯା’ ବାହାରି ଯିବାର ବାହାରି ଯାଉ ଭୟ କରନା, ମୁଁ ମନା କରୁଛି ତୁମେ ଏତେ ମାଛ ଖାଅନା, ମାନିଲ ନାହିଁ । ତା’ର ଫଳ ତୁମେ ଭୋଗିବ ନାହିଁ ତ ଆଉ କିଏ ଭୋଗିବ ?

 

ଅନନ୍ତ ବାବୁଙ୍କର କଥା ଶେଷ ନ ହେଉଣୁ ପୁଣି ସ୍ତ୍ରୀ ବାରନ୍ଦାକୁ ଉଠିଯାଇ ପୂର୍ବ ପରିଚିତ ଛନ୍ଦରେ; ଆରମ୍ଭ କଲେ ଅ-ଅ-ଅ-ଗଳ-ଗଳ-ଗଳ; ମରିଯିବି ଲୋ, ଆଉ ବଞ୍ଚିବି ନାହିଁ, ଆଉ ବଳ ପାଉନାହିଁ ଇତ୍ୟାଦି......

 

ଅନନ୍ତବାବୁ ସ୍ତ୍ରୀଙ୍କର ପିଠି ଆଉଁସିଦେଲେ, ପାଣି ଯୋଗେଇ ଦେଲେ–କୁଳକୁଚା କରିବାପାଇଁ, ମୁହଁ ଧୋଇବାପାଇଁ, କିନ୍ତୁ ଘରେ ଚାକର ବାକରଙ୍କୁ ଡାକିଲେ ନାହିଁ, କାରଣ ଉଠିଲେ ଏତେ ରାତିରେ ବାନ୍ତି ହେବାର ଦେଖି ଭୟ କରିବେ, ପିଲାମାନେ ଶୋଇଥା’ନ୍ତି ।

 

ଅନନ୍ତବାବୁଙ୍କ ମନଟା ପାପ ଆଡ଼କୁ ଧାଇଁଲା–କ’ଣ ହେବ ? କଲେରା ନୁହେଁ ତ !

 

ସ୍ତ୍ରୀ ଆସି ପୁଣି ସ୍ୱ-ଶଯ୍ୟାରେ ଶୋଇଲେ, ଅନନ୍ତବାବୁ କହିବାକୁ ଲାଗିଲେ–ମୁଁ ମନାକରୁଛି । ଭୋଜି ମାଛ ପୁଣି ସଜ, ବାସି, କିଛି ବାରଣ ରଖିଲ ନାହିଁ.... ।

 

ସ୍ତ୍ରୀ ଖଟ ଉପରେ ଶୋଇ ପେଟ ଚିପୁ ଚିପୁ କହିଲେ–କିଛି ତ ଖାଇ ହେଲାନି, ଆଇଁଷ ଟିକିଏ ନେଇ ନ ଖାଇବି ତ, ଆଉ କ’ଣ ଲଗେଇ ଖାଇବି ? କି ମାଛ ଖାଇଲି ଯେ, ସେଇଥିରେ ଏତେ କଥା !

 

ଅନନ୍ତବାବୁ ପ୍ରତ୍ୟୁତ୍ତରରେ କହିଲେ–ଅଭିକା କ’ଣ ହଉଛି, କିଏ କଷ୍ଟ ପାଉଛି ?

 

ସ୍ୱାମୀଙ୍କ କଥା ଶେଷ ନ ହେଉଣୁ ରଙ୍ଗମଞ୍ଚରେ ଦୃଶ୍ୟ ପରିବର୍ତ୍ତନ ପରି ସ୍ତ୍ରୀ ପୁଣି ଖଟ ଉପରୁ ବାରନ୍ଦାକୁ ଉଠିଯାଇ ଗଦ୍ୟ ଛନ୍ଦରେ ଗୁଡ଼ିଏ ଭାତ, ମାଛ କେଉଁ ଦିନର ସଜନାଶାଗ ଉଦ୍‌ଗାର କରୁ କରୁ କହିଲେ–ଆଉ ବଞ୍ଚିବି ନାହିଁ, ମୋ ପିଲାଛୁଆ ରହିଲେ, ତୁମକୁ ଲାଗିଲା ।

 

ଏଥର ଅନନ୍ତବାବୁ ଦେଖିଲେ–ସ୍ତ୍ରୀ ପ୍ରକୃତ ଦୁର୍ବଳ ହୋଇ ପଡ଼ିଲେଣି, ତାଙ୍କ ହାତ ଧରି କୌଣସିମତେ ଆଣି ବିଛଣାରେ ଶୋଇଦେଲେ । ସ୍ତ୍ରୀ କାନ୍ଦ କାନ୍ଦ ହୋଇ କହିଲେ–ଆଉ ମୋ ଗୋଡ଼ ହାତ ଚଳୁନାହିଁ, ଆଉ ବଞ୍ଚିବି ନାହିଁ, ମୋ ପିଲାଛୁଆ ତୁମକୁ ଲାଗିଲେ.... ।

 

ଏଥର ଅନନ୍ତବାବୁ ସ୍ତ୍ରୀଙ୍କର ଆଶୁ ସ୍ୱର୍ଗାରୋହଣର ଆଶଙ୍କାରେ ବ୍ୟଥିତହୋଇ ଭଗବାନଙ୍କଠାରୁ ଆରମ୍ଭ କରି ଗ୍ରାମଦେବତୀ ପର୍ଯ୍ୟନ୍ତ ସ୍ମରଣକରି ସ୍ତ୍ରୀଙ୍କର ଏ ଯାତ୍ରା ସ୍ଥଗିତ କରିବାପାଇଁ ମନେ ମନେ ପ୍ରାର୍ଥନା କଲେ । ସେଥିରେ ମଧ୍ୟ ମନ ଥୟ ହେଲା ନାହିଁ । କେଉଁ ଦିନର ଗୋଟିଏ ଶିଶିରେ କ’ଣ ହଜମି ଔଷଧ କେଇପାନ ଥିଲା, ଅନନ୍ୟୋପାୟ ହୋଇ ସେଥିରୁ ପାନେ ଖୁଆଇଦେଲେ, ଔଷଧ ଖାଇବାର କିଛି ସମୟ ପରେ ସ୍ତ୍ରୀ ଶୋଇପଡ଼ିଲେ ।

 

ଅନନ୍ତବାବୁଙ୍କର ମନରେ କେତ ସନ୍ଦେହ ଉପୁଜିଲା–ସ୍ତ୍ରୀର ପ୍ରକୃତ ନିଦ୍ରା ନା, ସ୍ୱର୍ଗାରୋହଣ ପୂର୍ବରୁ Preparatory leave । କ’ଣ କରିବେ, ଆଖ ପାଖରେ କେହି ଚିକିତ୍ସକ ନାହାନ୍ତି ଯେ କାହାକୁ ଯାଇ ଡାକି ଆଣିବେ, ସେଥିରେ ପୁଣି ନିଶା ଗର୍ଜ୍ଜୁଛି ।

 

ଅନନ୍ତବାବୁ ନିଜ ଜ୍ଞାନ ବୁଦ୍ଧିରେ ଠିକ୍‌ କଲେ–ନା, ଏ ସ୍ତ୍ରୀଙ୍କର ପ୍ରକୃତ ନିଦ୍ରା ।

 

ସ୍ତ୍ରୀଙ୍କର ନିଦ୍ରାବସ୍ଥାରେ ନିଜେ ଯାଇ ସ୍ତ୍ରୀ ଉଦ୍‌ଗାର କରିଥିବା ଅର୍ଦ୍ଧଜୀର୍ଣ୍ଣ ଆହାର ସବୁ ଧୁଆହୋଇ କରି ପରିଷ୍କାର କରିଦେଲେ । କାରଣ ସକାଳେ ପିଲାମାନେ ଉଠିଲେ, ଚାକର ବାକର ଉଠିଲେ, ଏ ସବୁ ଦେଖି ଭୟଭୀତ ହୋଇପାରନ୍ତି ।

 

ଅନନ୍ତବାବୁ କିଛି ସମୟ ସ୍ତ୍ରୀକୁ ଚାହିଁ ବସି ରହିଲେ । ମନ ମଧ୍ୟରେ କେତେ ଗୁରାଏ କଥା ଉଠିଲା, ପଡ଼ିଲା–ସ୍ତ୍ରୀଙ୍କର ଅକାଳ ବିୟୋଗ, ପୁଣି ଦାର ପରିଗ୍ରହ, ଯୌତୁକ, ସାବତମା’ର ପିଲାଙ୍କପ୍ରତି ଅତ୍ୟାଚାର–ନା, ସ୍ତ୍ରୀଙ୍କର ଆଉ କିଛି, ହବ ନାହିଁ । ସେଇ ସଂସାର, ହସ ଖେଳରେ ଦିନ ଯିବ, ଯେମିତି ଚାଲିଛି, ନା, ବୋଧହୁଏ ଏ ସ୍ତ୍ରୀ ତାଙ୍କୁ ଭୋଗ ହେବନାହିଁ । କାହିଁ କୌଣସି ଜ୍ୟୋତିଷ ତ କେବେ ତାଙ୍କୁ ଦୁଇଟି ପତ୍ନୀଯୋଗ ଥିବାର କହିନାହାନ୍ତି !

 

ଏମିତି ଭାବୁ ଭାବୁ ଅନନ୍ତବାବୁଙ୍କୁ କେତେବେଳେ ନିଦ ଆସିଲା, ସେ ଶୋଇ ପଡ଼ିଲେ, ତାଙ୍କୁ ଜଣାନାହିଁ ।

 

ତହିଁ ଆର ଦିନ ସକାଳେ ଯେତେବେଳେ; ତାଙ୍କର ନିଦ୍ରା ଭଙ୍ଗହୁଏ, ସେତେବେଳକୁ ଚାରିଆଡ଼େ ଖରା ପଡ଼ିଗଲାଣି, ଯେ ଯା’ର କାମରେ ଲାଗି ପଡ଼ିଲେଣି । ଅନନ୍ତବାବୁ ଉଠିଲା ବେଳକୁ ସ୍ତ୍ରୀ ଯାଇ ରୋଷେଇ ଘରେ ଜଳଖିଆ ତିଆରି କରିବାରେ ଲାଗିଛନ୍ତି ।

 

ଅନନ୍ତବାବୁ ପଚାରିଲେ–ଦିହ କିମିତି ଲାଗୁଛି ? ସ୍ତ୍ରୀ–ଟିକିଏ ଦୁର୍ବଳ ଲାଗୁଛି, ସେ କିଛି ନୁହଁ ।

 

ଅନନ୍ତବାବୁ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଜଣେଇ ସ୍ତ୍ରୀଙ୍କୁ କହିଲେ–ଦେଖ, ଆଜି ଟିକିଏ ଖାଇବାକୁ ଜଗିଯାଅ, ଆଉ ମାଛ ଘରେ ପୂରେଇବାକୁ ଦିଅନାହିଁ ।

 

X X X

 

ସକାଳର ସୂର୍ଯ୍ୟ ମଥାନକୁ ଉଠିଲେ, ଦୂରରେ ମରୀଚିକାର ଖେଳ ଦେଖି ପଥିକର ଆଖି ଝଲସିଗଲା । ବିଲ ପାଟରେ ଜମିଥିବା ପାଣି ଚକ୍‌ ଚକ୍‌ ଦିଶିଲା ।

 

ଅନନ୍ତବାବୁ ଭାତ ଖାଇ ବସିଲେ, କତିରେ ସ୍ତ୍ରୀ କାନ୍ଥକୁ ଆଉଜି ବସିଥାନ୍ତି । ଅନନ୍ତବାବୁ ଯେମିତି ଖାଲି ଭାତ, ଡାଲି, ତରକାରି ଖାଇବାକୁ ଆଶା କରିଥିଲେ, ଠିକ୍‌ ସେହିପରି ସ୍ତ୍ରୀ କଥା ମାନି ସବୁ କରିଛନ୍ତି । ଅନନ୍ତ ଖାଉ ଖାଉ ସ୍ତ୍ରୀଙ୍କୁ କହିଲେ–ଦେଖ, ଅଭିକା ଦୁଇ ଚାରିଦିନ ମାଛ ଏକବାରେ ଘରେ ପୁରେଇବାକୁ ଦିଅନା ।

 

ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ କଥାରେ ପାଳି ଧରିଲାପରି କହିଲେ–ଆଉ ମାଛ, ଦୁଇ ଚାରିଦିନ କ’ଣ କହୁଛ ? ହପ୍ତାଏ ଯାଉ, ପନ୍ଦରଦିନ ଯାଉ, ଆଉ ମୁଁ ମାଛ କିଣୁଛି ? କାଲି ମରିଯାଇଥାନ୍ତି, ଆଉ ସେ ମାଛ ନାଁ ଧରନା.... ।

 

ଅନନ୍ତବାବୁ ଖାଇସାରି ଉଠି ହାତ ମୁହଁ ଧୋଇ ବିଛଣାରେ ପଡ଼ିବାକୁ ଯାଉଛନ୍ତି, ଏତିକିବେଳେ ଦାଣ୍ଡଆଡ଼ୁ ଶୁଣାଗଲା–‘ସାନ୍ତାଣୀ ମାଛ ରଖିବ କି ? ଆଜି ଭଲ ମାଛ ଆଣିଛି, ତୁମେ ଯେମିତି ମାଛ ଖୋଜୁଥିଲ ।’

 

ନାଗୁଆଣୀ ମାଛବାଲି କଥାର ଏ କେତେଟା ଧାଡ଼ି ଅନନ୍ତବାବୁଙ୍କ କାନରେ ବାଜିଲା । ଅନନ୍ତାବବୁ ଶୁଣି ନ ଶୁଣିଲା ପରି ବିଛଣାରେ ପଡ଼ୁ ପଡ଼ୁ ସ୍ତ୍ରୀ ଏବଂ ମାଛବାଲିର କଥୋପକଥନଗୁଡ଼ାକ କ୍ରମଶଃ ଅସ୍ପଷ୍ଟ ହୋଇ ଶୁଣାଗଲା । ଗତ ରାତିରେ ଭଲ ନିଦ ହୋଇନାହିଁ । ଏଣୁ ଅନନ୍ତ ବାବୁ ବିଛଣାରେ ପଡ଼ିଲା ମାତ୍ରେ ତାଙ୍କୁ ଆଉ କିଛି ଜଣାନାହିଁ ।

 

X X X

 

ଛେଁ-ଛେଁ-ଛେଁ-କଳ-କଳ, ଛେଁ ଛେଁ ଅନନ୍ତବାବୁଙ୍କ ନିଦ୍ରା ଭଙ୍ଗ ହେଲା, ପୁଣି ସେହି ଶବ୍ଦ–ଛେଁ-ଛେଁ-ଛେଁ-କଳ-କଳ ଘର ଅଗଣା ସବୁ ମାଛ ଭଜାର ଗନ୍ଧରେ ଭରପୁର । କ’ଣ ମାଛଭଜା ହେଉଛି ନା କ’ଣ ! ମାଛ କିଏ ଭାଜୁଛି ? ଅନନ୍ତବାକୁ ରୋଷେଇ ଘରକୁ ଯାଇ ଦେଖନ୍ତି–ସ୍ତ୍ରୀ ବେଶ୍‌ ତତ୍‌ପରତାର ସହିତ କେତେକ ମାଛ ଖଣ୍ଡକୁ କରେଇରେ ଲେଉଟାଇାବାରେ ଲାଗିଛନ୍ତି ।

 

ଅନନ୍ତବାବୁ ପ୍ରଶ୍ନ କଲେ–ଏ କ’ଣ ! ତୁମେ ପୁଣି ମାଛ କିଣି ମାଛ ଭାଜିବାରେ ଲାଗିଛ-?

 

ସ୍ତ୍ରୀ ଉତ୍ତରଦେଲେ–ହଁ, ମାଛ ଭାଜିବି ନାହିଁ କାହିଁକି, ମୁଁ ଆଦୌ ଭାତ ଖାଇ ପାରୁନାହିଁ ?

 

ଅନନ୍ତ ବାବୁ କହିଲେ–କାଲି ରାତିସାରା ଶୋଇବାକୁ ଦେଇନା, କାଲି ରାତିକଥା ଭୁଲିଗଲଣି ।

 

ସ୍ତ୍ରୀ ଆହୁରି ଟିକିଏ ଚଢ଼ାକଣ୍ଠରେ ଉତ୍ତର ଦେଲେ–ମଲେ ମରିବି । ମୁଁ ସଧବା, ମୁଁ ଆଇଁଷ ଛାଡ଼ି ରହି ପାରିବିନି । ସେ ଅଲକ୍ଷଣା କଥାଗୁଡ଼ାକୁ ମୋତେ କହନା, ତୁମେ ଗଲ ଏଠୁ ।

 

ଅନନ୍ତ ବାବୁ ପ୍ରତ୍ୟୁତ୍ତରରେ କହିଲେ–ଓଃ, ତୁମେ ତେବେ ଖାଲି ସଧବା ନୁହଁ–ସଧବା ଅହ୍ୟସୁଲକ୍ଷଣୀ ହୋଇ ଯିବାକୁ ବି ଚାହଁ ।

 

ଗୃହିଣୀ ଦାନ୍ତ କାମୁଡ଼ି କହିଲେ–ହଁ ସେଇୟା ତମେତ ସେଇୟା ପାଞ୍ଚିଛ–ମୁଁ ମଲି ତ ଭଲ କଲି–ଆଚ୍ଛା କଲି–ତମର କ’ଣ ଗଲା ?

 

ଅନନ୍ତ ବାବୁଙ୍କ ମୁହଁରୁ ଖାଲି ବାହାରି ଆସିଲା ପଦେ କଥା–‘‘ଠାକୁରେ’’.... ।

Image

 

ମନାନମିଆଁ ମଟର ଗାଡ଼ି

 

ଗାଁ ଶେଷ ମୁଣ୍ଡରେ ଖଣ୍ଡିଏ ଚାଳଘର, ଚାଳ ଉପରେ ଲାଉ ଗଛ ଲଟିଥାଏ । ଘର ସାମନାରେ କେତେଗୁରାଏ କୁକୁଡ଼ା ଚରୁଥା’ନ୍ତି । କେତେଟା ଛେଳି ଅଳ୍ପ ଦୂରରେ ବନ୍ଧା ହୋଇଥାନ୍ତି, ଆଉ ଦି’ ଚାରିଟା କୁକୁର ଘର ଦୁଆର ମୁହଁକୁ ଜଗି ଶୋଇଥାନ୍ତି । ମନାନ୍‌ମିଆଁ ଘର ଦୁଆର ମୁହଁର ଅଳ୍ପ ଦୂରରେ କେହି ନବାଗତ ଲୋକ ପାଦ ପକାଇବା ପାଇଁ ସାହସ କରନ୍ତି ନାହିଁ କୁକୁରଙ୍କ ଭୟରେ । କାଉଟାଏ ବସିଲେ କୁକୁର ଗୋଡ଼େଇ ଯାଆନ୍ତି ।

 

ମନାନ ମିଆଁ ଘରର ପଶ୍ଚିମ ଆଡ଼କୁ ଅଳ୍ପ ଦୂରରେ ଖଣ୍ଡେ ପୁରୁଣା ଛୋଟିଆ ଜୀର୍ଣ୍ଣ-ଶୀର୍ଣ୍ଣ ମଟର ଗାଡ଼ି ଥୁଆ ହୋଇଥାଏ ।

 

କୁକୁରଗୁରାକ ବେଳେବେଳେ ଖରା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ସେହି ମଟରଗାଡ଼ି ତଳେ ଶୋଇଥା’ନ୍ତି ।

 

ମନାନ୍‌ମିଆଁକୁ ଅନେକ ଲୋକ ଆସି ଡାକନ୍ତି । ଦିନ ତମାମ ଅନ୍ତତଃ ଆଠ ଦଶଜଣ ଲୋକ, ଜଣକେ ଗୋଟାଏ ଦି’ଟା ବଳଦ ଆଣି ମନାନ୍‌ମିଆଁକୁ ଡାକ ପକାନ୍ତି–ମନାନ୍‌ମିଆଁ ଘରେ ଅଛ କି ? ମନାନ୍‌ମିଆଁ ଘରେ ଅଛ କି ?

 

କେହି କେହି ‘ମନା’ ମିଆଁ ଡାକ ଛାଡ଼ନ୍ତି ।

 

ମନାନ୍‌ ମିଆଁର ବେପାର ହେଲା ବଳଦଙ୍କ ଗୋଡ଼ରେ ନାଲ ମାରିବା । ସେ ଅଞ୍ଚଳ ଖଣ୍ଡକରେ ମନାନ୍‌ ମିଆଁ ଛଡ଼ା ବଳଦ ଗୋଡ଼ରେ ନାଲ ମାରିବା କାମ କେହି କରିପାରନ୍ତି ନାହିଁ । ଆଉ ମନାନ୍‌ମିଆଁର ବେପାର ହେଲା–ସେ ଲୋକଙ୍କୁ କେତେ ଠୁଣୁଠୁଣୁକିଆ ଔଷଧ ଦବା, ପିଲାଙ୍କୁ ଝାଡ଼ ଫୁଙ୍କ କରିବା, କେତେକ ବୋହୂ ଝିଅ–ଯାହାକୁ ଭୂତ, ପ୍ରେତ, ଡାହାଣୀ ଲାଗିଲା–ତାଙ୍କୁ ଝାଡ଼ି ଫୁଙ୍କି ଔଷଧି ଦେଇ ଭଲ କରିବା, ଯେଉଁ ଘରେ ଭୂତ, ପ୍ରେତ, ଡାହାଣୀ ଆଶ୍ରାକରେ, ସେଠୁଁ ସେମାନଙ୍କୁ ତଡ଼ିବା । ମନାନ୍‌ମିଆଁକୁ ଗୁଣିଟୁଣି ଜଣାଅଛି । ଏକଥା ସମସ୍ତେ ଜାଣନ୍ତି ।

 

ଯେ କେହି ଆସି ବଳଦ ନେଇ ଡାକ ପକେିଲେ, ମନାନ୍‌ମିଆଁ ତା’ର ଅଖା ମୁଣିରେ ଥିବା ନାଲ ମାରିବାର ହାତ ହତିଆର ଘେନି ପଦାକୁ ବାହାରିପଡ଼େ । ‘କିଏ ଡାକୁଛି’ ଏଣେ ତେଣେ ଚାହେଁ, ଲୋକଙ୍କୁ କତିକି ଡାକି ବଳଦ ଗୋଡ଼ରେ ନାଲ ମାରେ ।

 

ମନାନ୍‌ମିଆଁର ଦୁଇ ପୁଅ–ହୁମା, ଦୁମା । ମନାନ୍‌ମିଆଁ ଘରେ ନଥିଲେ; ହୁମା, ଦୁମା କେହି ଥିଲେ ମଧ୍ୟ ବଳଦ ଗୋଡ଼ରେ ବେଳେବେଳେ ନାଲ ମାରନ୍ତି ।

 

ବଳଦ ଗୋଡ଼ରେ ନାଲ ମାରିଲାବେଳେ ଅନେକ ରକମ ଗପ ପଡ଼େ । ଅନେକେ ମନାନ୍‌ମିଆଁକୁ, ଆଉ କେତେକ ହୁମା, ଦୁମାକୁ କହନ୍ତି–ଭାଇ ଏ ଗାଡ଼ି ଖଣ୍ଡକ ଇମିତି ପକେଇ ରଖିଛ କାହିଁକି ? ତାକୁ ମରାମତି କରି ଚଳେଇଲେ, ଅନେକ ପଇସା ରୋଜଗାର ହୁଅନ୍ତା, କେତେ ଲୋକଙ୍କର ସୁବିଧା ହୁଅନ୍ତା, ଯୋଉ ହଇରାଣ ହଉଛନ୍ତି ଲୋକେ ଷ୍ଟେସନ ଯିବା ଆସିବା କରିବା ପାଇଁ ।

 

ଜଣେ କହେ–ଛ’ ମାଇଲ ବାଟ ! ସେ କିଛି ନୁହେଁ, କିନ୍ତୁ ଯୋଉ ଜଙ୍ଗଲ, ଦିନ ବେଳେ ତ ମନେ ହେଉଛି, ବାଘ ନେଇଯିବ, ରାସ୍ତା ଦି’ ପାଖରେ କି ଜଙ୍ଗଲ !!!

 

ଆଉ ଜଣେ କହେ–ଖାଲି ବାଘ ନେଇଯିବ ? କାହିଁକି ହାତୀ, ଭାଲୁ, ବାର୍‌ହ, ସାପ କ’ଣ ନାହିଁ ? ସେ ଜଙ୍ଗଲରେ ଖାଲି କ’ଣ ଜଙ୍ଗଲୀ ଜନ୍ତୁ, ମଣିଷ–ଜନ୍ତୁ କ’ଣ କମ ଅଛନ୍ତି ! ଡକେଇତି କ’ଣ କମ ହଉଛି ସେ ବାଟରେ !! ଦିନ ଦି’ପହରରେ ଏକୁଟିଆ ପାଇଲେ ତଣ୍ଟି କାଟି ଦେବେ, ଜିନିଷ ପତ୍ର ଯାହାଥିବ, ଛଡ଼େଇ ନେବେ.... ।

 

ଏମିତି ଅନେକ ରକମ ଗପ ସେହି ଭଙ୍ଗା ଗାଡ଼ି ଖଣ୍ଡକୁ କେନ୍ଦ୍ର କରି ପଡ଼େ । ମନାନ୍‌ମିଆଁକୁ କହିଲେ, ମନାନ୍‌ମିଆଁ କହେ–ମୁଁ ହୁମାକୁ ଆଗେ ବାହାଦିଏ, ତା’ପରେ ସେ ଗାଡ଼ି ମରାମତି କରିବି, ସେଥିରେ ପୁରା ପାଞ୍ଚଶହ ଟଙ୍କା ଲାଗିବ । ଦେଖୁଛୁ କ’ଣ, କହୁଛୁ କ’ଣ ? ଦି ଦି’ଟା ଭେଣ୍ଡା ପୁଅ, ଗୋଟାଏ ପଇସା କେହି ମୋତେ ଦେଉଛନ୍ତି ? ଯେ ଯାହା ରୋଜଗାର କଲେ, ସେ ତାଙ୍କର ପାଣ୍ଠି କଲେ । ହୁମାକୁ ମନା କରୁଛି, ସେ ଗାଡ଼ିଟାକୁ କିଣି ଆଣିଲା, ଆରେ ଖାଲି କିଣି ଆଣିଲେ ହେଲା ? ତାକୁ ଚଳେଇ, ସେଥିରୁ ଦି’ପଇସା ବାହାର କଲେ ହବନା.... ।

 

ଜଣେ କହେ–କାହିଁକି, ତୁମକୁ ତ ଡ୍ରାଇଭର ରଖିବାକୁ ପଡ଼ିବ ନାହିଁ ତୁମର ବଡ଼ ପୁଅ ହୁମା ନିଜେ ଡ୍ରାଇଭର ନିଜେ ଚଳାଇବ ।

 

ମନାନ୍‌ମିଆଁ ଅଳ୍ପ କାଶୁ କାଶୁ ଉତ୍ତର ଦିଏ–ବୁଝିଲ ଭାଇ, ପୁଅ ଡ୍ରାଇଭର ଯେ, ତାକୁ ପରା ବାହାଦେଇ ନାହିଁ ବୋଲି ସେ ଘରେ ପଶୁ ନାହିଁ । ସେ ବାହାର ଗାଡ଼ି ଚଳଉଛି, ବଡ଼ ଲୋକଙ୍କ କତିରେ ଅଛି, Bedford, Studibeaker, Cheverlate, Ambasador କେତେ ଦାମିକା ଗାଡ଼ି ଚଳଉଛି, ଏ ଗାଡ଼ି କ’ଣ ସେମିତି ହୋଇଛି ? ଏ ଗାଡ଼ି ଯେତେବେଳେ କିଣିଥିଲା, ତା’ ମନଟା ବି ସେମିତି ଥିଲା । ସେତେବେଳେ ସେ ଏ ଗାଁର ସିଙ୍ଘାଣୀନାକି ଝିଅଙ୍କ ସାଥିରେ ଲଟପଟ ହେଉଥିଲା । ଅବିକା ତା’ମନ କାହିଁରେ କ’ଣ, ସେ ଅବିକା ଖୋଜୁଛି–Bedford, Studibeaker, Cheverlate, କି Ambasador ଗାଡ଼ିଭଳି ଭାରିଯାଟାଏ..... ।

 

ଜଣେ କହିଲା–କ’ଣ ମନାନ୍‌ ଭାଇ, ସେଗୁରାକ ବକି ଯାଉଛୁ ? ତୁମେ ଯା’ କର, ଗାଡ଼ିଟାକୁ ଶୀଘ୍ର ମରାମତି କର ।

 

ମନାନ୍‌ ମିଆଁ ଦୁଃଖ ଭରା କଣ୍ଠରେ ଉତ୍ତର ଦିଏ–ହଉ ତୁମମାନଙ୍କର ନିଶ୍ୱାସ, ଆଉ ଆଲ୍ଲାଙ୍କର ଯଦି ବରାଦ ଥିବ, ସେ ଗାଡ଼ି ଚାଲିବ.....

 

ଖାଲି ଯେ ଯେ ଗାଉଁଲି ଲୋକମାନେ ମନାନ୍‌ମିଆଁକୁ ଗାଡ଼ିକି ମରାମତି କରି ଚଳେଇବା ବିଷୟରେ ଉପଦେଶ ଦିଅନ୍ତି, ପରାମର୍ଶ କରନ୍ତି, ଗାଡ଼ି ଚଳେଇଲେ ତା’ର ଭଲ ଫଳର ଚେତାବନୀ ଶୁଣାନ୍ତି, ଆଉ ଅନୁରୋଧ କରନ୍ତି ତା’ ନୁହେଁ, ସେହି ଯାଗାର ଅଫିସରମାନେ ଯେମିତିକି ଡାକ୍ତର, ରେଞ୍ଜର, ଥାନା ଅଫିସର, ପଶୁ ଡାକ୍ତର, ଓଭରସିଅର–ଏମାନେ ମଧ୍ୟ ବେଳେବେଳେ ମନାନ୍‌ମିଆଁକୁ ଭେଟିଲେ, ଅନୁରୋଧ କଲାଭଳି କହନ୍ତି–କ’ଣ ମନାନ୍‌ମିଆଁ, ଗାଡ଼ି ଖଣ୍ଡକୁ ପକେଇ ରଖିଛ କାହିଁକି ? ମରାମତି କର, ଚଳାଅ, ଆମେ ଭାରି ହଇରାଣ ହେଉଛୁ, ଷ୍ଟେସନ ଯିବା, ଆସିବା ପାଇଁ । ତୁମେ ଏଠା ବାସିନ୍ଦା, ତୁମକୁ ବିଶେଷ କୁଆଡ଼େ ଯିବା ଆସିବାକୁ ପଡ଼ୁନି । ଆମେମାନେ ଚାକିରିଆ । ଭାରିଯା ପିଲା ଛାଡ଼ି ବାହାରେ ପଡ଼ିଛୁ । ବେଳେବେଳେ ଘରକୁ ଯିବାକୁ ପଡ଼ୁଛି । ଯିବା ଆସିବା ପାଇଁ ଯା’ କଷ୍ଟ ଭୋଗୁଛୁ, କ’ଣ କହିବୁ ।

 

ମନାନ୍‌ମିଆଁ ସ୍ଥାନୀୟ ଅଫିସରମାନଙ୍କ ଏ କଥା ଶୁଣି ରାସ୍ତା ଉପରେ ଅଟକିଯାଇ ମୁଣ୍ଡ କୁଣ୍ଡେଇ ହେଲାଭଳି ମୁଣ୍ଡରେ କେତେକ ଅଙ୍ଗୁଳି ଚାଳନା କରି ଦି’ଥର କାଶି ତିନିଥର ଛିଙ୍କି ଉତ୍ତର ଦେବାକୁ ଆରମ୍ଭ କରି ଯାହା ଉତ୍ତର ଦିଏ, ସେଥିରେ ଭାରତର ମୋଗଲ ବାଦଶାହାଙ୍କ ଯୁଗରୁ ଆରମ୍ଭ କରି ଯେଉଁ ଇତିହାସ ଶୁଣାଏ, ସେ କୌଣସି ଘଟଣା ଇତିହାସରେ ମିଳିବ ନାହିଁ । ଯେଉଁ କେତୋଟି ଧର୍ମଗ୍ରନ୍ଥରୁ ଶ୍ଳୋକର ଆବୃତ୍ତି କରି ଶୁଣାଏ କୋରାନ, ବାଇବେଲ, ଗୀତାରେ ତା’ର ସତ୍ତା ନାହିଁ । ନିଜର ଭଙ୍ଗା ଗାଡ଼ି ଖଣ୍ଡକ ବିଷୟରେ ଭୂମିକା ସହ ଯାହା ମନ୍ତବ୍ୟ ପ୍ରକାଶ କରେ, ସେଥିରେ ବୁଝାଯାଏ ଯେ, ଗାଡ଼ି ଖଣ୍ଡକର ଆଉ ଉପମା ନାହିଁ । ସେ ଗାଡ଼ି ଖଣ୍ଡକ କେବଳ ତା’ରି ଉପମା । ଅନନ୍ୟସାଧାରଣ ଅତୁଳନୀୟ, ଶେଷରେ କୁହେ–ବାବୁ, ଏ ହେଲା ୧୯୫୧ ମସିହା, ଦେଖନ୍ତୁ ଏଇ ୧୯୫୧ ମସିହାରେ ଆପଣମାନେ ସେ ଗାଡ଼ିରେ ଚଢ଼ି ନିରାପଦରେ ଷ୍ଟେସନ ଯିବେ, ଯଦି ଆପଣମାନଙ୍କୁ ସେ ଗାଡ଼ିରେ ନ ଚଢ଼େଇଛି, ମୁଁ ମୁସଲମାନ ନୁହେଁ, ମୁଁ ମୋଚି, ଦେଖନ୍ତୁ ମନାନମିଆଁର ଏକ୍‌ ବାପ୍‌, ଏକ୍‌ ବାତ୍‌..... ।

 

ମନାନ୍‌ମିଆଁର ଏତାଦୃଶ ଦୃଢ଼ ପ୍ରତିଶ୍ରୁତିରେ ଅଫିସରଶ୍ରେଣୀ ଲୋକମାନେ ଆଶ୍ୱସ୍ତ ହୁଅନ୍ତି । ଭାବନ୍ତି–ଯା’ ହେଉ, ଏଥର ଷ୍ଟେସନ ଦଉଡ଼ିବାର ଦୁଃଖ ଗଲା । କେତେକ କୁହାକୁହି ହୁଅନ୍ତି–ହଁ, ୧୯୫୧ ମସିହାରେ ଗାଡ଼ି ଠିକ୍‌ କରି ଚଳେଇବ । ମନାନମିଆଁ କଥା ଯେ, ପାଣିଗାର ସେ, ଆଉ ଦଳେ କହନ୍ତି–ନାଁ, ନାଁ, ସେ ଜାତିରେ ମୁସଲମାନ, ବୁଢ଼ା ମଣିଷ, ତା’ କଥା ସେ ଠିକ୍‌ ରଖିବ ।

 

ଛ’ ମାଇଲ ଦୂରରେ ଯେ ଷ୍ଟେସନରେ ଓହ୍ଲେଇ ପଡ଼େ, ସେ ଷ୍ଟେସନରେ ବସି ବସି ଭାବେ ଗାଁ’କୁ କିମିତି ଯିବି । ତା’ ଆଖିରେ ମନାନ୍‌ମିଆଁର ଭଙ୍ଗା ଗାଡ଼ିଖଣ୍ଡକ ଦେଖାଯାଏ । ମନ ଭିତରେ ପ୍ରଶ୍ନ ଉଠେ–ଆଉ କେବେ ମନାନ୍‌ମିଆଁ ଗାଡ଼ିଖଣ୍ଡକ ମରାମତି କରିବ ? କାହିଁକି ପକେଇ ରଖିଛି ? ଆଉ ଆଖି ଆଗରେ ତା’ର ଭାସି ଉଠେ ଗାଁ’କୁ ଯିବାର ରାସ୍ତାର ଦୁଇପାଖର ଘୋର ଜଙ୍ଗଲର ବିଭୀଷିକା । ପୁଣି ତା’ରି ସଙ୍ଗେ ସଙ୍ଗେ ଯାତ୍ରୀର ଆଖି ଆଗରେ ଭାସିଉଠେ–ଗ୍ରାମ୍ୟ ରାସ୍ତାର ଦୁଇପାଖର ବିଚିତ୍ର ବନଶ୍ରୀ । ଲୋକେ ବନାନୀର ସୌନ୍ଦର୍ଯ୍ୟରେ ଯେତିକି ପ୍ରଲୁବ୍‌ଧ ହୁଅନ୍ତି, ସେତିକି ତା’ର ବିଭୀଷିକାରେ ଭୀତତ୍ରସ୍ତ ହୁଅନ୍ତି । ବନଦେବୀଙ୍କର ବେସାମରିକ ବାହିନୀରେ ଯେମିତି ବାଘ, ଭାଲୁ, ହାତୀ, ବାର୍‌ହା, ସମ୍ବର, ବଳିଆ କୁକୁର, ବିଷଧର ସାପ ଇତ୍ୟାଦି ଅଛନ୍ତି; ପୁଣି ସେମିତି ଅଛନ୍ତି ସାମରିକ ବାହିନୀରେ ଜଙ୍ଗଲି ଲୋକ, ହିଂସ୍ର ପ୍ରକୃତିର ମଣିଷ–ଜନ୍ତୁ, ଅର୍ଥାତ୍‌ ଡକାଏତ ଦଳ । ମଣିଷଟାଏ ମାରିବା ତାଙ୍କ ପକ୍ଷରେ ବିଲେଇ, କୁକୁରଟାଏ ମାରିବା ଭଳି । ଯାତ୍ରୀଙ୍କୁ ଏକୁଟିଆ ପାଇଲେ ତଣ୍ଟି ଚିପିଲେ, ଛୁରା ମାଇଲେ; ଯା’ ପାଇଲେ, ନେଇ ନିବିଡ଼ ଜଙ୍ଗଲ ଭିତରେ ଉଭେଇ ଗଲେ ।

 

ଏ ସବୁ ଚିନ୍ତାରେ ଏକୁଟିଆ ଯାତ୍ରୀ ନିଜର ଗାଁ ଆଡ଼କୁ ଆଗେଇବା ପାଇଁ ଯେତିକି ମନେ ମନେ ଚପିଯାଏ, ସେତିକି ବନଦେବୀଙ୍କର ଶୋଭାର ଗନ୍ତାଘରର ଐଶ୍ୱର୍ଯ୍ୟରେ ପ୍ରଲୁବ୍‌ଧ ହୋଇ ଘରମୁହାଁ ଯାତ୍ରୀ ଦୁଃସାହସର ସହିତ ଆଗେଇ ଯିବାକୁ ନିଜର ଜୀବନକୁ ଜଳାଞ୍ଜଳି ଦେଇ ବାହାରି ପଡ଼େ । ତାକୁ ପ୍ରଲୁବ୍‌ଧ କରେ–ଜଙ୍ଗଲର ଅଚିହ୍ନା ଫୁଲର ଗନ୍ଧ, ପଲ୍ଲବ, ଘନ ଆମ୍ରକୁଞ୍ଜ ଭିତରୁ କୋକିଳର କୂଜନ, ବିହଙ୍ଗର କାକାଳି, ମୟୁରର ଲମ୍ବାପୁଚ୍ଛ, ରଙ୍ଗୀନ୍‌ ଗାତ୍ର, ତା’ର ଗୋଟାଏ ଗଛରୁ ଅନ୍ୟ ଗଛକୁ ଉଡ଼ିଯିବା, ଜଙ୍ଗଲ ଭିତରେ ଗ୍ରୀବାନତ କରି ଚରିବୁଲିବା, ପୁଣି ଚରୁ ଚରୁ ପଥିକଆଡ଼କୁ ଗ୍ରୀବା ଉନ୍ନତ କରି ଚାହିଁ ରହିବା, ମୃଗଯୂଥର ଲମ୍ଫପ୍ରଦାନ କରି ଜଙ୍ଗଲର ଏକ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ରାସ୍ତା ଅତିକ୍ରମ କରିବାର ଦୃଶ୍ୟ, ଆମ୍ର ମୁକୁଳର ଗନ୍ଧ ଇତ୍ୟାଦି, ଏ ସବୁ ପ୍ରଲୋଭନର ସାମଗ୍ରୀ ମଧ୍ୟରେ ବାଟ ଚାଲୁ ଚାଲୁ ଗୃହାଭିମୁଖୀ ଯାତ୍ରୀର ଆଖି ଆଗରେ ଦେଖାଯାଏ, ମନାନ୍‌ମିଆଁର ସେହି ଭଙ୍ଗା ଗାଡ଼ିଖଣ୍ଡକ । ମନେ ମନେ ମନାନ୍‌ମିଆଁ ପ୍ରତି ସେ ବିରକ୍ତ ହୁଏ, ଗାଳି ଦିଏ, ପୁଣି ଆଶାକରେ–

 

ଗାଡ଼ିଖଣ୍ଡକ ମରାମତି କରି ଚଳେଇବ, ଅଭାବରୁ କରିପାରୁନି ।

 

ଯେ ଗାଁରେ ଆସି ପହଞ୍ଚେ, ସେ ଆଗ ଅନାଏ ମନାନ୍‌ମିଆଁ ଭଙ୍ଗା ଗାଡ଼ିଖଣ୍ଡକୁ । ସେମିତି ଥୁଆ ହୋଇଛି, ତା’ର ଚକା ନାହିଁ, ଇଞ୍ଜିନ୍‌ ନାହିଁ, କେବଳ ଭଙ୍ଗା ଜୀର୍ଣ୍ଣଶୀର୍ଣ୍ଣ ଶରୀରଟା ଖରା ବର୍ଷା ଖାଇ ପଡ଼ିଛି । ବର୍ଷାବେଳେ ମନାନ୍‌ମିଆଁ ଗାଡ଼ି ଉପରେ ଖଣ୍ଡେ ପାଲ ଢଙ୍କେଇ ଦିଏ ।

 

ମନାନ୍‌ମିଆଁ ସହିତରେ ଭେଟ ହେଲେ, ଗାଡ଼ିର ନବକଳେବର ବିଷୟରେ ପ୍ରଶ୍ନକଲେ, ମନାନ୍‌ମିଆଁ ଉତ୍ତର ଦିଏ–କହୁଛିପରା ଗୋଟାଏ କଥା, ୧୯୫୧ ମସିହା ଟପିବ ନାହିଁ, ପୁଣି ସେହି କଥା ପଚାରୁଛ ? ଏ ମୁସଲମାନ ପିଲା, ଆଉ କେହି ନୁହେଁ ।

 

୧୯୫୧ ମସିହା ବିଦାୟ ନେଲେ କେତେକ ଗାଁର ଲୋକ, ଯେଉଁମାନେ ଆଶା କରିଥିଲେ ମନାନ୍‌ମିଆଁ ଗାଡ଼ିରେ ଚଢ଼ି ଷ୍ଟେସନ ଯିବେ; ସେମାନେ ମନାନ୍‌ମିଆଁ ଦୁଆର ସାମନା ଦେଇ, ଭଙ୍ଗା ଗାଡ଼ିଖଣ୍ଡକ କତି ଦେଇ, ମଶାଣି ଆଡ଼କୁ ଚାଲିଲେ ଚା’ରି ଜଣଙ୍କ କାନ୍ଧରେ ଚଢ଼ି ।

 

‘ରାମନାମ ସତ୍ୟ ହେ’, ‘ରାମନାମ ସତ୍ୟ ହେ’–ତା ସହିତରେ ବେଳେ ବେଳେ କୀର୍ତ୍ତନର ଶବ୍ଦ ଶୁଣି ମନାନ୍‌ମିଆଁ ଘର ଭିତରୁ ବାହାରି ପଡ଼ି ପଚାରେ–ହଇ ହୋ ଭାଇ, କା’ର ସେରକ ପୂରିଲା ?

 

ମୁର୍ଦାର ପଛେ ପଛେ ଯାଉଥିବା ଲୋକଙ୍କ ଭିତରୁ ଜଣେ ଉତ୍ତର ଦିଏ–ନିଧିପାଲଟା ସିଂ-

 

ମନାନ୍‌ମିଆଁ ବିଦ୍ରୂପ କଲାଭଳି କଣ୍ଠରେ ଆପେ ଆପେ କହେ–ହ୍ୟା ଆଲ୍ଲା, ମୋ ସଙ୍ଗେ ଦି’ଦିନ ତଳେ ଲଗେଇ ଥିଲା–ଗାଡ଼ିଟା ମରାମତି କର ଷ୍ଟେସନ ଯିବାକୁ ଭାରି ଅସୁବିଧା ହେଉଛି । ଯାଉଥା ଏବେ ଷ୍ଟେସନକୁ, ଯେ ଚାରିଜଣଙ୍କ କାନ୍ଧରେ ଚଢ଼ିଯିବ, ସେ କୁଆଡ଼େ ଗାଡ଼ି ଚଢ଼ି ଷ୍ଟେସନ ଯିବ ?

 

ଇମିତି କେତେ ଗାଁ ଲୋକ ବିଦାୟ ନେଲେ, କେତେକ ଅଫିସର ଶ୍ରେଣୀ ଲୋକେ ବଦଳି ହୋଇ ଗଲେ ।

 

କୌଣସି ଅଫିସରଙ୍କ ବଦଳିର ବିଦାୟ ଭୋଜିବେଳେ, ବିନା ନିମନ୍ତ୍ରଣରେ ମନାନ୍‌ମିଆଁ ଯେମିତି ଆପେ ଆପେ ଯାଇ ଯୁଟିଯାଏ; ବସେ, ଗପକରେ, ଅଫିସରଙ୍କୁ ସଲାମ୍‌ ବଜାଏ ସେମିତି ସେଦିନ ଜଣେ ଅଫିସରଙ୍କ ବିଦାୟ ଭୋଜିରେ ମନାନ୍‌ମିଆଁ ପହଞ୍ଚି ଅଫିସରଙ୍କୁ ସଲାମ୍‌ କରିବା ମାତ୍ରେ ଅଫିସର ହସି ହସି ପଚାରିଲେ–କ’ଣ ମନାନ୍‌ମିଆଁ, ତୁମେ ଆଉ ଗାଡ଼ିଖଣ୍ଡକ ମରାମତି କଲ ନାହିଁ ? କ’ଣ ଆଉ ପ୍ରତିଜ୍ଞା କରି କହୁଥିଲ ୧୯୫୧ ମସିହାରେ ଗାଡ଼ିଖଣ୍ଡକ ମରାମତି କରି ଚଳେଇବ ?

 

ମନାନ୍‌ମିଆଁ ଉତ୍ତର ଦେବାକୁ ଯାଇ ମଥାକୁ କୁଣ୍ଡେଇ ହବା ଭଳି, ମଥାରେ ଆଙ୍ଗୁଳି ଚାଳନା କରୁ କରୁ କହେ–

 

ଜନାବ୍‌, ଆପଣ ତ ଜଙ୍ଗଲର ମାଲିକ, ଏଡ଼େବଡ଼ ଅଫିସର, ରେଞ୍ଜର୍‌ ସାହେବ । ଆପଣ ତ ପ୍ରତିଜ୍ଞା କରିଥିଲେ ମୋତେ ଖଣ୍ଡେ ପିଆଶାଳ କାଠ ଦେବେ ବୋଲି । ଦେଲେ ନାହିଁ, କି ଜବାବ୍‌ ରଖି ପାରିଲେ ନାହିଁ । ଆଉ ମୋ ପରି ଲୋକ ଜବାବ୍‌ ଠିକ୍‌ ରଖି ନ ପାରିଲେ କ’ଣ ଗୋଟାଏ ବଡ଼ ଦୋଷର କଥା ହେଲା..... ? ଭୋଜିବେଳେ ମନାନ୍‌ମିଆଁ ପତର ଖଣ୍ଡେ ପକେଇ ଆକଣ୍ଠଭୋଜନ କରିସାରି ଚିରାଚରିତ ରୀତିରେ ଲୋକଙ୍କ ସାଥିରେ ଅତୀତର ଅଫିସର ଓ ବିଦାୟ ଭୋଜି ସହିତ ବର୍ତ୍ତମାନର ଅଫିସର ଓ ବିଦାୟ ଭୋଜିର ସାମ୍ୟ ବୈଷମ୍ୟର ବିଚାର ଓ ନିନ୍ଦା ପ୍ରଶଂସାର ପ୍ରଚାର କରୁ କରୁ ଘରକୁ ଫେରେ ।

 

ଗାଁ ଲୋକଙ୍କ ଭିତରୁ ଯଦି କେହି ମନାନ୍‌ମିଆଁକୁ ଥଟ୍ଟା କଲାଭଳି ପଚାରେ–କ’ଣ ମନାନ୍‌ମିଆଁ, ୧୯୫୧ ତ ଗଲା; ଗାଡ଼ି ମରାମତି କଲ ? କହୁଥିଲ–ମୁସଲମାନ୍‌ ପିଲା ।

 

ମନାନ୍‌ମିଆଁ ଅଳ୍ପ ରାଗିଯାଇ ଉତ୍ତର ଦିଏ–ଚଲ୍‌, ତୁ ତ ଭାରି ଗୋଟାଏ ଲୋକ ଯେ, ମଟର ଗାଡ଼ି ଚଢ଼ି ଷ୍ଟେସନ ଯିବୁ, ମୋର ଜବାବ୍‌ଟା ଠିକ୍‌ ରହିଲା ନାହିଁ । ଦୋଷ ହୋଇଗଲା ! ତୁ’ କ’ଣ ଜବାବ୍‌ କରିଥିଲୁ, ମନେପଡ଼ୁଛି ? ଏତେ ମଦ ବିକୁଛୁ, ମୋତେ କହିଥିଲୁ ଚାରି ବୋତଲ ମଦ ଦବାକୁ, ଦେଲୁ ? କେଡ଼େ କେଡ଼େ ହାକିମ ହୁକୁମା ଲୋକ ତ ଜବାବ୍‌ ଠିକ୍‌ ରଖୁନାହାନ୍ତି, ଆଉ ମନାନ୍‌ମିଆଁକୁ ବାଛି ଦେଲୁ, ଜବାବ୍‌ ଠିକ୍‌ ରଖିଲା ନାହିଁ..... ।

 

ଗାଁରୁ ହାଡ଼ୁ ବାରିକ ମନାନ୍‌ମିଆଁକୁ ଦିନେ ଥଟ୍ଟା କରି ପଚାରିଲା–କ’ଣ ମନାନ୍‌ମିଆଁ, ୧୯୫୧ ମସିହା ତ ଗଲା । ଗାଡ଼ିଟା କ’ଣ ମରାମତି କରୁଥିଲ ପରା ? କହୁଥିଲ–ଏ ମୁସଲମାନ୍‌ ପିଲା..... ହାଡ଼ୁ ବାରିକର ଏ ପ୍ରଶ୍ନରେ ମନାନ୍‌ମିଆଁ ଉତ୍ତେଜିତ ହୋଇ କହିଲା–ହଇରେ, ଯୁଗ ୟା’ କରିଛି । ତା ନ ହେଲେ ତୁ ପୁଣି ଗାଡ଼ିରେ ଷ୍ଟେସନ ଯିବାକୁ ବାହାରିଲୁଣି !! ତୁ ପୁଣି ଗାଡ଼ି ଖୋଜିଲୁଣି !! ଗାଡ଼ି ତୋରି ପରି ଲୋକଙ୍କ ପାଇଁ ମରାମତି କରିବି..... ?

 

କେତେଦିନ ପରେ ଡାକ୍ତର ବଦଳି ହେଲେ । ବିଦାୟ ଭୋଜି । ମନାନ୍‌ମିଆଁଙ୍କର ସବୁ ଭୋଜିରେ ଯେମିତି ବିନା ନିମନ୍ତ୍ରଣରେ ପ୍ରବେଶ, ଆକଣ୍ଠଭୋଜନ, ପ୍ରସ୍ଥାନ, ଅବିକଳ ସେହିପରି ।

 

ମନାନ୍‌ମିଆଁ ଡାକ୍ତରଙ୍କୁ ସାକ୍ଷାତ୍‌ କରି ସମ୍ମାନସୂଚକ କଣ୍ଠରେ ଆରମ୍ଭ କଲା–ସଲାମ୍‌ ଅଲେକୁମ୍‌ ଡାକ୍ତର ସାହେବ ।

 

ଡାକ୍ତର ପଚାରିଲେ–କ’ଣ ମନାନ୍‌ମିଆଁ, ମୁଁ ତ ବାହାରିଲି, ତୁମ ଗାଡ଼ିଖଣ୍ଡିକ ଆଉ ଚଢ଼ି ହେଲା ନାହିଁ । କ’ଣ ୧୯୫୧ ମସିହା ଟପିବ ନାହିଁ, କହୁଥିଲ । ଏ ତ ୧୯୫୪ ମସିହା ହେଲା, କ’ଣ ଆଉ ତୁମର ଜବାବ୍‌ ଠିକ୍‌ ରଖିଲ ?

 

ମନାନ୍‌ମିଆଁ ଡାକ୍ତରଙ୍କର ପ୍ରଶ୍ନର ଉତ୍ତର ଦବାକୁ ଯାଇ ତିନିଥର ଚାରିଥର ଅଳ୍ପ କାଶୁ କାଶୁ ତଳମୁହାଁ ହୋଇ କହିଲା–ହଁ, ବୁଝିଲ ଆଜ୍ଞା, ଆପଣ ତ ଅଫିସର ହେଉଛନ୍ତି । ଏଡ଼େ ବଡ଼ ଡାକ୍ତର ହୋଇ ଜବାବ୍‌ ଠିକ୍‌ ରଖି କହିଥିଲେ–ମୋର ପେଟମରା ଭଲ କରିଦେବେ, ଗାରେଣ୍ଟି ଦେଇଥିଲେ, ଭଲ କରି ପାରିଲେ କି ? ଆଉ ମୋ ପରି ଗରିବ ଜଣେ ଜବାବ୍‌ ଠିକ୍‌ ନ ରଖି ପାରିଲେ, କ’ଣ ବଡ଼ ନିନ୍ଦାର କଥା ହୋଇଗଲା...... ?

 

୧୯୬୩ ମସିହା ଥାନା ଅଫିସରଙ୍କର ବଦଳିରେ ବିଦାୟ ଭୋଜିର ସମାରୋହ, ନାଚ, ଗୀତ, ଆଲୁଅ, ମଦ ଭାଙ୍ଗର ବନ୍ୟା । ତାସ୍‍ କେରମ୍‍ ଚେସ୍‍ଖେଳ, ଅସରନ୍ତି ଗପର ସୁଅ । ପଲାଉ, ମାଂସର ଗନ୍ଧ ସୁଗନ୍ଧରେ ଥାନା ପ୍ରାଙ୍ଗଣରେ ଉତ୍ତାଳ ତରଙ୍ଗ ।

 

ମନାନ୍‌ମିଆଁ ଆପେ ଆପେ ଆସି ଥାନା ଅଫିସରଙ୍କୁ ସଲାମ୍‌ ବଜେଇବା ମାତ୍ରେ ଥାନା ଅଫିସର ବିରକ୍ତିଭରା କଣ୍ଠରେ ମନାନ୍‌ମିଆଁକୁ ଗାଡ଼ିର ମରାମତି ବିଷୟରେ ବିଦ୍ରୂପ କରି–ଲୋକଟାର କଥାରେ ଠିକ୍‌ ନାହିଁ ।

 

ଜବାବ୍‌ ଠିକ୍‌ ନାହିଁ, କହିବା ମାତ୍ରେ ମନାନ୍‌ମିଆଁ ଉତ୍ତେଜିତ ହୋଇ ଉତ୍ତର ଦେଲା–ଆଜ୍ଞା ବୁଝିଲ, ଆପଣ ଯାହା କହିଲେ, ଆପଣ ଆମରି ଆଗରେ ଜବାବ୍‌ କରିଥିଲେ, ଦାମ ପ୍ରହରାଜ ଦାଗୀକୁ ଜବତ କରିଦେବେ । କରି ପାରିଲେ କି ? ଆଉ ମୁଁ ଜବାବ୍‌ ଠିକ୍‌ ରଖିଲି ନାହିଁ, ଏ ଗୋଟାଏ ଭାରି ନାପସନ୍ଦ କଥା ହୋଇଗଲା ?...

 

ବର୍ଷ ପରେ ବର୍ଷର ଆଗମନ, ବିଦାୟ ଅଫିସରଙ୍କ ଆଗମନ, ବିଦାୟ ପଡ଼େଶୀଙ୍କର ଜନ୍ମ, ମରଣ; ପୁରୁଣା ପଇସା ପରେ ନୂଆପଇସା, ସେର ପରେ ‘କିଲୋ’ର ପ୍ରଚଳନ, ଶସ୍ତା ପରେ ଦରବୃଦ୍ଧି, ସବୁ ପ୍ରକାର ପରିବର୍ତ୍ତନ, ଆବର୍ତ୍ତନକୁ ଅତିକ୍ରମ କରି ଯେତେବେଳେ ୧୯୬୪ ମସିହା ଦେଖା ଦେଲେ, ମନାନ୍‌ମିଆଁର ବଡ଼ ପୁଅ ହୁମା ଚାକିରୀ ଛାଡ଼ି ଆସି ଗାଁରେ ପ୍ରବେଶ କଲେ ।

 

ମନାନ୍‌ମିଆଁକୁ ଗାଁ ଲୋକ ହୁମାର ଚାକିରୀ ଛାଡ଼ି ଆସିବାର କଥା କେହି ପଚାରିଲେ ମନାନ୍‌ମିଆଁ ଉତ୍ତର ଦିଏ–କଥାରେ ଅଛି ଭାଇ–‘ଆରେ ଢମଣା, ବୁଲିବୁଲି କରି ସେଇ ଅଗଣା’ । ଚାକିରୀ ଛାଡ଼ି ଏବେ ଗାଁକୁ ଆସିଲେଣି, ଏବେ ଗାଁ କଥା ମନେପଡ଼ିଲା । କ’ଣ କରୁଛି ସେ ତାକୁ ଜଣା, ଦେଖୁଛ ତ ଭାଇ, ତମରି ସାମନାରେ ମୋ ହାଲ୍‌ । ଗାଡ଼ିଖଣ୍ଡକ ମରାମତି କରି ଚଳେଇବି ବୋଲି ଲୋକଙ୍କ ସାମନାରେ ଜବାବ୍‌ କରିଥିଲି । ୧୯୫୧ ରୁ ୧୯୬୪ ମସିହା ହେଲା, ଲୋକେ କେତେ କ’ଣ ମୋତେ ଥଟ୍ଟା ନ କରୁଛନ୍ତି, କ’ଣ ନ କହୁଛନ୍ତି..... ?

 

ପ୍ରତିଦିନ ଗୋଧୂଳି ଲଗ୍ନରେ ହୁମା ଖଣ୍ଡେ ସିଲ୍‌କି ଲୁଙ୍ଗି ପିନ୍ଧି, ଟି କଟ୍‌ ସାର୍ଟ ମଡ଼େଇ, କୁଞ୍ଚକୁଞ୍ଚିଆ ବାଳ ଭାଙ୍ଗି, ଅତର ଲଗେଇ, ମୁହଁରେ ସ୍ନୋ ମାଖି, ଡାହାଣ ହାତରେ ଘଡ଼ି ବାନ୍ଧି, ଗୋଟାଏ ଟ୍ରାନ୍‌ଜିଷ୍ଟର ଧରି ଯେତେବେଳେ ଗାଁର ରାସ୍ତା, ଦୋକାନ, ବଜାର ଗଳିକନ୍ଦି ବୁଲି ବାହାରେ; ସେତେବେଳେ କେହି କେହି ହୁମାକୁ ପଚାରନ୍ତି–କ’ଣ ହୁମା ଆଜି ଏକି ବେଶ ? କ’ଣ ଚାକିରୀ ଛାଡ଼ି ଆସିଛୁ ବୋଲି ଶୁଣୁଛି.....

 

ହୁମା ହିନ୍ଦୀ, ଉର୍ଦ୍ଦୁ, ଓଡ଼ିଆ ମିଶା ଭାଷାରେ ଉତ୍ତର ଦିଏ–ହଁ ଭାଇ, ହମ ନୌକରି ଛୋଡ଼ ଦିଆ, ଆଉ ନୌକରି ନେହିଁ କରେଙ୍ଗେ । ମେରେତ ଏକଠୋ ଗାଡ଼ି ହୈ, ଓ ଗାଡ଼ିକୁ ମରାମତି କରେଙ୍ଗେ । ହାମ ଖୋଦ୍‌ ଡ୍ରାଇଭର ହୁଁ, ମେରେ ଗାଡ଼ି, ହାମ ଖୋଦ୍‌ ଚଲାଏଙ୍ଗେ...... ।

 

ଲୋକେ ପଚାରନ୍ତି–ତେବେ କ’ଣ ଗାଡ଼ିଟା ମରାମତି ହେଇଚି ? ଯା’ହଉ ଭାଇ, ସେତକ ଯଦି ପାରିବୁ, ଆମେମାନେ ବଞ୍ଚିଯିବୁ, ଷ୍ଟେସନକୁ ଯିବାପାଇଁ ଯଉ ହଇରାଣ ହଉଛୁଁ ।

 

ହୁମା ଉତ୍ତର ଦିଏ–ଦେଖନା, ଏକ ମଇନାକା ଭିତରେ ହାମ ଗାଡ଼ି ଚାଲୁ କରତେ କି ନେଇ..... ।

 

କେହି କେହି ହୁମାର ସମବୟସ୍କ ଗାଁର ସାଙ୍ଗ ହୁମାକୁ ଥଟ୍ଟାକରି କହନ୍ତି–ଚୋପା ଛଡ଼େଇବୁ । ବୋପା ତ ୧୯୫୧ରୁ ୧୯୬୪ ହେଲା ଚୋପା ଛଡ଼େଇଲା, ଗାଡ଼ି ଚଢ଼େଇଲା; ବାକି ତୁ ଛଡ଼େଇବୁ । ଯେତିକି ତୋଫାନିଆ କଥା ଶୁଣିବ, ଏ ବାପ ପୁଅଙ୍କ ମୁହଁରୁ..... ।

 

ହୁମା ଅଳ୍ପ ଉତ୍ତେଜିତ ହୋଇ କହି ପକାଏ–ଚଲ ଓ ବାବାକା ବାତ ଛୋଡ଼ ଦୋ, ହାମ କିୟା କରତେ ହେଁ ଦେଖୋ.....

 

କିଛିଦିନ ପରେ ଦେଖାଗଲା, ହୁମା ସେହି ଭଙ୍ଗା ଗାଡ଼ିଖଣ୍ଡକରେ ତିନିଟା ଚକା ଲଗେଇଲା, ଆଉ ବାକି ଗୋଟାଏ ଚକା ରହିଲା । ଲୋକେ ଗାଡ଼ିର ତିନୋଟି ଚକ ଲାଗିବାର ଦେଖି ପରିହାସ କରି କୁହାକୁହି ହେଲେ, ଭାଇ, ଏ ଯେଉଁ ତିନିଚକ ଲାଗିଲା, ହେଲା–ସତ୍ୟ, ତ୍ରେତା, ଦ୍ୱାପର । ଆଉ ଗୋଟାଏ ଚକା କଳିକାଳ ଶେଷ ହେଲେ ଲାଗିବ..... ।

 

ଆଉ କିଛିଦିନ ପରେ ଦେଖାଗଲା–ମନାନ୍‌ମିଆଁ ମଟରଗାଡ଼ି କତିରେ ଗାଁର କେତେଗୁରାଏ ଲୋକ; ପିଲା, ଯବାନ ଠିଆ ହୋଇଛନ୍ତି । ମନାନ୍‌ମିଆଁ କ’ଣ ଗୁରାଏ ବକୁଛି । ଆଉ କେତେକ ଆସି ରୁଣ୍ଡ ହେଲେ । କ’ଣ ହେଲା, ମଜି କ’ଣ ମନାନ୍‌ମିଆଁ ଚତୁର୍ମୁଖ ହୋଇ ବକୁଛି !!

 

ସମସ୍ତେ ବୁଝିଲେ ଯେ–ଆଜି ଗାଡ଼ିର ଚାରିଚକ ଲାଗି ସାରିଛି, ଗାଡ଼ି ଭିତରେ ଯେଉଁଠି ଯେମିତି ଯାତ୍ରୀମାନେ ବସିବା ପାଇଁ ଗଦି ଦରକାର, ଗଦି ପଡ଼ି ସାରିଛି, ଇଂଜିନ୍‌ ଖଞ୍ଜା ସରିଛି । ଆଜି ହୁମା, ଦୁମା ଦି’ ଭାଇ ଗାଡ଼ି ଦେହରେ ରଙ୍ଗ ଲଗାଉଛନ୍ତି । ଆଉ ଦିନେ ଦି’ଦିନ ଭିତରେ ଗାଡ଼ି ଚାଲିବ । ଏଇ ଘଟଣାର ଉପଲକ୍ଷରେ ମନାନ୍‌ମିଆଁ ଗୋଟାଏ ଦୀର୍ଘ ଉଦ୍‌ବୋଧନୀ ଭାଷଣ ଦେଇ ଲୋକମାନଙ୍କୁ ଏଇ ଗାଡ଼ିଖଣ୍ଡକରେ ବସେଇ ଉତ୍ତର ଭାରତର କଲିକତା, ବମ୍ବେ, ଦିଲ୍ଲୀ, ଆଗ୍ରା, ପଠାଣକୋଟ, କାଶ୍ମୀର, ଜାମୁର ଦର୍ଶନୀୟ ସ୍ଥାନ ଏବଂ ଦକ୍ଷିଣ ଭାରତର ମାନ୍ଦ୍ରାଜ, ବାଙ୍ଗାଲୋର, ହାଇଦ୍ରାବାଦ, ଓଟ୍‌କାମଣ୍ଡ, ଅଜନ୍ତା, ଏଲୋରା, ଇମିତିକି କୁମାରୀକା ପର୍ଯ୍ୟନ୍ତ ବୁଲେଇ ଆଣିବ, ତା’ର ବର୍ଣ୍ଣନା କରିବାରେ ଲାଗିଛି ।

 

ମନାନ୍‌ମିଆଁ ମୁହଁରୁ ଦର୍ଶନୀୟ ସ୍ଥାନଗୁଡ଼ାକର ବର୍ଣ୍ଣନା ଶୁଣି କେତେକ ଗାଁଉଲି ଲୋକେ ଭାବୁଛନ୍ତି–ଯେମିତି ସେହି ଯାଗାରେ ସେମାନେ ବର୍ତ୍ତମାନ ଅବସ୍ଥିତ, ସେହି ଦୃଶ୍ୟଗୁଡ଼ା ତାଙ୍କ ଆଖି ଆଗରେ ଗୋଟାକ ପରେ ଗୋଟାଏ ଅତିକ୍ରମ କରି ଚାଲିଯାଉଛି । ଉପସଂହାରରେ ମନାନ୍‌ମିଆଁ ନିଜର ଗାଡ଼ିଖଣ୍ଡକୁ ଉଚ୍ଚ ପ୍ରଶଂସା କରିବାର ଶୁଣାଗଲା–ଜାଣିଛି, ଉଡ଼ା ପବନ ଘୋଡ଼ା ଏ, ଉଡ଼ା ପବନ ଘୋଡ଼ା । ଗାଡ଼ିଖଣ୍ଡିକ କମ୍‌ ନୁହେଁ, ବସିଲେ ଜାଣିବ, ଟଙ୍କା ଯୋଗାଡ଼ କର, ଯଦି ଭଲ ଯାଗା ଦେଖିବାର ଇଚ୍ଛା ଅଛି.....

 

ଦିନ ଆସିଲା, ମନାନ୍‌ ମିଆଁର ଗାଡ଼ି ଷ୍ଟେସନକୁ ଯାତ୍ରୀ ନେଇ ବାହାରିଲା, ଟିକେଟ କରି ଲୋକେ ବସିଲେ ।

 

ହୁମା ନିଜେ ଡ୍ରାଇଭର, ଦୁମା ନିଜେ କଣ୍ଡକ୍‌ଟର ଆଉ କ୍ଳିନର । ଯାତ୍ରୀ ଭିତରୁ କେତେକ ପ୍ରାଣଭୟରେ ହୁମାକୁ ପଚାରିଲେ–ହଇରେ ହୁମା, ଆମେତ ଟିକେଟ କରି ବସିଲୁ, ଭଲରେ ଷ୍ଟେସନରେ ପହଞ୍ଚି ପାରିବୁଟି ? ହୁମା ଯାତ୍ରୀମାନଙ୍କୁ ଆଶ୍ୱାସନା ଦେଇ କହିଲା–ବସ ଭାଇ, ମୁଁ ନିଜେ ଡ୍ରାଇଭର, ଆଉ କେହି ନୁହେଁ, କିନ୍ତୁ ଭୟ ନାହିଁ.....

 

ସମସ୍ତେ ବସିଲେ, ହୁମା ଗାଡ଼ିକୁ ଷ୍ଟାଟ୍‌ କଲା–ଘେଚ୍‌ ଘେଚ୍‌ ଅଁ-ଅଁ-ଅଁ, ଘେଚ୍‌ ଘେଚ୍‌ । ଗାଡ଼ି ଚାଲୁନାହିଁ, କ’ଣ ଏ !!!

 

ସମସ୍ତେ ପଚାରିଲେ–କ’ଣ ହୁମା, ନୂଆ ଗାଡ଼ି ଚାଲୁନି କାହଁକି ?

 

ହୁମା ଉତ୍ତର ଦେଇ କହିଲା–ଭାଇ, ନୂଆ ବଳଦ ଶଗଡ଼ରେ ଯୋଚା ହେଲେ ଚାଲେ ନାହିଁ, ମଣ ହୋଇ ନ ଥାଏ, ସେମିତି ନୂଆ ଇଂଜିନ ଗାଡ଼ିରେ; ଲଗା ହୋଇଛି, ଅବିକା ମଣ ହୋଇନାହିଁ । ଗାଡ଼ି ଚାଲିବ ନାହିଁ, ତୋ ବୋପା ଚାଲିବ । ଭାଇ, ଗୋଟାଏ କଥା କହିବି, କରିବ ? ନୂଆ ଇଂଜିନ ଲାଗିଛି, ସେଥିପାଇଁ ଷ୍ଟାଟ୍‌ ଧରୁନାହିଁ । ତୁମମାନଙ୍କ ଭିତରୁ କେତେଜଣ ଓହ୍ଲେଇ ଗାଡ଼ିକି ଟିକିଏ ପଛରୁ ଠେଲିବ ତ, ଦେଖ ଗାଡ଼ି ଚାଲୁଛି କି ନାଁ ?

 

ହଉ ସେଇଆ କରାଯାଉ । କେତେକ ଲୋକ ଓହ୍ଲେଇ ଗାଡ଼ିକୁ ପଛରୁ ଠେଲିଲେ । ଗାଡ଼ି କିଛିବାଟ ଠେଲା ହୋଇ ଗଲାପରେ, ଷ୍ଟାର୍ଟ ଧରିଲା–ଘେଚ୍‌ ଘେଚ୍‌ ଗଁ-ଗଁ-ଗଁ-ଘର-ଘର ଶବ୍ଦ କରି ଗାଡ଼ି ଚାଲିଲା ଷ୍ଟେସନ ଆଡ଼କୁ । ସମସ୍ତେ ‘ହରିବୋଲ’ ଧ୍ୱନି କଲେ ।

 

ମନାନ୍‌ମିଆଁ ଆନନ୍ଦରେ ମାଟି ଉପରୁ ହାତେ କୁଦି ଚିତ୍‌କାର କରି ଡାହାଣ ହାତକୁ ଉପରକୁ ଟେକି କହିଉଠିଲା–ହ୍ୟା ଆଲ୍ଲା, ହ୍ୟା ଖୋଦା, ଆପ ମାଲିକ୍‌.....

 

ମନାନ୍‌ମିଆଁ ଆଖି ଆଗରୁ ଗାଡ଼ି ଆସ୍ତେ ଆସ୍ତେ ଉଭେଇ ଗଲା–ସମସ୍ତେ ମନାନ୍‌ମିଆଁ, ହୁମା, ଦୁମାକୁ ପ୍ରଶଂସା କଲେ, ଭାବିଲେ–ଏଥର ଦୁଃଖ ଗଲା, ଯା’ହେଉ ମନାନ୍‌ମିଆଁ ଗୋଟାଏ ହାତ ଦେଖେଇଲା ।

 

ମନାନ୍‌ମିଆଁ ଅପେକ୍ଷା କଲା, ଗାଡ଼ି ବର୍ତ୍ତମାନ ଯାତ୍ରୀମାନଙ୍କୁ ଷ୍ଟେସନରେ ଛାଡ଼ି ଦେଇ, ଷ୍ଟେସନରେ ଓହ୍ଲେଇଥିବା ନୂତନ ଯାତ୍ରୀଦଳକୁ ନେଇ ଫେରି ଆସିବ; କିନ୍ତୁ ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲେଇ ଥିବା କେତେକ ଘରମୁହାଁ ଯାତ୍ରୀଙ୍କ ସାଥିରେ ସେହି ବିପଦ ସଙ୍କୁଳ ବନପଥ ଅତିକ୍ରମ କରି କେତେକ ଘଣ୍ଟାପରେ ଦୁମା ଫେରି ଆସି ମନାନ୍‌ମିଆଁକୁ ଖବର ଦେଲା–ଷ୍ଟେସନ୍‌ରେ ପହଞ୍ଚି ଗାଡ଼ି ଖରାପ ହୋଇଗଲା, ନଚେତ୍‌ ଏଇ ଯେଉଁମାନେ ଟ୍ରେନ୍‌ରୁ ଓହ୍ଲେଇଲେ, ସେମାନଙ୍କୁ ନେଇ ଗାଡ଼ି ଫେରିଆସି ଥାଆନ୍ତା । ସେମାନେ ସମସ୍ତେ ଚାଲି ଚାଲି ଆସିଲେ । ମୁଁ ତାଙ୍କ ସଙ୍ଗରେ ଆସିଲି । ଭାଇ କହିଲା–ତୁ ଯା’ ଗାଡ଼ି ମରାମତି କରି ନେଇ ଯିବି..... ।

 

ମନାନ୍‌ମିଆଁ ହର୍ଷ ବିଷାଦଭରା କଣ୍ଠରେ କହିଲା–ଟଙ୍କା କ’ଣ ଆଣିଛୁ ?

 

ଦୁମା ଉତ୍ତର ଦେଲା–ଭାଇ ମୋ ପାଖରୁ ସବୁ ଟଙ୍କା ରଖିଲା, କହିଲା–ତୁ ଚାଲି ଚାଲି ଯିବୁ, ଟଙ୍କା ତୁ ନବା ଠିକ୍‌ ନୁହେଁ, ମୁଁ ସବୁ ଟଙ୍କା ନିଜେ ନେଇ ଯିବି ।

 

ମନାନ୍‌ମିଆଁ ପୁଣି ପଚାରିଲା–ଆଉ କିନ୍ତୁ ବାଟରେ ଅସୁବିଧା ହୋଇ ନାହିଁ ତ ?

 

ଦୁମା କହିଲା–ନାଁ, ସେମିତି କିଛି ହୋଇ ନାହିଁ । ତେବେ ସେ ପଧାନଘର ବୋହୂ ଯେ ଯାଇଥିଲା, ତାର କୁଆଡ଼େ ଗର୍ଭ ହେଇଥିଲା । ଗାଡ଼ିରେ କିଛିବାଟ ଗଲା ପରେ, ତାର ଭାରି ଯନ୍ତ୍ରଣା ହେଲା । ଗାଡ଼ିରୁ ଯେମିତି ଓହ୍ଲେଇଛି, ତାର ଗୋଟିଏ ପୁଅ ଜନ୍ମ ହେଲା । ଲୋକେ କୁହାକୁହି ହେଲେ, ଗାଡ଼ିରେ ଯିବାଦ୍ୱାରା ଧକଡ଼୍‌ ଚକଡ଼୍‌ରେ ତା’ର ଗର୍ଭ ନଷ୍ଟ ହୋଇଗଲା.....

 

ମନାନ୍‌ମିଆଁ ଏକଥା ଶୁଣି ଉତ୍ତର ଦେଲା–ଏ କ’ଣ ଗାଡ଼ିର ଦୋଷ ହେଲା ? ବାଟ ଖରାପ ଯୋଗୁଁ ଏମିତି ହେଲା । ଗର୍ଭ ଯଦି ହୋଇଥିଲା ତ, ଗାଡ଼ିରେ ଯାଉଥିଲା କାହିଁକି ? ଏ ଏକଠୋ ଗୁଡ଼୍‌ବୋକ୍‌ ଆଦମୀ ହୈ....

 

ମାସ ପରେ ମାସ ବିତି ବର୍ଷରେ ପରିଣତ ହେଲା, ଆଉ ରୁକୁଣା ରଥ ଫେରିଲା ନାହିଁ । ଅର୍ଥାତ୍‌ ମନାନ୍‌ମିଆଁର ଗାଡ଼ିଖଣ୍ଡକ ଯେ ଷ୍ଟେସନ୍‌ ଆଡ଼କୁ ମୁହଁକରି ଯାଇଥିଲା, ଆଉ ଫେରିଲା ନାହିଁ; ହୁମାର ଆଉ ଦେଖା ନାହିଁ ।

 

ଯା’ ସାଥିରେ ମନାନ୍‌ମିଆଁର ଦେଖାହୁଏ, ସେ ମନାନ୍‌ମିଆଁକୁ ଗାଡ଼ିର ଶାରୀରିକ କୁଶଳତା ବିଷୟରେ ପ୍ରଶ୍ନ କରନ୍ତି । ମନାନ୍‌ମିଆଁ ରାଗରେ ଗୋଟାଏ ପ୍ରକାର ଉତ୍ତରର ପୁନରାବୃତ୍ତିର ପୌନ୍ୟଃ ପୌନିକତ୍ୱ ବଜାୟ ରଖି କହେ–ଆଲ୍ଲାକା କସମ୍‌, କ୍ୟା ବୋଲେଙ୍ଗେ, ହାରାମିକା ବଚା ହୁମା ଓ ଗାଡ଼ିକୁ ଲେକର୍‌ କାହାଁ ବେଚଦିଆ । ମୁଝେ ପତ୍ତା ମାଲୁମ ନେହିଁ ହୈ । ଏକଠୋ ପଇସାବି ମେରେ ହାତମେ ଦେଖା ନେଇଁ, କିତନା ଫିକର । ସେ ଗାଡ଼ି ଓ ଲେନ୍‌ର ହିଁ ଆସେ ଭାଗ୍‌ଗିୟା, ହାରାମିକା ବଚା, ଯବ ମେରେ ସାଥ କବ ମୁଲାକାତ ହୋଗା, ଚାକୁ ସେ ଭସକା କଲିଜା ଫାଡ଼୍‌କେର୍‌ ଖୁନ୍‌ପିଏଗେଁ, ନୈତ ହାମ୍‌ ମୁସଲମାନ ନୈ ହଁ ।

Image

 

ବାହୁଡ଼ା ବିଜେ

 

ଡାକ୍ତରଖାନା । ରୋଗୀ ଆସୁଛନ୍ତି, ଓଷଧି ନଉଛନ୍ତି, ଯାଉଛନ୍ତି । ପୁଣି ଆସୁଛନ୍ତି, ଡାକ୍ତରଙ୍କ ନିକଟରେ କେତେ ଅନୁନୟ, ବିନୟ, କାକୁତି ମିନତି, କେତେ ପ୍ରକାର କଥା, କେତେ ହସ, ପରିହାସ, କେତେ ଚିତ୍କାର କେତେ କାନ୍ଦଣା, କେତେ ପ୍ରକାର ନୂଆ ନୂଆ କଥା, କେତେ ପୁଣି ସେହି ପୁରୁଣା କଥା । ‘‘ଦାସେ ଆଇଲେ ମୂଳରୁ ଗାଁ’’ ମାଇପି, ମରଦ, ପିଲା, ଯବାନ, କେତେ କବି, କେତେ ଲେଖକ, ଚାକିରୀଜୀବୀ, କର୍ମୀ, ନେତା, ଟାଉଯର, ଶିକ୍ଷକ, ଛାତ୍ର, ଧନୀ, ଗରିବ, ସମସ୍ତେ ଆସୁଛନ୍ତି, ଯାଉଛନ୍ତି । ରୋଗ କାହାକୁ ଛାଡ଼ିନାହିଁ । ରୋଗ କତିରେ ସମସ୍ତେ ସମାନ । ସେ ଯେ କେହି ହଉନା କାହିଁକି, ରୋଗରେ ପଡ଼ିବ । ରୋଗରୁ ମୁକ୍ତି ପାଇଲେ, ପୁଣି ସେହି କଥା–‘ବିନା ଯୁଦ୍ଧେ ନାହିଁ ଦେବି ସୂଚ୍ୟଗ୍ର ମେଦିନୀ’.....

 

ଯେ ରୋଗରୁ ମୁକ୍ତି ନ ପାଇଲେ ତାଙ୍କ ଲାଗି ମଧ୍ୟ କବି ଲେଖିଛନ୍ତି-

 

‘‘ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି

ଖାଉଣଥିବେ ଶ୍ୱାନ ଶୃଗାଳ ବାଣ୍ଟି’’.....

 

ଡାକ୍ତରଖାନା କାମ ଚାଲିଛି । ଦିନ ଯବନିକା ଆଉ ଅଳ୍ପ ସମୟ ପରେ ଖସି ଆସିବ । ସନ୍ଧ୍ୟାରାଣୀ, ନେପଥ୍ୟରେ ସଜବାଜ ହେଉଛନ୍ତି, ଆଉ ଅଳ୍ପ ସମୟ ପରେ ଧରିତ୍ରୀ ରଙ୍ଗମଞ୍ଚରେ ଆବିର୍ଭୂତା ହୋଇ ତାଙ୍କର ଅଭିନୟର କଳା-କୌଶଳ ପ୍ରଦର୍ଶନ କରିବେ । ଏଇ ସମୟରେ ଜଣେ ଲୋକ ଆସି ଡାକ୍ତର ବାବୁଙ୍କୁ ଅନୁରୋଧ କରି କହିଲା–ଆଜ୍ଞା, ଆପଣଙ୍କୁ ଆମ ଗାଁକୁ ଯିବାକୁ ହେବ-

 

ଡାକ୍ତରବାବୁ ଲୋକଟିର ଏ କଥା ଶୁଣି, ଅନ୍ୟ ରୋଗୀମାନଙ୍କୁ ଅଟକାଇ ଦେଇ ପ୍ରଶ୍ନ କଲେ–କ’ଣ ହୋଇଛି ? କାରଣ କ’ଣ ?

 

ଲୋକଟି ଉତ୍ତର ଦେଲା–ଗୋଟିଏ ରୋଗୀ ଦେଖିବା ପାଇଁ ।

 

ଡାକ୍ତର ବାବୁ ଆଶ୍ଚର୍ଯ୍ୟ ସୂଚକ କଣ୍ଠରେ ପ୍ରଶ୍ନ କଲେ–କ’ଣ ସେ ରୋଗୀର ହେଇଛି ?

 

ଲୋକଟି ଉତ୍ତର ଦେଲା–ଆଜ୍ଞା, ଆମେ ଭାବୁଛୁ–କଲେରା । ସକାଳୁ ଝାଡ଼ା, ବାନ୍ତି ହେଲାଣି, ଅବସ୍ଥା ଭାରି ଖରାପ ମନେହେଉଛି । ଆପଣ ଯାହା କରିବେ........

 

ଡାକ୍ତରବାବୁ ବିରକ୍ତି ସୂଚକ କଣ୍ଠରେ କହିଲେ–ଆପଣ ଯାହା କରିବେ । ସକାଳୁ ଝାଡ଼ା, ବାନ୍ତି ହେଲାଣି, ଏତେବେଳକୁ ଆସି କହୁଛ–ଆପଣ ଯାହା କରିବେ । ମୁଁ ଯିବି ନାହିଁ...... ଲୋକଟି ଡାକ୍ତର ବାବୁଙ୍କର ଏକଥା ଶୁଣି, ହତାଶ ହୋଇ କହିଲା–ଆଜ୍ଞା, ଆପଣ ଏକଥା କହିଲେ ହବ ? ଆମେ ଗାଈ ଚରଉଛୁ, ଆପଣ ମଣିଷ ଚରଉଛନ୍ତି । ଆପଣ କରିବେ ନାହିଁ, ଆଉ କିଏ କରିବ ? ଆପଣ ମା, ବାପ ହେଉଛନ୍ତି.......

 

ଡାକ୍ତର ବିରକ୍ତ ହୋଇ କହିଲେ ହଇ ହୋ, ମୁଁ ବାପ ହେଇପାରେ, ମା କିମିତି ହେବି ?

 

ଲୋକଟି ଅପ୍ରତିଭ ହୋଇ କହି ପକାଇଲା–ଆଜ୍ଞା, ମୋ ପାଟିରୁ ବାହାରି ଗଲା, ଆପଣ ଚାଲନ୍ତୁ ଆଜ୍ଞା.....

 

ଡାକ୍ତର ବାବୁ ପଚାରିଲେ–ଚାଲନ୍ତୁ, ଚାଲନ୍ତୁ ଲଗେଇଛ, ରୋଗୀ ଅବସ୍ଥା ଏମିତି କହୁଛ; ମୁଁ ଯାଇ ପହଞ୍ଚିଲା ବେଳକୁ ରୋଗୀ ଯଦି ସେପାରିକି ଟିକେଟ କାଟି ସାରିଥାଏ.......ଲୋକଟି କିଛି ସମୟ ଅଟକିଯାଇ ପଚାରିଲା–ଆଜ୍ଞା, ସେ କ’ଣ ଟିକେଟ କାଟିବ ? ସେ’ତ ବିଛଣାରେ ପଡ଼ିଛି, ଝାଡ଼ା ବାନ୍ତିରେ । ତା’ର କୁଆଡ଼େ ବଳ ଅଛି ଯେ, ଆଉ ତା’ ହାତରେ ପଇସା କାହିଁ ଯେ, ଟିକେଟ କାଟିବ ?

 

ଡାକ୍ତର ବାବୁ ଉତ୍ତର ଦେଲେ–ଶୁଣ, ତା’ର ଯିବାର ବେଳ ଯଦି ହେଇଯିବ, ଟିକେଟ ପାଇଁ କୁଆଡ଼େ ଯିବାକୁ ପଡ଼ିବ ନାହିଁ । ସେହି ବିଛଣାରେ ଶୋଇଥିଲେ ମଧ୍ୟ, ଟିକେଟ ମିଳିବ, ପଇସା ପଡ଼ିବ ନାହିଁ । ଯୁଆଡ଼େ ଯିବ ସେଠୁ ଜଣେ ଆସି, ନିଜେ ଟିକେଟ ଦେଇ ସାଙ୍ଗରେ ନେଇ ଯିବ....

 

ଲୋକଟି ପୁଣି କହିଲା–ବୁଝିଲି ଯେ, ଆଜି କାଲି ଯୁଗରେ ବିନା ପଇସାରେ ଟିକେଟ ଦେଇ, ନିଜେ ଆସି ତାକୁ ଘର ଭିତରୁ ନେଇଯିବ, କିଏ ଇମିତି ସେ ଲୋକ ମ ?

 

ଆମେ ତାକୁ ଛାଡ଼ି ଦେବୁ ? ସେ କୁଆଡ଼ିକି ନେଇଯିବ ?

 

ଡାକ୍ତର ବାବୁ ଉତ୍ତରଦେଲେ–ଯୁଆଡ଼ିକି ସମସ୍ତେ ଯା’ନ୍ତି.......

 

ଲୋକଟି କହିଲା–କ’ଣ କହୁଛନ୍ତି, ମୁଁ ଆପଣଙ୍କ କଥା ବୁଝିପାରୁନି.....

 

ଅନ୍ୟ ଜଣେ ରୋଗୀ କତିରେ ଠିଆ ହୋଇଥିଲା, ସେ ଲୋକଟା ଉପରେ ବିରକ୍ତ ହୋଇ କହି ଉଠିଲା–ଲେମ୍ବୁ, ବୁଝି ପାରୁ ନାହଁ, ଡାକ୍ତର ବାବୁ କହୁଛନ୍ତି–ରୋଗୀର ଅବସ୍ଥା ତ ଇମିତି କହୁଛ, ଡାକ୍ତରବାବୁ ଯାଇ ପହଞ୍ଚିଲା ବେଳକୁ, ସେ ଲୋକ ବଞ୍ଚିଥିବ ତ ?

 

ଲୋକଟି ବର୍ତ୍ତମାନ ବୁଝିପାରି କହିଲା–ସେ କଥା ମୁଁ କିମିତି କହି ପାରିବି, ଡାକ୍ତର ବାବୁ କହି ପାରିବେ ନାଁ....... ।

 

କଥା ହେଲା–ଡାକ୍ତରବାବୁ ରିକ୍‌ସାରେ ଯିବେ । ତାଙ୍କ ପାଉଣାପତ୍ର ଯା’ହେବ ତୁଟେଇ ଦବାକୁ ହବ । ରୋଗୀର ଭଲ ମନ୍ଦ ରୋଗୀ ଜାଣେ, ଏତେ ବିଳମ୍ବରେ କାହିଁକି ଆସିଲ ? ଡାକ୍ତର ବାବୁ ଯିବେ, ରୋଗୀର ଯଦି ଡାକ୍ତର ବାବୁ ପହଞ୍ଚିଲା ବେଳକୁ ସ୍ୱର୍ଗପ୍ରାପ୍ତି ହୋଇଥାଏ, ଡାକ୍ତର ବାବୁଙ୍କ ଦୋଷ କ’ଣ ? କହୁନୁ......

 

ଡାକ୍ତର ବାବୁଙ୍କ କତିରେ ଠିଆ ହୋଇଥିବା ଅନ୍ୟ ଜଣେ ରୋଗୀ ଆଗନ୍ତୁକ ଲୋକକୁ ଇମିତି ଚେତାବନୀ ଶୁଣେଇ ଦେଲା ।

 

ଡାକ୍ତର ବାବୁ ହାତଟଣା ରିକ୍‌ସାରେ ବସିଯିବେ । ଡାକ୍ତରବାବୁଙ୍କୁ ଘର ଚିହ୍ନେଇ ଦବା ପାଇଁ, ଅନ୍ୟ ଜଣେ ରୋଗୀର ସମ୍ପର୍କୀୟ ଲୋକ ଡାକ୍ତର ବାବୁ ବସିଥିବା ରିକ୍‌ସା ସାଙ୍ଗରେ ଦୌଡ଼ି ଦୌଡ଼ି ଯିବାପାଇଁ ସ୍ଥିର କରିଦେଇ ଯେ ଲୋକଟି ଡାକ୍ତର ବାବୁଙ୍କୁ ଡାକିବାକୁ ଆସିଥିଲା, ଆଗେ ବାହାରିଗଲା ।

 

ଡାକ୍ତର ବାବୁ ହାତଟଣା ରିକ୍‌ସାରେ ବସିଛନ୍ତି । ରିକ୍‌ସା ଚାଲିଛି, ଗାଇଡ଼୍‌ (Guid) । ଲୋକଟି କାନ୍ଧରେ କାନ୍ଧେ ଲମ୍ବା ଲମ୍ବା ବାଉଁଶ ରଖି ରିକ୍‌ସା ସଙ୍ଗେ ସଙ୍ଗେ ଦୌଡ଼ି ଦୌଡ଼ି ଚାଲିଛି ।

 

କେତେବେଳେ ପଛରେ ପଡ଼ିଯାଉଛି ତ କେତେବେଳେ ରିକ୍‌ସା କତିରେ କତିରେ ଦୌଡ଼ୁଛି ।

 

କିଛି ବାଟ ଗଲାପରେ ଡାକ୍ତର ବାବୁ ଭାବିଲେ–ଲୋକଟି କାହିଁକି ବାଉଁଶ କାନ୍ଧେ କାନ୍ଧେଇ ଚାଲିଛି ? ଏକେତେ ଲୋକଟା ରିକ୍‌ସା ସାଙ୍ଗେ ସାଙ୍ଗେ ଦୌଡ଼ୁଛି, ତା’ପରେ ପୁଣି କାନ୍ଧେ ବାଉଁଶ କାହିଁକି କାନ୍ଧେଇଛି ?

 

ଲୋକଟା ଥରେ ରିକ୍‌ସା ପାଖେ ପାଖେ ଯାଉଥିବା ବେଳେ ଡାକ୍ତର ବାବୁ ତାକୁ ପଚାରିଲେ–କିରେ, ଏ ବାଉଁଶଗୁରାଏ କାହିଁକି କାନ୍ଧେଇ ଚାଲିଛୁ ? ବାଉଁଶ କ’ଣ ହେବ ?

 

ଲୋକଟି ଉତ୍ତର ଦେଲା–ଆଜ୍ଞା, ସେ ରୋଗୀ ଯଦି ମରିବ, ତା’ ହେଲେ କୋକେଇ ହବ, ଯଦି ବଞ୍ଚିବ ତା’ ହେଲେ ବାଡ଼ ବୁଜା ହେବ । ଚତୁର୍ମାସ୍ୟା ଦିନ, ଆଉ ରାତିରେ କିଏ ବାଉଁଶ ଖୋଜିବାକୁ ଆସିବି ? ଏଇଥିପାଇଁ ବାଉଁଶ କାନ୍ଧେଇ ନେଇ ଯାଉଛି.....

 

ଡାକ୍ତର ବାବୁ ଦୌଡ଼ୁଥିବା ଲୋକ ମୁହଁରୁ ଇମିତିଆ ଉତ୍ତର ଶୁଣି, ମନେ ମନେ ଭାବିଲେ–ତା’ହେଲେ ମୁଁ ଭଲ ରୋଗୀ ଦେଖିବାକୁ ଯାଉଛି !!! ଯା’ ହଉ ମୁଁ ଭଗବାନଙ୍କ ଦୟାରୁ ଭଲରେ ଭଲରେ ରୋଗୀ ଦେଖି ଟଙ୍କା ଧରି ଫେରି ଆସେ, ତାପରେ ଯା ହଉଥାଉ.....

 

ଡାକ୍ତର ବାବୁ ଇମିତି ଭାବୁ ଭାବୁ ଦେଖିଲେ–ଜଣେ ଲୋକ ସାମନା ଆଡ଼ୁ ଦୌଡ଼ି ଦୌଡ଼ି ଆସି କାନ୍ଦ କାନ୍ଦ ହୋଇ, ବାଉଁଶ କାନ୍ଧେଇ ଚାଲିଥିବା ଲୋକଟିକୁ କହିଲା–ଭାଇ, ଭାଇ, କାମ ସରିଗଲାଣି । ଆଉ ଡାକ୍ତର ବାବୁଙ୍କ ଯିବା ଦରକାର ନାହିଁ, ଯା’ ହଉ, ବାଉଁଶ ନେଇ ଆସିଲୁ, ବଡ଼ ଭଲ କାମ କରିଛୁ, ବଡ଼ ବୁଦ୍ଧିର କାମ କରିଛୁ.....
 

ବାଉଁଶ କାନ୍ଧେଇଥିବା ଲୋକ ମଧ୍ୟ ଏ ସମ୍ବାଦ ଶୁଣି ହଠାତ୍‌ ଅଟକି ଯାଇ ଭୋ କରି କାନ୍ଦି ଉଠିଲା ।

 

ରୋଗୀର ମୃତ୍ୟୁ ସମ୍ବାଦ ଆଣିଥିବା ଲୋକ ବୁଝେଇବା ଭଳି କଣ୍ଠରେ କହିଲା–ଆଉ କାନ୍ଦିଲେ କ’ଣ ହେବ ? ଯା’ ହଉ ତୁ ଯେ ବାଉଁଶ ପୁଳାଏ ନେଇ ଆସିଛୁ, ଭାରି ବୁଦ୍ଧିର କାମ କରିଛୁ-। ଚାଲ ଚାଲ, ଆହୁରି କେତେ କାମ ଅଛି, ରାତି ହେଇ ଆସୁଛି...... ।

 

ଡାକ୍ତର ବାବୁ ରିକ୍‌ସାବାଲାକୁ କହିଲେ–ଚାଲ, ଫେରା ରିକ୍‌ସା ଆଉ ଠିଆହବା ଦରକାର ନାହିଁ.... ।

 

ରିକ୍‌ସାବାଲା ଡାକ୍ତର ବାବୁଙ୍କୁ ପଚାରିଲା–ବାବୁ, ଏତେ ବାଟ ଆସିଲେଣି, ଚାଲନ୍ତୁ ରୋଗୀଟାକୁ ଦେଖିବେ । ସେ’ତ ଅଳ୍ପ ସମୟ ହେଲା ମରିଛି, ତଟକା ମୁର୍ଦାର । କଡ଼ା ଇନ୍‌ଜିସନ୍‌ ଇତ୍ୟାଦି ଦେଲେ ବଞ୍ଚି ଯାଇପାରେ । ମୋ ଛୋଟ ବୁଦ୍ଧିରେ କହୁଛି ବାବୁ, ଆପଣଙ୍କ ହାତ ଲାଗିଲେ ବଞ୍ଚିଯିବ.....

 

ଡାକ୍ତର ବାବୁ ବିରକ୍ତ ହୋଇ କହିଲେ–ଚାଲ, ଚାଲ, ତୁ ଫେରେଇଲୁ ରିକ୍‌ସା..... ।

 

ରିକ୍‌ସାବାଲା ରିକ୍‌ସାକୁ ଘୂରେଇ ଫେରେଇବା ଭଳି କରୁ କରୁ ଡାକ୍ତର ବାବୁଙ୍କୁ ପଚାରିଲା–ବାବୁ, ମୋ ଭଡ଼ା କିଏ ଦବ ?

 

ଡାକ୍ତର ବାବୁ ଉତ୍ତରଦେଲେ–ଚାଲ, ମୁଁ ଦେବି, ରିକ୍‌ସା ଫେରିଲା, ଡାକ୍ତର ବାବୁ ବାହୁଡ଼ିଲେ ।

Image

 

ବାଜିଆ ପ୍ରସଙ୍ଗ

 

ପଲ୍ଲୀ ଅଞ୍ଚଳ । ମାର୍ଗଶୀର ମାସର ଶୀତ ରାତି, ଜହ୍ନ ପଡ଼ିଛି, ରାସ୍ତାରେ ଲୋକ ଚଳାଚଳ କମିଗଲାଣି । ରାସ୍ତାକଡ଼ର ଯେ କେତୋଟି ଦୋକାନ, ସେଥିରେ ତାଟି କବାଟ ପଡ଼ିଲାଣି, ଆଲୁଅ ଲିଭିଲାଣି । ଗାଁ ଭିତରେ ଯେ ଯା’ର ଘରେ, ପଦାରେ କେହି ଜଣେ ଦି’ଜଣ ଯିବା ଆସିବାର ଦେଖାଯାଉଛି, ଅଧିକାଂଶ ଲୋକଙ୍କ ଦୁଆର ବନ୍ଦ ।

 

ଗୋଟଏ ଘର ଭିତରେ ଜଣେ ବୁଢ଼ା ନିଜର ଗୋଦରଗୋଡ଼କୁ ଆଉଁସୁ ଆଉଁସୁ ଯନ୍ତ୍ରଣାରେ ଛଟପଟ ହେଇ ନିଜର ପୁଅକୁ ଶଶୁରତନୟ ହିସାବରେ ବନ୍ଦନା କରି କହିବାରେ ଲାଗିଛି–କୁଆଡ଼େ ଗଲାସେ, ଆଜି ଆସୁ ମୁଁ ତାକୁ ଦେଖୁଛି । ମୁଁ ତାକୁ କହୁଛି–ମୋତେ ଟିକିଏ ଡାକ୍ତରଖାନାରୁ ଔଷଧି ଆଣି ଦେଇଯା, ଯାଇଛି ଯେ, ଯାଇଛି ।

 

ଆଉ ଗୋଟାଏ ଘରେ ଆଲୁଅ ନାହିଁ, ଜଣେ ବୟସ୍କା ବିଧବା ସଂଧ୍ୟା ପରଠାରୁ ପ୍ରାୟ ଦଶଥର, ଥରେ ଘରେ, ଥରେ ରାସ୍ତାକଡ଼କୁ ଆସି ଅନଉଛି–ପୁଅ କୁଆଡ଼େ ଗଲା ? ଶେଷରେ ପୁଅକୁ ବାଡ଼ିଖିଆ ଆଖ୍ୟାଦେଇ ବିରକ୍ତ ହୋଇ ଭାବୁଛି–କ’ଣ ମଲାକି କୁଆଡ଼େ ? ଘରେ ତେଲ ନାହିଁ, ଲୁଣ ନାହିଁ, ରାତି ହେଲାଣି, ଦୋକାନ ପଡ଼ିଲାଣି, ଗଲା କୁଆଡ଼େ ?

 

ଆଉ ଗୋଟାଏ ଘରେ ଜଣେ ବୁଢ଼ା ବ୍ୟସ୍ତହୋଇ ନିଜର ଭେଣ୍ଡା ପୁଅକୁ ଶଶୁରନନ୍ଦନ ଆଖ୍ୟା ଦେଇ ବକିବାରେ ଲାଗିଛି–ବାଛୁରୀଟା କୁଆଡ଼େ ଗଲା ? ଥିଲେ ଟିକିଏ ବାଛୁରୀଟା ଖୋଜି ଆଣି ଥା’ନ୍ତା, ମୋର କ’ଣ ବଳ ପାଉଛି ? ମୁଁ କୁଆଡ଼େ ଯାଇ ପାରୁଛି ?

 

ଆଉ ଜଣେ ବୁଢ଼ା ରାସ୍ତାକଡ଼ରେ ଠିଆ ହୋଇ କେତେଥର ବାଜିଆରେ ବାଜିଆରେ ଡାକି ଡାକି ଘରକୁ ଫେରିଲା । ବୁଢ଼ା ଆଉ ଡାକି ପାରିଲାନି, ମନେ ମନେ ବିରକ୍ତ ହେଇ କହିବାକୁ ଲାଗିଲା–ଆଜି ଆସୁ, ଦେଖୁଛି ତାକୁ, ଘରେ ପଇସା ଗୋଟାଏ ନାହିଁ, ସାଆନ୍ତଙ୍କ କତିକି ଯାଇଥିଲେ ପାଞ୍ଚଟା ଟଙ୍କା ଆଣିଥିଲେ ଖର୍ଚ୍ଚ ହୋଇଥାନ୍ତା....... ।

 

ଇମିତି ସମୟରେ; ପଲ୍ଲୀର ଶୀତରାତିର ନିସ୍ତବ୍‌ଧତା ଭଙ୍ଗ କରି ଚାରିଆଡ଼ ଝଂକୃତ ହୋଇ ଉଠିଲା–ହିପ୍‌ ହିପ୍‌ ହୁରରେ, ହିପ୍‌ ହିପ୍‌, ହୁରରେ ପିକ୍‌ ପିକ୍‌ ଭୁର୍‌ରେ....... ।

 

ଯା ମୁହଁରେ ଯା ଉଚ୍ଚାରଣ ହେଲା, ହିପ୍‌ ହିପ୍‌ ହୁରରେ...... ।

 

ଜଣେ ଦୁଇଜଣ କହିବାର ଶୁଣାଗଲା–ଥ୍ରୀ ଚିୟର୍ସ ଫର୍‌ ଉଦ୍ଦଣ୍ଡ କ୍ଳବ୍‌ ଥ୍ରୀ ଚିୟର୍‌ର୍ସ ଫର୍‌ ଉଦ୍ଦଣ୍ଡ କ୍ଳବ୍‌..... ।

 

ଗାଁ ଖଣ୍ଡକରେ ଏ ମିଳିତ କଣ୍ଠ ଶବ୍ଦର ଝଙ୍କାରରେ ଶୀତ ରାତିରେ ଗୋଟାଏ ଚମକ ଖେଳିଗଲା, କେତେକଙ୍କର ନିଦ ଭାଙ୍ଗିଗଲା ।

 

ଗର୍ଭବତୀ ବୋହୂମାନଙ୍କର ଏ ଶବ୍ଦରେ ଗର୍ଭନଷ୍ଟ ହବାର ଆଶଙ୍କା କରି ଶାଶୁମାନେ ଉପଦେଶ ଛଳରେ କହିଲେ–ବୋହୂ, କାନରେ ଆଙ୍ଗୁଳି ଦବୁଟି....... ।

 

ଗର୍ଭିଣୀ ଝିଅ, ଯେଉଁମାନେ ଶାଶୁଘରୁ ଆସି ବାପଘରେ ସନ୍ତାନ ପ୍ରସବ ଲାଗି ଅପେକ୍ଷା କରି ରହିଥିଲେ, ସେମାନଙ୍କର ମା’ମାନେ ଝିଅଙ୍କୁ ଆଶ୍ୱାସନା ଦେଇ କହିଲେ–ଝିଅ, କିଛି ଭୟ କରନା, କୁଳବୁଡ଼ା କୁଆଡ଼େ ଯାଇଥିଲେ, ଚଉଦ ପୁରୁଷ ପିଣ୍ଡ ପକେଇବାକୁ, ଆସି ପାଟିକରି ନିଦ ଭଙ୍ଗଉଛନ୍ତି, ଝରିପୋକ ପରି ଲାଗିଛି........ ।

 

କେତେଗୁରା ଘୁମନ୍ତ ପକ୍ଷୀ ଏ ସମବେତ କଣ୍ଠ ଧ୍ୱନିରେ ଚମକି ପଡ଼ି ଗୋଟାଏ ଗଛରୁ ଅନ୍ୟ ଗଛକୁ ଉଡ଼ି ଚାଲିଗଲେ ।

 

ପୁଣି ଶୁଣାଗଲା–ହିପ୍‌ ହୁର୍‌ରେ, ହିପ୍‌ ହୁରରେ, ପିକ୍‌ ପିକ୍‌ ଭୁର୍‌ରେ.... ।

 

ଉଦ୍ଦଣ୍ଡ କ୍ଳବ୍‌ର କେତେକ ଉତ୍ସାହୀ ଯୁବକ, ଯେଉଁମାନେ ଖେଳ ଦେଖିବାକୁ ଯାଇପାରି ନ ଥିଲେ, ଗାଁ ଭିତରୁ ବାହାରି ଆସି ରାସ୍ତାକଡ଼ରେ ଠିଆ ହୋଇ ଆନନ୍ଦରେ କୁହାକୁହି ହେଲେ–ଆମ କ୍ଳବ୍‌ ଜିତିଛି...... ।

 

କେତେକ ଆନନ୍ଦରେ ପରସ୍ପରକୁ କୁଣ୍ଢାକୁଣ୍ଢି ହେଇ ଗଡ଼ାତଡ଼ା ହେଇଗଲେ ।

 

ବାଜିଆର ବାପ ଆସି ରାସ୍ତାକଡ଼ରେ ଠିଆ ହେଲା । ଅନ୍ୟାନ୍ୟ କେତେକ ବୁଢ଼ା, ଯୁଆନ ଧାଡ଼ିବାନ୍ଧି ଠିଆ ହେଲେ । ବାଜିଆର ବାପକୁ ଦେଖି ଆଉ ଜଣେ ଲୋକ ଆସି କହିଲା–ହଇ ହୋ, ତୁମେ ତ ଭାରି ଭଲ ଲୋକ । ଟଙ୍କା ଆଉ କେବେ ଦବ ? କେତଥର ଦଉଡ଼ିବି ? ମୁଁ ତୁମକୁ ଭେଟିବା ପାଇଁ ବର୍ତ୍ତମାନ ଆସି ପହଁଚୁଛି । ତୁମର ତ ଦିନବେଳା ଭେଟ ମିଳିଲା ନାହିଁ, କୁଆଡ଼େ ଲୁଚୁଛୁ, ଯା କଲ କଲ, ଟଙ୍କା ଦିଅ..... ।

 

ବାଜିଆର ବାପ ଏତେଦିନ ଯା’କୁ ଟଙ୍କା ନ ଦେଇପାରି ଲୁଚି ଲୁଚି ବୁଲୁଥିଲା, ଏ ରାତିବେଳରେ ତା’ରି ହାବୁଡ଼େ ପଇଲା । କି ବିପଦ !! କ’ଣ କହିବ ?......

 

ପୁଣି ଶୁଣାଗଲା–ହିପ୍‌ ହିପ୍‌ ହୁର୍‌ରେ, ହିପ୍‌ ହିପ୍‌ ହୁର୍‌ରେ.... । ପିକ୍‌ ପିକ୍‌ ଭୁର୍‌ ରେ...... ।

 

ବାଜିଆର ବାପ ତିନି ଚାରି ଢୋକ ଛେପ ଗିଳି ନ୍ୟୂନସ୍ୱରରେ କହିଲା–ଭାଇ, ସବୁ ଦୋଷ ମୋର, ଯା ହବାର ହେଲା, ଆଉ ମାସେ ସମାଳି ଯାଅ, ବାଜିଆ ଟିକିଏ କାମରେ ଲାଗିଯାଉ, ଏତେ ଦିନେ ଖଣ୍ଡେ ଚପରାସି ଚାକିରୀ ପାଇଛି, ମୁଁ ତୁମର ଟଙ୍କା ଦବାକୁ ଆଉ ଡେରି କରିବି ନାହିଁ..... ।

 

ଏଇ ସମୟରେ ଦୁଇ ତିନି ଜଣ ଉଦ୍ଦଣ୍ଡ କ୍ଳବ୍‌ର ଉତ୍ସାହୀ ଯୁବକ ସାଇକେଲରେ ଆସି ଓହ୍ଲେଇ ପଡ଼ି ବାଜିଆର ବାପକୁ ଦେଖି ଧଇଁ ସଇଁ ହେଇ ଖବର ଦେଲେ–ବାଜିଆର ଡାଆଁଣ ଗୋଡ଼ ଭାଙ୍ଗିଯାଇଛି, ତା’ରି ଯୋଗୁଁ ଆମର କ୍ଳବ୍‌ ଆଜି ଫୁଟୁବଲ୍‌ ଫାଇନାଲ ଖେଳରେ ଜିତିଛି, ସେ ଏକା ତିନି ଗୋଲ ଦେଇ ଆମର କ୍ଳବ୍‌କୁ ଜିତେଇଛି, ସେ ହ୍ୟାଟ୍ରିକ୍‌ କରିଛି । ତାକୁ ତିନି ଚାରିଜଣ ପିଲା ଟେକି ନେଇ ଡାକ୍ତରଖାନାକୁ ଗଲେଣି; ସେ ଆଉ ଠିଆ ହେଇ ପାରୁନି, କି ଚାଲି ପାରୁନି; କିନ୍ତୁ ତା’ରି ଯୋଗୁଁ ଆଜି ଆମେ ସିଲ୍‌ଡ଼ ପାଇଛୁ, ଆମ ଯୁବକସଂଘର ସମ୍ମାନ, ଗାଁର ସମ୍ମାନ ରହିଛି, ଆପଣ ଯଦି ତାକୁ ଦେଖିବାକୁ ଯିବେ ତ ଆସନ୍ତୁ, ସାଇକେଲ ପଛରେ ବସେଇ ଡାକ୍ତରଖାନାକୁ ନେଇଯିବୁ; ଆଉ ଡେରି କଲେ ହବନାହିଁ; ଆସନ୍ତୁ ଯଦି ଯିବେ ତ..... ।

 

ବାଜିଆର ବାପ ଗୋଲ୍‌ ଦବା କ’ଣ, ହ୍ୟାଟ୍ରିକ୍‌ କ’ଣ, ସିଲ୍‌ଡ଼ କ’ଣ ପାଇଛନ୍ତି, କିଛି ବୁଝିପାରିଲାନି, ବାଜିଆ ଯୋଗୁଁ ଯେ ଗାଁ’ର ଯୁବକମାନଙ୍କର କି ସମ୍ମାନ ରହିଛି, ଗାଁ’ର ଯେ କ’ଣ ସମ୍ମାନ ରହିଛି, କିଛି ବୁଝି ପାରିଲାନି; କେବଳ ବୁଝିଲା–ବାଜିଆର ଗୋଡ଼ ଭାଙ୍ଗିଯାଇଛି, ସେ ଡାକ୍ତରଖାନାକୁ ଗଲାଣି ।

 

ବାଜିଆର ବାପକୁ ଜଣାଗଲା–ତା ମୁଣ୍ଡରେ ଯେମିତି ବଜ୍ରପାତ ହେଲା, ଆଖିରେ କେତେଗୁରା ଜୁଳୁଜୁଳିଆ ପୋକ ଉଡ଼ି ବୁଲିବାର ଦେଖାଗଲା ।

 

ପୁଣି ପାଖରେ ଶୁଣାଗଲା–ହିପ୍‌ ହିପ୍‌ ହୁର୍‌ରେ, ହିପ୍‌ ହିପ୍‌ ଭୁର୍‌ରେ ପିକ୍‌ ପିକ୍‌ ପିକ୍‌ ଭୁର୍‌ରେ...... ।

 

ଗାଁ’ର ଉଦ୍ଦଣ୍ଡ କ୍ଳବ୍‌ର ସିଲ୍‌ଡ଼ ବିଜୟୀ ଖେଳାଳୀମାନେ ତାଙ୍କର ସମର୍ଥକ, ପୃଷ୍ଠପୋଷକ ଦଳ ସମସ୍ତେ ସିଲ୍‌ଡ଼ ନେଇ ଆସି ଗାଁ ଦାଣ୍ଡରେ ପହଞ୍ଚିଗଲେ । ଦୋଳ ବେଳେ ଗାଁ ଦାଣ୍ଡରେ ଗାଁର ଠାକୁର ଗୋପୀନାଥଜୀଉଙ୍କର ବିମାନକୁ ନେଇ ମେଲଣ ପଡ଼ିଆକୁ ଗଲାବେଳେ ଇମିତି ଆନନ୍ଦ କୋଳାହଳ, ଗଣ୍ଡଗୋଳ, ଗଡ଼ାଗଡ଼ି, କୁଣ୍ଢାକୁଣ୍ଢି, ଦେଖାଯାଏ ନାହିଁ ।

 

ପ୍ରକାଣ୍ଡ ସିଲ୍‌ଡ଼, ଗାଁ ଦାଣ୍ଡରେ ଲୋକାରଣ୍ୟ । ବଡ଼ଠୁଁ ପିଲାଯାଏ; ବୁଢ଼ାଠୁଁ ଭେଣ୍ଡା ଯାଏ, ସମସ୍ତଙ୍କର ସେଇ ଗୋଟାଏ କଥା, ଦାସେ ଆଇଲେ ମୂଳରୁ ଗା–

 

କିଏ ଗୋଲ ଦେଲା ? କେତେଟା ଗୋଲ ହେଲା ? ବାଜିଆର ଗୋଡ଼ କିମିତି ଭାଙ୍ଗିଲା-? ବାଜିଆ ପରି ଯୋକା ଆମ ଗାଁରେ ଜନ୍ମନେବା ଆମର ଭାଗ୍ୟ । ଏକା ତିନି ଗୋଲ ଦେଲା । କି ବିଚିତ୍ର ଖେଳ ତାର ! ଧନ୍ୟ ତାର ମା, ବାପ ! କି ବିଚକ୍ଷଣ ବୁଦ୍ଧିମାନ ପୁଅ, ତାର ବାପ, ମା, କି ଶୁଭ ବେଳରେ ଜନ୍ମ କରିଥିଲେ ।

 

ଉତ୍ସାହୀ ଯୁବକମାନଙ୍କ ମଧ୍ୟରୁ କେତେଜଣଙ୍କ ଉଦ୍ୟମରେ କୁଆଡ଼ୁ ଦୁଇ ତିନିଟା ପେଟ୍ରୋମାକ୍‌ସ, ଡ୍ରମବାଜା, ବିଗୁଲ ଇତ୍ୟାଦି ଆସି ପହଞ୍ଚିଗଲା । ପେଟ୍ରୋମାକ୍‍ସ ଆଲୁଅରେ ସିଲଡ଼୍‍ଟା ଆହୁରି ଚମତ୍‌କାର ଦେଖାଗଲା । କଳାରଙ୍ଗର କାଠପଟା ଉପରେ ରୂପା ଛାଉଁଣି ହେଇଛି-। କି ଅଦ୍ଭୁଦ, କି ଚମତ୍‌କାର ଜିନିଷ !! ଗାଁର ବୁଢ଼ା ବୁଢ଼ା ପୁରୁଖାଲୋକେ ସିଲ୍‌ଡ଼ ଦେଖି ଆଶ୍ଚର୍ଯ୍ୟ ହୋଇ କୁହାକୁହି ହେଲେ–ଆମ ବାପ ଚଉଦପୁରୁଷରେ ଇମିତିଆ ଜିନିଷ ଦେଖି ନଥିଲୁ । ବାଜିଆ ଯୋଗୁଁ ଏ ଜିନିଷ ଆମ ଗାଁ’କୁ ଆସିଲାରୁ ସିନା ଆମେ ଦେଖିଲୁ, ଆଖି ପବିତ୍ର ହେଲା..... ।

 

ସିଲ୍‌ଡ଼କୁ ଜଣେ ଡେଙ୍ଗାଟୋକା ନିଜ ଗାମୁଛାରେ ମୁଣ୍ଡରେ ଠେକା ବାନ୍ଧି ଦି’ହାତରେ ଧରି ଠେକା ଉପରେ ରଖଇ ମୁଣ୍ଡେଇଛି, ତା’ର ଚାରିପଟେ ଲୋକ, ଗାଁ’ର ବୋହୂ, ଝିଅ, ସାନଖୁଡ଼ି, ବଡ଼ଖୁଡ଼ି, ମଝିଆଣୀ, ଦେଠେଇ, ମାଉସୀ, ପିଇସୀ, ମାଇଁ, ଆଈ ଦୋଳବେଳେ ଯେମିତି ଠାକୁର ବିବାନରେ ବସି ମେଲଣ ପଡ଼ିଆକୁ ବାହାରିବାବେଳେ, ଦୂରରେ ବାରିପଟେ ବାଡ଼ମୂଳେ କାନ୍ଥ ଉଢ଼ାଳରେ ଠିଆ ହେଇ ଲୁଚି ଛପି ଦେଖନ୍ତି; ସିଲଡ଼ ଦେଖିବା ପାଇଁ ସେମିତି ଦୂରରେ ଗଦାହେଇ ଦେଖିଲେ–ଯେ ଦେଖିଲେ, ସେ ଆଶ୍ଚର୍ଯ୍ୟ ହେଲେ; କେତେକ ଓଳଗି ହେଇ କହିଲେ–ମା, ଆମ ଗାଁକୁ ଇମିତି ଭଲ ଆଖିରେ ଅନେଇଥା, ସମସ୍ତଙ୍କର ମଙ୍ଗଳ କର ମା... ।

 

ଦୁଇ ତିନିଜଣ ମାଇପି, ଏ କେତେଜଣ ମାଇପିଙ୍କର ସିଲ୍‌ଡ଼କୁ ଓଳଗି ହବାର ଦେଖି ହସି ପକେଇ ଥଟ୍ଟାକରି କହିଲେ–ମରୁନା ତୁମେ, ହଇଲୋ, ତାକୁ ଓଳଗି ହେଉଛ ? ସେ କ’ଣ ଠାକୁର ହେଇଛି ?

 

ଏତିକିବେଳେ ସାନ ସାନ କେତେକ ପିଲା ‘ହରିବୋଲ’ ଧ୍ୱନି କରି ପାଟିକଲାରୁ କେତେଗୁରା ଫାଡ଼ା ଶ୍ରେଣୀର ଯୁବକ ମାଇପିଙ୍କ ପରି ହୁଳହୁଳି ପକେଇଲେ ।

 

ଏଇ ହରିବୋଲ, ହୁଳହୁଳି ଧ୍ୱନି ଶୁଣି ଦୂରରେ ରୁଣ୍ଡ ହୋଇଥିବା ମାଇପିଙ୍କ ମହଲରୁ କିଛି ନ ବୁଝି ହୁଳହୁଳି ଶବ୍ଦ ଉଛୁଳି ପଡ଼ିଲା ।

 

ଏ ହରିବୋଲ ହୁଳହୁଳି ଶବ୍ଦ ବନ୍ଦ ହେଲା ପରେ ଜଣେ ଦି’ଜଣ ମାଇପି ସିଲ୍‌ଡ଼କୁ ଓଳଗି ହବାର ଦେଖି ଯେଉଁ ମାଇପିମାନେ ପରିହାସ କରୁଥିଲେ; ସେମାନଙ୍କୁ ଲକ୍ଷ୍ୟ କରି ପ୍ରତ୍ୟୁତ୍ତରରେ ପଚାରିଲେ–କିଲୋ, ସେ ଠାକୁର ନୁହେଁ ତ ଏତେ ହରିବୋଲ କାହିଁକି ପଡ଼ୁଛି ? ଏତେ ହୁଳହୁଳି କାହିଁକି ପକଉଛନ୍ତି ? ଆଉ ସେ କଳସ କାହିଁକି ଜଣେ ଧରି ଆଗେ ଆଗେ ଚାଲିଛି ?

 

ଏ ପ୍ରଶ୍ନର ଉତ୍ତରରେ ଶୁଣାଗଲା–ହଇଲୋ, କଳସ କାହିଁ ମ ? ସେ ପେଣ୍ଡୁଟା ଧରିଛି ନା, କଳସ କିଏ ଧରିଛି ମ ?

 

ଏହି ସମୟରେ ଦଳେ ଯୁବକ ଡାକ୍ତରଖାନା ଆଡ଼ୁ ଦୌଡ଼ିଆସି ଖବର ଦେଲେ–ବାଜିଆର ଗୋଡ଼ କଟା ହବ । ତା’ର ଡାଆଣ ଗୋଡ଼ର ହାଡ଼ ଗୁଣ୍ଡା ହେଇଯାଇଛି, ଆଉ ଯୋଡ଼ିହବନି, ତା’ର ବାପ ଅଜ୍ଞାନ ହୋଇ ଡାକ୍ତରଖାନାରେ ପଡ଼ିଛି ।

 

ବାଜିଆର ଏପରି ଶୋଚନୀୟ ପରିଣତିର ଖବର ଶୁଣି ସମବେତ ଯୁବକଦଳ ଛତ୍ରଭଙ୍ଗ ଦେଲାପରି ଅଧିକାଂଶ ଡାକ୍ତରଖାନା ଆଡ଼କୁ ଦଉଡ଼ିଲେ । ସିଲ୍‌ଡ଼ ପେଟ୍ରୋମାକ୍‌ସ, ହିପ୍‌ ହିପ୍‌ ଭୁର୍‌ରେ, ହରିବୋଲ, ହୁଳହୁଳି, ଆନନ୍ଦ, ଉତ୍ସାହ, ଉଦ୍ଦୀପନା, ଜୟୋଲ୍ଲାସ ସବୁ କୁଆଡ଼େ ଉଭେଇଗଲା ।

 

କେତେକ ଖେଳାଳୀ ଡାକ୍ତରଖାନାକୁ ନ ଯାଇ ଘରକୁ ଫେରିଲେ, ଉଦ୍ଦଣ୍ଡ କ୍ଳବ୍‌ର ଗୋଲକିପ୍‌ର ଗୃହ ପ୍ରବେଶ କରି ନିଜର ଅପେକ୍ଷମାଣା, ଉଦ୍‌ବିଗ୍ନା, କାତରହୃଦୟା, ବୟସ୍କା ଜନନୀକୁ ଭେଟି ଉଲ୍ଲାସରେ କହି ପକେଇଲା–ବୋଉ, ଆମେ ତିନି ଗୋଲ୍‌ରେ ଜିତିଛୁ ।

 

ବୋଉ ଉତ୍ତରରେ କହିଲା–ମଲୁ ନାହିଁ ତୁ, ଜିତିଛୁ, ବୋପା ନାଁ’ ରଖିଛୁ । ଘର ଅନ୍ଧାର, ତେଲ ନାହିଁ, ଲୁଣ ନାହିଁ, ମୁଁ ଅନେଇ ଅନେଇ ଥକିଗଲିଣି ।

 

ପୁଅ ପୁଣି କହିଲା–ବୋଉ, କ’ଣ ଅଛି, ଖାଇବାକୁ ଦେ, ଭୋକରେ ପେଟ ଜଳିଲାଣି ।

ବୋଉ–କ’ଣ ଅଛି ଯେ, ଖାଇବାକୁ ଦେବି, ମୋତେ ଖା; ମୋ ଦିନ ସରିଯାଉ...... ।

ଆଉ ଜଣେ ଖେଳାଳୀ ଗୃହପ୍ରବେଶ କରି ଉଚ୍ଚକଣ୍ଠରେ ଘର ନିନାଦିତ କରି ଜୟୋଲ୍ଲାସରେ କହି ଉଠିଲା–ବା’ମ ଆମେ ମାର୍ତ୍ତଣ୍ଡ କ୍ଳବ୍‌କୁ ତିନି ଗୋଲରେ ହରେଇ ସିଲ୍‌ଡ଼ ପାଇଛୁ...... ।

ଏହାର ଉତ୍ତରରେ ବାପଆଡ଼ୁ ଶୁଣାଗଲା–ଶଶୁରପୁଅ, ମୋ ଗୋଡ଼ ଭଲଥିଲେ ଏକା ଗୋଇଠାରେ ତୋ ଅନ୍ତବୁଜୁଳା ବାହାର କରି ଦିଅନ୍ତି, ଶଶୁରପୁଅକୁ କହିଲି–ମୋତେ ଟିକିଏ ଡାକ୍ତରଖାନାରୁ ଔଷଧି ଆଣି ଦେଇଯା, ଶଶୁରପୁଅ ଯାଇଥିଲା ଖେଳିବାକୁ...... ।

ଶେଷରେ ଉକ୍ତ ଖେଳାଳୀଙ୍କ ବାପ ସିଲ୍‌ଡ଼କୁ ଗୋଟାଏ ପଦାର୍ଥ ସହିତରେ ତୁଳନା କରି ଭର୍ତ୍ସନା କଲା–ଯାହାକି ବୋଧ୍ୟ, କୌତୁହଳୋଦ୍ଦିପକ, ହାସ୍ୟରସାତ୍ମକ, ସର୍ବସାଧାରଣ କିନ୍ତୁ ଅପ୍ରକାଶ୍ୟ..... ।

ଆଉ ଗୋଟାଏ ଘରେ ଜଣେ ଖେଳାଳୀ ଆନନ୍ଦରେ ଗୃହପ୍ରବେଶ କରିବା ମାତ୍ରେ ଜଣେ ଅଧୁଆଡ଼ୀ ଲୋକ ଗୋଟାଏ ଠେଙ୍ଗା ହାତରେ ଧରି ଗୋଡ଼େଇଲା ବକି ବକି–କୁଆଡ଼େ ଯାଇଥିଲୁ ? ଏତେ ରାତି ହେଲାଣି, ଆଜି ତୁ ଅଛୁ କି, ମୁଁ ଅଛି.... ।

ଇମିତି ଖେଳାଳୀ ରୂପକ ମାୟାମୃଗ ପଳେଇଛି ଆଉ ତା’ ପଛରେ ଠେଙ୍ଗା ରୂପକ କୋଦଣ୍ଡ ଧରି ଅଧୁଆଡ଼ୀ ରୂପକ ରଘୁପତି ଗୋଡ଼େଇଛନ୍ତି । ଏତିକିବେଳେ ବିପରୀତ ଆଡ଼ୁ ଉଦ୍ଦଣ୍ଡ କ୍ଳବ୍‌ର ଏବଂ ଗାଁ’ର ଯୁବକସଂଘ ସେକ୍ରେଟାରୀ ଦାମ ରାଉତରା ଘରକୁ ଫେରିବା ବାଟରେ ଖାଳାଳୀ ଜଣକୁ ଚିହ୍ନି ପକେଇ ଏବଂ ତା ପଛରେ ଉଦ୍ୟତ ଠେଙ୍ଗାକୁ ରୋକିଦେଇ କହିଲେ କ’ଣ ହେଇଛି ରୁହ... ।

ଖେଳାଳୀ ଜଣକ ଧଇଁ ସଇଁ ହେଇ ଜଣେଇଲା–ମୋର ବାପା ମୋତେ ମାରିବାକୁ ଗୋଡ଼େଇଛି ।

ଦାମ ରାଉତରା ଖେଳାଳୀର ବାପକୁ ଧମକସୂଚକ କଣ୍ଠରେ ପଚାରିଲା–କାହିଁକି ମାରିବାକୁ ଗୋଡ଼େଇଛ ?

ଖେଳାଳୀର ବାପ ରାଗର ଉତ୍ତର ଦେଲା–କିଏ ଦାମା, ତୁ, ଗାଁ ଖଣ୍ଡକର ସର୍ବନାଶ କଲୁ-

ଦାମ–କ’ଣ ସର୍ବନାଶ କଲି ? ତୁମେ ମୁର୍ଖଲୋକ, ତା’ନ ହେଲେ ଇମିତି କଥା କୁହନ୍ତ ?

ଖେଳାଳୀର ବାପ ଉତ୍ତର ଦେଲା–ଆଉ ଏ ଶଶୁରପୁଅ ତ କାମକୁ ଗଲା ନାହିଁ, କି ପେଣ୍ଡୁଖେଳ ଏ ଗାଁରେ ପୁରେଇଲୁ ! ପିଲାଗୁରାଙ୍କର ପାଠ ପଢ଼ା ଗଲା; ପାଠ ନ ପଢ଼ିଲେ ହେଲେ କାମ ଧନ୍ଦା କରନ୍ତେ, ଦି’ପଇସା ଘରକୁ ଆଣନ୍ତେ, କିଛି ନାହିଁ । କି ନିଲଜ ଯୁବକ ସଂଘ ଏ ଗାଁରେ ହେଲା । ଏ ଗାଁ’ର ସର୍ବନାଶ ହେଲା । ଏ ଭେଣ୍ଡା ଟୋକାଗୁରାକ ଯୁଆଡ଼େ ଯିଏ ପାଠ ପଢ଼ୁଥିଲେ, କିମ୍ବା ଯୋଉଠୁଁ ସେ କଲବ ଘର ଖଣ୍ଡକ ପାଇଲେ; ସୁବିଧା ହେଇଗଲା; ସମସ୍ତେ ଏକାଠି ହେଇ ବସିବାକୁ ଗୋଟାଏ ଥାନ ମିଳିଗଲା; ବାର ମସୁଧା, ବାର ବଦମାସି, ବାର ଭଣ୍ଡାମି; ବୋହୂ ଝିଅ ତ ଆଉ ବାଟ ଚାଲି ପାରିଲେ ନାହିଁ ।

 

ଦାମ ପ୍ରତ୍ୟୁତ୍ତରରେ କହିଲା–କ’ଣ କରୁଛ ରଥେ ? ଏଗୁରା କ’ଣ ବକୁଛ ? ଆମ ଗାଁ’ରେ ଯୁବକ ସଂଘ ହେଲା ଦିନଠୁଁ, ଗ୍ରାମ ସଫେଇ ସାଂସ୍କୃତିକ ଅନୁଷ୍ଠାନ, ପାଠାଗାର, କ୍ରୀଡ଼ା ପ୍ରତିଯୋଗିତା, ପ୍ରଦର୍ଶନୀ, ସର୍ବଭାରତୀୟ ସ୍ମୃତି ଦିବସ ପାଳନ, ନାଟକ ମାଧ୍ୟମରେ ଅର୍ଥସଂଗ୍ରହ, ଆଉ ଓଡ଼ିଆ ଭାଷାର ଆଦର ବଢ଼େଇବା ସର୍ବଭାରତୀୟ ପୁଣି ରାଜ୍ୟ ସ୍ତରରେ ଶୋକ ପ୍ରକାଶ କରିବା, ଆହୁରି କେତେ କ’ଣ ହେଉଛି, ତୁମକୁ କ’ଣ ଜଣା ଅଛି ? ତୁମରି ପରି ଯେତେ ବୁଢ଼ା ଏ ଗାଁ’ରେ ଅଛନ୍ତି ସମସ୍ତେ ଏ ଗାଁ’ର ଅବନତିର ମୂଳ ।

 

ରଥେ ଦାମା ମୁହଁରେ ଇମିତି ବଡ଼ ବଡ଼ କଥାଗୁଡ଼ା ଶୁଣି କେତେକାଂଶରେ ଲଜ୍ଜିତ ହେଲେ, କାରଣ ତାଙ୍କ ପୂଅଠାରୁ ଅଳ୍ପ କେତେ ବର୍ଷର ବଡ଼ ହେବ ଦାମା, ସେ ପୁଣି ତାଙ୍କୁ ‘ରଥେ’ ବୋଲି ସଂବୋଧନ କରି କଥା କହୁଛି ।

 

ରଥେ ରାଗରେ ଜଳିଉଠି କହିଲେ–ହଇରେ ଦାମା, ତୁ ପୁଣି ଏତେକଥା ଶିଖିଲୁଣି କେବେଠୁ ? ନିଜେ ଯେମିତି ବାଳୁଙ୍ଗା ହେଇ ଚାରି ଦଉଡ଼ି କାଟି ବୁଲୁଛି, ସେମିତି ଆଉ ପାଞ୍ଚଟାକୁ ସାଙ୍ଗ କରୁଛୁ, ତାଙ୍କ ଜୀବନ ନଷ୍ଟ କରୁଛୁ । ହେଇ, ବାଜିଆ ଯୋଉ ଖେଳିବାକୁ ଯାଇ ଗୋଡ଼ ଭାଙ୍ଗି ଆସିଲା, ଆମେ ଶୁଣୁଛୁ–ତା’ ଗୋଡ଼ କୁଆଡ଼େ କଟାହବ, ତା’ ବାପ ମା’କୁ କିଏ ପୋଷିବ ।

 

ଦାମା ରଥଙ୍କ ଏ କଥାର ଉତ୍ତର ଦବାକୁ ଯାଇ କହିଲା–ବାଜିଆକୁ ଆମେ ପୋଷିବୁ, ବାଜିଆ ଲାଗି ମୁଁ ଜୀବନ ଦବାକୁ ପ୍ରସ୍ତୁତ । ବାଜିଆ ଆମ ଗାଁ’ର, ଦେଶର, ଜାତିର ଗୌରବ । ସେ ଦିନେ ନା ଦିନେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିପାରେ ।

 

ରଥେ–ହଇରେ, ବାଜିଆ ପାଇଁ ଜୀବନ ଦବାକୁ ପ୍ରସ୍ତୁତ କହୁଛୁ, ଅଭିକା ଡାକ୍ତରଖାନାକୁ ତାକୁ ଟିକିଏ ଦେଖିବାକୁ ଯାଇଥିଲୁ ? କହ, ସତ କହ, ଛତରା ଚୋର..... ।

 

ରଥେ ଦାମାକୁ ଚୋର କହିବାର ଶୁଣି, ଦାମା ରଥଙ୍କ ଆଡ଼କୁ ଉହୁଙ୍କି ଯାଇ କହିଲା–କ’ଣ ଚୋରି କରିଥିଲି ? ତୁମ ବୋପା ଚଉଦପୁରୁଷ ମୋତେ ଚୋର ବୋଲି କହିଥିଲା ?

 

ରଥେ ଆହୁରି ଉତ୍ତେଜିତ ହୋଇ ଜୋର୍‌ରେ ପାଟିକରି କହିଲେ–କ’ଣ ତୁ ଚୋର ନୁହେଁ-? ହଇରେ କଟକରେ ଯେତେବେଳେ ଥେଲୁ, ଜାଲ ପରିମିଟ୍‍ରେ ସିମେଣ୍ଟ ଚୋରିରେ ଜେଲ୍‍ ଯାଇ ନ ଥିଲୁ ? ବଢ଼ି ବଢ଼ି କଥା କହୁଛୁ ?

 

ରଥେ ଆହୁରି କହିଲେ–ହଇରେ ଯୁବକ ସଂଘ ଯୋଗୁଁ ଗାଁ’ରେ ଏତେ ବଡ଼ ବଡ଼ କାମ ହଉଛି, କହୁଛୁ, ସେଦିନ ପୋଖରୀ ତୁଠରେ ବନା ଆଉ କାଶିଆ; ତମରି ଯୁବକ ସଂଘର ଦି’ଟା ଟୋକା ଗୋଟାଏ ଝିଅ ସକାଶେ କି ବାଡ଼ିଆବାଡ଼ି ହେଲେ, ଆମେ ଆଉ କିଛି ଜାଣୁନୁ ? ରଥେ ଆହୁରି ଉଦ୍‌ଗାର କଲେ–ହଇରେ, ସର୍ବଭାରତୀୟ, ପୁଣି ରାଜ୍ୟସ୍ତରରେ କ’ଣ ଶୋକପ୍ରକାଶ କରୁଛ-? ବୋପା ମଲାବେଳେ ଶୋକପ୍ରକାଶ କରିଥିଲୁ ? ବୋପା ମୁହଁ ଚାହିଁଛୁ ? ବୋପାକୁ ପୋଷିଛୁ ?

 

ରଥଙ୍କ ଏତକ ବଚନିକା ଶୁଣି ଜୋକ ମୁହଁରେ ଲୁଣ ପରି ଦାମାକୁ ଜଣାଗଲା ।

 

X X X

 

ସହରାଞ୍ଚଳ, ଟ୍ରେନ୍‌ ଆସି ଷ୍ଟେସନରେ ଠିଆ ହେଲେ ଶୁଣାଯାଏ–ବାବୁମାନେ ଖଞ୍ଜକୁ ଗୋଟିଏ ପଇସା ଦିଅନ୍ତୁ, ଆପଣମାନଙ୍କର ଭଗବାନ ମଙ୍ଗଳ କରିବେ । ଆପଣମାନଙ୍କର ଶରୀର କୁଶଳ ରହିବ ।

 

ଯେଉଁ ଡବାରୁ ଯେ ଦୟାକରି ଯେ ଯା ଦେଲେ, ଖଞ୍ଜ ତାକୁ ନେଇ ମୁଣ୍ଡରେ ଛୁଆଁଇ ଆଉ ଗୋଟିଏ ଡବା ସାମନାରେ ଠିଆହୋଇ ସେହି କଥା କହି ପୁଣି ପଇସା ମାଗେ ।

 

ବସ ଷ୍ଟାଣ୍ଡ୍‌ରେ ବସ୍‌ ଆସି ଠିଆହେଲେ, ଆଶାବାଡ଼ି ଦି’ଖଣ୍ଡ କାଖରେ ଦେଇ ଛୋଟେଇ ଛୋଟେଇ ଯାଇ ଯାତ୍ରୀଙ୍କୁ କହେ–ବାବୁମାନେ ଆପଣଙ୍କର ଧର୍ମହବ । ଖଞ୍ଜକୁ ଗୋଟିଏ ପଇସା ଦିଅନ୍ତୁ, ଗରିବର କେହି ନାହିଁ, ଭଗବାନ୍‌ ଆପଣମାନଙ୍କର ମଙ୍ଗଳ କରିବେ ।

 

ଯେ ଯା ଦେଲା, ପଇସା ହାତରେ ମୁଠେଇ, ମୁଣ୍ଡରେ ଛୁଇଁ, ଛୋଟେଇ ଛୋଟେଇ ଅନ୍ୟ ବସ୍‌ କତିକି ଯାଇ ପୁଣି ପଇସା ମାଗେ, ଯା ମିଳେ, ସେଇଥିରେ ଚା, ବରା, ପକଉଡ଼ି, କେଉଁଦିନ ହୋଟେଲର ବାରନ୍ଦାରେ ବସି କିଛି ଭାତ ଖାଏ, ରାତି ହେଲେ ମୁସାଫିରିଖାନା କିମ୍ବା କେଉଁ ଦୋକାନ ବାରନ୍ଦାରେ ଶୋଇ ରାତି କଟାଇ ଦିଏ ।

 

ଦିନେ ଦିନବେଳା ବସ୍‌ଷ୍ଟାଣ୍ଡରେ ସେହି ମିନତିଭରା କାତର କଣ୍ଠରେ ଶୁଣାଯାଉଛି–ବାବୁମାନେ ଖଞ୍ଜକୁ ଗୋଟିଏ ପଇସା ଦିଅନ୍ତୁ, ଆପଣମାନଙ୍କର ଧର୍ମ ହେବ, ମୋର କେହି ନାହାନ୍ତି, ମୋର ଗୋଟିଏ ଗୋଡ଼ ନାହିଁ, ମୁଁ ଅକ୍ଷମ, ଭଗବାନ ଆପଣମାନଙ୍କ ମଙ୍ଗଳ କରିବେ, ପିଲାମାନଙ୍କର ଶରୀର କୁଶଳ ରହିବ.... ।

 

ଏଇ ସମୟରେ ଶୁଣାଗଲା–ହିପ୍‌ ହିପ୍‌ ହୁର୍‌ରେ, ହିପ୍‌ ହିପ୍‌ ହୁର୍‌ରେ ଥ୍ରୀ ଚିୟର୍ସ ଫର୍‌ ମାର୍ତ୍ତଣ୍ଡ କ୍ଳବ୍‌ ହିପ୍‌ ହିପ୍‌ ହୁର୍‌ରେ ।

 

ଗୋଟାଏ ଟ୍ରକ୍‌ରେ ଦଳେ ଖେଳାଳୀ ଠିଆ ହୋଇଛନ୍ତି, ଦୁଇଜଣ ଖେଳାଳୀ ଗୋଟାଏ ବଡ଼ ସିଲ୍‌ଡ଼ ଧରିଛନ୍ତି, ଜଣେ ଗୋଟାଏ ପେଣ୍ଡୁକୁ କାଖେଇଲା ଭଳି ଧରିଛି, ଟ୍ରକ୍‌ଟା ବସ୍‌ଷ୍ଟାଣ୍ଡ କତି ଦେଇ ରାସ୍ତା ଉପରେ ଗଲାବେଳେ ପୁଣି ମିଳିତ କଣ୍ଠର ଧ୍ୱନିରେ ବସ୍‌ଷ୍ଟାଣ୍ଡ୍‌ କମ୍ପି ଉଠିଲା–ହିପ୍‌ ହିପ୍‌ ହୁର୍‌ରେ, ହିପ୍‌ ହିପ୍‌ ହୁର୍‌ରେ, ଥ୍ରୀ ଚିୟର୍ସ ଫର୍ ମାର୍ତ୍ତଣ୍ଡ କ୍ଳବ୍‌ ।

ପୁଣି ସେଇ ଟ୍ରକ୍‌ ଉପରୁ ଶୁଣାଗଲା–ହେଇରେ ବାଜ ପରିଡ଼ା

–କାହିଁ ? କାହିଁ ?

–ହେଇଟି କ’ଣ ଆଶାବାଡ଼ି ଦି’ଖଣ୍ଡ କାଖରେ ଦେଇ ଗୋଟାଏ ଗୋଡ଼ରେ ଠିଆ ହେଇଛି ।

–ହେଇଟି ସେ ବସ୍‌ ପାଖରେ ଠିଆହେଇ ପଇସା ମାଗୁଛି.... ।

–ହଇରେ, ବାଜିଆ ଭିକ ମାଗିଲା ! ତାକୁ କେହି ତାଙ୍କ ଗାଁରେ ସାହାଯ୍ୟ କଲେ ନାହିଁ ?

–ତା’ ପରି ଖେଳାଳୀ ଜଣେ, ଆମ ଗାଁ ହେଇଥିଲେ ତାକୁ ବସେଇପୋଷନ୍ତୁ ।

–ହଇରେ, ବାଜିଆ ଶେଷକୁ ଭିକ ମାଗିଲା ।

ବାଜିଆ ବୁଝି ପାରିଲା–ମାର୍ତ୍ତଣ୍ଡ କ୍ଳବର ଖେଳାଳୀମାନେ କେଉଁଠି ଫୁଟବଲ ମ୍ୟାଚ୍‌ରେ ଜିତି ସିଲ୍‌ଡ଼ ନେଇ ହିପ୍‌ ହିପ୍‌ ହୁର୍‌ରେ କରିଯାଉଛନ୍ତି । ବାଜିଆ କାନ୍ଦି ପକେଇଲା, ପୁଣି ଲଜ୍ଜିତ ହୋଇ ଭାବିଲା–ଗୋଟାଏ ବସ୍‌ ଉଢ଼ାଳରେ ଲୁଚି ଠିଆ ହବ, ସେ ତରବରରେ ଛୋଟେଇ ଛୋଟେଇ ଯାଉ ଯାଉ ତା’ମୁଣ୍ଡ ଘୂରିଗଲା, ତାର ଆଶାବାଡ଼ି ଦି’ଖଣ୍ଡ ଖସିଗଲା, ବାଜିଆ ସେହି ବସ୍‌ଷ୍ଟାଣ୍ଡର ମାଟି ଉପରେ କଚାଡ଼ି ହେଇପଡ଼ିଲା ।

ଟ୍ରକ୍‌ଟା ବସ୍‌ଷ୍ଟାଣ୍ଡ ରାସ୍ତା ଉପରେ ଜନଗହଳି କଟେଇ ଆସ୍ତେ ଆସ୍ତେ ଚାଲି ସଙ୍ଗେ ସଙ୍ଗେ ହିପ୍‌ ହିପ୍‌ ହୁର୍‌ରେ, ହିପ୍‌ ହିପ୍‌ ହୁର୍‌ରେ–ମିଳିତ କଣ୍ଠର ଧ୍ୱନି କ୍ରମଶଃ କ୍ଷୀଣରୁ କ୍ଷୀଣତର ହେଇ ଆଉ ଶୁଣାଗଲା ନାହିଁ ।

Image

 

ଆନ୍ଦୋଳନ

 

ରଜନୀବାବୁ ଦୈନିକ ଖବରକାଗଜ ପଢ଼ନ୍ତି । ଶୋଇବା ପୂର୍ବରୁ ସେ ଖବରକାଗଜ ନ ପଢ଼ିଲେ ତାଙ୍କୁ ନିଦ ହୁଏନା । କେତେଦିନ ଧରି ସେ ଯେତେ ଖବର ପଢ଼ିଲେ, ତା’ଭିତରେ ବିଶେଷ ଗୋଟାଏ ନୂଆଧରଣର ଖବର ପଢ଼ିବାକୁ ପାଇଲେ–ଆଜି ଦିଲ୍ଲୀ ବନ୍ଦ, କାଲି ବିହାର ବନ୍ଦ, ପଅରଦିନ କଲିକତା ବନ୍ଦ, ଆନ୍ଧ୍ର ବନ୍ଦ, ଉତ୍ତରପ୍ରଦେଶ ବନ୍ଦ, ମଧ୍ୟପ୍ରଦେଶ ବନ୍ଦ, ବାଲେଶ୍ୱର ବନ୍ଦ, ବ୍ରହ୍ମପୁର ବନ୍ଦ, ବଙ୍ଗବନ୍ଦ, ଓଡ଼ିଶା ବନ୍ଦ, କିସ୍‌କିନ୍ଦା ବନ୍ଦ ।

 

ରଜନୀବାବୁ ଭାବିଲେ–ଏକୁ କୁହାଯାଏ ‘ବନ୍ଦ ଆନ୍ଦୋଳନ’ । ଏ ଗୋଟାଏ ନୂଆଧରଣର ଆନ୍ଦୋଳନ ଆରମ୍ଭ ହେଲା । ତାଙ୍କ ପିଲାଦିନେ ତ ଇମିତି ଆନ୍ଦୋଳନ ନ ଥିଲା । ଏବେ ଏ ଆନ୍ଦୋଳନ ଚାଲୁ ହେଲା । ସେଦିନ ରଜନୀବାବୁ ଇମିତି ଗୋଟାଏ ବନ୍ଦ ଆନ୍ଦୋଳନ ବିଷୟ ପଢ଼ୁ ପଢ଼ୁ ତାଙ୍କୁ ନିଦ ହୋଇଗଲା । ଖବର କାଗଜ ଖଣ୍ଡକ ଛାତି ଉପରେ ପଡ଼ିଛି, ରଜନୀବାବୁ ଗୋଟାଏ ସ୍ୱପ୍ନ ଦେଖିଲେ–ଗୋଟାଏ ଛୋଟ ସହର, ସେଠି ମ୍ୟୁନିସ୍‌ପାଲିଟି ଅଛି ଏବଂ ମ୍ୟୁନିସ୍‌ପାଲିଟି ତରଫରୁ କେତେଗୁଡ଼ିଏ ଜନସାଧାରଣଙ୍କ ପାଇଁ ପାଇଖାନା ଅଛି, ଯା’କୁ ଇଂରାଜୀରେ କୁହାଯାଏ–Public Latrine. ସେଗୁଡ଼ାକ ବହୁତ ଦିନରୁ ତିଆରି, ତାର ମରାମତି, ରକ୍ଷଣାବେକ୍ଷଣ ଇତ୍ୟାଦିର ଭାର ମ୍ୟୁନିସ୍‌ପାଲିଟି ଉପରେ ମ୍ୟୁନିସ୍‌ପାଲିଟି ପୁଣି ସରକାରଙ୍କ ଦ୍ୱାରା ପରିଚାଳିତ ।

 

ସେହି ସହରର ଯୁବକ ସଂଘର ଦଳେ ଯୁବକ ମସୁଧା କଲେ–କିମିତି ଶସ୍ତାରେ ସୁନାମ ଅର୍ଜନ କରିବେ । ଗୋଟାଏ ଆନ୍ଦୋଳନ କରିବେ । କି ଆନ୍ଦୋଳନ କରିବେ ? ଆନ୍ଦୋଳନଟା ଇମିତି ହବା ଦରକାର–ଯେଉଁଥିରେ କି ବିଶେଷ ଦୈହିକ କିମ୍ବା ଆର୍ଥିକ କ୍ଷତି ହବ ନାହିଁ । କିନ୍ତୁ ଆନ୍ଦୋଳନ ହବ, ଯା’ ଫଳରେ ସହରର ଅନ୍ୟାନ୍ୟ ଲୋକମାନେ ଜାଣିବେ–ଯା’ହେଉ, ଯୁବକ ଦଳ ଗୋଟାଏ ଆନ୍ଦୋଳନ କରି ଗୋଟାଏ କାମ କଲେ । ଆଉ ଆନ୍ଦୋଳନ ଫଳରେ ଯେମିତି ସର୍ବସାଧାରଣ ଲୋକେ ମଧ୍ୟ ଉପକୃତ ହେବେ । ଇମିତି କେତେଥର ମସୁଧା କରୁ କରୁ ଶେଷରେ ସ୍ଥିର କଲେ–‘‘ପାଇଖାନା ବନ୍ଦ ଆନ୍ଦୋଳନ’’ ଚାଲୁ କରାଯାଉ । ଯେତେ Public Latrine ଅଛି, ସେ ସବୁର ଜୀର୍ଣ୍ଣ-ସଂସ୍କାର କରାଯାଉ, ପୁନର୍ଗଠନ କରାଯାଉ.... ।

 

ଏଇ ପ୍ରସ୍ତାବ ହିଁ ଶେଷରେ ସାବ୍ୟସ୍ତ ହେଲା, ‘‘ପାଇଖାନା ବନ୍ଦ’’ ଆନ୍ଦୋଳନ ଆରମ୍ଭ ହେବ । ଯେପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ସୁନ୍ଦର ପାଇଖାନା ସରକାରଙ୍କ ତରଫରୁ ତିଆରି କରାନଯାଇଛି, କେହି ଆଉ ସେ ପୁରୁଣାକାଳିଆ ପାଇଖାନାକୁ ଝାଡ଼ା ଫେରିବାକୁ ଯିବେ ନାହିଁ । ଯେ ଯେଉଁଠି ପାରିବେ, ରାସ୍ତାଘାଟ, ଗଳିକନ୍ଦି, ଯିବାଆସିବା ବାଟରେ ଝାଡ଼ା ଫେରିବେ । ଯୁବକ ଦଳ ସମସ୍ତେ ଏଇ ପ୍ରସ୍ତାବରେ ସମର୍ଥନ ଜଣେଇଲେ ଏବଂ ସ୍ଥିର କଲେ–ଏଇ ପାଇଖାନା ବନ୍ଦ ଲାଗି ଗୋଟାଏ ସଭା କରାଯାଉ ।

 

ଜଣେ ଯୁବକ କହିଲା–ସଭା କରିବା ପୂର୍ବରୁ ଗୋଟାଏ ଶୋଭାଯାତ୍ରା ବାହାର କରାଯାଉ-। ଗୀତଗାଇ, ସ୍ଳୋଗାନ୍‌ ଦେଇ, ସହର ପରିକ୍ରମା କରାଯାଉ । ଲୋକେ ଆଗେ ବୁଝନ୍ତୁ, ଆମର ଲକ୍ଷ୍ୟ କ’ଣ ? ସେଇ କଥା ସ୍ଥିର ହେଲା–ଶୋଭାଯାତ୍ରା ‘‘ମାନଭଞ୍ଜନ କ୍ଳବ’’ ଯେଉଁଠି ଯୁବକ ସଂଘର ଅଫିସ, ସେଇଠୁଁ ବାହାରି ସହର ପରିକ୍ରମା କରି ପୁଣି ‘‘ଭୂତକେଳି ପାଠାଗାର’’ କତିରେ ପହଞ୍ଚି, ସେଇଠି ଗୋଟାଏ ବିରାଟ ସାଧାରଣ ସଭା ହେବ । ସେଥିରେ ଯୁବକ ସଂଘର ସେକ୍ରେଟେରୀ ଗର୍ଭଭଞ୍ଜନ କୋଦମା ସିଂ ‘‘ପାଇଖାନା ବନ୍ଦ ଆନ୍ଦୋଳନ’’ ସମ୍ବନ୍ଧରେ ଭାଷଣ ଦେବେ ।

 

ଶୋଭାଯାତ୍ରା ଆରମ୍ଭ ହେଲା । ଲାଲରଙ୍ଗର କନା ଉପରେ ଧଳା ଅକ୍ଷରରେ ‘‘ପାଇଖାନା ବନ୍ଦ ଆନ୍ଦୋଳନ’’ ଲେଖାହୋଇ ଦୁଇଜଣ ଯୁବକ ଉଭୟ ପାର୍ଶ୍ୱରେ ରହି ଗୋଟିଏ ଉକ୍ତ ତୋରଣ ଭଳି ଜିନିଷକୁ ଧରି ଚାଲିଲେ । ହାରମୋନିୟମ, ଗିନି, ବଜେଇ ଯୁବକମାନେ ଏବଂ ତାଙ୍କ ପଛରେ କେତେକ କିଛି ନ ବୁଝିଥିବା ଧାଉଡ଼ିଆ ଲୋକଗୁରାଏ ଚାଲିଲେ ଗୀତ ଗାଇ ଗାଇ–

 

‘‘ଆମେ ଯେତେକ ଫାଡ଼ା

ଫେରିବୁ ଝାଡ଼ା

ଆମେ ଯେତେ କୃଷ୍ଣ, ରାଧା,

ମାନିବୁନି କାହାରି ବାଧା,

ଆମେ ଫେରିବୁ ଝାଡ଼ା, ରଖିବୁ ଆଣ୍ଟ

ବୁଡ଼ାଇ ଦେବୁ ରାସ୍ତା ଘାଟ,

ଭାଙ୍ଗିବୁ ସରକାରଙ୍କ ଆଡ଼ା,

ଆମେ ଯେତେକ ଫାଡ଼ା.... ।’’

 

ଗୀତର ପରେ ସମସ୍ୱରରେ ଶୁଣାଗଲା–ଆମର ଦାବୀ ପୂରଣ ହେଉ, ସରକାରୀ ସର୍ବସାଧାରଣ ପାଇଖାନାକୁ ଯିବା ବନ୍ଦ କର, ଇନ୍‌କିଲବ, ଜିନ୍ଦାବାଦ ଇନ୍‌କିଲବ୍‌, ଜିନ୍ଦାବାଦ.... ।

 

ଇମିତି ଗୀତ ଗାଇ, ସ୍ଳୋଗାନ୍‌ ଦେଇ, ସହର ପରିକ୍ରମା କରି ଶେଷରେ ଶୋଭାଯାତ୍ରା ଆସି ପହଞ୍ଚିଲା ‘‘ଭୂତକେଳି ପାଠାଗାର’’ ନିକଟରେ । ବହୁତ ଲୋକ ରୁଣ୍ଡ ହେଲେ । ଆଗର କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ସଭା ହେବ ।

 

ସଭାସ୍ଥଳ ଆଗରୁ ସୁସଜ୍ଜିତ ହୋଇଥିଲା; ଅନ୍ୟାନ୍ୟ ଯୁବକମାନଙ୍କଦ୍ୱାରା । ସଭାରେ ପାଇଖାନା ବନ୍ଦ ଆନ୍ଦୋଳନ ବିଷୟରେ ପ୍ରଥମେ ଭାଷଣ ଦେବାକୁ ଉଠିଲେ ଯୁବକ ସଂଘର ସେକ୍ରେଟେରୀ–ଗର୍ଭରଞ୍ଜନ କୋଦମା ସିଂ । କୋଦମା ସିଂ ଆରମ୍ଭ କଲେ–ଭାଇମାନେ, ଆଜିଠାରୁ ଆମ୍ଭେମାନେ ପାଇଖାନା ବନ୍ଦ ଆନ୍ଦୋଳନ ଆରମ୍ଭ କରୁଛୁ । ଏହାର କାରଣ ହେଲା–ଆମ୍ଭମାନଙ୍କ ମଧ୍ୟରୁ ଅନେକେ ପଡ଼ିଆରେ ଝାଡ଼ା ଫେରନ୍ତି ଓ ଆଉ କେତେକ ଅଧୁନା ସରକାରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏବଂ ପୂର୍ବରୁ ମ୍ୟୁନିସ୍‌ପାଲିଟିଦ୍ୱାରା ନିର୍ମିତ କେତେକ ସର୍ବସାଧାରଣଙ୍କ ଲାଗି ପାଇଖାନା, ଯାହାକୁ ଇଂରାଜୀରେ କୁହାଯାଏ Public Latrine, ସେଥିରେ ଝାଡ଼ା ଫେରନ୍ତି । ସେ ସବୁର ଅବସ୍ଥା ଅତି ଖରାପ ହୋଇଗଲାଣି । ସେ ସବୁ ମଣିଷର ବ୍ୟବହାର ଉପଯୋଗୀ ହୋଇ ଆଉ ନାହିଁ । ସେ ସବୁ ପାଇଖାନାକୁ ଯିବାର ମଧ୍ୟ ବାଟ ନାହିଁ । ତାର ଚାରିପଟ କଣ୍ଟାବୁଦା, ବଣଜଙ୍ଗଲରେ ଭରି ଗଲାଣି । ତା’ଭିତରେ ଯାଇ ଝାଡ଼ା ଫେରିବା ଭୟଙ୍କର ବିପଦଜନକ । କାରଣ–ତା’ଭିତରେ ଜାଗା ଜାଗା ହୁଙ୍କା ମାଡ଼ିଗଲାଣି । ଏଣୁ ସାପର ଭୟ, ବିଲୁଆ, କୁକୁର ମଧ୍ୟ ତା’ ଭିତରେ ଆଶ୍ରୟ ନେଉଛନ୍ତି । ସେ ପାଇଖାନା ସବୁ ମାସ ମାସ ଧରି ପରିଷ୍କାର ହେଉ ନାହିଁ । ଦୁର୍ଗନ୍ଧରେ ପଶିହେଉନି, ଛାତରୁ ପାଣି ଗଳୁଛି, ବସିବା ଜାଗା ଭାଙ୍ଗିଗଲାଣି । କାନ୍ଥ ସବୁରେ କୋଇଲା ଖଣ୍ଡରେ ଅଙ୍କିତ ହୋଇଥିବା ଯେତେ ପ୍ରକାର ଚିତ୍ର, ତା’ସହିତରେ ଏ ଯୁଗର Modern Art ମଧ୍ୟ ସମକକ୍ଷ ହେବନି । ଯେଉଁ କେତେକ ସଂଜ୍ଞା ପଦାବଳି ନୀତିବାକ୍ୟ ବ୍ୟଙ୍ଗୋକ୍ତି ଲେଖାହୋଇଥିବାର ଦେଖାଯାଏ ତା’ ସହିତରେ ଯେକୌଣସି ଦେଶର ସାହିତ୍ୟ ସମକକ୍ଷ ହୋଇ ପାରିବନି । ସେ ସବୁ କାନ୍ଥ ବର୍ଷ ବର୍ଷ ଧରି ସଫେଇ ହଉନି, ଚୂନ ଲାଗୁନି.... ।

 

କୋଦମା ସିଂ ପୁଣି କହିଲେ–ଭାଇମାନେ ଆଉ ଗୋଟାଏ କଥା ଆଜି ଆପଣଙ୍କୁ କହୁଛି-। ଯେତେବେଳେ ଶସ୍ତା ଅମଳ ଥିଲା ଲୋକେ ଶସ୍ତାରେ ଖାଦ୍ୟପଦାର୍ଥ କିଣି ଖାଉଥିଲେ, ସେତେବେଳେ ଶସ୍ତାରେ ତିଆରି ପାଇଖାନାରେ ଝାଡ଼ା ଫେରୁଥିଲେ । ଆମ୍ଭେମାନେ ମହରଗ ଯୁଗର ଲୋକ । ବର୍ତ୍ତମାନ ଟଙ୍କାକୁ କିଲେ ଚାଉଳ । ଆମ୍ଭେମାନେ ମହରଗ ଜିନିଷ କିଣି ଖାଉଛୁ । ଆମେ ଏ ଶସ୍ତାଧରଣର ପାଇଖାନାରେ କାହିଁକି ଝାଡ଼ା ଫେରିବୁ ? ଏ ସବୁ ପାଇଖାନା ପରିବର୍ତ୍ତେ ଆମ୍ଭମାନଙ୍କୁ ସେପ୍‌ଟିକ୍‌ ଲ୍ୟାଟ୍ରିନ୍‌ ସେଥିରେ ପାଣି ପାଇପ୍‌, ବିଜୁଳି ପଙ୍ଖା, ବିଜୁଳି ଆଲୁଅ ଆଇନା ଇତ୍ୟାଦି ଯୋଗେଇ ଦିଆଯାଉ । ନଚେତ୍‌ ଆମେ ସେ ପାଇଖାନାରେ କଦାପି ଆଉ ଝାଡ଼ା ଫେରିବୁ ନାହିଁ । ଆମେ ବିଚ୍‌ ବଜାରରେ, ରାସ୍ତା ଘାଟ ଗଳିକନ୍ଦି ସବୁଠି ଝାଡ଼ା ଫେରିବୁ; କିଛି ବାକି ରଖିବୁ ନାହିଁ.... ।

 

ଏତେବଳେ ଶ୍ରୋତାଙ୍କଆଡ଼ୁ କରତାଳିର ଝଡ଼ ବୋହିଗଲା । ପୁଣି ଶୁଣାଗଲା–Hear, Hear.... ।

 

କେତେକ ଶ୍ରୋତାଙ୍କ ଭିତରେ କୁହାକୁହି ହେଲେ–ଇମିତିଆ କେତେକ ଯୁବକଙ୍କ ହାତରେ ଯଦି ଦେଶର ଶାସନଭାର ଛାଡ଼ି ଦିଆଯା’ନ୍ତା, ଦେଶ ଭଲରେ ଚଳନ୍ତା.... ।

 

ଆଉ କେତକ ପ୍ରତ୍ୟୁତ୍ତରରେ କହିଲେ–ଦେଖୁନା, ପାଇଖାନା ମରାମତି ଆଡ଼ୁ ଏମାନେ ପ୍ରଥମରୁ ଧଇଲେଣି । ସତ କଥା, ଆମର ତ କାହାରି ଏ ବିଷୟରେ ଖିଆଲ ନାହିଁ.... ।

 

କୋଦମା ସିଂ ପୁଣି ଆରମ୍ଭ କଲେ–ଭାଇମାନେ, ଟିକସ ଦିନୁଦିନ ବଢ଼ିବାରେ ଲାଗିଲା, ଅଥଚ ଜନସାଧାରଣରଙ୍କ ପାଇଖାନା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିଲାନି । ଆମ୍ଭମାନଙ୍କର କଷ୍ଟାର୍ଜିତ ଧନରେ ଦୁର୍ମୂଲ୍ୟ ଖାଦ୍ୟ ଯାହା ଖାଇଲୁ, ତାକୁ ଯଦି ଆମେ ଟିକିଏ ଆରାମରେ ନିଷ୍କାସନ କରି ନ ପାରିଲୁ, ତା’ହେଲେ ଆମର ମଣିଷ ଜନ୍ମ ବୃଥା । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି–ଆପଣମାନେ ସହଯୋଗ କରନ୍ତୁ । ଆଜିଟାରୁ କେହି ଆଉ ସେ ପାଇଖାନାଗୁଡ଼ାକୁ ଝାଡ଼ା ଫେରିବାକୁ ଯା’ନ୍ତୁ ନାହିଁ । ଯେଉଁଠି ଇଚ୍ଛା ସେଠି ଝାଡ଼ା ଫେରନ୍ତୁ । ଯେଉଁମାନଙ୍କ ଝାଡ଼ା ଭଲ ନ ହେଉଛି, ସେମାନେ ଡାକ୍ତରଖାନାରୁ ଝାଡ଼ା ହେବାର ଔଷଧ ଖାଇ ଝାଡ଼ା ଫେରନ୍ତୁ । ଏଇ ଆମର ସତ୍ୟାଗ୍ରହ । ଆମେ ଅନଶନ କରିବୁ ନାହିଁ । ଆମେ ଖାଇବୁ, ଝାଡ଼ା ଫେରିବୁ । ଆମେ ଗୋଳାବାରୁଦ, ଲୁହବୁହା ଗ୍ୟାସ୍‌, ଲାଠିଚାଳନା କିଛି ମାନିବୁ ନାହିଁ । ଯେପର୍ଯ୍ୟନ୍ତ ଆମର ଲକ୍ଷ୍ୟ ହାସଲ ନ ହୋଇଛି, ଦାବୀ ପୁରଣ ନ ହୋଇଛି, ଏ ପାଇଖାନା ବନ୍ଦ ଆନ୍ଦୋଳନ ଚାଲୁ ରହିବ । ଆମେ ମରଣକୁ ବରଣ କରି ଶହୀଦ ହେବୁ ନାହିଁ । ଆମେ ବଞ୍ଚିରହି ଶହୀଦ ହେବୁ । ଏ ହେଲା ଆମର ବ୍ରତ, ଲକ୍ଷ୍ୟ, ଦାବୀ, ଯାହା କହନ୍ତି । ଆଜି ମୁଁ ଏତିକିରେ ବିଦାୟ ନେଉଛି, ମୋର ପରବର୍ତ୍ତୀ ବକ୍ତା ଶ୍ରୀମାନ୍‌ ପ୍ରେମାତୁର ଡିଆଁବାଘ ଆପଣମାନଙ୍କୁ ପାଇଖାନା ବନ୍ଦ ଆନ୍ଦୋଳନ ବିଷୟରେ କେତେକ କଥା କହିବେ । ଆପଣମାନଙ୍କୁ ଅନୁରୋଧ–ଆପଣମାନେ ଧୀରସ୍ଥିର ହୋଇ ବସି ଶୁଣନ୍ତୁ–

 

ପ୍ରେମାତୁର ଡିଆଁବାଘ ସଭାମଣ୍ଡପକୁ ଯେମିତି ଡିଆଁ ମାଇଲା ପରି ଉଠିଆସି ଆରମ୍ଭ କଲେ–ଭାଇମାନେ, ମୋର ପୂର୍ବବର୍ତ୍ତୀ ବକ୍ତା ଶ୍ରୀମାନ୍‌ ଗର୍ଭରଞ୍ଜନ କୋଦମା ସିଂ ଆପଣମାନଙ୍କୁ ‘‘ପାଇଖାନା ବନ୍ଦ’’ ଆନ୍ଦୋଳନ ବିଷୟରେ ଅନେକ କଥା ବୁଝେଇ କହି ସାରିଛନ୍ତି । ମୁଁ ବିଶେଷ କିଛି କହିବାକୁ ଯାଉନି । ମୁଁ କେବଳ ଅଳ୍ପ କେତେଟା କଥା କହିବି–ଆପଣମାନେ ଦେଖିଥିବେ, ସେହି ସର୍ବସାଧାରଣ ପାଇଖାନା ସବୁ ଦୁଇଭାଗରେ ବିଭକ୍ତ । ଗୋଟାଏ ପାଖରେ ଲେଖାଥାଏ ‘ପୁରୁଷ’ ଅନ୍ୟ ପାଖରେ ଲେଖାଥାଏ ‘ମହିଳା’ ଏବଂ ପ୍ରତ୍ୟେକ ପାଖର କାନ୍ଥରେ ଜଣେ ପୁରୁଷ ଏବଂ ଜଣେ ମହିଳାର ମୂର୍ତ୍ତି ଅଙ୍କା ହୋଇଥାଏ । କେତେବର୍ଷ ଧରି କେତେକ ପାଇଖାନାରେ ଆଉ ସେ ମୂର୍ତ୍ତି ନାହିଁ, କି ସେ ଲେଖା ନାହିଁ । ଏଣୁ ଆମ୍ଭମାନଙ୍କ ଭିତରୁ ଅନେକେ ପୁରୁଷଆଡ଼େ ନ ଯାଇ ଭୁଲରେ ମହିଳାଆଡ଼େ ପଶି ଯାଉଛନ୍ତି । କେତେକ ମହିଳା ମଧ୍ୟ ଭୁଲରେ ପୁରଷଆଡ଼େ ପଶିଯାଉଛନ୍ତି । ଏଣୁ ସେ ପାଇଖାନା ଭିତରେ କେତେକ ସ୍ତ୍ରୀ, ପୁରଷଙ୍କ ମିଳନ ସମ୍ଭବ ହେଉଛି । ପୁଣି ସେଇଠୁ କେତେକ ପୁରଷ ଓ ସ୍ତ୍ରୀଙ୍କର ସେଇଠି ପ୍ରଣୟ ସଂଚାର ହେଉଛି । ସେଇ ପାଇଖାନା ଭିତରେ ପୁରଷ ଓ ସ୍ତ୍ରୀ ଉଭୟଙ୍କର ପ୍ରେମାଭିନୟ ମଧ୍ୟ ହେଉଛି । ଅନେକ ଜାଗାରେ ସେଇ ପାଇଖାନା ସବୁ ପ୍ରେମର ପୀଠରେ ପରିଣତ ହେଲାଣି । ପୁଣି ପୁରଷପାଖ ଏବଂ ମହିଳାପାଖର ମଝିରେ ଯେଉଁ କାନ୍ଥଖଣ୍ଡକ ଥାଏ, ଅନେକ ପାଇଖାନାରେ ସେ କାନ୍ଥ ମଧ୍ୟ ଆଉ ନାହିଁ । ପୁରୁଷ ଓ ମହିଳା ଉଭୟ ପାଖ ଏକ ହୋଇଗଲେଣି । ସ୍କୁଲ, କଲେଜ, ଅଫିସ୍‌, କଚେରୀ, ସିନେମା, ଥିଏଟର, ଟ୍ରେନ୍‌, ବସ୍‌; ସବୁଠି ସ୍ତ୍ରୀ, ପୁରୁଷ ଯେମିତି ସମାନ ଭାବରେ ସହାବସ୍ଥାନ ରୀତିରେ କାର୍ଯ୍ୟ କରୁଛନ୍ତି; ଏସବୁ ପାଇଖାନାରେ ମଧ୍ୟ ଆଜିକାଲି ସହାବସ୍ଥାନ ରୀତି ଚାଲୁ ହେଲାଣି । ଆଉ ବାକି ରହିଲା କ’ଣ ? ଏତେବେଳେ ଟେବୁଲ ବାଡ଼େଇ ଡିଆଁବାଘ ପୁଣି କହିଲେ–କହନ୍ତୁ, ଆପଣମାନେ ଆମର ଆଉ ଇଜ୍ଜତ ବୋଲି କିଛି ଅଛି ? ଏ କଥା ଆପଣମାନେ କିମିତି ସହ୍ୟ କରୁଛନ୍ତି..... ।

 

ଏତେବେଳେ ଶ୍ରୋତାଙ୍କ ଆଡ଼ୁ କରତାଳିର ଝଙ୍କାର ମଧ୍ୟରେ ଶୁଣାଗଲା–Splendid, Splendid....

 

ଡିଆଁ ବାଘ ପୁଣି କହିଲେ–ସକାଳୁ ଉଠି ଝାଡ଼ାଟି ଯଦି ସୂଚାରୁରୂପେ ପରିଷ୍କାର ହୁଏ, ଆମେ ମନରେ କି ଆନନ୍ଦ ଅନୁଭବ କରୁ । ଯଦି ଝାଡ଼ା ଫେରିବାରେ ବାଧା ପଡ଼େ, ଆମ୍ଭେମାନେ କି ଅଶାନ୍ତି ଭୋଗ କରୁ । ଏ ବିଷୟରେ ଆପଣମାନେ ମୋ ସଙ୍ଗେ ନିଶ୍ଚୟ ଏକମତ ହେବେ । ଆଉ ଗୋଟିଏ ମୋର ନିଜର ବିପଦ କଥା ମୁଁ ଆଜି କହୁଛି–ଦିନେ ସନ୍ଧ୍ୟାବେଳେ ମୁଁ ଗୋଟିଏ ଇମିତିଆ ପାଇଖାନାକୁ ଯାଇ ଗୋଟାଏ ଗୋଖର ସାପର ହାବୁଡ଼େ ପଡ଼ିଥିଲି, ସେ କି ବିପଦ !! କି କଷ୍ଟରେ ମୁଁ ସେଠୁ ଉଦ୍ଧାର ପାଇଛି..... ।

 

ଏଇ କଥା କହୁ କହୁ ସେ ଲୋକଙ୍କୁ ଆଉ ଟିକିଏ ପ୍ରଭାବିତ କରିବା ପାଇଁ କାନ୍ଦି ପକେଇଲେ ।

 

କାନ୍ଦୁ କାନ୍ଦୁ କହିଲେ–ମୁଁ ସେଦିନ ସର୍ପାଘାତରେ ମରିଥିଲେ ମୋର ସଦ୍ୟ ବିବାହିତା ପତ୍ନୀର କି ଅବସ୍ଥା ହୋଇଥାନ୍ତା । ମୁଁ ବାପ, ମା’ର ପୁଣି ଗୋଟିଏ ପୁଅ.... ।

 

ଡିଆଁବାଘ କାନ୍ଦିବାବେଳେ କତିରେ ଟେବୁଲ ଉପରେ ଥୁଆ ହୋଇଥିବା Microphoneରେ ତାଙ୍କ କାନ୍ଦିବାର ଶବ୍ଦ ଏବଂ ଭାଷଣ ମିଶାମିଶି ହେଇ ଏଡ଼େ ବିକଟ ଉଚ୍ଚସ୍ୱରରେ ଶୁଣାଗଲା ଯେ ଲୋକେ ଭୟଭୀତ ହେଲେ । ଡିଆଁବାଘଙ୍କ କାନ୍ଦଣାରେ ଶ୍ରୋତାଙ୍କଆଡ଼ୁ ଡିଆଁବାଘଙ୍କ ପ୍ରତି କାରୁଣ୍ୟ ପ୍ରକାଶ କରି ଅନେକେ ମନେ ମନେ ତରଳି ଯାଇ କାନ୍ଦି ପକେଇଲେ, କେତେକ ସ୍ତମ୍ଭୀଭୂତ ହୋଇଗଲେ ଏବଂ କେତେକ ଉନ୍ମତ୍ତ ହୋଇ ଉଠିଲେ ।

 

ଡିଆଁବାଘ କାନ୍ଦଣା ବନ୍ଦକରି ଉପସ୍ଥିତ ଜନତାକୁ ଆହ୍ୱାନସୂଚକ କଣ୍ଠରେ ସମ୍ବୋଧନ କରି କହିଲେ–ଆସ ଭାଇମାନେ, ଆଜି ଏଇଠୁଁ ପାଇଖାନା ବନ୍ଦ ଆନ୍ଦୋଳନ କାର୍ଯ୍ୟକାରିତାର ଶୁଭାରମ୍ଭ ହେଉ । ଆସ ଆଜି ଏଇଠି ସମସ୍ତେ ଝାଡ଼ାଫେରିବା । ଏଥିରେ ଲଜ୍ଜା ସରମର ପ୍ରଶ୍ନ ଉଠୁ ନାହିଁ । ଏକାଠି ଖାଇବସିଲେ ଯେପରି ଆନନ୍ଦ ମିଳେ, ଏକାଠି ଝାଡ଼ା ବସିଲେ ମଧ୍ୟ ସେମିତି ଆନନ୍ଦ ମିଳେ । ଆପଣମାନେ ଜାଣିଥିବେ, କି ପୁରୁଷ କି ସ୍ତ୍ରୀ ବେଳେ ବେଳେ କେତେକ ଦଳବଦ୍ଧ ହୋଇ ଝାଡ଼ା ଫେରିବାକୁ ଯା’ନ୍ତି... ।

 

ଡିଆଁବାଘଙ୍କ ଆହ୍ୱାନରେ ସମସ୍ତେ ସେହି ସଭାସ୍ଥଳରେ ଝାଡ଼ା ବସିବାକୁ ଆରମ୍ଭ କଲେ-। କେତେକ ଝାଡ଼ା ନ ହେବାରୁ ପେଟ ବାଡ଼େଇଲେ, କେତେକ ବିଡ଼ି ଏବଂ ଗୁଡ଼ାଖୁ ଖୋଜିଲେ ।

 

ରଜନୀବାବୁ ସ୍ୱପ୍ନରେ ଦେଖୁଥିଲେ–ସେ ମଧ୍ୟ ଏ ସଭାକୁ ଯାଇଥିଲେ । ସଭାସ୍ଥଳରେ ସମସ୍ତେ ଝାଡ଼ା ବସିବାକୁ ଆରମ୍ଭ କଲାବେଳେ ସେ ମଧ୍ୟ ଝାଡ଼ା ବସିଲେ । ଏଇ ସମୟରେ ପୁଲିସ୍‌ ଆସି ସଭାସ୍ଥ ଲୋକଙ୍କୁ ଘଉଡ଼େଇବା ପାଇଁ ମୃଦୁ ଲାଠିଚାଳନା କଲେ ।

 

ରଜନୀବାବୁ ସ୍ୱପ୍ନରେ ଅନୁଭବ କଲେ–ତାଙ୍କ ଅଣ୍ଟାରେ ପାହାରେ ପୁଲିସ୍‌ର ଠେଙ୍ଗା ବସିଲା । ରଜନୀବାବୁଙ୍କ ଯାହା କୋଷ୍ଠକାଠିନ୍ୟ ଥିଲା, ସେ ଠେଙ୍ଗା ପାହାରରେ ସବୁ ପରିଷ୍କାର ହୋଇଗଲା ।

 

ରଜନୀବାବୁଙ୍କର ନିଦ ଭାଙ୍ଗିଗଲା । ସେ ଉଠିପଡ଼ି ଛାତିଉପରୁ ଖବରକାଗଜ ଖଣ୍ଡକ କାଢ଼ି ପକେଇ ବିଛଣାକୁ ଚାହିଁ ଦେଖିଲେ–ତାଙ୍କର ବିଛଣା ଉପରେ ସେ ଝାଡ଼ାଫେରି ସାରିଛନ୍ତି ।

 

କେତେକ କଠିନ ଏବଂ ତରଳ ଉଭୟେ ମିଳିତ ହୋଇ ସହାବସ୍ଥାନ ରୀତିରେ ପ୍ରାୟେ କିଲେ ଓଜନର ନିଃସଂକୋଚରେ ନିର୍ଗତ ହୋଇସାରିଛି ।

Image

 

ଧୃତରାଷ୍ଟ୍ରଙ୍କ ଭାସେକ୍‌ଟୋମି

 

ରାଜା ଧୃତରାଷ୍ଟ୍ର ବିଷାଦଗ୍ରସ୍ତ ହେଇ ନିଜର ଶୟନକକ୍ଷରେ ଶୋଇ ଭାବୁଛନ୍ତି ରାଜୁତି ଗଲା, ହାତପାଣ୍ଠି ଉଚ୍ଛେଦ ହେଲା, ଏଣିକି ଉପାୟ କ’ଣ ? ନିଜର ଶହେପୁଅ, ତାଙ୍କର ସ୍ତ୍ରୀ, ତାଙ୍କର ପୁଅ, ଝିଅ, ଏତ ଗୋଟାଏ ବସ୍ତିର ଲୋକ ହେଲେଣି । ଚଳିବେ କିମିତି ? ଜମିବାଡ଼ିରୁ ଯାହା ଆସୁଛି, ସେ ତ ସମୁଦ୍ରକୁ ଶଙ୍ଖେ ପାଣି । ଆଗେ ରାଜୁତି ଥିଲାବେଳେ କିଛି ଜଣାଯାଉ ନଥିଲା, ପୁଣି ତାଙ୍କ ନିଜର ତ ସନ୍ତାନସନ୍ତତି ହେବାର ବୟସ ଯାଇନାହିଁ, ପୁଅ, ବୋହୂଙ୍କର ତ ଆହୁରି ପିଲାଛୁଆ ହବାର ସମ୍ଭବ; ପୁଣି ସେଥିରେ ଚାକର ଚାକରାଣୀ ପଲେ, ଏଥିର ଉପାୟ କ’ଣ ? କ’ଣ କଲେ ଏ ବଂଶବୃଦ୍ଧି ରୋକି ହବ ?

 

ଏଇ ସମୟରେ ଜଣେ ଦ୍ୱାରପାଳ ରାଜା ଧୃତରାଷ୍ଟ୍ରଙ୍କୁ ସମ୍ବାଦ ଦେଲେ–

 

ମହାରାଜା, ଉପସ୍ଥିତ ଦ୍ୱାରେ ଜଣେ ଯୁବକ

 

ଆପଣଙ୍କ ଦର୍ଶନାଭିଳାଷୀ

 

ଆଜ୍ଞା ହେଲେ, କହିବି ତାହାରେ

 

ଆସିବାକୁ ମଣିମାଙ୍କ ପାଶେ....

 

ଧୃତରାଷ୍ଟ୍ର ଚିନ୍ତାରୁ ବିରତ ହେଇ ଶଯ୍ୟାରୁ ଉଠିବସି ଦ୍ୱାରପାଳକୁ କହିଲେ–

 

ପୁଚ୍ଛ ତାରେ, କିଏ ସେ ଯୁବକ ?

 

କାହିଁକି ସେ ଆସିଅଛି ଦ୍ୱାରେ ମୋର

 

ଉଦ୍ଦେଶ୍ୟ କ’ର ତାର ?

 

ଧୃତରାଷ୍ଟ୍ରଙ୍କୁ ପ୍ରଣତି ଜଣେଇ ବିଦାୟ ନେଇ, ଯୁବକକୁ ପଚାରି ବୁଝି ଆସି ଦ୍ୱାରପାଳ ପୁଣି ନମ୍ରସ୍ୱରରେ ଜଣେଇଲା–

 

ମହାରାଜ, ଯୁବକେ ପୁଚ୍ଛିଲି ଯାଇ–

 

କିଏ ସେହି, ଉଦ୍ଦେଶ୍ୟ କଅଣ ତାର ?

 

କାହିଁକି ସେ ଦର୍ଶନ ଚାହେଁ ଛାମୁଙ୍କର ଆଜି ?

 

କହିଲା ଯୁବକ–ସେ ଜଣେ ସରକାରୀ କର୍ମଚାରୀ,

 

 

Field Workers ପରିବାର ନିୟନ୍ତ୍ରଣ

 

ବିଭାଗରେ କରେ ଚାକିରୀ,

 

ଆସିଅଛି ମଣିମାଙ୍କ ପାଶେ,

 

ପରିବାର ନିୟନ୍ତ୍ରଣ ବିଷୟରେ କହିବାକୁ କିଛି....

 

ଧୃତରାଷ୍ଟ୍ର ଦ୍ୱାରପାଳ ମୁହଁରୁ ଯୁବକର ପରିଚୟ ପାଇ ଆଶ୍ଚର୍ଯ୍ୟ ହେଇ କହି ଉଠିଲେ–

 

ସର୍କାରୀ କର୍ମଚାରୀ !

 

ପୁଣି ପରିବାର ନିୟନ୍ତ୍ରଣ ବିଭାଗରେ କରେ ଚାକିରୀ !

 

କି ଆଶ୍ଚର୍ଯ୍ୟ ! ପରିବାର ନିୟନ୍ତ୍ରଣ ବିଭାଗ !

 

ସେ କଅଣ ? କି କାର୍ଯ୍ୟ ହୁଏ ସଂପାଦିତ ।

 

ସେ ବିଭାଗଦ୍ୱାରା ?

 

ଡାକିଆଣ ସସମ୍ମାନେ ତାରେ.... ।

 

ଦ୍ୱାରପାଳ ଯାଇ ଯୁବକ Field Workerକୁ ଧୃତରାଷ୍ଟ୍ରଙ୍କ ନିକଟକୁ ଆଣିବା ପୂର୍ବରୁ ଧୃତରାଷ୍ଟ୍ରଙ୍କ ୮୧ ନମ୍ବର ପୁତ୍ରବଧୂ ତାଙ୍କ ଶୟନ କକ୍ଷରେ ପ୍ରବେଶ କରିବା ମାତ୍ରେ, ଧୃତରାଷ୍ଟ୍ର ଅନୁମାନ କଲେ ଯେ, ପରିବାର ନିୟନ୍ତ୍ରଣ ବିଭାଗର ସେହି ଯୁବକ Field Worker ତାଙ୍କ ଶୟନକକ୍ଷରେ ପ୍ରବେଶ କରିଛି । ଧୃତରାଷ୍ଟ୍ର ଆନନ୍ଦରେ କହି ଉଠିଲେ–

 

ବସ ବତ୍ସ ନାହିଁ ଭୟ, କୁହ ମୋତେ ଖୋଲି,

 

ପରିବାର ନିୟନ୍ତ୍ରଣ ବିଭାଗ ବିଷୟ,

 

ସର୍କାର ଗଢ଼ିଲେ କାହିଁକି ?

 

ପରିବାର ନିୟନ୍ତ୍ରଣ ହୁଏ ଯେ–କିପରି ?

 

କି ଉପାୟେ, ଏ ବିଭାଗଦ୍ୱାରା ?

 

ଧୃତରାଷ୍ଟ୍ରଙ୍କ ୮୧ ନମ୍ବର ପୁତ୍ରବଧୂ ଶ୍ୱଶୁରଙ୍କ ମୁହଁରୁ ଏ ଉକ୍ତି ଶୁଣି ବୁଝିପାରିଲେ ଯେ, ଶ୍ୱଶୁର ତ ଆଖିରେ ଦେଖିପାରୁ ନାହାନ୍ତି, ଏଣୁ ସେ ଆଉ କାହାକୁ ଭାବି କ’ଣ କହୁଛନ୍ତି । ତେବେ ପୁତ୍ରବଧୂ ପରିବାର ନିୟନ୍ତ୍ରଣ ବିଭାଗର ନାଁଟା ଶୁଣି ଟିକିଏ ଚିନ୍ତିତା ହେଲେ–କ’ଣ ଏ ? ଶ୍ୱଶୁର ଏ ନୂଆକଥା କ’ଣ କହୁଛନ୍ତି ? ହଉ, ସେ ଯାହା କହନ୍ତୁ, ସେ ଯେଉଁ କାମରେ ଆସିଛନ୍ତି, ସେ କଥା ଆଗେ ଶ୍ୱଶୁରଙ୍କୁ ଜଣେଇବେ । ଏଣୁ ପୁତ୍ରବଧୂ କହିବାକୁ ଆରମ୍ଭ କଲେ–

 

ପିତା, ନୁହେଁ ମୁହିଁ ଅନ୍ୟ କେହି,

 

ମୁଁ ଅଟେ ପୁତ୍ରବଧୂ ୮୧ ନମ୍ବର,

 

ଆସିଅଛି ତବ ପାଶେ ଦେବାକୁ ସମ୍ବାଦ–

 

ମ୍ୟାଟରନିଟି ନର୍ସ ଜଣେ ଡାକିବାକୁ ହବ,

 

ପ୍ରସବ, ଆସନ୍ନ ଗର୍ଭବେଦନା ହୋଇଛି ଆରମ୍ଭ,

 

୯୨ ନମ୍ବର ପୁତ୍ରବଧୂଙ୍କର,

 

ନ କରି ବିଳମ୍ବ ତାତ, ପଠାଅ ତୁରିତେ

 

ଡାକିବାକୁ ନର୍ସ,

 

ସ୍ୱାମୀ, ଦେବର, ସର୍ବେ ଯାଇଛନ୍ତି କେଣେ

 

ଉଆସରେ ନାହାନ୍ତି ଯେ କେହି.... ।

 

ଧୃତରାଷ୍ଟ୍ର ଏ ସମ୍ବାଦରେ ବିଚଳିତ ହେଇପଡ଼ି ଭାବିଲେ–କି ଜଞ୍ଜାଳ । ପ୍ରତିଦିନ କାହାରି ନା କାହାରି ସନ୍ତାନ ପ୍ରସବ ! ଏ ଉଆସ ଗୋଟାଏ ପ୍ରସୂତୀ ଭବନ ହେଲାଣି, କ’ଣ କରିବେ ? କାହାକୁ ପଠେଇବେ ନର୍ସ ଡାକିବାକୁ.... ।

 

ଧୃତରାଷ୍ଟ୍ର ଏମିତି ଚିନ୍ତା କରୁକରୁ, ଦୁଃଶାସନ ଆସି ପିତାଙ୍କ ନିକଟରେ ପହଞ୍ଚିବା ମାତ୍ରେ ୮୧ ନମ୍ବର ପୁତ୍ରବଧୂ ଲୁଚିଗଲେ । ଦୁଃଶାସନ ପିତାଙ୍କ ଚିନ୍ତାଗ୍ରସ୍ତ ଦେଖି ପଚାରିଲେ-

 

ପିତା, କିକାରଣେ ଚିନ୍ତାଗ୍ରସ୍ତ ଏତେ !

 

କହନ୍ତୁ ଫିଟାଇ......

 

ଧୃତରାଷ୍ଟ୍ର ଦୁଃଶାସନକୁ କହିଲେ–

 

୯୨ ନମ୍ବର ପୁତ୍ରବଧୂଙ୍କର ଗର୍ଭବେନା ହୋଇଛି ଆରମ୍ଭ ।

 

ନର୍ସ ଜଣେ ଡାକିବାକୁ ହବ.....

 

ଦୁଃଶାସନ ପିତାଙ୍କ ମୁହଁରୁ ଏ କଥା ଶୁଣି କହିଲେ–

 

ପିତା, ଏଥିପାଇଁ ଚିନ୍ତିତ କାହିଁକି ?

 

ଯାଉଛି ମୁଁ ଡାକିବାକୁ ନର୍ସ....

 

ଦୁଃଶାସନ ଏତକ କହି ବିଦାୟ ନେଇ ନର୍ସ ଡାକିବାକୁ ଗଲେ ।

 

ଡାକ୍ତରଖାନାର ମ୍ୟାଟର୍‌ନିଟି ନର୍ସ ନାଁ–ଶିରୋମଣି, ବିଧବା । ତାର ଗୋଟିଏ ପୁଅ । ସେ ମା’ ପୁଅ ରହନ୍ତି ଡାକ୍ତରଖାନାର ଗୋଟିଏ ନର୍ସ କ୍ୱାର୍ଟରରେ ।

 

ଦୁଃଶାସନ ଯାଇ ଶିରୋମଣିର କ୍ୱାର୍ଟରରେ ପହଞ୍ଚି ଦୁଆର ମୁହଁରେ ଡାକିବାରୁ ଶିରୋମଣି କବାଟ ଫିଟେଇ ବାହାରକୁ ବାହାରି ଆସି ଦେଖିଲା ଦୁଃଶାସନ ଦୁଆରେ ଠିଆ ହେଇଛନ୍ତି । ଶିରୋମଣି ପଚାରିଲା–କ’ଣ ଆଜ୍ଞା, ଆପଣ କାହିଁକି ଏତେବେଳେ ମୋ ଦୁଆରକୁ ଆସିଛନ୍ତି ?

 

ଦୁଃଶାସନ କାରଣ କହି ବୁଝାଇଦେଲାରୁ, ଶିରୋମଣି ଭାବିଲା–ଧୃତରାଷ୍ଟ୍ରଙ୍କ ପରିବାରକୁ ତ ସେ କେତେଥର ଡେଲିଭରି କରେଇବାକୁ ଗଲେଣି, କେବେହେଲେ ପଇସାଟିଏ ଦଉ ନାହାଁନ୍ତି, ଆଜି ପୁଣି ଆସି ଡାକିଲେଣି ଡେଲିଭରି କରାଇବା ପାଇଁ ଯିବାକୁ । ଏଣୁ ଶିରୋମଣି ଛଳନା କରି କାନ୍ଦ କାନ୍ଦ ହେଇ କହିଲା–ଆଜ୍ଞା, ମୋତେ କ୍ଷମା ଦିଅନ୍ତୁ ମୁଁ ଯାଇପାରିବିନି । କାଲି ରାତିସାରା ମୁଁ ଶୋଇନାହିଁ । ପୁଅକୁ ମୋର ଜ୍ୱର । ପୁଅ ମୋତେ କାଲି ରାତିସାରା କୁଣ୍ଢେଇ ଧରିଛି-। ମୁଁ ରାତି ଅନିଦ୍ରାରେ କଟେଇଛି ଏଣୁ ମୋତେ ଭାରି ଦୁର୍ବଳ ଲାଗୁଛି, ଆପଣ ଆଉ କାହାକୁ ଡାକି ନିଅନ୍ତୁ ମୁଁ ଯାଇପାରିବିନି.... ।

 

ଶିରୋମଣି ନର୍ସ ମୁହଁରୁ ଏତକ ଶୁଣି ଦୁଃଶାସନ ରାଗରେ ଗର୍ଜିଉଠି କହିଲେ–

 

ଶୁଣ ଶିରୋମଣି, ଅବିଳମ୍ବେ ଚାଲ ମୋର ସାଥେ,

 

ନଚେତ୍‌ ପାଞ୍ଚାଳୀ ସମ, ଧରି କେଶଗୁଚ୍ଛ

 

ନେବି ମୁଁ ଘୋଷାରି ଉଆସରେ କରିବି ଉଲଗ୍ନ

 

ପୁତ୍ରତବ ଜ୍ୱରାକ୍ରାନ୍ତ, ଗତ ରାତ୍ରି ଯାପିଛ ଉନ୍ନିଦ୍ରେ,

 

ପୁତ୍ରତବ ଶୋଇଥିଲେ ତୁମକୁ କୁଣ୍ଢାଇ ଏ କାରଣେ

 

ପାରିବନି ଯାଇ.... ।

 

ଦୁଃଶାସନର ଧମକରେ ଶିରୋମଣି ଭୀତତ୍ରସ୍ତା ହେଇ ଦୁଃଶାସନର ସାଥିରେ ଧୃତରାଷ୍ଟ୍ରଙ୍କ ଉଆସକୁ ନିତମ୍ବ ଦୋହଲେଇ ଦୋହଲେଇ ବାହାରି ଗଲେ ।

 

ଏଥି ମଧ୍ୟରେ ଦ୍ୱାରପାଳ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ପରିବାର ନିୟନ୍ତ୍ରଣ ବିଭାଗର Field Workerକୁ ଆଣି ପହଁଚେଇ ଜଣେଇଲା–

 

ମହାରାଜ, Field Worker ଉପସ୍ଥିତ ସମ୍ମୁଖେ ତବ....ଦ୍ୱାରପାଳ ଏତକ କହି ବିଦାୟ ନେଲା ।

 

ଧୃତରାଷ୍ଟ୍ର କହିଲେ–

 

ବସ ବତ୍ସ, ନାହିଁ ଭୟ, କୁହ ମୋତେ ଖୋଲି

 

ପରିବାର ନିୟନ୍ତ୍ରଣ ବିଭାଗ ବିଷୟ,

 

କି ଉପାୟେ ପରିବାର ନିୟନ୍ତ୍ରଣ ହେଉଛି କିପରି ?

 

ଆଜି କାଲି ଶୁଣେ ମୁହିଁ ସର୍କାରଙ୍କ ସବୁ ବିଭାଗରେ

 

ଚାଲିଛି ଦୁର୍ନୀତି ଲୀଳା,

 

କୁହ ବତ୍ସ, ତୁମ ବିଭାଗରେ ଦୁର୍ନୀତିର ତାଣ୍ଡବ ଲୀଳା

 

ଚାଲିଛି କି ନାହିଁ ?

 

Field Worker ପ୍ରଥମେ ତ ଧୃତରାଷ୍ଟ୍ରଙ୍କ ପାଖକୁ ଆସି ହଡ଼ବଡ଼େଇ ଯାଇଥିଲା–କେମିତି ପରିବାର ନିୟନ୍ତ୍ରଣ ବିଷୟରେ କ’ଣ ବୁଝେଇବ ? କେମିତି ଧୃତରାଷ୍ଟ୍ରଙ୍କୁ Vasectomy ପାଇଁ ରାଜି କରେଇବ ? ଏଥିରେ ପୁଣି ଧୃତରାଷ୍ଟ୍ର ନିଜେ ପଚାରି ବୁଝିବାକୁ ଚାହିଁଲେଣି ଯେ ତାଙ୍କ ବିଭାଗରେ ଦୁର୍ନୀତି ଚାଲିଛି କି ନାହିଁ ? ଏ ବଡ଼ ବିଷମ କଥା ! ତାଙ୍କ ବିଭାଗରେ ତ ପାଞ୍ଚଜଣଙ୍କର Vasectomy କରାଗଲେ, ଦଶଜଣଙ୍କର ନାଁ ଲେଖେଇ ସେ ଟଙ୍କାକୁ ଡାକ୍ତରଙ୍କଠୁଁ ଆରମ୍ଭକରି ତଳିଆ କର୍ମଚାରୀ ଯାଏ ସମସ୍ତେ ଆତ୍ମସାତ କରୁଛନ୍ତି । ପୁଣି ମୂଳରୁ କାହାରି Vasectomy ନ କରି କେତେ ଲୋକଙ୍କର ନାଁ ମିଛରେ ଲେଖି ସେ ଟଙ୍କାକୁ ସମସ୍ତେ ଆତ୍ମସାତ କରୁଛନ୍ତି, ପୁଣି ଯା’ର ସ୍ତ୍ରୀ ମୂଳରୁ ନାହିଁ, ସେମିତିଆ ଲୋକଙ୍କୁ ଆଣି ସଂଖ୍ୟା ବଢ଼େଇବା ପାଇଁ Vasectomy କରିଦଉଛନ୍ତି । କେତେକ ମୂର୍ଖ ସରଳ ପ୍ରକୃତିର ଲୋକଙ୍କର Vasectomy କରି ତାଙ୍କର ନ୍ୟାଯ୍ୟ ପ୍ରାପ୍ୟରୁ ଅଳ୍ପ କିଛି ଦେଇ ବାକି ଟଙ୍କାତକ ଆତ୍ମସାତ କରୁଛନ୍ତି । ଏଥିରେ ତାଙ୍କ ବିଭାଗରେ ଦୁର୍ନୀତି ଚାଲିଛି କି ନା, ଏ ବିଷୟରେ କ’ଣ କହିବ ? ଏ ତ କମ୍ବଳଯାକ ବାଳ... ।

 

ଏଇ କଥା ଭାବି Field Worker କ’ଣ ଉତ୍ତର ଦବ, ଭୟରେ ତା ପାଟି ଖନି ବାଜିଗଲା । ତଥାପି ଆସିଛି ଯେତେବେଳେ କିଛି ନ କହି ବା ଯାଉଛି କେମିତି ଏଠୁଁ ?

 

ପରିବାର ନିୟନ୍ତ୍ରଣ ବିଭାଗର ଜଣେ Field Worker ଆସିଛି, ଶୁଣି ଧୃତରାଷ୍ଟ୍ରଙ୍କର କେତେକ ପୁଅ ଆଉ ପୁତ୍ରବଧୂ ଆସି ଗଦା ହୋଇଗଲେ, ଲୋକଟା କ’ଣ କହୁଛି ଶୁଣିବା ପାଇଁ ।

 

Field Worker ବିଚରା ଏମାନଙ୍କୁ ଦେଖି ଆହୁରି ଘାବରେଇ ଗଲା । କ’ଣ କରିବ-? କ’ଣ କହିବ ? ଏତ କ’ଣ ଆଗେ ଦୁର୍ନୀତି କଥା ପଚାରି ବୁଝିବାକୁ ଚାହିଁଲେଣି । କ’ଣ ଘଟଣା ? କାହିଁକି ସେ ଏଠିକି ଆସିଲା ତଥାପି ଥଙ୍ଗେଇ ଥଙ୍ଗେଇ ହେଇ Field Worker ବିଚାରା ପରିବାର ନିୟନ୍ତ୍ରଣର ଉପକାରିତା ବିଷୟରେ କହୁ କହୁ କଥା ମଝିରେ ‘‘ଆପଣଙ୍କର ଏ ବିରାଟ କୁଟୁମ୍ବ’’ ବୋଲି ଯେମିତି କହି ପକେଇଛି, ନେପଥ୍ୟରୁ ବାହାରିଲା ପରି ଗାନ୍ଧାରୀ ପାଖ ଘରୁ ଝାଡ଼ୁ ହସ୍ତରେ ଧରି ବାହାରିପଡ଼ି ରାଗରେ କହିଲେ-

 

କିଏ ଏହି ପାଷାଣ୍ଡ

 

ଆସିଲା କିପରି ଏଠି ? କହେସେ.... ବିରାଟ କୁଟୁମ୍ବ....

 

ଏତିକିବେଳେ ଗାନ୍ଧାରୀ Field Worker ଉପରକୁ ଝାଡ଼ୁ ଉଁଚେଇ କହିଲେ–

 

ଦୂର ହୁଅ ନରାଧମ ଉଆସରୁ ମୋର,

 

କି, ତୁହି, ଆସିଲୁ କାହିଁକି ?

 

ଉଚ୍ଚାରିଲୁ କିମ୍ପା ତୁହି–‘‘ବିରାଟ କୁଟୁମ୍ବ ?’’

 

କୂଳବୁଡ଼ା, ଦୂରହୁଅ, ନଚେତ୍‍ ଦେଖିଥା ଏ ଝାଡ଼ୁ,

 

ପିଟିପିଟି ନେବି ତୋର ପ୍ରାଣ ଆଜି ଏଠି....

 

ଏତିକିବେଳେ ଗାନ୍ଧାରୀଙ୍କୁ ବାଧାଦେଇ, Field Workerକୁ ଝାଡ଼ୁ ପାହାରରୁ ବଞ୍ଚେଇବାକୁ ଯାଇ Field Worker ପାଖରେ ଠିଆହୋଇ ଧୃତରାଷ୍ଟ୍ର କହିଲେ–

 

‘‘ରସନା ସଞ୍ଜତ କର ରାଣୀ,

 

ସେ ଅଟେ ସର୍କାରୀ କର୍ମଚାରୀ ଜଣେ,

 

ଆସିଅଛି ସର୍କାରଙ୍କ କାର୍ଯ୍ୟଭାର ନେଇ.....’’

 

ଧୃତରାଷ୍ଟ୍ରଙ୍କୁ ଉତ୍ତର ଦେବାକୁ ଯାଇ ଗାନ୍ଧାରୀ ରାଗରେ କହିଲେ–

 

‘‘କ୍ଷାନ୍ତହୁଅ ମହାରାଜ, କିଏ ସେ ସର୍କାର ?

 

ସେ କି ପୋଷେ କୁଟୁମ୍ବ ମୋହରି ?

ସର୍କାରକୁ ନାହିଁ ମୋର ଭୟ,

 

ଏ ଝାଡ଼ୁରେ ପୃଥିବୀକୁ କରିପାରେ ଜୟ,

 

ଯେ ଉଆସେ ଅନିବାର୍ଯ୍ୟ ଏନ୍ତୁଡ଼ିର ନିଆଁ ଜଳେ,

 

ସେଠି ଏ ପାପିଷ୍ଠ ପଶିଲା କିପରି ?

 

ପୁଣି କହେ–ବିରାଟ କୁଟୁମ୍ବ–

 

ପୁଣି କରିବାକୁ ତବ ମୁଷ୍କ ଛେଦନ

 

ପ୍ରବର୍ତ୍ତାଏ କୁଳାଙ୍ଗାର ଆସି !’’

 

ଏଇ ସମୟରେ ଗାନ୍ଧାରୀ ଝାଡ଼ୁରେ Field Workerକୁ ପାହାରେ ପକେଇଲାବେଳକୁ ଝାଡ଼ୁ ପାହାରଟା ଧୃତରାଷ୍ଟ୍ରଙ୍କ ଉପରେ Field Worker ଖସି ପଳେଇଲା ।

Image

 

ବୀର ବାହୁଡ଼ା

 

ଦୋଳ ବେଳ, ଆଜି ଏ ସାହିରେ ମେଲଣ ସରିଲା ତ, କାଲି ସେ ସାହିରେ ମେଲଣ । ସାହି ଠାକୁରଙ୍କ ବିବାନ ଜାଗା ଜାଗା ଯାଉଛି, ଆସୁଛି । ଦିନବେଳା ଠାକୁରଙ୍କ ବିବାନ ଗଲେ ଖାଲି ବାଜା ବଜେଇ ଚାଲି ଯାଉଛନ୍ତି, ରାତିବେଳା ହେଲେ ବାଜା ବଜେଇ ରୋସନି କରି ସାହିସାହିର ଲୋକ ଚାଲିଛନ୍ତି । ବିବାନ ଆଗରେ ଅଳ୍ପ କେତେକ ବୁଢ଼ା ବୁଢ଼ା ଲୋକେ ଚାଲିଛନ୍ତି ତ, ବେଶି ଭାଗ ଭେଣ୍ଡିଆ ଦଳ । ହାତରେ ଉଚ୍ଚା ଉଚ୍ଚା ଠେଙ୍ଗା । କୀର୍ତ୍ତନ ହଉଛି, ଢୋଲ, ମହୁରୀ ବାଜୁଛି, ଦେହ ମୁଣ୍ଡରେ ଅବିର ବୋଳା ହୋଇଛି ।

 

ପଧାନ ସାହି, ଗଉଡ଼ ସାହି ଅଳ୍ପ ଦୂର ଛଡ଼ାଛଡ଼ି । ବର୍ଷେ ପଧାନ ସାହିର ଭେଣ୍ଡିଆଏ ଜିଦ୍‌ ଧରି ବସିଲେ–ଆମ ଦାଣ୍ଡ ବାଟ ଦେଇ ଗଉଡ଼ ସାହିର ବିବାନ ଯାଇପାରିବ ନାହିଁ, କଦାପି ଛାଡ଼ିଦେବୁ ନାହିଁ । ଆମେ ମରିଯିବୁ ପଛେ ଗଉଡ଼ସାହି ବିବାନକୁ ଏ ବର୍ଷ କଦାପି ଛାଡ଼ିବୁ ନାହିଁ.... ।

 

ଆବାହକାଳରୁ ଗଉଡ଼ ସାହି ବିବାନ ଦୋଳାବେଳେ ପଧାନ ସାହି ଦାଣ୍ଡବାଟ ଦେଇ ମେଲଣକୁ ଯାଉଥିଲା । କ’ଣ କରାଯିବ ?

 

ସାହିର ବୁଢ଼ା ବୁଢ଼ା ଲୋକେ ଭେଣ୍ଡିଆ ଦଳକୁ ଡାକି ଯେତେ ବୁଝେଇଲେ, ପାରିଲେ ନାହିଁ । ସେହି ଗୋଟାଏ ଜିଦ୍‌–କଦାପି ଛାଡ଼ିବୁ ନାହିଁ, ରକ୍ତର ନଈ ବୋହିଯାଉ.......

 

ତେଣେ ଗଉଡ଼ ସାହିର ଭେଣ୍ଡିଆଏ ଜିଦ୍‌ ଧରି ବସିଲେ–ଆମେ ଯେମିତି ହେଲେ ପଧାନ ସାହିର ଦାଣ୍ଡବାଟ ଦେଇ ଏ ବର୍ଷ ବିବାନ ନେଇ ଯିବୁ । ଦେଖିବା ପଧାନସାହିଆ କ’ଣ କରିବେ ? ଆମ ବାପ ଅଜା ଅମଳରୁ ଯାହା ହେଇଆସୁଥିଲା, ଏ ବର୍ଷ ବନ୍ଦ ହେବ ? ଦେଖାଯାଉ କେମିତି ଆମେ ବିବାନ ନ ନବୁ । ମରିଗଲେ କ’ଣ ହେଲା ?....

 

କେତେକ ଭେଣ୍ଡିଆ ଏ କଥା ଶୁଣି ଉତ୍ତର ଦେଲେ–‘‘ହଇରେ, ମରିଯିବୁ କାହିଁକି ? ସେ ଭାତ ଖାଇଲେ ଆମେ କ’ଣ ପେଜ ପିଉଛୁ ? ଆମେ ଘିଅ, ଦୁଧ ଖାଇଲାବାଲା......’’

 

ପଧାନସାହିଆ ଭେଣ୍ଡିଆଙ୍କ ଆଡ଼ୁ ଶୁଣାଗଲା–ଆମ ବାପ ଅମଳରୁ ଆମେ ଯୋଦ୍ଧା । ରାଜା ରାଜୁଡ଼ାଙ୍କ ଅମଳରେ ଆମରି ବାପ ଅଜାଏ ରଜାଙ୍କର ସୈନ୍ୟବାହିନୀରେ ଥାଇ ଯୁଦ୍ଧ କରୁଥିଲେ, ଆମେ କ’ଣ ଏଡ଼େ ଅଣପୁରୁଷା ହେଇଗଲୁ ଯେ ଗଉଡ଼ସାହିଆ ଆମ ଦାଣ୍ଡବାଟ ଦେଇ ଏ ବର୍ଷ ବିବାନ ନେଇଯିବେ ? ଦେଖିବା, ଯା ହେବାର ହବ । ଆମ ଦାଣ୍ଡ ଗଉଡ଼ସାହିଆଙ୍କ ରକ୍ତରେ ଯଦି କାଦୁଅ ନ କରିଛୁ, ସେ ଘିଅ ଦୁଧ ଖାଇ ବଳୁଆ ହେଲେ ବି, ଆମେ ଶିକାର ମାଂସ ଖାଇ ବଳୁଆ । ଦେଖାଯାଉ..... ।’’

 

ଉଭୟ ସାହିର ବୁଢ଼ା ବୁଢ଼ା ମୁଖିଆ ଲୋକମାନେ ଭେଣ୍ଡିଆଙ୍କୁ ଯେତେ ବୁଝାଇଲେ, କିଛି ଫଳ ହେଲା ନାହିଁ । ପଧାନସାହିଆ ଭେଣ୍ଡିଆ କହିଲେ–ଆମେ ଛାଡ଼ିବୁ ନାହିଁ..... ଗଉଡ଼ସାହିଆ ଭେଣ୍ଡିଆ କହିଲେ–ଆମେ ଯିବୁ.... । ଏଣୁ ଉଭୟ ଦଳ ଛକାଛକି ହେଇ ରହିଲେ ।

 

ଶେଷରେ ଦିନେ ଦୂର ଗାଁର ମେଲଣରେ ଯୋଗଦବାକୁ ଗଉଡ଼ସାହିଆ ଲୋକମାନେ ସଂଧ୍ୟା ପୂର୍ବରୁ ବିବାନ ନେଇ ବାହାରିଲେ ପଧାନ ସାହିକୁ । ଦୂରରୁ ବାଜା, କୀର୍ତ୍ତନ, ପାଟିତୁଣ୍ଡ ଶୁଣାଗଲା । ଏ ପଟୁଆରରେ ଗଉଡ଼ ସାହିର ବୁଢ଼ା ବୁଢ଼ା ଲୋକେ ଯିବାକୁ ଭୟ କଲେ । ବଡ଼ ଉଚ୍ଚ ଉଚ୍ଚ ଡିହ ଜାଗା ଦେଖି ଗଉଡ଼ ସାହିର ବୁଢ଼ା ବୁଢ଼ା ଲୋକମାନେ ଠିଆହୋଇ ରହିଲେ–କ’ଣ ହେଉଛି ଦେଖିବା ପାଇଁ ।

 

ପଧାନସାହିର ବୁଢ଼ା ବୁଢ଼ା ଲୋକେ ଆଉ ଦାଣ୍ଡକୁ ନ ଯାଇ, ସେମିତି ଉଚ୍ଚା ଉଚ୍ଚା ଜାଗା ଦେଖି ଠିଆହେଲେ–କିଏ ଯାଉଛି, ଏ ମାଡ଼ଗୋଳକୁ ? ତିନିକାଳ ଗଲା, ଏ ଶେଷ କାଳକୁ ମାଡ଼ଖାଇ କିଏ ମରିବ ମ ?

 

ପଧାନସାହିଆ ବୁଢ଼ାଏ ଦେଖିଲେ–ମାଡ଼ଗୋଳ କରିବାକୁ ବାହାରି ପଡ଼ିଲେ–ଉଚ୍ଛବା, କାଶିଆ, ନାଥିଆ, ଗୋପିଆ, ମହନା, ଶ୍ୟାମ ଏମିତି ଆଉ କେତେ ଭେଣ୍ଡିଆ । ମୁଣ୍ଡରେ ଠେକାଭିଡ଼ି, ପାଇକଛା ମାରି, ଉଚ୍ଚା ଉଚ୍ଚା ଠେଙ୍ଗାଧରି ।

 

ତାଙ୍କ ପଛକୁ ମାଇପେ ଗାଣ୍ଡୁଆଏ ଗାଣ୍ଡୁଆଏ ଢେଲାଧରି ସଜବାଜହେଇ ରହିଲେ । ଗଉଡ଼ସାହି ସାଥିରେ ମାଡ଼ଗୋଳବେଳେ ଦରକାର ପଡ଼ିଲେ, ମାଇପିଦଳ ଢେଲା ଯୋଗାଇବେ ।

 

ତେଣେ ଗଉଡ଼ସାହିର ବୁଢ଼ା, ପୁରୁଖା ଲୋକେ ଦେଖିଲେ–ବିବାନ ସାଥିରେ ବାହାରିଲେ–ଅପନି, ସଦନି, ଚପନି, ବିପିନି, ମଦନ, ଚଇତନିଆ, ମଙ୍ଗୁ, କେଳୁଚରଣ, ଆହୁରି କେତେ ଭେଣ୍ଡିଆ.... । ହାତରେ ଠେଙ୍ଗାବାଡ଼ି ଧରି, ଭିତରେ ଚଡ଼ିପିନ୍ଧି, ଉପରେ ମାଲକଛା ଭିଡ଼ି ବୀରଦର୍ପରେ ଚାଲିଲେ, ବାଜାବଜାଇ, ଶିଙ୍ଗାବଜେଇ, ପାଟିତୁଣ୍ଡ କରି ।

 

ଗଉଡ଼ସାହି ବିବାନ ଯେମିତି ପଧାନସାହି ଦାଣ୍ଡରେ ହେଇଛି, ଠକ୍‌ ଠାକ୍‌, ଦୁମ୍‌ ଦାମ୍‌, ଦୁଲ ଦାଲ୍‌, ହୋ ହୋ ଶବ୍ଦ ହେଲା । ପଧାନସାହି ଦାଣ୍ଡ ଲୋକରେ ଭରପୂର । ଶୂନ୍ୟରେ ଉଭୟେ ପଟୁ ଢେଲା ଚାଲିଲା–ସାଁଏ ସାଁଏ ଶବ୍ଦ କରି । ଏତିକିବେଳେ ଗଉଡ଼ସାହିର ଦ୍ୱିଜ ବେହେରା, ଗଉଡ଼ସାହି ଭିତରୁ କୁଦି କୁଦି; କୁଞ୍ଚାକଚ୍ଛା ଭିଡ଼ୁ ଭିଡ଼ୁ ଥାକୁଲ ଥାକୁଲ ହେଇ ଦଉଡ଼ିଲା, ଷଣ୍ଢ ଦଉଡ଼ିଲା ପରି ।

 

ଗଉଡ଼ସାହିର ବୁଢ଼ାଏ ଦେଖି ଅବାକ ହେଇ କୁହାକୁହି ହେଲେ–କିରେ ! ଦିଜୁଆ ତ ମାଡ଼ଗୋଳକୁ ବାହାରି ପଡ଼ିଲା । ଆମେ ତ କୋଉ ଦିନ ହେଇ ତାର ଇମିତିଆ ଢଙ୍ଗ ଦେଖି ନ ଥିଲୁ-। ସେ ଭାରୀ ରାଗୀ ବୋଲି ଆମେ ଜାଣୁ, କିନ୍ତୁ ସେ ତ କେଭେ ମାଡ଼ଗୋଳକୁ ବାହାରେ ନା । ଆଜି ସରିଗଲା, ଦଶଟା ଲୋକକୁ ସେ ଏକା ମାରି ପଟାଳି କରିଦବ.... ।

 

ଆଉ କେତେକ ବୁଢ଼ା କୁହାକୁହି ହେଲେ–ଆଜି ପଧାନସାହିଆ ଚେତି ଯିବେ ଯେ, ବୀରପଣ ଦେଖେଇ ହଉଥିଲେ । ଦିଜୁଆ ଦିହରେ କମ ବଳ । ସେ ଆଜି ପଧାନସାହିଆଙ୍କୁ ସାରିଦବ.... ।

 

ଦ୍ୱିଜ ବେହେରା କୁଦି କୁଦି ଥାକୁଲ ଥାକୁଲ ହେଇ ଯାଉ ଯାଉ ଦେଖିଲା ଜଣକ ଚାଳରେ ଗୋଟାଏ ବାଉଁଶ ଠେକ ଦିଆହେଇଛି । ତା’ ହାତରେ ଠେଙ୍ଗାବାଡ଼ି କିଛି ନ ଥିଲା, ମାଇଲା ଗୋଟାଏ ଡିହ ସେ ଠେକଦିଆ ବାଉଁଶକୁ, ବାଉଁଶ ହୁଗୁଳି ଗଲା । ଚାଲିଲା ସେ ବାଉଁଶ ଖଣ୍ଡକ ଧରି ବୀରଦର୍ପରେ ।

 

ଦିଜୁଆର ଭୀମରୂପ ଦେଖି ବୁଢ଼ା ବୁଢ଼ା ଲୋକେ ଆଖିବୁଜି ପକେଇଲେ । ଭାବିଲେ–ସରିଗଲା, ଆଜି ସରିଗଲା.... ।

 

X X X

 

ଦୂରରୁ ଶୁଣାଗଲା–ମରିଗଲିଲୋ ବୋଉ, ମୋତେ ଆଉ ମାରନା.... । ମୁଁ କୋଉ ହାତରେ ଆଉ ଗୋରୁ ଦୁହିଁବିଲୋ, ଭାଇଗମା.... । ମୁଁ କାହିଁକି ଆସିଲିରେ ? କି ଭୁଲ କାମ କଲିଲୋ ଭାଇଗମା । ତୁ ତ ମନା କରିଥିଲୁଲୋ, ମୁଁ ତୋ କଥା ମାନିଲି ନାହିଁଲୋ ଭାଇଗମା । ମୁଁ ତ ଆଉ ବଞ୍ଚିବି ନାହିଁରେ, ଭାଇଗ ତୁ କ’ଣ କରିବୁରେ ? ତୁ ତ ପିଲା ବକଟେରେ ଭାଇଗ ପୁଅ, ମୋର ଡାଆଣ ହାତ ଭାଙ୍ଗିଗଲାରେ..... କିଛି ସମୟପରେ ଦେଖାଗଲା–ଦ୍ୱିଜ ବେହେରା ଡାଆଁଣ ହାତକୁ ବାଁ ହାତରେ ଟେକିଧରି କାନ୍ଦି କାନ୍ଦି ଫେରୁଛି । ଦ୍ୱିଜ ବେଳେବେଳେ ଭଙ୍ଗା ଡାଆଁଣ ହାତକୁ ବାଁ ହାତରେ ଟେକି ଧରିଛି ତ, ପୁଣି ତଳକୁ ଓହଳେଇ ବାଁ ହାତରେ ଧରୁଛି ।

 

ଦ୍ୱିଜର ଅଣ୍ଟାରେ ପାହାର ବସିଛି, ମୁଣ୍ଡରେ ପାହାର ବସିଛି; ଡାଆଁଣ ହାତ ହାଡ଼ ଭାଙ୍ଗିଛି-

 

ଦ୍ୱିଜ କିଛି ବାଟ ପଡ଼ି ଉଠି ପଳେଇ ଆସୁ ଆସୁ ଗଉଡ଼ସାହି ଦାଣ୍ଡ ମଝିରେ ଅଜ୍ଞାନ ହେଇ ପଡ଼ିଗଲା ।

Image

 

ମନଅବୋଧ ଚଉତିଶା

 

କପିଳ ମଙ୍ଗରାଜଙ୍କର ନାକଠୁଁ କପାଳ ଯାଏ ଚନ୍ଦନର ରାମାନନ୍ଦୀ ଚିତା । ପରିଧାନରେ ପରିଷ୍କାର ଧୋତି, ଆଉ ଦିହରେ ଖଣ୍ଡେ ଧଳାରଙ୍ଗର ଫତେଇ, ହାତରେ ମାଳାଝୁଲି । ମଙ୍ଗରାଜେ ସବୁବେଳେ ଝୁଲି ଭିତରେ ହାତପୂରେଇ ମାଳି ଟପଟପ କରନ୍ତି, ଆଉ ମଝିରେ ମଝିରେ ମାଳାଝୁଲିକି ମୁଣ୍ଡରେ ଛୁଆନ୍ତି । ମଙ୍ଗରାଜଙ୍କ ବ୍ୟବସାୟ ଭିତରେ ଘର ଭଡ଼ାଦବା । ବଜାରରେ ତାଙ୍କର ଅନେକଗୁରାଏ ଦୋକାନ ଘର, ରହିବା ଘର । ସେଥିରୁ ଭଡ଼ାଟିଆମାନଙ୍କଠାରୁ ଯାହା ଭଡ଼ା ଆଦାୟ ହୁଏ, ସେଇଥିରେ ମଙ୍ଗରାଜେ ତାଙ୍କ ସ୍ତ୍ରୀ ଖୁବ୍‌ ଭଲରେ ଚଳନ୍ତି । ଘରଭଡ଼ା ଦବା ବ୍ୟବସାୟ ଛଡ଼ା ଟଙ୍କା ଋଣଦବା, ଧାନ କରଜ ଲଗେଇବା ଇତ୍ୟାଦି ଆହୁରି ଅନେକ ରକମର ବ୍ୟବସାୟ ଅଛି । ମଙ୍ଗରାଜେ ଯେଉଁଠି ରହନ୍ତି, ସେ ସହରଠାରୁ ଦୂର ଜାଗା ମଫସଲ କହିଲେ ଚଳେ । ପଡ଼ୋଶୀମାନେ ଗାଉଁଲି ଲୋକ, ଅଧାପାଠୁଆ, ମୂର୍ଖ, ସରଳ, କୁଟିଳ ମିଶାମିଶି । ସେମାନଙ୍କ ଭିତରୁ ବୟସ୍କାମାନେ ମଙ୍ଗରାଜଙ୍କୁ ଭାରି ଖାତିରି କରନ୍ତି । ଉପରମୁହାଁ ଟୋକାଟାକରାଏ ସେତେ ଖାତିରି କଲାଭଳି ଜଣାପଡ଼େ ନାହିଁ । ଦୈନିକ ସଂଧ୍ୟପରେ ମଙ୍ଗରାଜେ ବାହାରଆଡ଼େ ନିଜ ବାରନ୍ଦାରେ ଗୋଟିଏ ଲଣ୍ଠନ୍‌ ଜାଳି ବସି ମାଳି ଟପଟପ କରନ୍ତି । ବେଳେବେଳେ କେହି ପଡ଼ୋଶୀ ଆସି ଯୁଟିଗଲେ ଗପ କରନ୍ତି, ପୁଣି କେବେକେବେ ମଙ୍ଗରାଜେ ଭାଗବତ, ରାମାୟଣ, ମହାଭାରତ ବିଲଙ୍କା ରାମାୟଣ, ସୂର୍ଯ୍ୟପୁରାଣ, ନୃସିଂହ ପୁରାଣ, ମଥୁରା ମଙ୍ଗଳ, ଜନ୍ମାଷ୍ମମୀ ବ୍ରତ, ତ୍ରିନାଥମେଳା ଇତ୍ୟାଦି ବହି ପଢ଼ନ୍ତି । ମଙ୍ଗରାଜଙ୍କ ବହି ବୋଲାବେଳେ ପଡ଼ୋଶୀ ଲୋକଙ୍କ ଭିତରୁ ମାଇପି, ମରଦ ଉଭୟ ଦଳ ଆସି ଯୁଟିଯାନ୍ତି, ବସି ଶୁଣନ୍ତି । ମରଦ ଦଳ ମଙ୍ଗରାଜଙ୍କୁ ଘେରି ବସନ୍ତି, ଆଉ ମାଇପି ଦଳ ମଙ୍ଗରାଜଙ୍କ ସ୍ତ୍ରୀଙ୍କୁ ଘେରି ଅଳ୍ପ ଦୂରରେ ବସି ଶୁଣନ୍ତି ।

 

ଦିନେ କଥାହେଲା–ମଙ୍ଗରାଜେ ୰ଭକ୍ତଚରଣ ଦାସଙ୍କର ମନବୋଧ ଚଉତିଶା ବୋଲି ଶୁଣେଇବେ । ଏଣୁ ଜଣଜଣକରି ମଙ୍ଗରାଜେ ସମସ୍ତଙ୍କୁ ଜଣେଇ ଦେଲେ ଯେ–ତୁମେମାନେ ଆଜି ସଂଧ୍ୟାବେଳେ ଆସ, ମନବୋଧ ଚଉତିଶା ବୋଲି ଶୁଣେଇବି, ଶୁଣିବ–୰ଭକ୍ତଚରଣ ଦାସେ କେମିତି ମନବୋଧ ଚଉତିଶା ଲେଖି ଯାଇଛନ୍ତି । ତୁମମାନଙ୍କୁ ତ ଅନେକ ବିଷୟ ବୋଲି ଶୁଣେଇଲିଣି, ଏ ମନବୋଧ ଚଉତିଶା ଥରେ ଶୁଣିଲେ ତୁମ ମନର କେତେ ପରିବର୍ତ୍ତନ ହେବ । ଆଜି ସଂଧ୍ୟା ପରେ ଆସ, ବୋଲି ଶୁଣେଇବି ।

 

ସଞ୍ଜ ଗଡ଼ିଗଲା । କପିଳ ମଙ୍ଗରାଜଙ୍କର ପଡ଼ୋଶୀଙ୍କ ଭିତରୁ କେତେକ ମରଦ, ମାଇପି ଆସି ଯୁଟିଗଲେ । ମରଦ ମାଇପି ଯେଉଁଠି ବସନ୍ତି ଉଭୟଦଳ ବସିଲେ । କେବଳ ଅପେକ୍ଷା କପିଳ ମଙ୍ଗରାଜଙ୍କୁ, ଆସିଲେ ମନବୋଧ ଚଉତିଶା ବୋଲି ଶୁଣେଇବେ । ସଞ୍ଜବେଳର ନିତ୍ୟକର୍ମ ସାରି ଆସିବାକୁ ମଙ୍ଗରାଜେ ଆଉ ତାଙ୍କର ସ୍ତ୍ରୀଙ୍କର ଟିକିଏ ବିଳମ୍ବ ହୋଇଗଲା । ଏଥି ମଧ୍ୟରେ ଶାଶୁଶ୍ରେଣୀର ବୁଢ଼ୀ ଜଣେ ଦି’ଜଣ କାନି ବିଛେଇ ଲମ୍ବାହୋଇ ଶୋଇଗଲେ । ଏଇ ଶ୍ରେଣୀର ବୁଢ଼ୀମାନଙ୍କୁ ବୋହୂ ଣ୍ରେଣୀର ତରୁଣୀଙ୍କ ଭିତରୁ କେତେକ ପଚାରିଲେ–କ’ଣ ଶୋଇଲ ମ ? ପୋଥିବୋଲା ହବ ପରା.... ।

 

ଏଇ ବୁଢ଼ୀଙ୍କ ଭିତରୁ ଜଣେ ଦି’ଜଣ ଉତ୍ତରରେ କହିଲେ–ହଁ, ଆମେ ବୁଢ଼ୀ ହେଲୁଣି, ମରିବାକୁ ବସିଲୁଣି, ତୁମେମାନେ ଶୁଣ, ଯୁଗ ଆଇଜ କରିବ, ଆମ ବେରବାର ସରି ଆଇଲାଣି ଲୋ..... ।

 

ଜଣେ ଦି’ଜଣ ବୁଢ଼ୀ କହିଲେ–ବୋପାଲୋ, ଏତିକି ବାଟ ଚାଲିଆସି ମୋ ଗୋଡ଼ ଦି’ଟା କ’ଣ ହେଇଯାଉଛି ଲୋ.... ।

 

ଏଣୁ ସାଙ୍ଗରେ ଆସିଥିବା ବୋହୂଙ୍କୁ ହୁକୁମ ହେଲା–ଏ ମଲ୍ଲୀ, ଏ ଗୁରୁବାରୀ, ଟିକିଏ ମୋଡ଼ିଦେଲୁ.... ।

 

ଏଣୁ ମଲ୍ଲୀ, ଗୁରୁବରୀ ସ୍ୱ-ସ୍ୱ ଶାଶୁଙ୍କର ପଦ ଆଉ ନିତମ୍ବ ମନ୍ଥନରେ ଲାଗି ପଡ଼ିଲେ ।

 

କିଛିକ୍ଷଣ ପରେ ମଙ୍ଗରାଜେ ସସ୍ତ୍ରୀକ ଆସି ଶ୍ରୋତାଙ୍କ ଭିତରେ ଉପସ୍ଥିତ ହୋଇ ଯେ ଯାର ଆସନ ଗ୍ରହଣ କଲେ ।

 

ମନବୋଧ ଚଉତିଶା ବୋଲା ଆରମ୍ଭ ହେଲା-

 

ମଙ୍ଗରାଜେ ବୋଲିଲେ–

 

‘‘କହଇ ମନ ଆରେ ମୋ ବୋଲ କର

 

କଳାଶ୍ରୀ ମୁଖବାରେ ଦେଖିବା ଚାଲରେ,

 

କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ

 

କି ଘେନି ଯିବୁ ତୋର ଛୁଟିଲେ ଘଟରେ ।’’

 

ମଙ୍ଗରାଜେ ଏତକ ବୋଲି ଶ୍ରୋତାଙ୍କୁ ଏହାର ଅର୍ଥ ଭଲ ଭାବରେ ବୁଝେଇଦେଲେ । ମରଦ, ମାଇପି ଉଭୟ ଦଳର ଶ୍ରୋତାମାନେ ଏହାର ଅର୍ଥ ବୁଝି ତନ୍ମୟ ହୋଇଗଲେ । ମରଦଙ୍କ ଆଡ଼େ କେତେକଙ୍କ ଭିତରେ ଆଲୋଚନା ପଡ଼ିଗଲା–ଭାଇ, କବି ଯେ, ସେ କେମିତି ସାରକଥା ବନେଇ ଚୂନେଇ ଲେଖି ଯାଇଛନ୍ତି । କହିଲେ, ସତେମ କ’ଣ ଅଛି ଏ ଦୁନିଆରେ ? ନିଶ୍ୱାସଟା ଚାଲିଛି, ନିଶ୍ୱାସଟା ବନ୍ଦ ହେଇଗଲେ, କିଏ କାହାର ? ଏତେ ଯେ ଧନ, ସମ୍ପତ୍ତି ଆମେ କମେଇବାକୁ ଦୌଡ଼ିଛୁ, ତା ଫଳ କ’ଣ ? ଆଖି ବୁଜିଲେ ସବୁ ଅନ୍ଧାର..... ।

 

ତେଣେ ମାଇପିଙ୍କ ଆଡ଼େ କେତେକଙ୍କ ଭିତରେ ଆଲୋଚନା ପଡ଼ିଗଲା–ନାନୀ, କହିଲୁ ଏ ଦୁନିଆରେ କ’ଣ ଅଛି ?...

 

ଆଉଜଣେ ପାଳିଧଇଲାପରି କହିଲା–କିଛି ନାହିଁଲୋ ନାନୀ, କିଛି ନାହିଁ । ମରିଗଲେ ପିନ୍ଧାଲୁଗା ଖଣ୍ଡକ ଛଡ଼େଇ ରଖିବେ, ମିଛ ମାୟାରେ ଖାଲି ଘାଣ୍ଟି ହେବା କଥା....... ।

 

ମଙ୍ଗରାଜେ ଏତିକିବେଳେ ଶ୍ରୋତାଙ୍କ ଭିତରୁ ଜଣକୁ ଡାକି ପଚାରିଲେ–ହଇରେ ସାରଙ୍ଗ, ତୁ ଯୋଉ ଧାନ ଭରଣେ କରଜ ନେଲୁ, ତାକୁ ଆଉ ଫେରେଇଲୁ ନାହିଁ । ଏଗୁରା ଭଲକାମ କରୁଛୁ ? ହଉ ତୁ କ’ଣ କରୁଛୁ କର.... ।

 

ସାରଙ୍ଗକୁ ଏତେ ଲୋକ ମଝିରେ ମଙ୍ଗରାଜେ ଧାନକରଜ କଥା ପଚାରିଲାରୁ ସାରଙ୍ଗ ଲଜ୍ଜିତ ହୋଇ ଉତ୍ତର ଦେଲା–କ’ଣ କରିବି ଆଜ୍ଞା, ଅସୁବିଧାରେ ପଡ଼ିଯାଇଛି, ଦେଇ ଦେବି । ଆଉ ଟିକିଏ ସମାଳି ଯା’ନ୍ତୁ....... ।

 

ଏତକ ଉତ୍ତର ଦେଇସାରି ସାରଙ୍ଗ ତୁନିତୁନି କେହି ନ ଶୁଣିବା ଭଳି ନିଜେ ନିଜେ କହିଲା–ଏଇ ଏକା ମଲେ ସବୁ ଧନଯାକ ମୁଣ୍ଡେଇ ନେଇଯିବ, ଶଳା ଅସଲ କୃପଣ ଏ.... ।

 

ମଙ୍ଗରାଜେ ପୁଣି ବୋଲିଲେ–

 

‘‘ଖଣ୍ଡିଯେ ଖଣ୍ଡି ତୋର ପିଞ୍ଜରାକାଠି,

ଖାଉଣ ଥିବେ ଶ୍ୱାନ, ଶୃଗାଳ ବାଣ୍ଟିରେ

ଖଟ ପଲଙ୍କେ ମନ ଶେଯାଇ ଶୋଉ

ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ ।’’

 

ମଙ୍ଗରାଜେ ଏହାର ଅର୍ଥ ବିଶଦ ଭାବରେ ବୁଝେଇ ଦେଲା ପରେ, ମରଦ ଆଉ ମାଇପି ଉଭୟଆଡ଼େ କୁହାକୁହି ହେଲେ–

ମରଦଙ୍କ ଭିତରେ କେତେକ କୁହାକୁହି ହେଲେ–ଆହା, ସତେମ ଆମ ଏ ଦିହର କେତେଯତ୍ନ ନଉଛୁ ? କ’ଣ ଅଛି ଏ ଦିହରେ ? ମଲେତ ସେଇ କାଉ, କୁକୁର, ବିଲୁଆ, ଶାଗୁଣାଙ୍କର ଆହାର ହବ, ନା ଆଉ କିଛି ଅଛି ?

ତେଣେ ମାଇପିଙ୍କ ଆଡ଼େ କଥା ପଡ଼ିଲା–ନାନୀ, ସତେମ ଏ ଦିହରେ ଆମର କ’ଣ ଅଛି କହିଲୁ ? ଆମେ କେତେ ନରଦି, ତେଲ ନଗଉଛୁ ? ସଫା ସୁତୁରା ହଉଛୁ ? କୋଉଠି ଟିକିଏ ମରି ଲାଗିବ ନାହିଁ । ମଲେତ କିଛି ନାହିଁ ଲୋ ନାନୀ ।

ଏଇ ସମୟରେ ଜଣେ ଉକ୍ତ ମାଇପିକୁ ଥଟ୍ଟା କରି କହିଲା–ଆଉ ମାଳେ ଫୁଲ ମୁଣ୍ଡରେ ଗୁଞ୍ଜି, ଆଖିରେ କରା ଲଗେଇ, କେତକୀ ଖଇର ପାନ ଖାଇ, ଦିହରେ ନାସନା ତେଲ ଲଗା ଯେ, ମଲେ ତୋ ଦିହରୁ ନାସନା ତହଟିବ, ତୋ ଦିହ କାହିଁକି ଖର ଦୁରୁଗନ୍ଧ ହେବ ?

ମଙ୍ଗରାଜେ ଏତିକିବେଳେ ଦେଖିଲେ–ହାଡ଼ିଆ ଧୋବା ଟୋକା ଶ୍ରୋତାଙ୍କ ଭିତରେ ବସି ଶୁଣୁଛି । ମଙ୍ଗରାଜେ ହାଡ଼ିଆକୁ ଡାକି କହିଲେ–ହଇରେ ହାଡ଼ିଆ, ତୁ ଏଥର ଯୋଉ ମୋ ଧୋତି, ଫତେଇ, ବିଛଣା ଚାଦର ନେଲୁ, କ’ଣ କରିଛୁ କହିଲୁ ?

ହାଡ଼ିଆ ପଚାରିଲା–କ’ଣ କରିଛି କି ଅଜା ?

ମଙ୍ଗରାଜେ ଆହୁରି ଚଢ଼ା କଣ୍ଠରେ–କ’ଣ କରିଛୁ, ଆହୁରି ପଚାରିଛୁ ? ହଇରେ କି ସଫା କରିଛୁ ? ମୁଁ ତ ହାତରେ କାଚିଥିଲେ ତା’ଠୁଁ ବେଶୀ ସଫା କରିଥାନ୍ତି । ମନଇଚ୍ଛା କାମ କରୁଛୁ-। ମାହାଳିଆ ମୁଁ ତୋତେ କାଚିବାକୁ ଦେଲି, ଭାରି ଉପରମୁହାଁ ହେଲୁଣି ତୁ । ତୋ ବାପ ତ ଇମିତି ନ ଥିଲା ।

 

ହାଡ଼ିଆା ଏଥର କହିଲା–ହଁ ମ ଅଜା, ପଢ଼ୁଛନ୍ତି କ’ଣ ? କହୁଛନ୍ତି କ’ଣ ? ଏ ଦିହ ତ ଦିନେ ବିଲୁଆ, କୁକୁରଙ୍କ ଆହାର ହବ । ଏତେ ସଫା ସୁତୁରା ହେବାକୁ ମନ ବଳାଉଛନ୍ତି କାହିଁକି ?

 

ଏତେବେଳେ ମଙ୍ଗରାଜେ ରାଗିଯାଇ ଆଉ ଜଣକୁ ସାକ୍ଷୀ କରି ହାଡ଼ିଆକୁ କହିଲେ–ମୁଁ ବଞ୍ଚିଛି, ସଫା ସୁତୁରା ହେବି କାହିଁ ? ମଲେ କ’ଣ ହବ, ମୁଁ ଦେଖିବି କି ? ତୋ ମୁହଁ ଆଜିକାଲି ଭାରି ବଢ଼ି ଗଲାଣି ।

 

ହାଡ଼ିଆ ଏତକ ଶୁଣି ତୁନି ତୁନି ହେଇ ନିଜେ ନିଜେ କହିଲା–ତମର ଖାଇ ମୁହଁ ବଢ଼ି ଗଲାଣି ।

 

ହାଡ଼ିଆ ପୁଣି ବଡ଼ ପାଟିରେ କହିଲା–ହଉ ପଢ଼ନ୍ତୁ ପଢ଼ନ୍ତୁ ।

 

ପୁଣି ମଙ୍ଗରାଜେ ଶାନ୍ତ ହେଇ ବୋଲିଲେ–

 

‘‘ଗଲେଣି ତୋ ସଙ୍ଗତୁ ଯେତେକ ଜନ,

ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନରେ,

ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ

ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ରେ ।’’

 

ମଙ୍ଗରାଜେ ଏହାର ଅର୍ଥ ଭଲ କରି ସମସ୍ତଙ୍କୁ ବୁଝେଇ ଦଉ ଦଉ ହାଡ଼ିଆ କହି ପକେଇଲା–ଆମେ ବୁଝୁଛୁ ଯେ, ଆପଣ ବୁଝନ୍ତୁ ଭଲ କରି ।

 

ମଙ୍ଗରାଜେ ହାଡ଼ିଆ ମୁହଁରୁ ଏ ଧରଣର କଥା ଶୁଣି ରାଗରେ ଅନ୍ୟମାନଙ୍କୁ ସାକ୍ଷୀ କଲାପରି କହିଲେ–ଶୁଣୁଛ ତ, ଏ ଟୋକାଖଣ୍ଡକ କ’ଣ କହୁଛି ।

 

ହାଡ଼ିଆ କହିଲା–କ’ଣ ଖରାପ କଥା କହିଲି ? ଉଚିତ୍‌ କଥା କହୁଛି । ଆମକୁ ଯେ ବୁଝଉଛନ୍ତି, ଆପଣ ନିଜେ କ’ଣ ବୁଝୁଛନ୍ତି ? ଆପଣ ଗେରସ୍ତ, ଭାରିଯା ଦି’ଜଣ, ଏତେ ଲୋଭ କାହିଁକି ? ଦେଢ଼ି, ମହାଜନୀ, ଖାଲି ଗରିବଙ୍କ ତଣ୍ଟି ଟିପି ଏତେ ଯେ ସମ୍ପତ୍ତି ବଢ଼ଉଛନ୍ତି, କିଏ ଖାଇବ ? ହଡ଼ା ମଲେ ଗୁହାଳ ଖାଲି ।

 

ହାଡ଼ିଆ ଯେଇମିତି ଭାବରେ ମଙ୍ଗରାଜଙ୍କ ସଙ୍ଗେ ଯୁକ୍ତି କରୁଛି, ଅନ୍ୟମାନେ ତାକୁ କେହି ବାଧା ଦଉ ନାହାନ୍ତି; ବରଂ ଚୁପ୍‌ ରହି ଶୁଣୁଛନ୍ତି । ପୁଣି ମଙ୍ଗରାଜେ ନ ଦେଖିବା ଭଳି ମୁରୁକି ମୁରୁକି ହସୁଛନ୍ତି । ସମସ୍ତଙ୍କର ଯେମିତି ଇଚ୍ଛା–ହାଡ଼ିଆ ଯା’କହୁଛି, ଠିକ୍‌ କହୁଛି । ଆହୁରି ଦି’କଥା ଭଲ କରି ବତଉ ।

 

ତେଣେ ମାଇପି ଆଡ଼େ କେତେକ ମୁହଁରେ ଲୁଗା ଦେଇ ମଙ୍ଗରାଜଙ୍କ ସ୍ତ୍ରୀ ଯେମିତି ଜାଣି ନ ପାରିବେ, ମୁରୁକି ମୁରୁକି ହସୁଛନ୍ତି । ପୁଣି କେତେକ ହାଡ଼ିଆର ଯୁକ୍ତି ଶୁଣି ଆଶ୍ଚର୍ଯ୍ୟ ହେଇ ଭାବୁଛନ୍ତି–କାଲିକା ଟୋକା ହାଡ଼ିଆ, ତା’ମୁହଁ କେଡ଼େ ହେଲାଣିମ ? ଆଉ କେତେକଙ୍କ ଭିତରେ ଆଲୋଚନା ଚାଲିଛି–କିଏ କାହା ପାଖରେ ଗହଣା ବନ୍ଧାରଖି ଟଙ୍କା କରଜ ନେଇଥିଲା, ସେ ଟଙ୍କା ସୁଝୁନାହିଁ, ସୁଧ ବଢ଼ିଗଲାଣି । ଜଣେ ଜଣକୁ ଧମକ ଦେଲାଭଳି କହୁଛି–ସେ ଆଉ ବେଶୀ ଦିନ ଅପେକ୍ଷା କରି ପାରିବ ନାହିଁ । ଗହଣାକୁ ବିକିଦବ..... କା’ ଘରେ ଆଜି କି ତିଅଣ ହେଇଥିଲା ? କା’ ଗେରସ୍ତ କାହାକୁ ବାଡ଼େଇଛି, ସେ ତା କାରଣ କହୁ କହୁ କାନ୍ଦି ପକେଇ କାନିରେ ଲୁହ ପୋଛୁଛି । ପୁଣି କା’ ଗେରସ୍ତ ରାଗୀ, କା’ ଗେରସ୍ତ ଧୀର ସ୍ଥିର, ଇତ୍ୟାଦି ଇତ୍ୟାଦି ।

 

ଏଣେ ଏତେ ଲୋକଙ୍କ ସାମନାରେ ହାଡ଼ିଆର କଥାଗୁରାକ ମଙ୍ଗରାଜଙ୍କ ଦିହରେ ଛୁରୀ ଚାଲିଗଲା ପରି ଜଣା ପଡ଼ୁଛି । କ’ଣ କରିବେ ? ହାଡ଼ିଆକୁ ତ କେହି ଟିକିଏ ଚପେଇ ଦଉ ନାହାନ୍ତି-। ସମସ୍ତେ ଯେମିତି ହାଡ଼ିଆ ଆଡ଼େ, ତାଙ୍କ ପଟେ କେହି ନୁହଁ ।

 

ଏଇ ସମୟରେ ଜଣେ ଦି’ଜଣ ବୟସ୍କଲୋକ ପାଟିକରି ହାଡ଼ିଆକୁ ଟିକିଏ ଚପେଇ ଦବାପାଇଁ କହିଲେ–ତୁନିହ’ ହାଡ଼ିଆ, ସରିପଟହେଇ ଗୋଟାଏ ଯୁକ୍ତି କରୁଛୁ ? ଦେଖିବୁ ଅଭିକା ।

 

ଏଣେ ମଙ୍ଗରାଜଙ୍କୁ କହିଲେ–ବୋଲନ୍ତୁ ଆପଣ, ତା’ କଥାରୁ କ’ଣ ପାଇବେ ? ଛତରାଟା ସେ-

 

ମଙ୍ଗରାଜ ରାଗରେ କେତେଜଣକୁ ସାକ୍ଷୀକଲା ଭଳି କହିଲେ ଦେଖୁନା, ଶଳା କେଡ଼େ ବଡ଼ କଥା କହୁଛି–ହଡ଼ା ମଲେ ଗୁହାଳ ଖାଲି–ମଙ୍ଗରାଜେ ପୁଣି ରାଗରେ ହାଡ଼ିଆକୁ କହିଲେ–ଶଳା ବାହାର ଏଠୁଁ, ନାହିଁତ ଏ କଠଉକୁ ଅନେଇ କଥାବାର୍ତ୍ତା କରୁଥା-

 

ହାଡ଼ିଆ ଏଥର ଟିକିଏ ତୁନିହେଇ ବସିଲା । ମଙ୍ଗରାଜେ ପୁଣି ପଢ଼ିଲେ–

 

‘‘ଘରବୋଲି ଅର୍ଜିଛୁ ଯେତେ ପଦାର୍ଥ,

ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ,

ଘର ଘରଣୀ ଦେହ କିଳାଉଥିବେ,

ଘେନି ବନ୍ଧୁ କୁଟୁମ୍ବ ସୁଦ୍ଧ ହୋଇବେରେ ।’’

 

ଏଥର କେହି କିଛି ନ କହିବା ଆଗରୁ ହାଡ଼ିଆ କହି ପକେଇଲା–ଦାସେ ଠିକଣା କଥା ଲେଖିଛନ୍ତି । ଆହା, ଦାସେ ବଞ୍ଚିଥିଲେ ତାଙ୍କ ଗୋଡ଼ ଧୂଳିନେଇ ମୁଣ୍ଡରେ ଲଗାଇଥାନ୍ତି । ବୁଝିଲେ ଅଜା, ଏ ଘରଭଡ଼ା, ଜମିବାଡ଼ି, ମହାଜନୀ, କିଛି ନୁହଁ । ଆଉ ବେଶି ଲୋଭ କରନ୍ତୁ ନାହିଁ, ଏଣିକି ଦାନ ଖଇରତ କରନ୍ତୁ । ଗରିବ ଦୁଃଖୀ ରଙ୍କୀଙ୍କ ପେଟ ଚିହ୍ନନ୍ତୁ–ହାଡ଼ିଆର ଏ କଥା ଶୁଣି ଏଥର ମଙ୍ଗରାଜେ କିଛି ନ କହି ପାଖରେ ଥୁଆ ହୋଇଥିବା କଠଉ ହଳକ ଭିତରୁ ପଟେ କଠଉ ଉପରେ ହାତ ପକେଇଲେ । ମନରେ ସ୍ଥିରକଲେ–ଏଥର କଠଉ ପଟେ ହାଡ଼ିଆ ଉପରକୁ ଛାଡ଼ିବେ ।

 

ହାଡ଼ିଆ ଦେଖିଲା–ମଙ୍ଗରାଜେ ପଟେ କଠଉ ଉପରେ ହାତ ପକେଇଲେ । ହାଡ଼ିଆ ଭାବିଲା–ମଙ୍ଗରାଜେ ବୋଧେ ତା ଉପରକୁ କଠଉ ଫୋପାଡ଼ିବେ, କାରଣ ତା କଥାଗୁରାକ ମଙ୍ଗରାଜେ ସହି ପାରୁନାହାନ୍ତି, ବେଶି ରାଗିଗଲେଣି । ଏଣୁ ହାଡ଼ିଆ ଆଉ କିଛି ନ କହି ମଙ୍ଗରାଜଙ୍କୁ କହିଲା–ବୋଲନ୍ତୁ, ବୋଲନ୍ତୁ; ବୁଢ଼ାହେଲେଣି, ରାଗଟା ଆଉ କମୁ ନାହିଁ-

 

ମଙ୍ଗରାଜେ ଏଥର କଠଉ ଉପରରୁ ହାତ ଉଠେଇ ଆଣି ଭାବିଲେ–ହାଡ଼ିଆ ବୋଧେ ଭୟ କରିଗଲା, ଆଉକିଛି ଯୁକ୍ତି କରିବ ନାହିଁ । ମଙ୍ଗରାଜେ ଏଣୁ ଟିକିଏ ପ୍ରକୃତିସ୍ଥ ହେଇ ପୁଣି ବୋଲିଲେ–

 

‘‘ଉଦ୍ଧାର ହେବୁ ଯେବେ ଭବସାଗରୁ,

ଉପାୟରେ ଭଜ ଏବେ ଶ୍ରୀଗୁରୁରେ

ଊଣା ହେଉଛି ଦିନୁଦିନ ଆୟୁଷ,

ଆଉ ଏଣିକି ଅଛି କେତେ ବୟସରେ ।’’

 

ମଙ୍ଗରାଜେ ଏତକ ବୋଲି ସାରି ବୁଝେଇବାକୁ ଆରମ୍ଭ କରିବା ପୂର୍ବରୁ, ହାଡ଼ିଆ ହୋ ହୋ କରି ହସି ପକେଇଲା । ହାଡ଼ିଆର ହସିବା ଦେଖି; ମଙ୍ଗରାଜେ ରାଗରେ ପଚାରିଲେ–ଶଳା ହସିଲୁ କାହିଁକି ?

 

ହାଡ଼ିଆ ସଙ୍ଗେ ସଙ୍ଗେ ଉତ୍ତର ଦେଲା–ହସିଲି କାହିଁକି, ବୁଝିପାରୁ ନାହାନ୍ତି ? ଆହା ଭକ୍ତଚରଣ ଦାସେ ଯଦି ବଞ୍ଚିଥାଆନ୍ତେ, ମୁଁ ତାଙ୍କ ଲୁଗାପଟା ସବୁ ମାଗଣାରେ କାଚି ଦିଅନ୍ତି । ଆହା’ କ’ଣ ଲେଖିଛନ୍ତି ସେ ! –ଏ ଭବସାଗରରୁ ଉଦ୍ଧାର ପାଇବାକୁ ହେଲେ ଶ୍ରୀଗୁରୁଙ୍କୁ ଭଜ–

 

ହାଡ଼ିଆ ମଙ୍ଗରାଜଙ୍କ କଥାରେ ଉତ୍ତର ଦେବାକୁ ଯାଇ କହିଲା–କି ଭଜନ କରୁଛନ୍ତି ଆପଣ ! ସେ ମାଳାଝୁଲିରେ ହାତ ପୁରେଇ ଯୋଉ ମାଳା ଟପଟପ କରୁଛନ୍ତି, ନା କିଏ ଧାର କରଜ ନେଲା, କେତେବର୍ଷ ହେଲା, କାହିଁକି ଦେଲାନାହିଁ, ତାଠୁଁ କୋଉ ଉପାୟରେ ଆଦାୟ ହେବ, କା ଉପରେ କେତେ ସୁଧ ହେଲାଣି, କା ଉପରେ ଘରଭଡ଼ା ବାକିରହିଲା, ସେ କେମିତି ଆଦାୟ ହବ ? ଏ ସବୁର ହିସାବ ଚାଲିଛି । ଆପଣ ଶ୍ରୀଗୁରୁଙ୍କୁ ଭଜୁଛନ୍ତି, ଖାଲି ଲୋକ ଦେଖାଣିଆ-

 

ଏତେଲୋକଙ୍କ ସାମନାରେ ହାଡ଼ିଆ ଇମିତିଆ ଉତ୍ତରଦେବା ଶୁଣି ମଙ୍ଗରାଜେ ରାଗରେ ବିଚଳିତ ହୋଇ ପଟେ କଠଉ ଛାଡ଼ିଲେ ହାଡ଼ିଆ ଉପରକୁ । କଠଉ ପଟକ ହାଡ଼ିଆ ଦେହରେ ନ ବାଜି, ବାଜିଲାଯାଇ ମଧୁରଥଙ୍କ ନାକରେ । ମଧୁରଥେ ନାକରେ କଠଉ ଆଘାତ ପାଇ ନାକକୁ ଧରିପକେଇ, ‘ବୋପାଲୋ ମରିଗଲି’ କହି ଭୂଇଁରେ ଟଳି ପଡ଼ିଲେ ।

 

ଏଥର ସମସ୍ତଙ୍କଦ୍ୱାରା ‘ମନଅବୋଧ ଚଉତିଶା’ (ଏକାଙ୍କିକା) ପରିବେଷଣ ଆରମ୍ଭ ହେଲା । ଏଥିରେ ହାଡ଼ିଆର ପଳାୟନ ଦୃଶ୍ୟ ଉଲ୍ଲେଖଯୋଗ୍ୟ । ଶ୍ରେଷ୍ଠାଂଶରେ ମଙ୍ଗରାଜଙ୍କ ଅଭିନୟ ଅତି ଉଚ୍ଚକୋଟିର–ନରହତ୍ୟା ଇମିତି କି ମଧୁରଥେ ବ୍ରାହ୍ମଣ ହୋଇଥିବାରୁ ବ୍ରହ୍ମହତ୍ୟା ଭୟରେ ବିଚଳିତ ହୋଇ ତାଙ୍କର ଲୁଗାପଟାର ଅବସ୍ଥା ଅତୀବ ଚିତ୍ତାକର୍ଷକ । ସମସ୍ତଙ୍କଦ୍ୱାରା ହାଡ଼ିଆର ଚଉଦ ପୁରୁଷର ବନ୍ଦନାରେ ଗଦ୍ୟପାଠୋତ୍ସବ ବିଶେଷ ଉପଭୋଗ୍ୟ । ମଧୁରଥଙ୍କ ନାକର ରକ୍ତସ୍ରାବ ସଙ୍ଗେ ତାଙ୍କର ଅଚୈତନ୍ୟ ଅବସ୍ଥାର ଦୃଶ୍ୟରେ ସମସ୍ତେ ଚମତ୍କୃତ । ନାରୀ ଭୂମିକାରେ ମଙ୍ଗରାଜଙ୍କ ପତ୍ନୀ ଏବଂ ଅନ୍ୟମାନେ ମଧୁରଥଙ୍କ ଆସନ୍ନ ପରଲୋକ ପ୍ରାପ୍ତିର ଆଶଙ୍କାରେ ହାଉଳିଖାଇ ଚିତ୍‌କାର କରିବା ସଙ୍ଗେ ଦିହମୁଣ୍ଡରେ ଲୁଗା ନ ରହିବାର ଦୃଶ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲା । ମଞ୍ଚସଜ୍ଜା ଏବଂ ଆଲୋକସଜ୍ଜାରେ ବିଶେଷ ତ୍ରୁଟି ପରିଲକ୍ଷିତ ହେଲେ ସୁଦ୍ଧା ମଙ୍ଗରାଜଙ୍କ ଚରିତ୍ର ସମସ୍ତଙ୍କୁ ବିଭ୍ରାନ୍ତ କରିଦେଲା ।

Image

 

ମିଳନ ମାଧୁରୀ

 

ପ୍ରେସ୍‌ରେ କାମ ଚାଲିଛି । କର୍ମଚାରୀମାନେ ଯେ ଯା’ର କାମରେ ଲାଗିଛନ୍ତି । ମେସିନ୍‌ର ଶବ୍ଦ ବାହାରକୁ ଶୁଣାଯାଉଛି । ଉକ୍ତ ପ୍ରେସ୍‌ରୁ ଖଣ୍ଡିଏ ସାପ୍ତାହିକ ପତ୍ରିକା ପ୍ରକାଶିତ ହୁଏ ନାମ ‘‘ସମ୍‌ବାଳୁଆ’’–ସମାଲୋଚନା ମୂଳକ ପତ୍ରିକା । ଏ ସମ୍‌ବାଳୁଆ ପତ୍ରିକାକୁ ସମ୍ପାଦନା କରନ୍ତି–ଶ୍ରୀ କଳାକଳେବର ମହାପାତ୍ର । ସେ ମଧ୍ୟ ତଳମୁହାଁ ହେଇ କେତେକ ପ୍ରୁଫ୍‌ ସଂଶୋଧନରେ ଲାଗିଛନ୍ତି ।

 

ଏଇ ସମୟରେ ଜଣେ ପ୍ରେସ୍‌ କର୍ମଚାରୀ ସମ୍ପାଦକଙ୍କ ରୁମ୍‌ ଭିତରକୁ ପଶିଆସି ସମ୍ପାଦକଙ୍କୁ ଜଣେଇଲେ–ଆଜ୍ଞା, ଜଣେ କିଏ ଭଦ୍ରଲୋକ ଆସୁଛନ୍ତି । ସେ ବୋଧହୁଏ ଆପଣଙ୍କ ସଙ୍ଗେ ଦେଖା କରିବେ କି କ’ଣ....

 

ପ୍ରେସ୍‌ର କର୍ମଚାରୀ ଜଣକ ଏତକ ଖବର ଦେଲାପରେ, ସମ୍ପାଦକ ଟିକିଏ ନିଜକୁ ସଜାଡ଼ି ନେଇ ଭଦ୍ରଲୋକଙ୍କର ଉପସ୍ଥିତିକୁ ଅପେକ୍ଷା କଲେ ।

 

ଅଳ୍ପ ସମୟ ପରେ ସମ୍ପାଦକଙ୍କ ରୁମ୍‌ ଭିତରକୁ ପ୍ରବେଶ କଲେ ଜଣେ ଯୁବକ ।

 

ଯୁବକଙ୍କ ପରିଧେୟ–ଟେରିଲିନ୍‌ର ଫୁଲ ନଳିପ୍ୟାଣ୍ଟ, ଟେରିଲିନ୍‌ର ହାଓ୍ୟାଇନ୍‍, ପାଦରେ ନୂଆ ଡିଜାଇନ୍‌ର ହଳେ ଯୋତା, ବାଁ ହାତରେ ରିଷ୍ଟଓ୍ୱାଚ୍‌, ଛାତିର ବାଁ ପକେଟ୍‌ରେ ଗୋଟାଏ ଫାଉଣ୍ଟେନ୍‌ପେନ୍‌ ଆଉ ଗୋଟାଏ ଗଗ୍‌ଲେସ୍‌ । ତା’ର ଗୋଟାଏ ପାଖର ଆଙ୍କୁସାଟା ପକେଟ୍‌ ବାହାରକୁ ଓହଳିଛି । ପୁଣି ସେହି ପକେଟ୍‌ରେ ଗୋଟିଏ ଛୋଟିଆ ଖାତା । ବୋଧେ ଡାଇରି ହବ କି କ’ଣ ! ହାତରେ ଖଣ୍ଡେ ପ୍ଳାଷ୍ଟିକ୍‌ର ହ୍ୟାଣ୍ଡ୍‌ ବ୍ୟାଗ୍‌ । ଯୁବକର ଗାଲ ଦି’ଟା ଅଳ୍ପ ଖାଲୁଆ ହେଲେ ମଧ୍ୟ ଚେହେରାର କାଟାଣ ମନ୍ଦ ନୁହେଁ ।

 

ଯୁବକ ସମ୍ପାଦକଙ୍କ ଅଫିସରୁମ୍‌ ଭିତରକୁ ପ୍ରବେଶ କରିବା ମାତ୍ରେ, ସମ୍ପାଦକ ମହାପାତ୍ରେ ଯୁବକ ଉପରେ ନିଜର ଚଷମା ଭିତରୁ ଦୃଷ୍ଟି ନିକ୍ଷେପ କରି ନମ୍ର ଭାବରେ କହିଲେ–ବସନ୍ତୁ ।

 

ଯୁବକ ସମ୍ପାଦକଙ୍କ ପାଖରେ ପଡ଼ିଥିବା ଖଣ୍ଡିଏ ଚୌକୀରେ ବସିଲେ । ସମ୍ପାଦକ ପ୍ରଶ୍ନ କଲେ–‘‘ମୁଁ ତ ଆପଣଙ୍କୁ ଚିହ୍ନି ପାରୁ ନାହିଁ । ଆପଣ କ’ଣ କରନ୍ତି ?’’....

 

ଯୁବକ ଗମ୍ଭୀର ଭାବରେ ଉତ୍ତର ଦେଲେ–‘‘ମୁଁ ଜଣେ ଗଭ୍‌ମେଣ୍ଟ୍‌ ସର୍‌ଭାଣ୍ଟ’’.... ।

 

ସମ୍ପାଦକ ପୁଣି ପ୍ରଶ୍ନ କଲେ–‘‘କୋଉ ଡିପାର୍ଟମେଣ୍ଟରେ’ ? ଯୁବକ ପୂର୍ବର ଗାମ୍ଭୀର୍ଯ୍ୟ ବଜାୟ ରଖି ଉତ୍ତର ଦେଲେ–‘ଭିଜିଲାନ୍‌ସ୍‌ ଡିପାର୍ଟମେଣ୍ଟ୍‌ରେ’.....

 

ଯୁବକର ଉତ୍ତର ଶୁଣିଲାପରେ, ସମ୍ପାଦକ ମହାପାତ୍ରଙ୍କ ନାଭି ଅଞ୍ଚଳରେ ଟିକିଏ ସମ୍‌ବାଳୁଆ ଲାଗିଲା ପରି ଜଣାଗଲା ।

 

ମହାପାତ୍ରେ ଯୁବକର ରୂପ ଗାମ୍ଭୀର୍ଯ୍ୟ, ପୋଷାକ ପରିଚ୍ଛଦରୁ ମନେ ମନେ ଭାବିନେଲେ–ଏ ଜଣେ ନିଶ୍ଚୟ ଭିଜିଲାନ୍‌ସ୍‌ ଡିପାର୍ଟମେଣ୍ଟ୍‌ରେ କେହି ଅଫିସର ହେବେ । ଆଜି ଭିଜିଲାନ୍‌ସ୍‌ ଡିପାର୍ଟମେଣ୍ଟ୍‌ରେ କର୍ମଚାରୀ ଏଠିକି କାହିଁକି ଆସିଲେଣି ? ମହାପାତ୍ରଙ୍କ ମୁଣ୍ଡରେ କେତେଟା ଜାଗାରେ ବାଘୁଆ ମହୁମାଛି ମାରିଲା ପରି ଜଣାଗଲା ।

 

ସମ୍ପାଦକ ଏଥର ଯୁବକଙ୍କୁ ନମ୍ରସ୍ୱରରେ ଅନୁରୋଧ କଲେ–‘‘ଆପଣ ଟିକିଏ ଚା’ ଖାଆନ୍ତୁ’’....

 

ଯୁବକ ଚା’ପାନର ଅନୁରୋଧରେ ସମ୍ମତି ଦାନ କଲାପରି ନିରୁତ୍ତର ହେଇ ବସିଲେ ।

 

ଖାଲି ଚା’ କିମିତି ଦେବେ ? ତା’ ସାଙ୍ଗକୁ ଅଳ୍ପ କିଛି ଜଳଖିଆ ଦବାର କଥା । ସମ୍ପପାଦକୁ ଚୌକୀରୁ ଉଠିଯାଇ ପ୍ରେସ୍‌ ଭିତରେ ଜଣକୁ ଚା ଏବଂ ସାମାନ୍ୟ କିଛି ଜଳଖିଆ ଆଣିବାକୁ ଆଦେଶ ଦେଲେ ।

 

ପ୍ରେସ୍‌ ସମ୍ମୁଖସ୍ଥ ରାସ୍ତାର ଆରପଟେ ଚା’ଜଳଖିଆ ଦୋକାନ । ଏଣୁ ଚା’ ଜଳଖିଆ ଅନତିବିଳମ୍ବେ ପହଞ୍ଚି ଗଲା ।

 

ଯୁବକ ସମ୍ପାଦକଙ୍କ ରୁମ୍‌ରେ ପଡ଼ିଥିବା ଆଉ ଖଣ୍ଡିଏ ଟେବୁଲ ଓ ଚୌକୀରେ ବସି ଜଳଖିଆ ଖାଇବାକୁ ଆରମ୍ଭ କଲେ ।

 

ଯୁବକ ଜଳଖିଆ କରୁ କରୁ ଗୋଟିଏ ସିଙ୍ଗଡ଼ା ଉଦରସ୍ଥ କରି ଆଉ ଗୋଟିଏ ସିଙ୍ଗଡ଼ାକୁ ଅଧା କାମୁଡ଼ିଛନ୍ତି, ଏଇ ସମୟରେ ପ୍ରେସ୍‌ର ଜଣେ ପିଅନ ସମ୍ପାଦକଙ୍କ ରୁମ୍‌ ଭିତରକୁ ଗୋଟାଏ ଫାଇଲ୍‌ ଧରି ପଶିଆସି ଯୁବକକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଆନନ୍ଦରେ ହସିହସି ପରିହାସ କଲାପରି କହିଲା–ହଇବେ ଭଗିଆ, ତୁ କିମିତି ଏଠିକି ଆସିଲୁ ? ତୁ କିମିତି ମୋ ଠିକଣା ପାଇଲୁ ? ତୁ ପରା ଭିଜିଲାନସ୍‌ ଡିପାର୍ଟମେଣ୍ଟରେ ପିଅନ କାମ କରୁଛୁ ? ତୁ କୋରାପୁଟରୁ କେବେ ଆସିଲୁ ? ଯା’ହଉ ବହୁତ ଦିନ ପରେ ଭେଟହେଲା । ସଙ୍ଗାତ ମୋତେ ମନେରଖିଛି । ମୁଁ ଭାବିଥିଲି–ଭଗିଆ କୁଆଡ଼େ ମଲାଣି, ଯା’ହେୁ ତୁ ବଞ୍ଚିଛୁ.... ।

 

ପିଅନ ଏବଂ ତା’ର ସଙ୍ଗାତ ଭଗିଆ ଉଭୟେ ସମ୍ପାଦକଙ୍କ ରୁମ୍‌ରୁ ବାହାରକୁ ବାହାରି ଗଲାବେଳେ ସମ୍ପାଦକ ମହାପାତ୍ରେ ନିଜର କଲମ ପଛ ଅଂଶଟାକୁ ଓଠରେ ଲଗେଇ କିଛି ସମୟ ଅନେଇ ରହିଲେ । ତା’ପରେ ପୁଣି ପ୍ରୁଫ୍‌ ସଂଶୋଧନରେ ଲାଗିଲେ । ତଥାପି ତାଙ୍କୁ ଜଣାଗଲା ଯେମିତି ତାଙ୍କର ଦି’ଗାଲରେ ସମ୍‌ବାଳୁଆ ଲାଗିଛି ।

Image